କେନ୍ଦ୍ରାପଡ଼ା ବିଧାୟକଙ୍କ ରାଜନୀତିର ଭିନ୍ନ ଦିଗ!

ଶରତ କୁମାର ରାଉତ
ରାଜନୀତି କ୍ଷେତ୍ରରେ ରାଜନେତାଙ୍କ ମିଥ୍ୟା ପ୍ରଲୋଭନ ବା ପ୍ରତିଶ୍ରୂତି ବା କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ବରଂ ଲୋକେ ରାଜନେତାଙ୍କ କାମରେ ବିଶ୍ୱାସ କରନ୍ତି । ସାଧାରଣ ଲୋକଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ମାନେ ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ତୁଙ୍ଗ ନେତା ହେଲେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀ ଭୁଷଣ ବେହେରା । ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ । ସେ ପ୍ରଥମ ଥର ପାଇଁ ୨୦୦୪ ମସିହାରେ ଖୋର୍ଦ୍ଦା ଜିଲ୍ଲା ବାଲିପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଟିକଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୨୦୧୪ ମସିହାରେ ସେ ଖୋର୍ଦ୍ଦା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଟିକଟରେ ଲଢି ବିଜୟୀ ହୋଇଥିବାବେଳେ ୨୦୧୯ ମସିହାରେ ତୃତୀୟ ଥର ପାଇଁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକଟରେ ଲଢି ବିଜୟୀ ହୋଇଥିଲେ ।
ଶଶୀ ବାବୁଙ୍କର ବ୍ୟାପକ ଲୋକସଂପର୍କ ଯୋଗୁ ସେ ସବୁ ନିର୍ବାଚନରେ ରେକର୍ଡ଼ ପରିମାଣ ଭୋଟ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିଛନ୍ତି । ୨୦୦୪ ବିଧାନସଭା ନିର୍ବାଚନରେ ଶ୍ରୀ ବେହେରା ୫୪,୨୯୩ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବେଣୁଧର ଭୋଇ ୪୧,୬୮୮ଭୋଟ ପାଇଥିଲେ । ଏହି ନିର୍ବାଚନରେ ଶ୍ରୀ ବେହେରା ୧୨,୬୦୫ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିବାରେ ସକ୍ଷମ ହୋଇଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ଶ୍ରୀ ବେହେରା ୬୯,୬୩୭ ଭୋଟ ପାଇଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବେଣୁଧର ଭୋଇ ୨୮,୬୮୬ ଭୋଟ ପାଇଥିଲେ । ଏହି ନିର୍ବାଚନରେ ଶ୍ରୀ ବେହେରା ୪୦,୯୫୧ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ସେହିପରି ୨୦୧୯ ବିଧାନସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରେ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ । ଶ୍ରୀ ବେହେରା ମୋଟ ୬୩,୯୬୬ ଭୋଟ ପାଇଥିଲା ବେଳେ କଂଗ୍ରେସର ଗଣେଶ୍ୱର ବେହେରା ୫୭,୬୪୬ ଓ ବିଜେପିର ସୁନାକର ବେହେରା ୨୨,୧୪୧ ଭୋଟ ପାଇଥିଲେ । ଏହି ନିର୍ବାଚନରେ ଶ୍ରୀ ବେହେରା ୬,୩୨୦ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ତେବେ ଶ୍ରୀ ବେହେରା ପ୍ରଥମ ଥର ପାଇଁ ୨୦୧୭ରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀପଦ ଗ୍ରହଣ କରି ଅତି ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ୭ ମଇ ୨୦୧୭ ରୁ ୨୯ ମଇ ୨୦୧୯ ପର୍ଯ୍ୟନ୍ତ ଶ୍ରୀ ବେହେରା ଅର୍ଥ ଓ ଅବକାରୀ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇଥିଲାବେଳେ ୨୨ ଡ଼ିସେମ୍ବର ୨୦୧୭ ରୁ ୨ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ପବ୍ଲିକ୍ ଏଂଟରପ୍ରାଇଜେସ୍ ଓ ୬ ଜାନୁୟାରୀ ୨୦୧୯ ରୁ ୨୯ ମଇ ୨୦୧୯ ପର୍ଯ୍ୟନ୍ତ ମତ୍ସ୍ୟ, ପଶୁ ସଂପଦ ବିକାଶ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଜ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ । ତାଙ୍କ ମନ୍ତ୍ରୀତ୍ୱ ସମୟରେ ଶ୍ରୀ ବେହେରା ନିଜ ବିଭାଗ କୁଡ଼ିକରେ ବ୍ୟାପକ ସଂସ୍କାର ଆଣି ରେକର୍ଡ଼ ସୃଷ୍ଟି କରିଛନ୍ତି ।
ଦୀର୍ଘ ୪୫ ବର୍ଷର ରାଜନୀତିକ ଜୀବନ ଭିତରେ ଶ୍ରୀ ବେହେରା ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ତୁଲାଇ ଆସୁଛନ୍ତି । ମୁଖ୍ୟତଃ ସମବାୟ, ଜଳ ସଂପଦ, କୃଷି, ପଶୁ ସଂପଦ ବିକାଶ, ଆଦିବାସୀ ଓ ହରିଜନ ମଙ୍ଗଳ ଆଦି କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେହିପରି ଶ୍ରୀ ବେହେରା ଅଗଷ୍ଟ ୨୦୧୦ ରୁ ୨୮ ମଇ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥିଲେ । ରାଜ୍ୟସଭାର କୃଷି, ଖାଦ୍ୟ ପ୍ରକି୍ରୟାକରଣ ଶିଳ୍ପ ମନ୍ତ୍ରଣାଳୟର ପରାମର୍ଶ ଦାତା କମିଟିର ସେ ସଦସ୍ୟ ଥିବାବେଳେ ସଂସଦର ସ୍ଥାନୀୟ ଅଂଚଳ ବିକାଶ ଯୋଜନା ଓ ନଗର ଉନ୍ନୟନ ଆଦିର ସଦସ୍ୟ ଥିଲେ । ଏଥିସହ ଶ୍ରୀ ବେହେରା କେତେକ ଗୁରୁତ୍ୱପୂର୍ଣ୍ଣ ସଂଗଠନର ବିଭିନ୍ନ ପଦ ପଦବୀରେ ରହି ସଫଳତାର ସହ କାର୍ଯ୍ୟ ସଂପାଦନ କରିଚାଲିଛନ୍ତି । ସେ ୧୯୮୦ ରୁ ୧୯୯୨ ପର୍ଯ୍ୟନ୍ତ ଯୁବ ଜନତା ଦଳର ସାଧାରଣ ସଂପାଦକ ଓ ଉପସଭାପତି ଥିଲାବେଳେ ଓଡ଼ିଶା ଦଳିତ ସେନା ସଭାପତି, ସମତା ମଂଚର ଉପସଭାପତି, ହିନ୍ଦୁ ମଜଦୁର ସଭାର ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ, ଅଖିଳ ଓଡ଼ିଶା କୈବର୍ତ ମହାସଂଘର ସାଧାରଣ ସଂପାଦକ, କଟକ ହୋମିଓପାଥୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ର ପ୍ରତିଷ୍ଠାତା ସଂପାଦକ, ୨୦୦୧ରେ ରାଷ୍ଟ୍ରୀୟ ଟେଲିଫୋନ୍ ଆଡ଼ଭାଇଜରୀ କମିଟିର ନିର୍ବାଚିତ ସଦସ୍ୟ, ୧୯୯୭ ରୁ ୧୯୯୯ ମଧ୍ୟରେ ଜୋନାଲ୍ ରେଲୱେ ନିଯୁକ୍ତି ବୋର୍ଡ଼ (ଦକ୍ଷିଣ-ପୂର୍ବ)ର ସଦସ୍ୟ, ଏଫ୍ସିଆଇ ଆଡ଼ଭାଇଜରୀ କମିଟିର ସଦସ୍ୟ, ଜାତୀୟ ହାଣ୍ଡିକ୍ରାଫ୍ଟ ଓ ଟେକ୍ସଟାଇଲ୍ ବୋର୍ଡ଼ର ନିର୍ବାଚିତ ସଦସ୍ୟ ଭଳି ବହୁ ପଦପଦବୀରେ ରହି ଅନେକ ଜନହିତକାରୀ କାର୍ଯ୍ୟ କରିଥିଲେ ।
ବହୁପ୍ରତିଭାର ଅଧିକାରୀ ଶ୍ରୀ ବେହେରା ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବା ବେଳେ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ଅଭିଜ୍ଞ ବିଧାୟକ ଭାବେ ତାଙ୍କର ରାଜନୀତିକ ତଥା ବିଧାନସଭା ଓ ରାଜ୍ୟସଭାର କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ବିଧାନସଭା ଓ ରାଜ୍ୟସଭା ଅଧିବେଶନରେ ଶ୍ରୀ ବେହେରାଙ୍କ କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା, ଜାତୀୟ ଓ ରାଜ୍ୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ଆଦି ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଉଲ୍ଲେଖନୀୟ । ବିଧାନସଭା ଅଧିବେସନରେ ପ୍ରଶ୍ନ-ଉତର, ବଜେଟ୍, ବିଧେୟକ, ଧ୍ୟାନାକର୍ଷଣ, ସ୍ଥଗନ, ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ସକି୍ରୟ ଭାଗ ନେଇ ସେ ଓଡ଼ିଶାର ମୌଳିକ ସମସ୍ୟା ସଂପର୍କରେ ସେ ବହୁବାର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ଦାରିଦ୍ର୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତୁ୍ୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସିଛନ୍ତି । ଜଣେ ଅଭିଜ୍ଞ ବିଧାୟକ ଭାବେ ଓଡ଼ିଶାର ସାମଗ୍ରୀକ ବିକାଶ ଲକ୍ଷ୍ୟ ରଖିଛନ୍ତି ଶ୍ରୀ ବେହେରା । ନିଜ ନିର୍ବାଚନମଣ୍ଡଳୀ ସହ ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା, ଅପପୃଷ୍ଟି ନିୟନ୍ତ୍ରଣ, ପାନୀୟ ଜଳ, ପରିବେଶ, ଦାରିଦ୍ର୍ୟ ଦୂରୀକରଣ, ବେକାରୀ, ଦାଦନ ସମସ୍ୟାର ସମାଧାନ ଆଦି ତାଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ବାସ୍ତବରେ ତାଙ୍କୁ ସାଧାରଣ ଲୋକଙ୍କ ନିକଟତର କରିପାରିଛି । ସବୁଠୁ ବଡ଼ କଥା ହେଲା, ସେ ଅଧିକାଂଶ ସମୟ ସାଧାରଣ ଲୋକଙ୍କ ଗହଣରେ ବିତାଇ ସେମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । ସେଥିପାଇଁ ସେ ରାଜ୍ୟରେ ଜଣେ ଅପ୍ରତିଦ୍ୱନ୍ଦୀ ନେତା ପାଲଟି ଯାଇଛନ୍ତି ।

Leave a Reply

Your email address will not be published.