ମିଥ୍ୟାବାଦୀ ନେତାମାନଙ୍କୁ ସବୁଠୁ ଅଧିକ ଆଦର କାହିଁକି?

ସୁବାସ ଷଡଙ୍ଗୀ
ଆମ ଦେଶର ମୂଳଭିତି ହେଲା ଗଣତନ୍ତ୍ର । ସେଥିପାଇଁ ଆମେ ସମଗ୍ର ବିଶ୍ୱରେ ଆଦର ପାଉଛୁ । କିନ୍ତୁ ଏବେ ଲୋକେ କହିବାକୁ ଆରମ୍ଭ କଲେଣି ଆମ ଗଣତନ୍ତ୍ରର ମୂଳ ଭିତି ହେଲା – ମିଛ । କାରଣ, ମିଛର ଦୁଇପଟ ହେଲା ଚିକ୍କଣ । ଆଉ ଟିକିଏ ଭଲଭାବେ କହିଲେ ହେବ, ଏମିତି କିଛି ମିଛ ଅଛି ଯାହା ସହଜରେ ଧରାପଡିବ ନାହିଁ ବା ଲୋକେ ସହଜରେ ବିଶ୍ୱାସ କରିବେ ନାହିଁ । ତେବେ ଆଉ କିଛି ମିଛ ଅଛି ଯାହା ପାଣି ଭଳି ନିର୍ମଳ । ଏଣୁ ଆମ ନେତାମାନେ ମିଛ କହିବାକୁ ଖୁବ ଚେଷ୍ଟା କରନ୍ତି । ସତେ ଯେପରି ମିଛ ବିନା ଅନ୍ୟଗତି ନାହିଁ ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ବିଜେପି ସଭାପତି ଅମିତ ଶାହ କହିଥିଲେ ୨୦୨୪ ମସିହା ସୁଧା ଦେଶରେ ଏନଆରସି ଲାଗୁ କରାଯିବ । ଗୋଟାଏ ଦେଶ ତାର ନାଗରିକ ପଂଜି ତିଆରି କରିବା ନିହାତି ଦରକାର । ସିଏଏ ଆଲୋଚନା ସମୟରେ ଅମିତ ଶାହ ନିଜ ମତ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ମାତ୍ର ଏବେ ପ୍ରଧାନମନ୍ତ୍ରୀ କହୁଛନ୍ତି ଏନଆରଏ ଲାଗୁ କରାଯିବ ନାହିଁ । ଏ ନେଇ ଆଜି ପର୍ଯ୍ୟନ୍ତ ପ୍ରତିଦିନ କିଛି ନା କିଛି କହୁଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପାଟିରେ କୋଲପ ଲଗାଇ ଦେଇଛି । ପାକିସ୍ଥାନ ଓ ଆଫଗାନିସ୍ଥାନରୁ ପ୍ରତିଦିନ ଅନେକ ଲୋକ ବେଆଇନ ଭାବେ ଭାରତରେ ପ୍ରବେଶ କରୁଛନ୍ତି, ଏଭଳି କଥାର କେତେ ସତ୍ୟତା ରହିଛି ତାହା ନ କହିବା ଭଲ । କାରଣ ଏହା ପାଣି ଭଳି ନିର୍ମଳ । କାରଣ ଯଦି ତାହା ହେଉଥାନ୍ତା ,ତେବେ ଆମ ଦେଶ କେବେଠୁ ସେଇ ସବୁ ଦେଶରେ ପରିଣତ ହୋଇ ସାରନ୍ତାଣି ।
ଭାରତ ସ୍ୱାଧୀନ ହେବାର ୭୦ ବର୍ଷ ହେଲାଣି । ଏହି ସମୟ ଭିତରେ ଦେଶର ସବୁ ଗାଁକୁ ଓ ସବୁ ଘରକୁ ବିଦ୍ୟୁତ ଯୋଗାଇ ଦେବା କଥା ବହୁ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ବାସ୍ତବରେ ବିଦ୍ୟୁତ କରଣ ହୋଇଛି, ମାତ୍ର ସତୁରି ଭାଗ । କିନ୍ତୁ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ,ଏହି ହାର କୁଆଡେ ପହଂଚିଛି ଶତକଡା ୯୫ ଭାଗରେ । ଅର୍ଥାତ ମାତ୍ର ୫ବର୍ଷ ଭିତରେ ବିଦ୍ୟୁତକରଣ ହୋଇଚି, ୨୫ ଶତାଂଶ । କଥାଟା ନିଶ୍ଚିତ ଭାବେ ପାଣି ଭଳି ଜଳ ଜଳ ଦିଶୁଥିବା ମିଛ । ଏକଥା କଣ କାହାକୁ ପଚାରିବାକୁ ପଡିବ? କିନ୍ତୁ ସରକାର ବାହାଦୂର ବିଭିନ୍ନ ପରିସଂଖ୍ୟାନ ଦେଇ କଥାଟିକୁ ସତରେ ପରିଣତ କରିବରକୁ ଚାହାନ୍ତି । ଖାଲି ସେତିକି ନୁହେଁ, ପ୍ରତ୍ୟେକ ଭାରତୀୟଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ପନ୍ଦର ଲକ୍ଷ ଟଙ୍କା ଦିଆଯିବା କଥା ମଧ୍ୟ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଶୟ ଘୋଷଣା କରିଥିଲେ । ଦେଶର ଅର୍ଥନୀତି ବଳିଷ୍ଠ ବେଗରେ ଦୌଡିବାକୁ ଆରମ୍ଭ କରିଛି, ଏକଥା ଗୁଡିକ ଯେମିତି ମିଛ, ସେମିତି ପାଣି ଭଳି ନିର୍ମଳ ମିଛ ।
କିନ୍ତୁ ଏତେସବୁ ମିଛ କହୁଥିବା ଲୋକ ବା ନେତାଙ୍କ ପ୍ରତି ୨୦୧୯ ରେ ଲୋକମାନେ ପୁଣିଥରେ ବିଶ୍ୱାସ ପ୍ରକଟ କଲେ । ପୂର୍ବଥର ଅପେକ୍ଷା ଅଧିକ ପରିମାଣରେ ଭୋଟ ଦେଲେ । ବୋଧହୁଏ ଜନସାଧାରଣ ଏଭଳି ମିଛ କଥାକୁ ମିଛ ବୋଲି ଭାବିବାକୁ ନାରାଜ! ଏଣୁ ସେମାନେ ମିଛ କହୁଥିବା ନେତାଙ୍କୁ ବିଶ୍ୱାସ କରୁଛନ୍ତି ଓ ଭୋଟ ଦେଉଛନ୍ତି । ଆଉ ଯେଉଁମାନେ ଏହା ମିଛ ବୋଲି ଲୋକଙ୍କୁ ଚେତାଇ ଦେଉଛନ୍ତି, ସେମାନଙ୍କୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି । ମିଛ କହୁଥିବା ନତାମାନେ ମିଛକୁ ସତ୍ୟରେ ପ୍ରମାଣିତ କରିବା ପରିବେର୍ତେ ନୂଆନୂଆ ଯୁକ୍ତି ବାହାର କରି ବିରୋଧୀମାନଙ୍କୁ କବଳିତ କରିବାକୁ ପଛଉ ନାହାନ୍ତି । ଏମିତିକି କୁଜି ନେତା ବା ମଧ୍ୟମବର୍ଗୀୟ ନେତାମାନେ ମଧ୍ୟ ଏହା ଭଗବତବାଣୀ ଭଳି ମିଛ କଥାଟିକୁ ସତ ବୋଲି ପ୍ରଚାର କରିବାର ବ୍ରତ ବୋଲି ମାନି ନିଅନ୍ତି । ବିଭିନ୍ନ ଯୁକ୍ତି ଦର୍ଶାନ୍ତି । ଯେମିତି,
ଓଡିଶାରେ ବିଜେପିର କିଛି ସ୍ଥିତି ନାହି । ଏ କଥାଟିକୁ ବିଜେପି ନେତାମାନେ ଗ୍ରହଣ କରିବାକୁ ନାରାଜ । କାରଣ, ବିଜେପି ସଭାପତି ଅମିତ ଶାହ ଆସି କହିଦେଇଗଲେ ଏଥରକ ଅର୍ଥାତ ୨୦୧୯ ନିର୍ବାଚନରେ ବିଜେପି ପାଇବ ୧୨୦ ଆସନ । ଏହା ଅସମ୍ଭବ ବୋଲି ରାଜନୈତିକ ବିଶ୍ଲେଷକମାନେ ଯେତେ କହିଲେ ବି କିଲ ମାନୁଛି । ସବୁ ନେତାଙ୍କ ପଛରେ ଦେଖିବାକୁ ମିଳିଲା ଫେକ୍ସରେ ଲେଖା ହୋଇଛି, ‘ମିଶନ ୧୨୦’ । ବରଂ ରାଜ୍ୟ ନେତାମାନେ ଭଗବାନ କହିଛନ୍ତିି ଯେତେବେଳ, ନିଶ୍ଚୟ ସତ ହେବ । ଏହାକୁ ଘୋଷି ହେଲେ । କିନ୍ତୁ ଫଳ କଣ ହେଲା, ତାହା ଜଳ ଭଳି ନିର୍ମଳ । କିଏ ଜଣେ ଲେଖିଥିଲେ, ମହାବାତ୍ୟା ସମୟରେ ଆମ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ପାଣିପାଗବାଲାଙ୍କ କଥାକୁ ବିଶ୍ୱାସକୁ ନ ନେଇ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ଅନୁସାରେ କାମ କରିବାକୁ ଅଧିକ ପସନ୍ଦ କରିଥିଲେ ।
ଏ ସବୁ ଦେଖିଲେ ମନଭିତରେ ଗୋଟାଏ ପ୍ରଶ୍ନ ଦେଖାଦିଏ, ରାଜନୈତିକ ନେତାମାନେ ମିଛ କହିଲେ, ସାଧାରଣ ଲୋକେ ଅଧିକ ବିଶ୍ୱାସ କରନ୍ତି । ତାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି । ମିଛ ସହିତ ସେମାନଙ୍କର କିଛି ଯାଏ ଆସେନା ।
ଏକଥା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଦେଖା ଦେଇଛି । ଇଏ ହେଉଛି ‘ପୋଷ୍ଟ ଟୃଥର ଜମାନା । ମିଥ୍ୟାବାଦୀ ନେତାମାନଙ୍କୁ ସବୁଠୁ ଅଧିକ ଆଦର । ଗତ ସପ୍ତାହରେ ବି୍ରଟେନରେ ପୁଣିଥରେ ବିଜୟ ଲାଭ କଲେ ବି୍ରଟିଶ ପ୍ରଧାନମନ୍ତ୍ରୀ ବରିଶ ଜନସନ । ବ୍ରେକସିକୁ ନେଇ ନିର୍ବାଚନ ସମୟରେ ଗୋଟାଏ ପରେ ଗୋଟାଏ ମିଛ ସେ ଲୋକମାନଙ୍କୁ କହିଚାଲିଥିଲେ । କ୍ୟାମେରା ଆଗରେ ଭୁଲ ତଥ୍ୟ ପ୍ରଦାନ କରିଥବଲେ । ସ୍ଥତି ନିଜ ବିପକ୍ଷରେ ଜାଇପାରେ ଏକଥା ଅନୁମାନ କରି ପାର୍ଲାମେଂଟର ଅଧିବେଶନକୁ ଅସାମ୍ବିଧାନିକଭାବେ ବନ୍ଦ କରିଦେଲେ, ଯାହା ଫଳରେ ସୁପ୍ରିମକୋର୍ଟ ରୋଷର ଶିକାର ହେଲେ । ମାତ୍ର ନିର୍ବାଚନ ଫଳ ଘୋଷଣା ହେବା ପରେ ଜଣା ପଡିଲା ମିଛର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡି ନାହିଁ । ସେ ହେଉଛନ୍ତି ଜନପ୍ରିୟ ପ୍ରଧାନମନ୍ତ୍ରୀ । ପୁଣି ଥରେ ଜିତ କ୍ଷମତାକୁ ଫେରିଛନ୍ତି ।
ଆମେରିକାର ରାଷ୍ଟ୍ରପତି ଏହା ଭିତରେ ବେଶ ଚର୍ଚ୍ଚିତ ହୋଇଛନ୍ତି । ତାହାପୁଣି କଣ ପାଇଁ ଜାଣନ୍ତି? ମିଥ୍ୟା ଭାଷଣ ପାଇଁ ଗଣନା କରି କୁହାଯାଇଛି, ଅନ୍ତତଃ ତେର ହଜାର ଥର ଭୁଲ/ମିଥ୍ୟା ବା ବିଭ୍ରାନ୍ତିକର କଥା ସେ କହିଛନ୍ତି ଆମେରିକାବାସୀଙ୍କ ଆଗରେ । ଅଥଚ ସେ ତାଙ୍କର ଲୋକପ୍ରିୟତା ଅତୁଟ ରଖିପାରିଛନ୍ତି । ଖାଲି ସେତିକି ନୁହେଁ ବିଶ୍ୱର ବୃହତମ ଗଣତନ୍ତ୍ରର କର୍ଣ୍ଣଧାର ପାଲଟିଛନ୍ତି ।
ମିଛ କହିବାକୁ ଗଣତନ୍ତ୍ର ସେମାନଙ୍କୁ ବାରଣ କରିପାରି ନାହିଁ । ଗଣତନ୍ତ୍ର ସେମାନଙ୍କ ପାଇଁ ପୂଜିତ ହୋଇ ନାହିଁ । ବରଂ ମିଛ କହିବାରୁ ଗଣତନ୍ତ୍ର ସେମାନଙ୍କ ନେତୃତ୍ୱକୁ ଗ୍ରହଣ କରିନେଇଛି ।
ଏବେ ପ୍ରଶ୍ନ ଉଠୁଛି, ଆମେ ସତ କହିବୁ କାହିଁକି? ମିଛ କହି ଯଦି ସବୁ କିଛି ପାଇ ହୁଏ ତେବେ ସତ କହିବା ଆବଶ୍ୟକତା ଆମ ଠାରୁ ଦୂରେଇ ଯାଉଛି । ସତ ଓ ମିଛ ଭିତରେ ସତକୁ ଯେତେ ଲୋକ ଗ୍ରହଣ କରିବେ ମିଛକୁ ତାଡାରୁ ଅଧିକ ଲୋକ ମାନିନେବେ । ବରଂ ମିଛକୁ ସତ ବୋଲି ଗ୍ରହଣ କରିନେବେ ।
ଏ ନେଇ ଗବେଷଣା ହୋଇଛି ।ଆମେରିକାର କାନେଗି ମେଲେନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇଥିଲା । ଜଣା ପଡିଲା, ଏକ ବିଶାଳ ସଂଖ୍ୟକ ସାଧାରଣ ଲୋକ ବହୁ ସମୟ ଧରି ରାଜନୈତିକ ଓ ଆର୍ଥସାମାଜିକ ସଂପର୍କ ଠାରୁ ନିଜକୁ ଦୂରେଇ ନେଇଛନ୍ତି । ଯାହାଫଳରେ ସେମାନେ ନିରାପତାହୀନତା ଭୋଗ କରୁଛନ୍ତି । ଏଣୁ ସେମାନେ କ୍ଷୁବ୍ଧ ଏବଂ କୃଦ୍ଧ ମଧ୍ୟ । ସେମାନଙ୍କ ପାଖରେ ରାଜନୈତିକ ଓ ସାମଜିକ ଏଲିଟିର ବିରୋଧ କରିବା ରାସ୍ତାଟି ହେଉଛି ସବୁଠାରୁ ଅଧିକ ଭଲ । ଏମାନେ ମିଛ କହୁଥିବା ଲୋକକୁ ଅଧିକ ବିଶ୍ୱାସ କରନ୍ତି । ସହଜରେ ସେମାନଙ୍କ କଥାକୁ ବିଶ୍ୱାସ କରନ୍ତି । ଯେମିତି ଆମେ ଅଧିକ ବିଞାପନ ଦେଖାଉଥିବା ଜିନିଷ କିଣିବାକୁ ପସନ୍ଦ କରୁ । ସତ ଓ ମିଛର ବିଶ୍ଲେଷଣ କରିବା ଅପେକ୍ଷା ପ୍ରତିଶୃତି ଦେଉଥିବା ନେତାଙ୍କୁ ଆମେ ଅଧିକ ବିଶ୍ୱାସ କରୁ । ‘ଅନେକ ବର୍ଷ ହେଲା ଦେଖିଲେଣି, ଏଥରକ ଏମାନଙ୍କୁ ପରୀକ୍ଷା କରାଯାଉ’ ଏଇ ନୀତି ଆମକୁ ମିଛ ଭିତରକୁ ଅଧିକ ଟାଣି ନେଉଛି । ଏହାର ଶେଷ କେଉଁଠି?
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ: ୯୪୩୯୬୫୨୩୨୨

Leave a Reply

Your email address will not be published.