ଗାଁର ପକ୍ଷୀ ପଛରେ ଧାଇଁବାକୁ ସମୟ କାହିଁ?

ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ଉଡିଗଲା ଗେଣ୍ଡାଳିଆ ଝାଡି ଦେଲେ ପର, ରାଜା ଝିଅ କାନ୍ଦୁଅଛି ଦେଖି ବୁଢା ବର……,.,.,..
ପକ୍ଷୀ ମାନେ ଗାଁ ଲୋକଙ୍କ ଜୀବନ ସହିତ ଓତ ପ୍ରେତ ଭାବେ ଜଡିତ ଥିଲେ । ସକାଳ ନ ହେଉଣୁ କୁକୁଡା କଅ୍ କଅ୍ ରାବ, କୂଆର କା କା ରାବ ଦେଇ ନୂତନ ପ୍ରଭାତ ର ସୂଚନା ଦେଉଥିଲା । କୁମ୍ଭାଟୁଆ ଭାଟ ହୋଇ ନୂତନ ଦିନ କୁ ସ୍ୱାଗତ କରୁଥିଲା । କୂଆ, କୋଇଲି, କଜଳପାତିି ମାନେ ରାବ ଦେଇ ଆକାଶରେ ଖାଦ୍ୟ ଅନ୍ୱେଷଣ ରେ ଉଡିବା ଆରମ୍ଭ କରନ୍ତି । ଦିନ ବଢିଲେ ସେମାନଙ୍କ ର ରାବ କମିଯାଏ, ସେମାନେ ଖାଦ୍ୟ ସଂଗ୍ରହ ରେ ଲାଗି ପଡନ୍ତି । କୂଆ ମାନେ ଘରଚାଳରେ ବସି କାଆ କାଆ ରାବ ଦିଅନ୍ତି । ପିଲାମାନେ ଗାଇ ଉଠନ୍ତି –
ଡାମରା କାଉରେ ଡାମରା କାଉ, ଉଚ୍ଚ ପରବତେ ବୋବାଉ ଥାଉ ।
ମା ମାନେ ଚାଉଳ କୁଆକୁ ଦେଇ ବିଦେଶରେ ଥିବା ପୁଅର ମଙ୍ଗଳ କାମନା କରନ୍ତି । ଘର ଅଗଣା ରେ ବଣି ମାନେ ଡେଇଁ ଡେଇ ଁ ବୁଲନ୍ତି । ଘର ଚାଳରୁ ପାରା ମାନେ ଘୁମରନ୍ତି । ଘର ଆଗ ଡେଙ୍ଗା ନଡିଆ ଗଛରେ ବାଇଚଢେଇ ଫରଫର ହୁଅନ୍ତି । ପିଲାମାନେ ପାଟି କରନ୍ତି, ବା- କଲେ ବସା ଦୋହଲୁ ଥାଏ,ବାୟା ଚଢେଇ ର କିଇସ ଯାଏ?
ଦୂର ଆକାଶ ରେ ଖୁବ ଉଚ୍ଚ ରେ ଶାଗୁଣା ମାନେ ଚକ୍ରାକାରରେ ଉଡୁଥାଆନ୍ତି ଲୋକେ ଜାଣନ୍ତି, କେଉଁଠି ମଢଟା ପଡିଛି । ଶଙ୍ଖ ଚିଲ ଉଡିଲେ ଜାଣନ୍ତି ମାଛ ଧରା ହେଉଛି । ପିଲାମାନେ ଗାଆନ୍ତି,
ଶଙ୍ଖ ଚିଲ ଭାଇ ନମସକାର, ମାଟିଆ ଚିଲ କୁ ଗୋଇଠା ମାର, ଦିନ ଆଗେଇ ଚାଲେ, ଦୂର ଗହିର ରୁ କପୋତ ମା ଟି ବିଳପି ଉଠେ-ଉଠ ରେ ପୁତା ଉଠ । ସେରକ ପୁରିଲା, ମାଣକ ପୁରିଲା, ଉଠ ରେ ପୁତ ।
ଚକୋର ଚକୋଇ ଙ୍କ ର ବିରହ ବିଜଡିତ ଡାକ ଭାସିଆସେ । ଭଦଭଦଳିଆ ଚଢେଇ ବୁଦା ରେ ବସି ଡାକ ଦିଏ । ଆମ୍ବ ଗଛ ଡାଲ ରୁ କୋଇଲି ର ମଧୁର କୁହୁତାନ ଶୁଣାଯାଏ । ସ୍ତ୍ରୀ ଲୋକ ଟି ଗାଇ ଉଠେ-
କୋଇଲି ଲୋ କେଶବ ଯେ ମଥୁରା କୁ ଗଲା …..ଜାତି ଜାତିକା ଚଢେଇ ଉଡି ଆସନ୍ତି, କୁଣ୍ଡାଖିଆ ଚଢେଇ ଶୁଖା ହୋଇଥିବା ଧାନ ରେ ମୁହଁ ମାରେ, ଗୋବରା ଚଢେଇ ଟାଏ ଡେଇଁଡେଇଁ ନାଚେ । ନୀଳ ଆକାଶ ରେ ପଲ, ପଲ ଧଳା ବଗ ଉଡିଯାଉଥିବାର ଦୃଶ୍ୟ ଅତି ମନୋରମ ଲାଗେ । ବଗ, ବିଲରୁ ପୋକ ଖାଉଥିବାର ଦୃଶ୍ୟ, ମାଛ ଧରିଥିବାର ଦୃଶ୍ୟ ଭୁଲିବାର ନୁହେଁ । ହଳଦି ବସନ୍ତ ପକ୍ଷୀର ହଳଦିଆ ଚେହେରା ନିଳଆକାଶ ପଟ୍ଟଭୂମି ରେ ଝଲକି ଉଠେ । ଗାଁ ପାଖ ପାଟ, ନାଳ ରେ ମଧ୍ୟ ନାନା ଜାତିର ପକ୍ଷୀ ରହୁଥିଲେ, ବିଶେଷତଃ ଶୀତ ଦିନରେ ସେମାନଙ୍କ କୋଳାହଳରେ ପରିବେଶ ମୁଖରିତ ହୋଇପଡେ । ମାଛରଙ୍କା ଚଢେଇ ଢୁବା ମାରି ମÿାଛ ଧରିବାର ଦୃଶ୍ୟ ଭୁଲିବାର ନୁହେଁ । ପାଣିକୁଆ ପାଣିରେ ବୁଡି ଥଂଟରେ ମାଛ ଧରିଆଣେ । ସଲୁରି, ହଂସରାଳୀ, ହଂସ ଆଦି ଜଳ କ୍ରୀଡା କରୁଥାଆନ୍ତି ।ସଂଜ ହୋଇ ଆସେ, ପକ୍ଷୀ ମାନଙ୍କ କୋଳାହଳ ରେ ଗାଁ ମୁଖରିତ ହୋଇପଡେ । ରାବ ଦେଇ ସେମାନେ ନିଜ ନିଜ ବସା କୁ ଫେରନ୍ତି ।
ଗଛରେ ଚଢି ପକ୍ଷୀ ବସା ରୁ ଅଣ୍ଡା ଖୋଜିବାର ମଜା ଏବେବି ମନେପଡେ । ରାତ୍ର ଅନ୍ଧାର ଘନ ହୁଏ । ବାଦୁଡି ଓ ଚେମେଣିଙ୍କର ଫଡ ଫଡ ଶଦ୍ଦ ପରିବେଶକୁ ଭୈାତିକ କରି ତୋଳେ । ପାଖ ପିଜୁଳି ଗଛରୁ ବାଦୁଡି ପିଜୁଳି ଖାଏ । ସକାଳୁ ଆମେ ବାଦୁଡି ଥଂଟ ମରା ଫଳ ଗୋଟାଉ । ଗଭୀର ରାତି ରେ ପେଚା ର ହୁଟ୍ହୁଟ୍ ଶଦ୍ଦ ଏକ ଭୟାନକ ପରିବେଶ ସୃଷ୍ଟି କରେ । ଘନ ଅନ୍ଧାର ବୃକ୍ଷ ଡାଳେ, ପେଚା ରାବିଲା ରାତ୍ର କାଳେ ।
ଆଜି ଗାଁ ର ପକ୍ଷୀ ସଂଖ୍ୟା କମି ଗଲାଣି ଜଙ୍ଗଲ ଲୋପ ପାଇଲାଣି । ପକ୍ଷୀଙ୍କ ପାଇଁ ଆଶ୍ରୟ ନାହିଁ । ଖଦ୍ୟ ର ଅଭାବ । ପରିବେଶ ବିଷାକ୍ତ ହୋଇଗଲାଣି । ଶାଗୁଣା, ହଳଦିବସନ୍ତ, ଚିଲ ଆଉ ଦେଖା ଯାଉ ନାହାନ୍ତି । ପକ୍ଷୀ ଥିଲେ ମଧ୍ୟ ସେମାନଙ୍କୁ ଅନୁଶୀଳନ କରିବାର ମାନସିକତା ଆଜି ନାହିଁ । ଗାଁ ଛାଡି ସମସ୍ତେ ସହର ମୁହାଁ । ସମସ୍ତେ ଚାହାଁନ୍ତି କଂକ୍ରିଟ ଜଙ୍ଗଲରେ ହଜି ଯିବାକୁ । ଆମ କାନ ଓ ଆଖି ଉଭୟ ରେ ପରଦା ଲାଗିଯାଇଛି । ପୁନେଇ ଜହ୍ନ କେବେ ଆସେ କେବେ ଯାଏ ତାର ହିସାବ ଆମ ପାଖରେ ନାହିଁ । କୋଇଲିର କୁହୁତାନ ଆମ କାନରେ ବାଜେ ନାହିଁ । ମନକୁ ଉତାଲା କରେନାହିଁ । ମଳୟ ପବନ କେତେବେଳେ ବୁହେ ଏସି ରୁମ୍ ରେ ଥାଇ ଆମେ ଜାଣିପାରୁନା । ସବୁବେଳେ ସ୍ୱାର୍ଥ ପଛରେ ଧାଇଁ ଧାଇଁ ଆମ ମନଗହନର କୋମଳତା କେବେଠାରୁ ହଜିଗଲାଣି । ଆଉ ଗାଁର ପକ୍ଷୀ ପଛରେ ଧାଇଁବାକୁ ସମୟ କାହିଁ?

Leave a Reply

Your email address will not be published. Required fields are marked *