କଳିଯୁଗରେ ମଣିଷ ଜୀବନର ବାସ୍ତବ ସୁଖ!

ଶରତ କୁମାର ରାଉତ
ବିଶ୍ୱ ଅନିତ୍ୟ, ଈଶ୍ୱର ସତ୍ୟ, କଳିଯୁଗରେ ନାମଧର୍ମ ହିଁ ସର୍ବସ୍ୱ! ଏବେ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ ଘୋର କଳିକାଳରେ କଳୁଷିତ । କଳିର କାଳ ଗ୍ରହ ଆଜି ମଣିଷକୁ ଗ୍ରାସ କରିଚାଲିଛି! ଯେତେ ପୂଜା ବ୍ରତ, ଧର୍ମକର୍ମ, ଯଜ୍ଞ,ଦାନ ଆଦି କଲେ ମଧ୍ୟ କଳିର କରାଳ ଗ୍ରାସରେ ମଣିଷ ପଥ ଭ୍ରଷ୍ଟ ହେଉଛି! କୌଣସି କ୍ଷେତ୍ରରେ ଶାନ୍ତି ପାଉନି ମଣିଷ! କ’ଣ ପାଇଁ?……ଏ ସଂପର୍କରେ ଭାବିବା ପାଇଁ ମଧ୍ୟ ମଣିଷ ପାଖରେ ସମୟ ନାହିଁ କି ବିବେକ ନାହିଁ! ସେଥିପାଇଁ ଯୁଗେ ଯୁଗେ ମୁନି ଋଷି ଓ ସାଧୁସନ୍ଥ ମାନେ କହିଛନ୍ତି, ନିଜର କର୍ତବ୍ୟ ସହ ସଦାସର୍ବଦା ଭଗବାନଙ୍କ ନାମ ସ୍ମରଣ କର, ଶ୍ରୀମଦ୍ ଭାଗବତ ପଠନ ଓ ମନନରେ ମଜ୍ଜି ରୁହ, ପିତାମାତାଙ୍କୁ ଭକ୍ତି କର, ଗୁରୁଜନଙ୍କୁ ସମ୍ମାନ କର, ସାନ ମାନଙ୍କୁ ଶ୍ରଦ୍ଧା କର, ଦୁଃଖୀ-ଅସହାୟଙ୍କୁ ସାହାଯ୍ୟ କର, ଆଉ ସମସ୍ତଙ୍କ ଭିତରେ ଭଗବାନଙ୍କୁ ଅର୍ଥାତ୍ ନିଜକୁ ଦେଖ! କଳିଯୁଗରେ ଧ୍ୟାନ ଓ ନାମ ସଂକୀର୍ତନ ହିଁ ଜୀବନର ମୂଳ ଲକ୍ଷ୍ୟ ହେବା ଉଚିତ! ଏଥିପାଇଁ କୌଣସି ନୀତି-ନିୟମ ନାହିଁ, ସମୟ ନାହିଁ, କୌଣସି ବାଧା ବନ୍ଧନ ନାହିଁ! ଦେଖିବ, ତୁମେ ନିଜେ ନିଜ ଭିତରେ ପରଂବ୍ରହ୍ମଙ୍କୁ ସାକ୍ଷାତ୍କାର ପାଇପାରିବ! ଆଉ ମଧ୍ୟ ଅନୁଭବ କରିପାରବ ଯେ, ତୁମ ଭିତରେ ଥିବା ଧର୍ମବଳ ହିଁ ସବୁଠୁ ମହାନ୍ ଓ ଶକ୍ତିଶାଳୀ! କୌଣସି ଦୁର୍ବିପାକରେ ଏପରିକି ମହାପ୍ରଳୟରେ ତୁମକୁ ତୁମର ଅପର୍ଯ୍ୟାପ୍ତ ଧନ-ସଂପତି, ମାନ-ସମ୍ମାନ କି ପ୍ରତିପତି ରକ୍ଷା କରିପାରିବ ନାହିଁ! ବରଂ ସେତେବେଳେ ତୁମକୁ ତୁମର ଧର୍ମବଳ ହିଁ ରକ୍ଷା କରିପାରିବ, ଯାହା ବାସ୍ତବରେ ମାରଣାସ୍ତ୍ର ଠାରୁ ବି ଅଧିକ ଶକ୍ତିଶାଳୀ! ଏହାର ପ୍ରମାଣ କେବଳ ଅନୁଭବୀ ହିଁ ଜାଣିପାରିବ!…ଏମିତି ଜୀବନର ଅନେକ ସାର ତତ୍ୱ ପ୍ରତ୍ୟେହ ଶ୍ରୀମଦ୍ ଭାଗବତ ଚର୍ଚ୍ଚାରେ ଓ ମାସିକ ପୂର୍ଣ୍ଣମୀ ସତ୍ସଂଘରେ ଭକ୍ତମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝେଇଥାନ୍ତି ଗୁରୁଦେବ ପରମାରାଧ୍ୟ ଶ୍ରୀମଦ୍ ଦାମୋଦର ଦାସ ।
ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ୍ ଗୀତାରେ କହିଛନ୍ତି, ‘ଯେତେବେଳେ ଧରାପୃଷ୍ଠରେ ଧର୍ମର ଗ୍ଲାନି ହୁଏ, ପାପର ଭାର ବଢିଯାଏ, ସେତେବେଳେ ମୁଁ ମଣିଷ ରୂପରେ ପୃଥିବୀ ପୃଷ୍ଠରେ ଜନ୍ମ ନିଏ ଓ ପାପୀମାନଙ୍କୁ ବିନାଶ କରି ସାଧୁସନ୍ଥ ମାନଙ୍କୁ ରକ୍ଷା କରେ ଏବଂ ପୁନର୍ବାର ପୃଥିବୀରେ ଧର୍ମ ସ୍ଥାପନା କରେ!’ ଏଥିପାଇଁ ଭଗବାନ ଯୁଗେ ଯୁ୍ରଗେ ଅବତାର ଗ୍ରହଣ କରିଛନ୍ତି! ସେହିପରି କଳିଯୁଗରେ ଧର୍ମଠାରୁ ଦୂରେଇ ଚାଲିଥିବା ମଣିଷ ମାନଙ୍କୁ ଦିଗ୍ ଦର୍ଶନ ଦେଇ ଧର୍ମ ପ୍ରତି ଆକୃଷ୍ଠ କରାଇବାକୁ ଭଗବାନଙ୍କ ପ୍ରେରଣାରେ ଭାରତର ପୂଣ୍ୟ ମାଟିରେ ଅନେକ ମହାପୁରୁଷ/ସାଧୁସନ୍ଥ ବିଭିନ୍ନ ସମୟରେ ଜନ୍ମ ନେଇଛନ୍ତି! ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ନିକଟବର୍ତୀ ତଥା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଦକ୍ଷିଣ ସୀମାନ୍ତ ରାଜନଗରର ବାର୍ହାପୁର ଗ୍ରାମରେ ୧୯୪୩ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମ ନେଇଥିଲେ ସେହିପରି ଜଣେ ମହାନ୍ ଗୁରୁ ଶ୍ରୀମଦ୍ ଦାମୋଦର ଦାସ । ଜନ୍ମ ପୂର୍ବରୁ ତାଙ୍କ ପରିବାରରେ କେତେକ ଅଲୌକିକ ଘଟଣା ଘଟିଥିଲା । ତାଙ୍କୁ ଅଢେଇ ବର୍ଷ ବୟସ ହୋଇଥିବା ବେଳେ ସେ ସତ୍ୟର ସାକ୍ଷାତ୍କାର କରିଥିଲେ! ଯାହା ତାଙ୍କର ବାଲ୍ୟ ଜୀବନରେ ଫୁଟି ଉଠିଥିଲା । ଏତିକିବେଳେ ତାଙ୍କର ଅଲୌକିକ କାର୍ଯ୍ୟ ଓ ଅସାଧାରଣ ଜ୍ଞାନ-ବୁଦ୍ଧି ଦେଖି ତାଙ୍କ ବାପା, ମା’, ଶିକ୍ଷକ ଓ ଅନ୍ୟମାନେ ଆଶ୍ଚର୍ଯ୍ୟ ହେଉଥିଲେ । ସେ ସ୍କୁଲ୍ରେ ପଢିଲାବେଳେ ତାଙ୍କର ଖୁବ୍ ସୁନ୍ଦର ଆଚରଣ, ଅସାଧାରଣ ବ୍ୟକ୍ତିତ୍ୱ, ସ୍ପଷ୍ଟ ବକ୍ତୃତା ଆଦି ଐଶ୍ୱରୀୟ ଓ ମାନବୀୟ ଗୁଣ ଶିକ୍ଷକ, ସହପାଠୀ, ସାଙ୍ଗ ଓ ଗୁରୁଜନ ମାନଙ୍କୁ ବିସ୍ମିତ କରୁଥିଲା ।
ଜନ୍ମସିଦ୍ଧ ସ୍ୱାମୀ ଦାମୋଦର ପିଲାଟି ବେଳୁ ଧ୍ୟାନ, ପ୍ରାଣାୟାମ, ନାମ କୀର୍ତନ, ଭାଗବତ ଚର୍ଚ୍ଚା ଆଦିରେ ମଜ୍ଜି ରହୁଥିଲେ । ମଣିଷ ଜନ୍ମ ଓ ଜୀବନର ଉଦେ୍ଦଶ୍ୟକୁ ନେଇ ସେ ଲୋକମାନଙ୍କୁ ବୁଝାଉଥିଲେ । ଦିନେ କାହ୍ନାଇ ଲାଲ୍ ବେରା ନାମକ ତାଙ୍କର ଜଣେ ବନ୍ଧୁ ତାଙ୍କୁ ସ୍ୱାମୀ ଅରୁଣାନନ୍ଦ ପରମହଂସଙ୍କ ଜୀବନୀ ଓ ଲୀଳା ସଂପର୍କରେ ସୂଚନା ଦେବା ସହ ସ୍ୱାମୀଙ୍କ ରଚିତ କେତୋଟି ଗ୍ରନ୍ଥ ତାଙ୍କୁ ପଢିବାକୁ ଦେଲେ । ଦାମୋଦର ଗ୍ରନ୍ଥଗୁଡ଼ିକୁ ତନ୍ନ ତନ୍ନ କରି ପଢି ସାରିବା ପରେ ସେ ଯେଉଁ ସତ୍ୟକୁ ସାକ୍ଷାତ୍କାର କରିଛନ୍ତି, ଇହଧାମ ତ୍ୟାଗ କରିଥିବା ସ୍ୱାମୀଜୀ ସେହି ସତ୍ୟକୁ ବହୁ ପୂର୍ବରୁ ସାକ୍ଷାତ୍କାର କରି ସାରିଥିବା ଜାଣି ପାରିଲେ! ତାଙ୍କୁ ଅନୁଭବ ହେଲା ଯେ, ସ୍ୱାମୀ ଅରୁଣାନନ୍ଦ ହିଁ ତାଙ୍କର ଯୋଗ୍ୟତମ ଗୁରୁ! ଏଣୁ ସେଦିନୁ ସେ ସ୍ୱାମୀ ଅରୁଣାନନ୍ଦଙ୍କୁ ନିଜର ଗୁରୁ ଭାବରେ ଗ୍ରହଣ କରିନେଲେ । କ୍ରମେ ତାଙ୍କୁ ଆଉ ସଂସାର ଭଲ ଲାଗିଲା ନାହିଁ । ଶେଷରେ ନିିଜର ଅଚଳାଚଳ ସଂପତି, ସ୍ତ୍ରୀ, ପୁଅ, ଝିଅ ଆଦି ସଂପର୍କୀୟଙ୍କୁ ଛାଡ଼ି ସନ୍ୟାସ ଗ୍ରହଣ କଲେ । ଗୃହସ୍ଥ ଥିବାବେଳେ ତାଙ୍କର ଅଲୌକିକ କାର୍ଯ୍ୟ ଓ ସତ୍ ଉପଦେଶ ଗ୍ରହଣ କରି ନିଜ ଜୀବନକୁ ଧନ୍ୟ ମଣୁଥିବା ଆଖପାଖ ଅଂଚଳର ହଜାର ହଜାର ଲୋକେ କ୍ରମେ ତାଙ୍କର ଭକ୍ତ ପାଲଟିଗଲେ ଓ ସର୍ବଦା ତାଙ୍କର ସାନ୍ନିଧ୍ୟ ଲାଭ କରିବାକୁ ବ୍ୟାକୁଳ ହେଲେ । ତା’ଭିତରେ ସେ ଭାରତର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାଇ ସେଠାରେ ସାଧନାରେ ମଜ୍ଜି ରହୁଥିଲେ । ତାଙ୍କର ଭକ୍ତ ସଂଖ୍ୟା କ୍ରମେ ବଢିବାକୁ ଲାଗିଲା । ଭକ୍ତମାନଙ୍କର ଡ଼କରା ପାଇ ସେ ବିଭିନ୍ନ ସ୍ଥାନରେ ଆୟୋଜିତ ସତ୍ସଂଘରେ ଯୋଗ ଦେଲେ । ଗୁରୁସ୍ୱାମୀ ଦାମୋଦର ମୁଖ୍ୟତଃ ଧ୍ୟାନ ଓ ପ୍ରାଣାୟାମ ଉପରେ ଗୁରୁତ୍ୱ ଦେଇଥାନ୍ତି! ଏହା ଦ୍ୱାରା ଦେହ, ମନ-ମସ୍ତିଷ୍କ ସୁସ୍ଥ, ସତେଜ ଓ ସୁକାର୍ଯ୍ୟ ପାଇଁ ସୁଯୋଗ ସୃଷ୍ଟି କରେ ବୋଲି ଗୁରୁସ୍ୱାମୀଙ୍କର ମତ । ସବୁ ଆଶ୍ରମରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଧ୍ୟାନ, ପ୍ରାଣାୟାମ, ପ୍ରାର୍ଥନା, ନାମ କୀର୍ତନ ଆଦି ହେଉଥିଲେ ମଧ୍ୟ ପୂର୍ଣ୍ଣମୀ ତିଥି ଗୁରୁଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖୁଥିବାରୁ ସେଦିନ ଆଶ୍ରମ ଠାରେ କିମ୍ବା କୌଣସି ଭକ୍ତଙ୍କ ନିବେଦନରେ ତା’ଙ୍କ ଘରେ ବଡ଼ ଧରଣର ସତ୍ସଂଘର ଆୟୋଜନ ହୋଇଥାଏ । ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କର ଲମ୍ବାଧାଡ଼ି ଲାଗି ରହିଥାଏ ।
‘ଗୁରୁ’ର ଅର୍ଥ ବ୍ୟାପକ । ଯିଏ କୌଣସି ବିଷୟରେ ବିଶେଷ ଶିକ୍ଷା ଦିଅନ୍ତି, ସେ ହିଁ ଗୁରୁ! ଶିକ୍ଷା ଦାନ କରୁଥିବା ବ୍ୟକ୍ତିଙ୍କୁ ଶିକ୍ଷାଗୁରୁ, ଅଭିନୟ ଓ ନାଚ ଶିକ୍ଷା ଦେଉଥିବା ବ୍ୟକ୍ତିଙ୍କୁ କଳାଗୁରୁ ଓ ନୃତ୍ୟଗୁରୁ ଭଳି ଅନ୍ୟାନ୍ୟ ବିଷୟ ଶିକ୍ଷା ଦେଉଥିବା ବ୍ୟକ୍ତିଙ୍କୁ ସେହି ଶିକ୍ଷା ସମ୍ବଦ୍ଧୀୟ ଗୁରୁ ବୋଲି କୁହା ଯାଇଥାଏ । ଅର୍ଥାତ୍ ଗୁରୁଙ୍କୁ ଚିହ୍ନିବାରେ ପ୍ରାୟତଃ ବ୍ୟତିକ୍ରମ ନଥାଏ । ହେଲେ ବେଳେ ବେଳେ ଆଜିର ମଣିଷ ଗୁରୁଙ୍କୁ ଚିହ୍ନିବାରେ ଧୋକ୍କା ଖାଇ ଯାଉଛି! ଯେହେତୁ କୌଣସି ପାର୍ଥିବ ବିଷୟ ଜଡ଼ିତ ଗୁରୁଙ୍କୁ ମଣିଷ ସଦ୍ଗୁରୁ ବୋଲି ମାନିନେଉଛି! ଏପରିକି କୁହୁକ ବିଦ୍ୟା ବା ଯାଦୁମନ୍ତ୍ର ଜାଣିଥିବା ଓ ଏସବୁ ଶିକ୍ଷା ଦେଉଥିôବା ବ୍ୟକ୍ତିଙ୍କୁ କେତେକ ଲୋକେ ସଦ୍ଗୁରୁ ବୋଲି ମାନି ସେମାନଙ୍କ ପାଖରେ ଭିଡ଼ ଜମାଉଛନ୍ତି! ଆଉ କିଛି ଅଘଟଣ ଘଟିଲେ ହିଁ ବାସ୍ତବତା ସାମ୍ନାକୁ ଆସୁଛି! ଏଭଳି କାହିଁକି?…ଆମେ ଜାଣି ରଖିବା ଉଚିତ ଯେ, ସଦ୍ଗୁରୁ କଦାପି କୁହୁକ ବିଦ୍ୟା ଦେଖାଇ ସାଧାରଣ ଲୋକଙ୍କୁ ପ୍ରଭାବିତ କରନ୍ତି ନାହିଁ! ଈଶ୍ୱରଙ୍କ ଧ୍ୟାନ,ପ୍ରାର୍ଥନା,ନାମଜପ ହିଁ ସଦ୍ଗୁରୁଙ୍କର ଅଲୌକିକତା ଓ ସବୁ ସମସ୍ୟାର ସମାଧାନ ପନ୍ଥା! ଏହି କ୍ରମରେ ଗୁରୁସ୍ୱାମୀଙ୍କର ଅଲୌକିକତା କହିଲେ, ଈଶ୍ୱରଙ୍କୁ ଆକୁଳ ପ୍ରାର୍ଥନା! ଅତି ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ଭକ୍ତ ନିଜର ଯେଉଁ ସମସ୍ୟା ନେଇ ଗୁରୁଙ୍କ ପାଖରେ ପହଂଚିଛନ୍ତି, ଉକ୍ତ ସମସ୍ୟା ସମାଧାନ ପାଇଁ ଗୁରୁ କେବଳ ଈଶ୍ୱରଙ୍କୁ ଆକୁଳ ପ୍ରାର୍ଥନା ମାଧ୍ୟମରେ ଜଣାଇଥାନ୍ତି! ବାସ୍! ସମାଧାନ ହୋଇ ଯାଏ ଭକ୍ତଙ୍କ ସମସ୍ୟା! ଆଉ ହଜାର ହଜାର ମଣିଷଙ୍କ ମୁଣ୍ଡ ନଇଁ ଯାଏ ତାଙ୍କ ପବିତ୍ର ପାଦ ତଳେ! ଗୁରୁସ୍ୱାମୀଙ୍କ ଦର୍ଶନରେ ସବୁ ଦୁଃଖ, ରୋଗ, ଶୋକ ଦୂର ହୁଏ ବୋଲି ଅନୁଭବ କରୁଛନ୍ତି ଭକ୍ତ ମାନେ । ତାଙ୍କ ସଂସ୍ପର୍ଶରେ ଆସିଲେ ମନେ ହୁଏ ଯେପରି ଭକ୍ତ ଭଗବାନଙ୍କ ପାଖରେ ରହିଛି! ନିମିଷକେ ନିଜ ଭିତରୁ ଉଭେଇଯାଏ ସମସ୍ତ ଭୟ, ଦୁôôଃଖ, ରାଗ, ସମସ୍ୟା! ଧ୍ୟାନ ମଗ୍ନ ଅବସ୍ଥାରେ ତାଙ୍କୁ ଦେଖିଲେ, ଲାଗନ୍ତି ଆହା ନିର୍ଲିପ୍ତ ସନ୍ୟାସୀଟିଏ! ଈଶ୍ୱରୀୟତାର ପ୍ରଲେପ ସ୍ପଷ୍ଟ ବାରି ହୋଇଯାଏ ତାଙ୍କ ଭିତରେ! ହୁଏତ ସେ ଜୀବନର ଆରମ୍ଭରୁ ବୁଝିଛନ୍ତି ମଣିଷ ଜନ୍ମ ଓ ଜୀବନର ଉଦେ୍ଦଶ୍ୟ, ମଣିଷ ଭିତରର ଭାବଅଭାବ ଏବଂ ଆବଶ୍ୟକତାକୁ! ଜଣାପଡ଼ନ୍ତି ଯେମିତ ସେ ସବୁଥିରେ ଥାଇ କୋଉଥିରେ ନଥାନ୍ତି! ଲୋଭ, ମୋହ, ମାୟା, ବିଳାସର ବହୁ ଉଦ୍ଧ୍ୱର୍ରେ! ସ୍ଥିତପ୍ରଜ୍ଞ ସାଧୁଟିଏ ଭଳି! ତାଙ୍କ ଠାରେ ଦେଖାଯାଏ ନାହିଁ କୌଣସି ସ୍ୱତନ୍ତ୍ର ବେଶ ପୋଷାକ, ଚାଲିଚଳନୀ କି ଆଭିଜାତ୍ୟ! ତାଙ୍କର ସାଧାରଣ ପୋଷାକ, ଚାଲିଚଳନୀ ଓ କଥାବାର୍ତା ଭିତରେ ଲୁକ୍କାୟୀତ ଐଶ୍ୱରୀୟ ଭାବ ଓ ଗୁଣ ପ୍ରଭାବିତ କରେ ଭକ୍ତଙ୍କୁ ଏବଂ ଅଭିଭୂତ ହୋଇଯାଆନ୍ତି ସମସ୍ତେ, ଭୁଲିଯାଆନ୍ତି ନିଜକୁ, ନିଜ ପଦବୀକୁ ଓ ନିଜ କାର୍ଯ୍ୟବ୍ୟସ୍ତ ଜୀବନକୁ! ବାସ୍ତବରେ ଭକ୍ତ-ଭଗବାନଙ୍କ ମିଳନ ସମୟର ଦୃଶ୍ୟ ସ୍ୱଚକ୍ଷୁରେ ନଦେଖି ବିଶ୍ୱାସ କରିବା ଅସମ୍ଭବ! ସେଥିପାଇଁ ତାଙ୍କର ଟିକେ ସାନ୍ନିଧ୍ୟ ଲାଭ କରିବାକୁ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଭକ୍ତମାନେ ଛୁଟି ଆସନ୍ତି ତାଙ୍କ ପାଖକୁ । ଗୁରୁସ୍ୱାମୀଙ୍କର ଅପାର କରୁଣା ଲାଭ କରି କିଏ କେତେ ଉପକୃତ ହୋଇଛି ବା କାହାର କେଉଁ ସମସ୍ୟା ସମାଧାନ ହୋଇଛି, ତାହା ବର୍ଣ୍ଣନା କଲେ ଅଗଣିତ ପୃଷ୍ଠାର ଆବଶ୍ୟକତା ପଡ଼ିବ! ଯାହା ମଣିଷ ଜନ୍ମର ସାର୍ଥକତା ଓ ଜୀବନର ମୂଳ ଉଦେ୍ଦଶ୍ୟ, ଗୁରୁସ୍ୱାମୀ ତାହା ହିଁ ଭକ୍ତମାନଙ୍କୁ ପରାମର୍ଶ ଦେଇ ସଚେତନ କରାଇଥାନ୍ତି! ତାଙ୍କ ମୁଖମଣ୍ଡଳର ଗମ୍ଭୀର ଭାବରୁ ଜଣାଯାଏ, ଯେମିତି ସେ ଯେକୌଣସି କାର୍ଯ୍ୟ ନିମିଷକେ କରି ଦେଖାଇ ପାରିବେ! ଥରେ ଜଣେ ଭକ୍ତ ତାଙ୍କୁ ଏ ସଂପର୍କରେ ପଚାରିଥିଲେ । ପ୍ରଥମେ ସେ ମୃଦୁ୍ୟ ହସ ହସିଲେ ଓ କହିଲେ, “ଯେକୌଣସି ସାଧକ ଚାହିଁଲେ ସବୁକିଛି କରିପାରିବେ! ହେଲେ କୌଣସି ସାଧକ କେବେ ପ୍ରକୃତି ବିରୁଦ୍ଧରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି ନାହିଁ! ଏହା ହେଲେ ସାଧକର ସାଧନା ଫଳ ଧୀରେ ଧୀରେ ହ୍ରାସ ପାଇଥାଏ! ଏଣୁ ସବୁ ମଣିଷ, ସବୁ ସାଧକ ଏପରିିକି ଭଗବାନଙ୍କ ପାଇଁ ମଧ୍ୟ କାର୍ଯ୍ୟ କରିବାର ସୀମା ରହିଛି!…ବିଧିର ବିଧାନକୁ ରୋକିବାକୁ ଚେଷ୍ଟା କରାଯିବା ଠିକ୍ ନୁହେଁ!”

 

Leave a Reply

Your email address will not be published. Required fields are marked *