ମଣିଷ ସମାଜ ପାଇଁ ଯନ୍ତ୍ର ପାଲଟିଛି ବିପଦ!

ବାଲେଶ୍ୱର, (ଆଇଏନ୍ଏସ୍): ସମାଜ ପାଇଁ ବିଜ୍ଞାନର ଅବଦାନ ଅନେକ । ବିଜ୍ଞାନ ପାଇଁ ମାନବ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ପାରିଛି । ବିଜ୍ଞାନ ପାଇଁ ମଣିଷର ଜୀବନ ଯାପନ ପ୍ରଣାଳୀ ସୁଗମ ହୋଇ ପାରିଛି । ବିଜ୍ଞାନ ଦ୍ୱାରା ଉଦ୍ଭାବନ ହୋଇଥିବା ଉଡ଼ାଜାହାଜ, ବୁଲେଟ୍ ଟେନ୍ ପ୍ରଭୃତି ପାଇଁ ହଜାର ହଜାର କି.ମି ରାସ୍ତାକୁ ଅଳ୍ପ ସମୟ ମଧ୍ୟରେ ଅତିକ୍ରମ କରି ମଣିଷ ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛି । ରୋବର୍ଟ ଦ୍ୱାରା ଅସାଧ୍ୟ କାର୍ଯ୍ୟକୁ ସହଜରେ ସମ୍ପାଦିତ କରାଯାଇପାରୁଛି । ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ରୋବର୍ଟକୁ ମୁତୟନ କରାଯାଇ କାର୍ଯ୍ୟକୁ ସହଜରେ କରାଯାଇ ପାରୁଛି । ଏୟାରକଣ୍ଡିସନର, କମ୍ପୁ୍ୟଟର ଭଳି ଯନ୍ତ୍ର ପାଇଁ ମଣିଷର ଜୀବନ ଶୈଳୀରେ କେବଳ ପରିବର୍ତନ ଘଟିନାହିଁ,ବରଂ ମନୁଷ୍ୟ ବିଳାସମୟ ଜୀବନ ଅତିବାହିତ କରୁଛି । ମୋଟ ଉପରେ କହିବାକୁ ଗଲେ ବିଜ୍ଞାନ ଦ୍ୱାରା ଉଦ୍ଭାବନ ହୋଇଥିବା ଯନ୍ତ୍ର ମଣିଷର ଜୀବନକୁ ବିଳାସମୟ କରିଦେଇଛି ।
କିନ୍ତୁ ମଣିଷ ଜୀବନକୁ ସହଜ, ସରଳ, ଆରାମଦାୟକ କରୁଥିବା ଯନ୍ତ୍ର ଏବେ ମଣିଷ ସମାଜ ପାଇଁ ବିପଦ ପାଲଟିଛି । ଯନ୍ତ୍ର ପାଇଁ ମଣିଷର ଜୀବିକା ଏବେ ବିପନ୍ନ । ଯନ୍ତ୍ର/ଅତ୍ୟାଧୁନିକ ଜ୍ଞାନକୋ÷ଶଳ ମଣିଷର ଜୀବିକା ଛଡ଼ାଇ ନେଉଛି । ଫଳରେ ବହୁ ବ୍ୟକ୍ତି ନିଜର ଜୀବିକା ହରାଇ ବେକାର ହୋଇ ଯାଉଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ରୋଜଗାର ହରାଇ ବେକାର ହେବା ଫଳରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି ।
ଯେଉଁ କମୁ୍ୟଟର ଦ୍ୱାରା ମଣିଷ ନିଜର କାମକୁ ସହଜରେ କରିପାରୁଛି, ସେହି କମ୍ପୁ୍ୟଟର ଅନେକ ଲୋକଙ୍କ ଚାକୀରି ନେଇଯାଉଛି । ଏବେ ବିଭିନ୍ନ କଳକାରଖାନାରେ ରୋବର୍ଟ ମୁତୟନ କରାଯାଉଛି । କଳକାରଖାନାରେ ଯେଉଁଠି ମଣିଷ ବିପଦପୂର୍ଣ୍ଣ ସ୍ଥାନରେ ନିଜର ଜୀବନକୁ ବାଜି ଲଗାଇ କାମକରୁଛି, ସେହିସ୍ଥାନରେ ରୋବର୍ଟ ସେହି କାମକୁ ସହଜରେ କରିପାରୁଛି । ତେଣୁ ଶିଳ୍ପପତି ମାନେ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ପରିବର୍ତେ ରୋବର୍ଟକୁ କାର୍ଯ୍ୟରେ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ଶ୍ରମିକମାନେ ସେମାନଙ୍କର ଜୀବିକା ହରାଉଛନ୍ତି । ନିକଟରେ ପ୍ରକାଶିତ ଏକ ଖବର ଅନୁସାରେ, ବି୍ରଟିସ୍ ବୈଜ୍ଞାନିକମାନେ ଏବେ ଏପରି ଏକ ନିର୍ମାଣ କରିଛନ୍ତି, ଯାହା ବଗିଚାରୁ ଫୁଲ ତୋଳିବା, ଗଛର ଡାଳ କାଟି ସାଇଜ୍ କରିପାରିବ । ଏଥିରେ ଏଭଳି ସବୁ ସେନ୍ସର ଓ କଟିଂ ଟୁଲ୍ ଉପଯୋଗ କରାଯାଇଛି, ଯାହା ସାହାଯ୍ୟରେ ରୋବର୍ଟ ଗଛ ଗୁଡ଼ିକୁ ଟି୍ରମିଂ କରିପାରିବ । ଏହି ରୋବର୍ଟକୁ ଇଲେକ୍ଟ୍ରୋନିକ୍ସ କମ୍ପାନୀ ‘ବୋଶ୍’ ନିର୍ମାଣ କରିଛି । ଏହି ରୋବର୍ଟ ଭବିଷ୍ୟତରେ ‘ମାଳି’ କାର୍ଯ୍ୟକରୁଥିବା ବ୍ୟକ୍ତିମାନଙ୍କର ଜୀବିକାକୁ ଖାଇଦେବ ।
କିଛି ଦିନ ପୂର୍ବରୁ ବିଶ୍ୱବ୍ୟାଙ୍କର ରିପୋର୍ଟରେ କୁହାଯାଇଥିଲା, ରୋବର୍ଟ ୬୯% ଚାକିରୀ ଖାଇଦେବ । ପରିବର୍ତିତ ପରିସ୍ଥିତି ଅନୁସାରେ ବିଭିନ୍ନ ଶିଳ୍ପ ସଂସ୍ଥା ଠାରୁ ଆରମ୍ଭ କରି ଘରୋଇ ଉଦ୍ୟୋଗରେ ଅଟୋମେଟେଡ ସିଷ୍ଟମ୍ ଓ ରୋବର୍ଟର ନିୟୋଜନ ଦ୍ୱାରା ବହୁଲୋକ କର୍ମ ସଂସ୍ଥାନ ହରାଇବେ । ଭାରତରେ ଦିନକୁ ୫୫୦ଟି ଚାକିରୀ ଉଚ୍ଛେଦ ହେଉଛି । ଦିଲ୍ଲୀର ସିଭିଲ୍ ସୋସାଇଟି ଗୃପ୍ ‘ପ୍ରହାର’ର ଏକ ସମୀକ୍ଷା ଅନୁସାରେ ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ଠିକା ଶ୍ରମିକ ଓ ନିର୍ମାଣ ଶ୍ରମିକ ଶ୍ରେଣୀ ଜୀବିକା ହରାଉଛନ୍ତି । ୨୦୧୬ ମସିହା ଆରମ୍ଭରେ ପ୍ରକାଶିତ ଶ୍ରମ ବୁ୍ୟରୋ ପରିସଂଖ୍ୟାନ ମୁତାବକ ୨୦୧୩ ମସିହାରେ ୪ଲକ୍ଷ ୧୯ହଜାର ନିଯୁକ୍ତି ମିଳିଥିବା ବେଳେ ୨୦୧୫ ମସିହା ବେଳକୁ ନିଯୁକ୍ତି ସୁଯୋଗ ୧ଲକ୍ଷ ୩୫ହଜାରକୁ ଖସିଆସିଥିଲା । ଅର୍ଥାତ୍ ୨ବର୍ଷ ମଧ୍ୟରେ ୨ଲକ୍ଷ ୮୪ ହଜାର ପଦବୀ ଉଛେଦ ହୋଇଯାଇଛି ।
ବର୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ, ଟେକ୍ନୋଲୋଜି ଓ ଯନ୍ତ୍ରକୁ ଯେଉଁ ସ୍ତରକୁ ନେଲାଣି ତାହା ମଣିଷର ଜୀବିକା ଛଡ଼ାଇ ନେଇ ବେକାର କରିଦେବା ଭଳି ସ୍ତରରେ ପହଂଚି ସାରିଛି । ଅଟୋମେସନ, ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନସ୍ ଭଳି ନୂଆନୂଆ ଟେକ୍ନୋଲୋଜି ଫଳରେ କଳକାରଖାନା ଗୁଡ଼ିକରେ ଶ୍ରମିକଙ୍କର ଆବଶ୍ୟକତା କମିକମି ଯାଉଛି । ପାଶ୍ଚାତ୍ୟ ରାଷ୍ଟ୍ରରେ ଏହି ସମସ୍ୟା ଉକ୍ରଟ ହେଲାଣି । ଅଟୋମୋବାଇଲ୍, ସଫ୍ଟୱୟାର,ଆଇଟି ପ୍ରଭୃତି କ୍ଷେତ୍ରରେ ଅଟୋମେସନ ଓ ଟେକ୍ନୋଲୋଜି ଅପ୍ଗ୍ରେଡେସନ ଏବେ ନୂଆ ମନ୍ତ୍ର ପାଲଟିଛି । ଭାରତରେ ମଧ୍ୟ ବୈଷୟିକ ବିକାଶ ଆଳରେ ଏହାକୁ ବହୁଳ ଭାବେ ବ୍ୟବହାର କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଆମର ରାଜନୈତିକ ନେତୃତ୍ୱ ମଧ୍ୟ ଏହି ପରିବର୍ତନର ସପକ୍ଷରେ ।
ଯନ୍ତ୍ରାୟନ ଓ ଯନ୍ତ୍ର, ଯେତେବେଳେ ମଣିଷର ଜୀବନଶୈଳୀକୁ ସହଜ ଓ ସରଳ କରିବା ଫଳରେ ଲୋକମାନେ ପାରମ୍ପାରିକ ବ୍ୟବସ୍ଥାକୁ ପରିହାର କରନ୍ତି । ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପ ‘ମାଗୁଣୀର ଶଗଡ଼’, ଯନ୍ତ୍ର ଆଡ଼କୁ ମଣିଷ ସମାଜ କିପରି ଢଳୁଛି ତାହାର ଏକ ଉଦାହରଣ । ଏହି ଗଳ୍ପରେ, ପାରମ୍ପାରିକ ଶଗଡ଼କୁ ପରିହାର କରି ମୋଟର ଗାଡ଼ିକୁ ଆଦରି ନେବା ଫଳରେ ଶଗଡ଼ିଆ ମାଗୁଣି, ଯିଏ ଶଗଡ଼ ଚଳାଇ ତାର ଜୀବିକା ନିର୍ବାହ କରୁଥିଲା, ଗାଁକୁ ମୋଟର ଗାଡ଼ି ଚାଲିବା ଫଳରେ ଲୋକମାନେ ତା’ର ଶଗଡ଼ ଠାରୁ ମୁହଁ ଫେରାଇ ନେଇ ମୋଟର ଗାଡ଼ିକୁ ଆଦରି ନେଲେ । ଫଳରେ ମାଗୁଣୀ ତାର ଜୀବିକା ହରାଇଲା । ଗୋଦାବରୀଶ ମହାପାତ୍ରଙ୍କର ଗଳ୍ପ ‘ମାଗୁଣୀର ଶଗଡ଼’ ଏକ ଭବିଷ୍ୟତ ବାଣୀ ଥିଲା କହିଲେ ଭୁଲ ହେବ ନାହିଁ । ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ/ଯନ୍ତ୍ର ହଜାର ହଜାର ଲୋକଙ୍କର ଜୀବିକା ନେଇ ସାରିଲାଣି ଏବଂ ଆଗକୁ ଏହାର ଉକ୍ରଟ ରୂପ ଦେଖାଇବ ଏଥିରେ ତିଳେ ହେଲେ ଭୁଲ ନାହିଁ ।
ଅତ୍ୟାଧୁନିକ ଜ୍ଞାନ କୌଶଳ/ କୃତ୍ରିମ ବୁଦ୍ଧିମତା/ ଯନ୍ତ୍ର/ ରୋବର୍ଟ ପ୍ରଭୃତିର ବ୍ୟବହାର କରାଯାଉ କିନ୍ତୁ ତାହା ଯେପରି ମଣିଷ ସମାଜ ପାଇଁ ବିପଦର କାରଣ ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବା ଜରୁରୀ ।

Leave a Reply

Your email address will not be published. Required fields are marked *