ସ୍ଥିତପ୍ରଜ୍ଞ ସାଧୁ ଥିଲେ ଜାନକୀ!

ଶରତ କୁମାର ରାଉତ
ରାଜନୀତି, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତାର ମୂର୍ତିମନ୍ତ ପ୍ରତୀକ, ଓଡ଼ିଶାର ୩ଥର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଳ୍ଲଭ ପଟ୍ଟନାୟକଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ଓ ଆତ୍ମୀୟତା ସ୍ମରଣଯୋଗ୍ୟ । ତାଙ୍କର ଅର୍ଦ୍ଧ ଶତାବ୍ଦୀର ରାଜନୀତିକ ଜୀବନ ଭିତରେ ତାଙ୍କ ପ୍ରତି-ପଦକ୍ଷେପ ରାଜନୀତିଜ୍ଞ ମାନଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ସାଧାରଣ ମଣିଷ ମାନଙ୍କ ପାଇଁ ଆଶୀର୍ବାଦ ହୋଇଛି । ସେ ଆଧୁନିକ ଓଡ଼ିଶା ନିର୍ମାଣର ଅନ୍ୟତମ ସ୍ଥପତି ହୋଇଥିବା ବେଳେ ଅନଗ୍ରସର ଓଡ଼ିଶାରେ ଶିଳ୍ପାୟନ ପର୍ବ ଆରମ୍ଭ କରିଥିଲେ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ଦାରିଦ୍ର୍ୟ ନିରାକରଣ ଓ ଗରିବ କଲ୍ୟାଣ କ୍ଷେତ୍ରରେ ତାଙ୍କର ନିଷ୍ଠାପର ଓ ଦୂରଦୃଷ୍ଟି ସଂପନ୍ନ ବଳିଷ୍ଠ ପଦକ୍ଷେପ, ୧୯୯୫ରେ ଓଡ଼ିଶାରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ, କୃଷିର ବିକାଶ ପାଇଁ ବିଭିନ୍ନ ଯୋଜନା ଓ ପଦକ୍ଷେପ, କେବିକେ ଯୋଜନା, ଜଳସେଚନର ବିକାଶ ଆଦି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟର ପରାକାଷ୍ଠା । ସେ ୧୯୭୧ରେ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇ ୧୯୭୩ରୁ ୧୯୭୭ ପର୍ଯ୍ୟନ୍ତ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ରାଷ୍ଟ୍ରମନ୍ତ୍ରୀ ଥିଲାବେଳେ ୧୯୮୦ ଜାନୁୟାରୀରେ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇ ଶ୍ରମ, ସାଧାରଣ ଅଭିଯୋଗ ଓ ପର୍ଯ୍ୟଟନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ୧୯୭୫ରୁ ସେ ଏଆଇସିସିର ଜଣେ ସକି୍ରୟ ସଭ୍ୟ ଥିଲାବେଳେ ୧୯୮୨ରୁ ୧୯୯୨ ପର୍ଯ୍ୟନ୍ତ ସେ ଥିଲେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସକି୍ରୟ ସଭ୍ୟ । ସେ ୬ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ତାଙ୍କର ରାଜନୀତିକ କରିସ୍ମାର ବାସ୍ତବ ପରିଚୟ ମିଳିଥିଲା ୯ ଜୁନ୍ ୧୯୮୦ରେ, ଯେତେବେଳେ ସେ କେନ୍ଦ୍ର ମନ୍ତ୍ରିତ୍ୱ ଛାଡ଼ି ପ୍ରଥମଥର ପାଇଁ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଅବଶ୍ୟ ସିଏ ଏଭଳି ଏକ ଉଚ୍ଚ ଆସନର ଅଧିକାରୀ ହେବେ ବୋଲି ପ୍ରାକ୍ ସୂଚନା ମିଳିଥିଲା ବ୍ରିଟିସ୍ ଶାସନ ବିରୁଦ୍ଧରେ ତାଙ୍କ ବଳିଷ୍ଠ ଛାତ୍ର ନେତୃତ୍ୱ ତଥା ୧୯୫୦ରେ ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହେବା ପରଠାରୁ । ୧୯୮୫ ନିର୍ବାଚନରେ ମଧ୍ୟ ଓଡ଼ିଶାରେ ସେ କଂଗ୍ରେସକୁ ବିପୁଳ ବିଜୟର ସ୍ୱାଦ ଚଖାଇଥିଲେ ଓ ୧୦ମାର୍ଚ୍ଚ ୧୯୮୫ରେ ୨ୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ୧୯୯୫ ନିର୍ବାଚନରେ ନିଜର ପ୍ରଚଣ୍ଡ ରାଜନୀତିକ କରିସ୍ମା ବଳରେ କଂଗ୍ରେସକୁ ବିଜୟୀ କରାଇ ୧୫ମାର୍ଚ୍ଚ ୧୯୯୫ରେ ୩ୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ୨୦୦୯ ଡ଼ିସେମ୍ବରରେ ସେ ଆସାମର ରାଜ୍ୟପାଳ ଭାବରେ ଅବସ୍ଥାପିତ ହୋଇ ୨୦୧୪ ଡ଼ିସେମ୍ବର ପର୍ଯ୍ୟନ୍ତ ସଫଳ ଭାବେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ଆସାମ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ସମନ୍ୱୟକୁ ସୁଦୃଢ କରିବା ପାଇଁ ସେ ଏକନିଷ୍ଟ ଉଦ୍ୟମ କରିଥିଲେ ।
ରେଭେନ୍ସା କଲେଜରେ ସଂସ୍କୃତ ଅନର୍ସ ସହ ଗ୍ରାଜୁଏସନ୍ ଓ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍.ଏ. ଡ଼ିଗ୍ରୀ ହାସଲ୍ କରିଥିବା ଜାନକୀ ବାବୁ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୬ ଅଗଷ୍ଟ ୧୯୮୫ରେ ପ୍ରଜ୍ଞା ବାଚସ୍ପତି ଉପାଧିରେ ବିଭୂଷିତ ହୋଇଥିଲେ । ତିରୁପତିସ୍ଥ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ତାଙ୍କୁ ସ୍ୱତନ୍ତ୍ର ଉପାଧି ଡ଼ି ଲିଟ୍ ପ୍ରଦାନ କରାଯାଇଥିଲା ଓ ୨୦୦୮ରୁ ମୃତୁ୍ୟ ପର୍ଯ୍ୟନ୍ତ ସେ ସେହି ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରେ ଅବସ୍ଥାପିତ ଥିଲେ । ଓଡ଼ିଆ ସାମ୍ବାଦିକତା, ସାହିତି୍ୟକତା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଯୁଗଯୁଗ ଧରି ସେ ସ୍ମରଣୀୟ ହୋଇ ରହିବେ । ସେ ଲୋକପି୍ରୟ ଦୈନିକ ସମ୍ବାଦପତ୍ର “ପ୍ରଜାତନ୍ତ୍ର” ଓ ଇଂରାଜୀ ସାପ୍ତାହିକ “ଦି ଇଷ୍ଟର୍ଣ୍ଣ ଟାଇମ୍ସ”ର ସଂପାଦକ ଭାବେ ଯଥାକ୍ରମେ ୧୯୫୨ରୁ ୧୯୬୭ ଓ ୧୯୫୨ରୁ ୧୯୬୬ ପର୍ଯ୍ୟନ୍ତ ରହିଥିବାବେଳେ ଓଡ଼ିଆ ମାସିକ ପତି୍ରକା“ପୌରୁଷ”ର ପ୍ରତିଷ୍ଠାତା ସଂପାଦକ ଭାବେ ସୁନାମ ଅର୍ଜ୍ଜନ କରିଛନ୍ତି । ତାଙ୍କର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ୧୯୫୨ରୁ ୧୯୬୬ ପର୍ଯ୍ୟନ୍ତ ସେ ଥିଲେ ଅଖିଳ ଭାରତ ସମ୍ବାଦପତ୍ର ସଂପାଦକ ସମ୍ମେଳନର ସକି୍ରୟ ସଭ୍ୟ ଓ ୧୯୫୬ରୁ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭ୍ୟ । ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ଉକ୍ରଳ ବିଶ୍ୱବିଦ୍ୟାଳୟ ସିନେଟ୍ର ସଭ୍ୟ ଥିବାବେଳେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଥିଲେ । ସେ ବହୁ ଓଡ଼ିଆ ପୁସ୍ତକ ରଚନା କରିଛନ୍ତି । ମହାଭାରତୀୟ ମହାକାବ୍ୟ “ରାମାୟଣ” ଓ “ମହାଭାରତ”ର ପୁନର୍ଲିଖନ ସହ ସଂସ୍କୃତ “ଶ୍ରୀମଦ୍ ଭାଗବତ”ର ସଂପୂର୍ଣ୍ଣ ଗଦ୍ୟାନୁବାଦ ସେ କରିଛନ୍ତି । ବିଶେଷ କରି ସଂସ୍କୃତ ଓ ଅନ୍ୟାନ୍ୟ ଭାଷାରୁ ଓଡ଼ିଆ ଅନୁବାଦ ପୁସ୍ତକ ରଚନା ଓଡ଼ିଆ ଭାଷା ସାହିତ୍ୟକୁ ବଳିଷ୍ଠ କରିପାରି ଥିବାବେଳେ ତାଙ୍କ ରଚିତ ଓଡ଼ିଆ ଓ ଇଂରାଜୀ ଭାଷାରେ ଗଳ୍ପ, ନିବନ୍ଧ ଆଦି ଲେଖା (୧ହଜାରରୁ ଉଦ୍ଧ୍ୱର୍) ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରପତି୍ରକାରେ ପ୍ରକାଶିତ । ସଂସ୍କୃତ ଭାଷାରୁ ଓଡ଼ିଆକୁ ଅନୁବାଦ କ୍ଷେତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ପାଇଁ ତାଙ୍କୁ ୩ନଭେମ୍ବର ୧୯୮୫ରେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ୱାରା ସମ୍ମାନୀତ କରାଯାଇଥିଲା ଓ ବିଶ୍ୱଭାରତୀ(ଶାନ୍ତି ନିକେତନ, କଲିକତା) ପକ୍ଷରୁ ୧୫ଫେବୃୟାରୀ ୧୯୮୭ରେ ସମ୍ମାନୀତ କରାଯାଇଥିଲା । ଓଡ଼ିଆ ଓ ସଂସ୍କୃତ ସାହିତ୍ୟକୁ ଅବଦାନ ପାଇଁ ବିଶେଷ କରି ଅନୁବାଦ୍ ପୁସ୍ତକ “ବୈରାଗ୍ୟ ସତକମ୍” ପାଇଁ ୧୯୮୬ରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଅର୍ପଣ କରାଯାଇଥିଲା ବେଳେ ୨୦୦୧ରେ ବଙ୍କିମଚନ୍ଦ୍ର ଉପନ୍ୟାସ ମାଳାର ଅନୁବାଦ ପାଇଁ ସେ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର । ଏଥିସହ ସଂଖ୍ୟାଧିକ ସାହିତ୍ୟ, ସାଂସ୍କୃତିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ମାନପତ୍ର ଦିଆଯାଇ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି ।
ଦେଶ ବିଦେଶରେ ସଂସ୍କୃତ ସାହିତ୍ୟ ଶିକ୍ଷାର ପ୍ରଚଳନ ଓ ପ୍ରସାର ପାଇଁ ସେ ବହୁ ଉଦ୍ୟମ କରିଥିଲେ । ଏଥିପାଇଁ ସେ ପୁରୀଠାରେ ୭ଜୁଲାଇ ୧୯୮୧ରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଇଥିଲେ । ଆଉରି ମଧ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶିକ୍ଷା ପ୍ରଣାଳୀରେ ଏକ ଯୁଗାନ୍ତକାରୀ ବିପ୍ଲବ ସୃଷ୍ଟି କରି ସେ ସଂସ୍କୃତକୁ ବାଧ୍ୟତାମୂଳକ ବିଷୟ ଭାବେ ନିୟମ ପ୍ରଣୟନ କରିବା ସହ ସଂସ୍କୃତ ଅନୁଷ୍ଠାନ ମାନଙ୍କରେ ବହୁ ସଂସ୍କାର ଆଣିଥିଲେ । ସେହିପରି ଓଡ଼ିଶାର ସମସ୍ତ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ନିୟମ ପ୍ରଣୟନ କରିଥିଲେ ଓ ସଂସ୍କୃତ ବ୍ୟାକରଣ ଆଧାରରେ ନିଜର ପ୍ରତ୍ୟକ୍ଷ ତତ୍ୱାବଧାନରେ ସେ ଇଂରାଜୀ-ଓଡ଼ିଆ ଶବ୍ଦକୋଷ ଗୁଡ଼ିକ ପ୍ରକାଶ କରିଚାଲିଥିଲେ ।
ବାସ୍ତବରେ ସେ ଥିଲେ ଜଣେ ଯୋଗଜନ୍ମା ପୁରୁଷ ଓ ପ୍ରଗତିର କପୋତ । ବିଶ୍ୱରେ ଏମିତି ନେତା ବିରଳ, ଯିଏ ତାଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି । ମଣିଷ ପରି ମଣିଷଟିଏ ଥିଲେ ସିଏ, କୋଟିକରେ ଗୋଟିଏ । ୧୯୯୮ ମସିହା ସେପ୍ଟେମ୍ବର ୭ ରୁ ମୁଁ ତାଙ୍କ ସଂସ୍ପର୍ଶରେ ଆସିଛି । ଓଡ଼ିଶାର ଏକ ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶିତ ମୋର ଏକ ରାଜନୀତିକ ନିବନ୍ଧକୁ ଯେଉଁଭଳି ସେ ପ୍ରଶଂସା କରି ଧନ୍ୟବାଦ୍ରେ ମତେ ପୋତି ପକାଇଲେ, ତାହା ମତେ ଅଭିଭୂତ କରିଥିଲା । ମୁଁ ଅଭିଭୂତ ହୋଇଛି ତାଙ୍କର ଅମାୟିକତ୍ୱ ଓ ମଣିଷ ପଣିଆ ଦେଖି । ଆହା, ନିର୍ଲିପ୍ତ ମଣିଷଟିଏ! ମାନବିକତାର ପ୍ରଲେପ ସ୍ୱଷ୍ଟ ବାରି ହୁଏ ତାଙ୍କ ଭିତରେ । ହୁଏତ ସେ ଜୀବନର ଆରମ୍ଭରୁ ବୁଝିଥିଲେ ମଣିଷ ଭିତରର ଭାବଅଭାବ ଓ ଆବଶ୍ୟକତାକୁ । ସବୁବେଳେ ସେ ଜଣାପଡ଼ନ୍ତି ଯେମିତି ସବୁଥିରେ ଥାଇ କୋଉଥିରେ ନଥାନ୍ତି, ଲୋଭ, ମୋହ, ମାୟା,ବିଳାସର ବହୁ ଉଦ୍ଧ୍ୱର୍ରେ! ସ୍ଥିତପ୍ରଜ୍ଞ ସାଧୁଟିଏ ଭଳି! ତାଙ୍କଠାରେ ନଥିଲା ଜଣେ ଅନନ୍ୟ ପ୍ରତିଭାଧାରୀର ବେଶପୋଷାକ,ଚାଲିଚଳନୀ କି ଆଭିଜାତ୍ୟ! ତାଙ୍କର ସାଧାରଣ ପୋଷାକ ତଳେ ଲୁକ୍କାୟିତ ମଣିଷତ୍ୱ ଅଭିଭୂତ କରୁଥିଲା ସବୁ ବର୍ଗର ଲୋକଙ୍କୁ । ସମସ୍ତଙ୍କ ପାଇଁ ସେ ପାଲଟି ଯାଇଥିଲେ ଯେମିତି ଏକ ସଫଳ ମଣିଷର ସଜ୍ଞା । ତାଙ୍କର ପାର୍ଥିବ ଶରୀର ସିନା ପଂଚଭୂତରେ ଲୀନ ହୋଇଯାଇଛି,ହେଲେ ତାଙ୍କର ବନ୍ଧୁ ବତ୍ସଳତା, କର୍ତବ୍ୟପରାୟଣତା ଓ ହସ ହସ ମୁହଁ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ । ଆଜି ତାଙ୍କର ୯୨ତମ ତାଙ୍କର ପବିତ୍ର ଜନ୍ମ ତିଥିରେ ତାଙ୍କର ଅମ୍ଲାନ କିର୍ତୀ ସମସ୍ତଙ୍କ ସାମ୍ନାରେ ଭାସି ଉଠୁଛି ।

 (ତା.୦୩.୦୧.୨୦୨୦ରିଖ ୯୩ତମ ଜନ୍ମବାର୍ଷିକ ଉପଲକ୍ଷେ:-)

Leave a Reply

Your email address will not be published. Required fields are marked *