କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନତି ପାଇଁ ଉଦ୍ୟମ ହେଉନାହିଁ କାହିଁକି?

ପଟ୍ଟାମୁଣ୍ଡାଇ, (ଆଇଏନ୍ଏସ୍): ରାଜ୍ୟ ରାଜନୀତିରେ ଏକଦା ପ୍ରମୁଖ ଭୂମିକା ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା କିଛି ବର୍ଷ ତଳୁ ରାଜନୈତିକ ଆକ୍ରୋଶର ଶିକାର ହୋଇ ଚାଲିଛି । ସବୁ ସରକାରୀ ଯୋଜନା ଫେଲ୍ ମାରିଛି । କୌଣସିଟିର ଲକ୍ଷ୍ୟ ସାଧନ ହୋଇନାହିଁ । ଉପକୂଳବାସୀଙ୍କର ସୁରକ୍ଷା ପାଇଁ ବିଜୁ ପଟ୍ଟନାୟକ ୧୯୭୨ ଏପ୍ରିଲ୍ ୪ରେ ଧାମରା ମୁହାଣ ଠାରୁ ମହାନଦୀ ତି୍ରକୋଣଭୂମି (ପାରାଦୀପ) ପର୍ଯ୍ୟନ୍ତ ବରୁଣେଇ ଦେଇ ବିଶାଳ ପଥର ପନ୍ଧ ନିର୍ମାଣ କରାଇବାକୁ ଘୋଷଣା କରିଥିଲେ । ଏଯାଏ ତାହା ସମ୍ଭବ ହୋଇ ପାରିନାହିଁ । ପ୍ରତି ମୁହର୍ତରେ ଧ୍ୱଂସ ପାଇ ଚାଲିଛି ଉପକୂଳ ଝାଉଁଜଙ୍ଗଲ । ୧୯୮୦ ରେ ବରୁଣେଇ ନିକଟସ୍ଥ ଜଗରିଜୋର ଠାରେ ସରକାର ଓ ବିଶ୍ୱବ୍ୟାଙ୍କ୍ର ମିଳିତ ସହାୟତାରେ ବିଶାଳ ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ନଡ଼ିଆ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପୁନଶ୍ଚ ୧୯୯୪ରେ ସେହି ସ୍ଥାନରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ବାକି ଥିବା ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ଚିଙ୍ଗୁଡ଼ି ପ୍ରକଳ୍ପ ଆରମ୍ଭ କରା ଯାଇଥିଲା । ହେଲେ ଅଳ୍ପ କିଛି ବର୍ଷ ପରେ ଏହି ୨ଟି ପ୍ରକଳ୍ପ ବିଫଳ ହୋଇଥିଲା । ଜିଲ୍ଲାରେ ରାସ୍ତାଘାଟ ସମସ୍ୟା ଗମ୍ଭୀର ରହିଛି । ଆଜି ମଧ୍ୟ ବିଭିନ୍ନ ଗାଁ, ପଂଚାୟତ ଓ ବ୍ଲକ୍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ବହୁ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ । ୧୫ ରୁ ଉଦ୍ଧ୍ୱର୍ ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି ।
ସମୁଦ୍ର ତଟ୍ଟବର୍ତୀ ଗାଁ ଗୁଡ଼ିକର ଅବସ୍ଥା ସାଂଘାତିକ ଅବସ୍ଥାରେ ରହିଛି । ଅନେକ ଗାଁ ବଙ୍ଗୋପସାଗର ଓ ହଂସୁଆ ନଦୀର ମହାପ୍ଲାବନରେ ମିଳେଇ ଯାଇଛି । ରାଜନଗରର କେତେକ ଗାଁ ବଙ୍ଗୋପସାଗରର ପ୍ରକୋପକୁ ସାମ୍ନା କରି ନପାରି ମହାପ୍ଲାବନରେ ଲୀନ ହୋଇଯାଇଛି । ଲୁଣା ଘେରିବନ୍ଧ ଦୁର୍ବଳ ଥିବାରୁ ସମୁଦ୍ରରୁ ଲୁଣି ପାଣି ଆସି ଭେଡ଼ା ଭିତରେ ପଶୁଛି ଓ ଫସଲ ହାନୀ ହେଉଛି । ଜଳସେଚନ ବ୍ୟବସ୍ଥା ଜିଲ୍ଲାବାସୀଙ୍କ ପାଇଁ ଯେମିତି ସ୍ୱପ୍ନ । କେତେକ ଅଂଚଳରେ ଅନେକ ବର୍ଷ ତଳେ କେନାଲ୍ ଖୋଳା କାମ ଆରମ୍ଭ ହୋଇ ଆଜି ମଧ୍ୟ ତାହା ଅଧାପନ୍ତରିଆ ଭାବେ ପଡ଼ିରହିଛି । ଲୁଣା ଘେରିବନ୍ଧ ଓ ବନ୍ୟା ଘେରିବନ୍ଧ ନିର୍ମାଣ ବା ମରାମତି ନାଁରେ ରାଜନୀତିକ ପ୍ରୋତ୍ସାହନରେ ଫର୍ଜରୀ ବିଲ୍ କରାଯାଇ ଶହଶହ କୋଟି ଟଙ୍କା ଲୁଟ୍ କରାଯାଉଛି । ବେଣାକନ୍ଦା ଠାରୁ ତନ୍ତିଆପାଳ ପର୍ଯ୍ୟନ୍ତ ୧୩ କି.ମି. ଗୋବରୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ପାଇଁ ୩୦ବର୍ଷ ତଳେ ନିଷ୍ପତି ନିଆଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ ଏଯାଏ ଏହି ଲୋକହିତକର କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ତେବେ ଜିଲ୍ଲାର ବିକାଶରେ ରାଜନୀତିକ ଇଚ୍ଛା ଶକ୍ତିର ଘୋର ଅଭାବ ରହିଥିବା ସାଧାରଣରେ ଆଲୋଚନା ହେଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published.