ସରକାରୀ କ୍ୱାର୍ଟର୍ସ ଭଡ଼ା ପ୍ରସଙ୍ଗ: ସରକାରଙ୍କ ନିଷ୍ପତି ପାଣିର ଗାର

ଭୁବନେଶ୍ୱର,(ଆଇଏନ୍ଏସ୍): ସରକାରୀ ଜମି ଜବରଦଖଲକୁ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ୨୦୧୪ ଅଗଷ୍ଟ ୨୦ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜମି ଜବରଦଖଲକାରୀ ଓ ସରକାରୀ କ୍ୱାର୍ଟର୍ସ କୁ ଭଡ଼ାରେ ଲଗାଉଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତି ନିଆ ଯାଇଥିଲା । ମୁଖ୍ୟତଃ କ୍ୱାର୍ଟର୍ସ ଭଡ଼ାରେ ଲଗାଇଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ଏବଂ ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଇଥିଲା । ଏହି ମର୍ମରେ ଆଇନ ଉଲଘଂନ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ମାତ୍ର ମୁଖ୍ୟ ସଚିବଙ୍କର ଉକ୍ତ ସମୀକ୍ଷା ବୈଠକ ଓ ନିଷ୍ପତି ହାସ୍ୟାସ୍ପଦରେ ପରିଣତ ହୋଇଛି । ଏଭଳି କିଛି ଘଟଣା ଘଟିଲେ, ତୁରନ୍ତ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ହୋଇଥାଏ ଓ ନାନା ନିଷ୍ପତି ନିଆଯାଇଥାଏ । ହେଲେ ଏହାଦ୍ୱାରା ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କର କିଛି ରୋଜଗାର ଛଡ଼ା ଆଉକିଛି ହୁଏ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ସରକାରୀ କ୍ୱାର୍ଟର୍ସ ଭଡ଼ା ଦେଲେ ଅର୍ଥ ଦଣ୍ଡ ସହ କେତେକ କଟକଣା ୨୦୧୧ ମଇ ୧୭ ତାରିଖରେ ମନ୍ତ୍ରୀମଣ୍ଡଳ ବୈଠକରେ ସୁପାରିସ ହୋଇଥିଲା । ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କ୍ୟାବିନେଟ୍ ବୈଠକରେ ନିଆ ଯାଇଥିବା ୧୬ଟି ଗୁରୁତ୍ୱପୂର୍ଣ ନିଷ୍ପତି ମଧ୍ୟରୁ ସରକାରୀ ଘର ଭଡ଼ା ପ୍ରସଙ୍ଗ ଅନ୍ୟତମ ଥିଲା । ଘର ଭଡ଼ା ଦିଆଯିବା ଘଟଣା ସାମ୍ନାକୁ ଆସିଲେ ଜରିମାନା ଆଦାୟ ସହ ଆବଂଟିତ ଘର ବାତିଲ କରାଯିବ ଓ କର୍ମଚାରୀମାନେ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଘର ପାଇବାର ଯୋଗ୍ୟତା ହରାଇବେ ବୋଲି ବୈଠକରେ ସ୍ଥିର ହୋଇଥିଲା । ନୂଆ ନିୟମ ଅନୁଯାଇ ସରକାରୀ ଘର ଭଡ଼ା ଦେଉଥିବା କର୍ମଚାରୀ ଓ ଅଫିସରଙ୍କ ଠାରୁ ଜରିମାନା ବାବଦରେ କଟା ଯାଉଥିବା ମୂଳ ଭଡ଼ାର୨୦ ଗୁଣ ଆଦାୟ କରାଯିବ । ହେଲେ ଆଜି ପର୍ଯ୍ୟନ୍ତ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏକ ଆକଳନରୁ ଜଣା ପଡ଼ିଛି ଯେ, ଭୁବନେଶ୍ୱରରେ ସାଧାରଣ ପ୍ରଶାସନ ବିଭାଗ ଅଧିନରେ୧୨ ହଜାରରୁ ଅଧିକ କ୍ୱାର୍ଟର୍ସ ରହିଛି । ସେଥି ମଧ୍ୟରୁ ପ୍ରାୟ ୪୦ଭାଗ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା କ୍ୱାର୍ଟର୍ସ ଭଡ଼ାରେ ଲଗାଯାଇଥିବାବେଳେ ପାଖାପାଖି ୨ହଜାର ବାହାର ଲୋକଙ୍କ ଦ୍ୱାରା ଜବର ଦଖଲରେ ରହିଛି । ବିଶେଷତଃ ୟୁନିଟ୍ ବାହାରେ ଥିବା ୬୦ ଭାଗ ସରକାରୀ କ୍ୱାର୍ଟର୍ସ ଭଡ଼ାରେ ଦିଆ ଯାଇଥିବା ବେଳେ ୟୁନିଟ୍-୨, ୟୁନିଟ୍-୧, ୟୁନିଟ୍-୮ ଓ ୟୁନିଟ୍-୬ ଅଂଚଳରେ ୨୦ଭାଗ ଘର ଭଡ଼ାରେ ଲାଗିଛି । ଓଏନ୍ଏସ୍କୁ ମିଳିଥିବା ଏକ ସମର୍ଥିତ ସୂତ୍ର ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସଲାସୁତୁରା କ୍ରମେ ୟୁନିଟ୍ ଅଂଚଳରେ ଶତାଧିକ କ୍ୱାର୍ଟର୍ସ ଜବରଦଖଲ ହୋଇ ବାହାର ଲୋକଙ୍କୁ ଭଡ଼ାରେ ଦିଆଯାଇଛି । ସୂଚନାଯୋଗ୍ୟ ଯେ, କିଛି ବର୍ଷ ତଳୁ ଅବସର ନେଇଥିବା ବା ଅନ୍ୟତ୍ର ବଦଳି ହୋଇଥିବା କର୍ମଚାରୀ ମାନଙ୍କ ନାଁରେ ଥିବା କ୍ୱାର୍ଟର୍ସ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବାତିଲ ହୋଇଥିଲେ ହେଁ ୟୁନିଟ୍-୨, ୟୁନିଟ୍-୮ ଓ ୟୁନିଟ-୧ ଅଂଚଳରେ ଶତାଧିକ କ୍ୱାର୍ଟର୍ସ ଭଡ଼ାରେ ଲାଗିଛି । ବିଶେଷତଃ ଅବସରପ୍ରାପ୍ତ କର୍ମଚାରୀମାନେ ଏହି କ୍ୱାର୍ଟର୍ସ ଗୁଡ଼ିକୁ ପ୍ରତ୍ୟେକେ ମାସିକ ୧୦ରୁ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତିି । ଉକ୍ତ ଅସାମ୍ବିଧାନିକ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ମାନଙ୍କର ପ୍ରଛନ୍ନ ସଂପର୍କ ରହିଥିବା ଅଭିଯୋଗ ହେଉଛି । କେବଳ ଆଇନ ତିଆରି ହେଲେ ହେବ ନାହିଁ, କାର୍ଯ୍ୟକାରୀ ଆବଶ୍ୟକ । ସରକାରଙ୍କର ଏହି ନିଷ୍ପତି ଓ ଚେତାବନୀ ମଧ୍ୟ ପରମ୍ପରା ହୋଇ ରହିଗଲା । ବର୍ତମାନର ମୁଖ୍ୟ ସଚିବ ସବୁ ଜାଣି କିଛି ନଜାଣିବା ଭଳି ନିରବ ରହିବାର କାରଣ ବିଭିନ୍ନ ମହଲରେ ସନେ୍ଦହ ସୃଷ୍ଟି କରିଛି । ବିଭାଗୀୟ ଅଧିକାରୀମାନେ ଆଇନ ଅନୁଯାୟୀ କାର୍ଯ୍ୟ ନକରିବା ଓ ସ୍ୱାର୍ଥ ହାସଲ ହେଲେ ବେଆଇନ କାର୍ଯ୍ୟ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published.