ପାକିସ୍ଥାନରେ କମୁଛି ହିନ୍ଦୁଙ୍କ ସଂଖ୍ୟା!

ଡା. ସୁରେନ୍ଦ୍ର ନାଥ ଦାଶ
ଦେଶ ବିଭାଜନ ପରେ ପ୍ରାୟ ଏକ କୋଟି ହିନ୍ଦୁ ପାକିସ୍ଥାନ ଛାଡି ଭାରତ ଚାଲିଆସିଲେ ମଧ୍ୟ ଆହୁରି ଲକ୍ଷଲକ୍ଷ ହିନ୍ଦୁ ପାକିସ୍ଥାନରେ ରହିଗଲେ । ଏହା ମଧ୍ୟରେ ୭୩ ବର୍ଷ ସମୟ ଅତିକ୍ରମ ହୋଇଗଲାଣି । ସେ ଦିନର ପାକିସ୍ଥାନ ଦୁଇଖଣ୍ଡ ହୋଇ ଏକ ସ୍ୱାଧିନ ବଙ୍ଗଳା ଦେଶର ସୃଷ୍ଟି ହୋଇଛି । ସ୍ୱାଧିନତା ବେଳେ ଅବିଭକ୍ତ ପାକିସ୍ଥାନରେ ପ୍ରାୟ ଶତକଡା ୧୩ ହିନ୍ଦୁ ରହୁଥିଲେ, ପୂର୍ବପାକିସ୍ଥାନ ରେ ୨୩ ପ୍ରତିଶତ ଓ ପଶ୍ଚିମ ପାକିସ୍ଥାନରେ ୪ ପ୍ରତିଶତ ହିନ୍ଦୁ ଥିଲେ । ପାକିସ୍ଥାନର ବିଭାଜନ ପରେ ହିନ୍ଦୁ ସଂଖ୍ୟା କମି ୧.୮ ପ୍ରତିଶତ ହୋଇଗଲା । ଏହି ହ୍ରାସ ବାସ୍ତବ ନୁହେଁ ଏକ ଆପେକ୍ଷିକ । ମାତ୍ର ହିନ୍ଦୁ କଟରପନ୍ଥି ମାନେ ଏହି ହ୍ରାସକୁ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଯୋଗୁ ହୋଇଛି ବୋଲି କହି ହିନ୍ଦୁ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛନ୍ତି । ଉଭୟ ଦେଶ ମାନଙ୍କରେ ରାଜନୈତିକ ନେତାମାନେ କ୍ଷମତା ରେ ରହିବା ପାଇଁ ସାଂପ୍ରଦାୟିକ ବିଦ୍ୱେଷର ଅନେକ କାହାଣୀ ସୃଷ୍ଟି କରିଛନ୍ତି । ବିଭାଜନ ବେଳେ ୪.୫ ନିୟୁତ ହିନ୍ଦୁ ପାକିସ୍ଥାନରୁ ଭାରତ କୁ ଓ ୬.୫ ନିୟୁତ ମୁସଲମାନ (ହିନ୍ଦୁ ଓ ଶିଖ) ଭାରତରୁ ପାକିସ୍ଥାନକୁ ପଳାଇ ଯାଇଥିଲେ । ଭୟଙ୍କର ରକ୍ତପାତରେ ପ୍ରାୟ ୫ଲକ୍ଷ ଲୋକ ନିହତ ହେଲେ । ହଜାର ହଜାର ନାରୀ ଧର୍ଷଣ ର ଶିକାର ହେଲେ ।
୧୯୫୧ ମସିହାରେ ଉଭୟ ଦେଶ ରେ ସଂଖ୍ୟାଲଘୁ ମାନଙ୍କୁ ସୁରକ୍ଷା ପାଇଁ ନେହେରୁ ଓ ପାକିସ୍ଥାନର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାଁଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ମାତ୍ର ଅଳ୍ପ ଦିନ ପରେ ଲିଆକତ ଆତତାୟୀ ଦ୍ୱାରା ନିହତ ହେଲେ । ଉଭୟ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ବାରମ୍ବାର ଯୁଦ୍ଧ ହେଲା ଓ ଫଳରେ ଉଭୟ ଦେଶରେ ସାଂପ୍ରଦାୟିକ ବିଦ୍ୱେଷ ବୃଦ୍ଧି ପାଇଲା । ୧୯୭୧ ବଙ୍ଗଳାଦେଶ ଯୁଦ୍ଧ, ୧୯୯୨ ରେ ବାବରି ମସ୍ଜିଦ ଭଙ୍ଗା, କାଶ୍ମୀରରେ ବାରମ୍ବାର ସାମରିକ ବାହିନି ମୁତୟନ ଓ ୨୦୦୨ ମସିହା ର ଗୁଜୁରାଟ ହିଂସାକାଣ୍ଡ ବେଳେ ପାକିସ୍ଥାନରେ ହିନ୍ଦୁ ମାନେ ଆକ୍ରମଣର ଶିକାର ହେଲେ । ଅନେକ ପୁଣି ଦେଶ ଛାଡି ଭାରତକୁ ପଳାଇ ଆସିଲେ । ଅନେକ ହିନ୍ଦୁ ମନ୍ଦିର ଧ୍ୱଂସ କରାଗଲା, ଅନେକ ହିନ୍ଦୁ କନ୍ୟାଙ୍କୁ ଅପହରଣ କରି ଜବରଦସ୍ତି ମୁସଲମାନଙ୍କ ସହ ବିବାହ କରି ଧର୍ମାନ୍ତକରଣ କରାଗଲା । ଯେଉଁମାନେ ଧର୍ମପରିବର୍ତନ କଲେ ଅନେକ କଟରପନ୍ଥୀ ସଂଗଠନ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଲେ । ବିଭାଜନ ବେଳେ ଥିବା ୪୨୦ ମନ୍ଦିର ମଧ୍ୟରୁ ୪୦୮ ଟିକୁ ଭାଙ୍ଗି ଦିଆଗଲା । ସେମାନଙ୍କର ଜମି ସବୁ ସରକାର ନେଇ ଗଲେ । ଅନେକ ମନ୍ଦିର କୁ ସ୍କୁଲ ବା ଗୋଦାମ ରେ ପରିଣତ କରାଗଲା ।
ପାକିସ୍ଥାନ ରେ ମଧ୍ୟ ହିନ୍ଦୁ ମାନଙ୍କ ପାଇଁ ବେଳେ ବେଳେ ସହାନଭୁତି ମିଳିଥାଏ । ବର୍ତମାନ ପାକିସ୍ଥାନ ରେ ପ୍ରାୟ ଶତକଡା ୧.୮ ହିନ୍ଦୁ ରହୁଛନ୍ତି । ସିନ୍ଧୁ ପ୍ରଦେଶରେ ସର୍ବାଧିକ ପ୍ରାୟ ଶତକଡା ୭.୫ ଅଛନ୍ତି, ଉମରକୋଟ ଅଂଚଳରେ ସେମାନେ ସର୍ବାଧିକ ୪୬ ଶତକଡା ଓ ପଥରପରା ରେ ୨୬ ଶତକଡା ରହିଛନ୍ତି । ତା ତଳକୁ ବେଲୁଚିସ୍ଥାନ ରେ ପାଖାପାଖି ୧ ଭାଗ ହିନ୍ଦୁ ରହିଛନ୍ତି । ହିନ୍ଦୁ ମାନଙ୍କ ସୁୁରକ୍ଷା ପାଇଁ ସେଠା ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି । ସେମାନଙ୍କ ପାଇଁ ହିନ୍ଦୁ ପଂଚାୟତ, ହିନ୍ଦୁ ମଙ୍ଗଳ ସମିତି, ସଂଖ୍ୟାଲଘୁ ସେଲ ଗଢା ହୋଇଛି । ଏକ ସ୍ୱତନ୍ତ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ କରା ହୋଇଛି । ହିନ୍ଦୁ ମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳି ବ୍ୟବସ୍ଥା କରାହୋଇଛି । ଜାତିୟ ଆସେମ୍ବଲିରେ ୧୦ଟି ଓ ପ୍ରାଦେଶିକ ବିଧାନସଭାପାଇଁ ୨୦ଟି ସ୍ଥାନ ହିନ୍ଦୁଙ୍କ ପାଇଁ ସଂରକ୍ଷିତ ଅଛି ।୨୦୦୨ ମସିହାରେ ହିନ୍ଦୁ ମାନେ ଦାବି କରିବାରୁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଉଠିଗଲା । ହିନ୍ଦୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବିବାହ ଆଇନ ପ୍ରଣୟନ ହୋଇଛି । ଧର୍ମାନ୍ତରୀକରଣ, ହିନ୍ଦୁ ମହିଳା ମାନଙ୍କୁ ଅପହରଣ ରୋକିବା ପାଇଁ ଆଇନ ମାନ ହୋଇଛି । ଅନେକ ମନ୍ଦିରର ଉଦ୍ଧାର କରାଯାଇଛି । ହିନ୍ଦୁ ମଙ୍ଗଳ ସମିତି ଦ୍ୱାରା ଅନେକ ବିଦ୍ୟାଳୟ ପ୍ରତିଷ୍ଠା କରା ହୋଇଛି । ଦେଶ ବିଭାଜନ ବେଳେ ପାକିସ୍ଥାନ ରେ ୪୨୮ଟି ହିନ୍ଦୁ ମନ୍ଦିର ଥିଲା । ବିଭାଜନ ବେଳେ ପ୍ରାୟ ୪୨୦ଟି ମନ୍ଦିରକୁ ଧ୍ୱଂସ କରିଦିଆଗଲା, ମନ୍ଦିର ଜମି ସରକାର ନେଇ ଗଲେ, ଅନେକ ମନ୍ଦିରରେ ସ୍କୁଲ କିମ୍ବା ଗୋଦାମ କରାଗଲା । ପରବର୍ତି ସମୟରେ ଅନେକ ମନ୍ଦିର ର ପୁନଃଉଦ୍ଦାର କରାଗଲା । କରାଚିରେ ଇସକନ୍ ପନ୍ଥାର ଏକ ଭବ୍ୟ ମନ୍ଦିର ତିଆରି ହୋଇଅଛି, ସେମାନେ ଭÿଗବତ୍ ଗୀତାର ଅନୁବାଦ କରି ବିତରଣ କରୁଛନ୍ତି, ଏଠାରେ ସ୍ୱାମୀ ନାରାୟଣ ମନ୍ଦିର ଅଛି, ବରୁଣ ଦେବଙ୍କ ର ମନ୍ଦିର ଅଛି, ବେଲୁଚି ପ୍ରଦେଶରେ ପ୍ରସିଦ୍ଧ ମାହିଂଜଲାନି ଙ୍କ ର ମନ୍ଦିର ଅଛି । ଉଭୟ ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରତି ବର୍ଷ ଏହି ଦେବି ଙ୍କ ଦର୍ଶନ ପାଇଁ ଯାଇ ଥାଆନ୍ତି । କରାଚିର କେତେକ ମୁସଲମାନ ପରିବାର ବଂଶ ପରମ୍ପରା କ୍ରମେ ଏହାର ଛଡି ବାହକ କାର୍ଯ୍ୟ କରନ୍ତି । ସିଆଲକୋଟର ଜଗନ୍ନାଥ ମନ୍ଦିର ସରକାରଙ୍କ ଅନୁଦାନରେ ନୂତନ ଭାବେ ତିଆରି ହୋଇଛି । ଅନେକ ଗୁରୁଦ୍ୱାର ମଧ୍ୟ ସୁରକ୍ଷିତ କରାଯାଇଛି । ଅନେକ ହିନ୍ଦୁ ୧୪ ଶତାଦ୍ଦୀର ରାମଦେବ ପିରଙ୍କୁୁୁୁ ପୂଜା କରନ୍ତି, କେତେକ ନାନକ ପନ୍ଥି ବୋଲି ଦାବି କରନ୍ତି, କେତେକ ନିଜକୁ ବାଲ୍ମିକିଙ୍କ ବଂଶଧର ବୋଲି କହିଥାଆନ୍ତି । ଚୁରିଓ ଜାବାଲ ଦୁର୍ଗା ମାତା ମନ୍ଦିର, ନଗରପରକାର ରେ ଶିବରାତ୍ରୀ ଅବସର ରେ ୨ଲକ୍ଷ ଯାତ୍ରୀ ଆସିଥାଆନ୍ତି, ଏଠାରେ ହିନ୍ଦୁ ମାନେ ନିଜ ପରିବାରର ଅସ୍ଥି ବିସର୍ଜନ କରିଥାଆନ୍ତି । ପେଶୱାର ରେ ଶିବ ମନ୍ଦିର ଓ ଗୋରଖନାଥ ମନ୍ଦିର ଅଛି । ଅନେକ ହିନ୍ଦୁ ପାକିସ୍ଥାନରେ ଉଚ୍ଚ ପଦବି ମଧ୍ୟ ପାଇଛନ୍ତି । ଡାନିସ କାନେରିଆ ଓ ଅନିଲ ଦଲପତ ପାକ୍ କ୍ରିକେଟ ଦଳରେ ଥିଲୋରାଣା ଭଗବାନ ଦାସ ପାକିସ୍ଥାନ ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି ହୋଇପାରିଥିଲେ, ରମେଶ କୁମାର ପାକିସ୍ଥାନ ହିନ୍ଦୁ କାଉନସିଲର ପ୍ରତିଷ୍ଠାତା ଥିଲେ । ମହେଶ କୁମାର ମାଲାକାନି ସାଧାରଣ ସ୍ଥାନ ରୁ ଜିତି ନେସନାଲ ଆସେମ୍ବ୍ଲି କୁ ଯାଇଥିଲେ । ସୁମନ ବଦଆନି ଜଣେ ହିନ୍ଦୁ ମହିଳା ହୋଇ ମଧ୍ୟ ଜଜ୍ ହୋଇଥିଲେ ।
ଆମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ବିଜେପି ନେତା ଲାଲ କୃଷ୍ଣ ଆଡଭାନି, ସିନେମା ଜଗତର ରାଜ କପୁର, ଦେବାନନ୍ଦ, ୟାସ ଚୋପ୍ରା, ବଳରାଜ ସାହାନି, ସୁନିଲ ଦତ, ରାଜେନ୍ଦ୍ର କୁମାର, ମନୋଜ କୁମାର, ବିନୋଦ ଖାନ୍ନା, ପ୍ରଥମ କ୍ରିକେଟ କ୍ୟାପ୍ଟେନ ଲାଲା ଅମରନାଥ ପାକିସ୍ଥାନରେ ଜନ୍ମ ହୋଇଥିଲେ ।
ନିକଟରେ ପାକିସ୍ଥାନ ସିମା କଡରେ ଥିବା ଗୁରୁଦ୍ୱାର ଦରବାରା ସାହିବ ଓ ଭାରତରେ ଥିବା କରତାରପୁରର ଡେରାବାବା ନାନକ ଗୁରୁଦ୍ୱାର ଦୁଇଟି ଏକ ୩ ମାଇଲ ଭିସା ବିମୁକ୍ତ କରିଡର ନିର୍ମାଣ କରିଛନ୍ତି, ଭାରତର ଶିଖ ମାନେ ଗୁରୁଙ୍କର ଶେଷ ବିଶ୍ରାମ ସ୍ଥଳିକୁ ଯେପରି ସୁବିଧାରେ ଯାଇ ପାରିବେ ଏହା ଲକ୍ଷ୍ୟ ରଖିଛି । ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତି ଉପଲକ୍ଷେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାଁ ଏହାକୁ ଉଦଘାଟନ କରି କହିଥିଲେ, ପାକିସ୍ଥାନ ତାର ହୃଦୟ ଖୋଲି ଦେଇଛି । ଏହି ଅବସରରେ ଆମ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବର୍ଲିନ ପ୍ରାଚିରର ପତନ ସହ ତୁଳନା କରିଥିଲେ ।
ପଶ୍ଚିମରେ ହିନ୍ଦୁକୁଶ ଓ ପୂର୍ବରେ ପୂର୍ବାଚଳ ମଧ୍ୟରେ ଜମ୍ବୁ ଦ୍ୱୀପ ନାମରେ ପରିଚିତଏହି ବିଶାଳ ଭୂଖଣ୍ଡକୁ ପ୍ରକୃତି ଏକକ ରୂପରେ ଗଢିଅଛି । ସିନ୍ଧୁ ନଦୀ କୂଳରେ ଦିନେ ବୈଦିକ ସଭ୍ୟତା ଆରମ୍ଭ ହୋଇଥିଲା । ଲାହୋର୍ ଓ କସୁର ଯଥାକ୍ରମେ ପ୍ରଭୁ ଶ୍ରୀରାମଙ୍କ ପୁତ୍ର ଲବ ଓ କୁଶଙ୍କର ରାଜ୍ୟ ଥିଲା । ମହାଭାରତର କୁରୁରାଣୀ ଗାନ୍ଧାରୀ ଥିଲେ ଗାନ୍ଧାର ନାମରେ ପରିଚିତ ଏହି ରାଜ୍ୟର ରାଜ କୁମାରୀ । ତକ୍ଷଶିଳା ବା ଆଜିର ଲାହୋର ଥିଲା ସେସମୟର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ । ସିମାର ଉଭୟ ପାଶ୍ୱର୍ରେ କି ହିନ୍ଦୁ କି ମୁସଲମାନ୍ ଅତୀତର ଗୌରବ କଥା ଭାବି ଝୁରି ହେଇଛନ୍ତି । ମାତ୍ର ରାଜନେତା ମାନେ ନିଜର ସ୍ୱାର୍ଥ ପାଇଁ ବିଷର ମଂଜି ବୁଣି ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *