ତୁମେ ଚାଲିଗଲ ଛୁଆବାପା!

ଶରତ କୁମାର ରାଉତ
ଏମିତି କେତେକ ଯୋଗଜନ୍ମା ଅଛନ୍ତି, ଯେଉଁମାନେ ସମସାମୟିକ ବ୍ୟକ୍ତିମାନଙ୍କ ଠାରୁ ଅଧିକ ଯଶ-ଖ୍ୟାତିର ଅଧିକାରୀ ହୋଇଥାନ୍ତି ଓ ଅଜାତଶତ୍ରୁର ଆଖ୍ୟା ପାଇଥାନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଲେ, ସ୍ୱର୍ଗତ ଅର୍ଜୁନ ଚରଣ ରାଉତ । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇର କୋରିଆପଲ୍ଲା ଗ୍ରାମର ଏକ ପ୍ରତିଷ୍ଠିତ ପରିବାରରେ ୧୯୬୧ ମସିହାରେ ସ୍ୱର୍ଗତ ରାଉତ ଜନ୍ମ ଗ୍ରହଣ କରିଥିଲେ । ସ୍ୱର୍ଗତ ରାଉତ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ପ୍ରମୁଖ ଗ୍ରାମସେବକ ଓ ପରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜଣାଶୁଣା । ତାଙ୍କ ଚାକିରି ଜୀବନରେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଗ୍ରାମସେବକ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଥିବା ବେଳେ ପରେ ସେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଜନମାନସରେ ଆଦୃତ ହୋଇଥିଲେ । ୨୦୧୯ ମସିହା ଡ଼ିସେମ୍ବର ୩୧ ତାରିଖରେ ରାଜନଗର ବ୍ଲକ୍ରେ ନିଜର କାର୍ଯ୍ୟ ସଂପାଦନ କରି ସଂଧ୍ୟାରେ ଘରକୁ ଫେରିବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ଓ ସେଦିନ ରାତିରେ କେନ୍ଦ୍ରାପଡ଼ା ଡ଼ାକ୍ତଖାନାରେ ତାଙ୍କର ପରଲୋକ ହୋଇଥିଲା । ସ୍ୱର୍ଗତ ରାଉତଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଯୋଗୁ ତାଙ୍କର ପରଲୋକରେ ସାରା ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଏହି ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ତଥା ବରିଷ୍ଠ ନାଗରିକ ମାନେ ତାଙ୍କ ପରଲୋକରେ ସ୍ତବ୍ଧ ହୋଇ ଯାଇଛନ୍ତି । ଏହି ଅଂଚଳର ଆବାଳ ବୃଦ୍ଧ ବନିତା ସମସ୍ତେ ତାଙ୍କର ଅନ୍ତିମ ଦର୍ଶନ କଲା ପରେ ତାଙ୍କର ମର ଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା । ଗ୍ରାମବାସୀଙ୍କ ସହିତ ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡ଼ା ଆଖପାଖର ଜନସାଧାରଣ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିଲେ ।
ସେ ଜଣେ ଆଦର୍ଶ ଗ୍ରାମସେବକ, ଅମାୟିକ, ପରୋପକାରୀ ଓ ବନ୍ଧୁବତ୍ସଳ ଭାବରେ ବିଭିନ୍ନ ଅଂଚଳରେ ଖ୍ୟାତି ଅର୍ଜ୍ଜନ କରିଛନ୍ତି । ଜଣେ ସଫଳ ଗ୍ରାମସେବକ ତଥା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସାଧାରଣ ମଣିଷର ସେବା ତାଙ୍କ ଜୀବନର ମୂଳ ଲକ୍ଷ୍ୟ ରହିଥିଲା । ପ୍ରତି ମଣିଷକୁ ଆପଣାର କରିବାର କୌଶଳରେ ସେ ନିପୁଣ ଥିଲେ । ସମସ୍ତଙ୍କୁ ସେ ସହଯୋଗର ହାତ ବଢେଇବାକୁ ଆଗେଇ ଆସୁଥିଲେ । ସେଥିପାଇଁ ସେ କୋରାପୁଟ ସମେତ କେନ୍ଦ୍ରାପଡ଼ା ଅଂଚଳରେ ଲୋକପି୍ରୟ ଥିଲେ । ବାସ୍ତବରେ ସେ କାହାକୁ ନିଜର ଶତ୍ରୁ ବୋଲି ଭାବୁନଥିଲେ ଓ ସମସ୍ତଙ୍କୁ ସେ ବନ୍ଧୁତା ରଜ୍ଜୁରେ ବାନ୍ଧୁଥିଲେ । ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ସରଳତା, ନିଷ୍ଠାପରତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ଚିରଦିନ ଆମ୍ଭମାନଙ୍କ ଭିତରେ ସ୍ମରଣୀୟ ହୋଇ ରହିବେ । ସେ ମଧ୍ୟ ଗଭୀର ଈଶ୍ୱର ବିଶ୍ୱାସୀ ଥିଲେ । ଆଧ୍ୟାତ୍ମିକ ଚିନ୍ତାଧାରା ତାଙ୍କ ଭିତରେ ଆଚ୍ଛନ୍ନ ଥିଲା । ସେ ତାଙ୍କର ପୁତ୍ର, ଝିଅ, ଜ୍ୱାଇଁ, ପୁତୁରା, ଝିଆରୀ ମାନଙ୍କୁ ପ୍ରତିଷ୍ଠିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ବାସ୍ତବରେ ମଣିଷ ପରି ମଣିଷଟିଏ ଥିଲେ ସିଏ, କୋଟିକରେ ଗୋଟିଏ । ଆଜି ମଧ୍ୟ ତାଙ୍କୁ ଭଲ ପାଉଥିବା ଲୋକଙ୍କ ଆଖିରୁ ଲୁହ ଝରୁଛି । ସେ ଥିଲେ ମୋର(ଲେଖକ)ଛୁଆବାପା(ସାନବାପା) । ପିଲାଟି ବେଳୁ ମୁଁ ତାଙ୍କୁ ଦେଖି ଆସିଛି । ମୁଁ ଅଭିଭୂତ ହୋଇଛି ତାଙ୍କର ଅମାୟିକତ୍ୱ ଓ ମଣିଷ ପଣିଆ ଦେଖି । ଆହା, ନିର୍ଲିପ୍ତ ମଣିଷଟିଏ! ମାନବିକତାର ପ୍ରଲେପ ସ୍ୱଷ୍ଟ ବାରି ହୋଇଯାଏ ତାଙ୍କ ଭିତରେ । ସମସ୍ତଙ୍କ ପାଇଁ ସେ ପାଲଟି ଯାଇଥିଲେ ଯେମିତି ଏକ ସଫଳ ମଣିଷର ସଜ୍ଞା । ମୃତୁ୍ୟ ଚିରନ୍ତନ ସତ୍ୟ । ଏହା ଯେତେ ନିଷ୍ଠୂର ଓ କଠୋର ଲାଗିଲେ ବି ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଭଗବାନ ଯାହାକୁ ବେଶୀ ଭଲ ପାଆନ୍ତି, ତାକୁ ନିଜ ପାଖକୁ ଶୀଘ୍ର ନେଇଯାଆନ୍ତି ବୋଲି ଧାରଣା ରହିଛି । ମୋ ଛୁଆବାପାଙ୍କ କ୍ଷେତ୍ରରେ ସେଇଆ ଘଟିଲା ବୋଲି ଆମେ ଭାବୁଛୁ । ଗୋଟିଏ ବଡ଼ ପରିବାର ତଥା ବହୁ ବନ୍ଧୁବାନ୍ଧବ ବୋଲି ଭାରି ଗର୍ବରେ ଛାତି ଫୁଲେଇ ବାଟ ଚାଲୁ ଚାଲୁ ସମସ୍ତଙ୍କୁ ଠକି ଦେଇ ହଠାତ୍ ଚାଲିଗଲ! ତୁମେ ନିଜ ପରିବାର ପାଇଁ ଯାହା କରିଛ, ତାହା କେହି ଭୁଲି ପାରିବେ ନାହିଁ! ହେ, ଯୋଗଜନ୍ମା କର୍ମବୀର, ୧୧ ଦିନ ତଳେ ଗୋଟିଏ ଅଦିନିଆ ଝଡ଼ଟିଏ ଆସିଲା, ତୁମେ ଏମିତି ବାହୁଡ଼ି ଗଲ ଯେ ଆଉ ଫେରିଲନି! ଆମକୁ ଛାଡ଼ିଦେଇ ଗଲ ଏ ଅବିଶ୍ୱାସ ଦୁନିଆର ଅନ୍ଧାର ଗଳିରେ । ଯୁଆଡ଼େ ଚାହିଁଲେ ବି ଖାଲି ବହଳିଆ ଅନ୍ଧାର ହିଁ ଅନ୍ଧାର! ଆଜି ତାଙ୍କର ପବିତ୍ର ଏକାଦଶାହ ଅବସରରେ ତାଙ୍କର ଅମ୍ଲାନ କିର୍ତୀ ସମସ୍ତଙ୍କ ସାମ୍ନାରେ ଭାସି ଉଠୁଛି । ତାଙ୍କର ପାର୍ଥିବ ଶରୀର ସିନା ପଂଚଭୂତରେ ଲୀନ ହୋଇଯାଇଛି, ହେଲେ ତାଙ୍କର ସଫଳ କାର୍ଯ୍ୟ, କର୍ତବ୍ୟ ପରାୟଣତା ଓ ହସ ହସ ମୁହଁ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ । ଛୁଆବାପା, ତୁମେ ଯେଉଁଠି ଥାଅ- ଭଲରେ ଥାଅ! ତୁମର ଶୁଭଦୃଷ୍ଟି ଆମ ଉପରେ ରଖିଥାଅ! ଆମ ମାନଙ୍କୁ କୃପା ଦୃଷ୍ଟିରେ ଚାହିଁଥାଅ! ଆପଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆମେ ପ୍ରଭୂ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *