ଜନସଂଖ୍ୟା ବୃଦ୍ଧି ଯୋଗୁ ପ୍ରଦୂଷିତ ହେଉଛି ଜଳ!

ଶରତ କୁମାର ରାଉତ
ସଂପ୍ରତି ସାରା ପୃଥିବୀରେ ଜଳ ସଂକଟ ମୁଖ୍ୟ ସମସ୍ୟା ହୋଲାଣି । ପୃଥିବୀ ପୃଷ୍ଠରେ ପାଣିର ମୋଟ ପରିମାଣ ପ୍ରାୟ ୧୩ ଲକ୍ଷ କୁ୍ୟବିକ୍ କିଲୋମିଟର ଅଟେ । ମୋଟ ପାଣିର ୯୭ ଭାଗ ସମୁଦ୍ର ଲୁଣା ଜଳ ହୋଇଥିବା ବେଳେ ଅବଶିଷ୍ଟ ୩ ଭାଗ ମିଠା ପାଣି ମଧ୍ୟରୁ ୨.୩ ଭାଗ ବରଫ ରୂପେ ରହିଛି । ଭୂମିଗତ ଜଳ, ନଦୀ, ନାଳ, ଝରଣା, ପୋଖରୀ, କୂଅ ଓ ବାୟୁରେ ବାଷ୍ପ ଭାବରେ ରହିଛି ମାତ୍ର ୦.୭ ଶତକଡ଼ା ଜଳ । ଜଳ ସନ୍ତୁଳନର ପ୍ରାକୃତିକ ବ୍ୟବସ୍ଥାନୁସାରେ ସମଗ୍ର ବିଶ୍ୱରେ ୧୦ରୁ ୧୨ ହଜାର ଏମ୍ଏଚ୍ଏସ୍ ପାଣି ବର୍ଷା ଆକାରରେ ଆସିଥାଏ । ଏମ୍ଏଚ୍ଏସ୍ ର ଅର୍ଥ ୧୦ଲକ୍ଷ ହେକ୍ଟର ଭୂମି ଉପରେ ୧ ମିଟର ଗଭୀରର ପାଣି । ଏଥିରୁ ଭାରତକୁ ୪୦ କୋଟି ହେକ୍ଟର ମିଟର ପାଣି ବର୍ଷା ତଥା ହିମପାତ ମାଧ୍ୟମରେ ପ୍ରତିବର୍ଷ ମିଳିଥାଏ । ଏଥିରୁ ୨୩ କୋଟି ହେକ୍ଟର ମିଟର ପାଣି ବାଷ୍ପରେ ପରିଣତ ହୋଇଥାଏ ଓ ୧୭ କୋଟି ହେକ୍ଟର ମିଟର ପାଣି ଭୂଜଳ, ନଦୀ ଓ ସମୁଦ୍ରରେ ମିଶିଥାଏ । ଏହି ହିସାବରେ ଅମେ ନିଶ୍ଚୟ ସୌଭାଗ୍ୟଶାଳୀ ଅଟୁ । ଅନ୍ୟାନ୍ୟ କୃର୍ତ୍ତି୍ରମ ଜଳାଶୟ ଅଲଗା କଥା, ଆମ ଦେଶରେ ପ୍ରାକୃତିକ ଛୋଟ ବଡ଼ ନଦୀ ସଂଖ୍ୟା ୧୦,୨୧୦ । ଆମ ଧର୍ମଗ୍ରନ୍ଥ ମାନଙ୍କରେ ଜଳ ସଂଗ୍ରହ, ଜଳ ସଂରକ୍ଷଣ ଓ ଜଳଦାନର ଗୁରୁତ୍ୱ ସ୍ପଷ୍ଟ ଉଲ୍ଲେଖ ରହିଛି । ଜଳାଶୟ ଖନନ ଓ ବୃକ୍ଷରୋପଣ ଭାରତୀୟ ସଂସ୍କୃତିରେ ଏକ ମହାନ୍ ଧାର୍ମିକ କାର୍ଯ୍ୟ ଭାବରେ ଗ୍ରହଣ କରାଯାଇଥାଏ । ଏସବୁ ବିଶ୍ଲେଷଣ କରାଗଲେ ସ୍ପଷ୍ଟ ହେବ ଯେ, ଜଳ ସଂଗ୍ରହ, ଜଳ ସଂରକ୍ଷଣ ଓ ଜଳଦାନରେ ଆମର ପୂର୍ବ ପୁରୁଷ ମାନେ ବେଶ୍ ସଚେତନ ଥିଲେ ।
କିନ୍ତୁ ବର୍ତ୍ତମାନ ଜଳ ସଂକଟର କାରଣ ସଂପର୍କରେ ସେପରି କିଛି ସମୀକ୍ଷା ହେଉନାହିଁ । ତେବେ ଜଳ ସଂଗ୍ରହ, ସଂରକ୍ଷଣ ଓ ଖର୍ଚ୍ଚ ପ୍ରତି ଆମର ଦାୟିତ୍ୱହୀନତା ହିଁ ଜଳ ସଂକଟର ମୂଳ କାରଣ ଅଟେ । ଏକ ବୈଜ୍ଞାନିକ ହିସାବ ଅନୁସାରେ ୧୯୦୦ ମସିହାରୁ୧୯୯୫ ମଧ୍ୟରେ ଆମର ପାଣି ବ୍ୟବହାରରେ ୭ ଗୁଣ ବୃଦ୍ଧି ପାଇଥିବାବେଳେ ଏହି ସମୟରେ ଜନସଂଖ୍ୟା(ବିଶ୍ୱ) ମାତ୍ର ୨ଗୁଣ ବଢିଥିଲା । ଆନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ମାନଙ୍କ ସର୍ବେକ୍ଷଣ ଅନୁଯାୟୀ ସମଗ୍ର ବିଶ୍ୱରେ ନଦୀ କୂଳବର୍ତ୍ତୀ ଅଂଚଳରେ ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ବଢିଛି ଓ ପାନୀୟ ଜଳ ସଂକଟ ଚରମ ସୀମାରେ ପହଂଚିଛି । ଗଙ୍ଗା ନଦୀ ତଟ୍ଟରେ ୧୦୦ ଏବଂ ଏହାର ଆଖପାଖରେ ୬୯୨ ଟି ସହର ଓ ବସ୍ତୀ ରହିଛି । ବେସରକାରୀ ହିସାବ ଅନୁସାରେ କେବଳ ବନାରସ ସହର ପ୍ରତିବର୍ଷ ଗଙ୍ଗା ମାତାକୁ ପ୍ରାୟ ୧୦ ହଜାର ପଶୁ ଓ ମଣିଷ ଶବ ଅର୍ପଣ କରୁଛି । କିଛିବର୍ଷ ତଳେ କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ର ଏକ ରିପୋର୍ଟ ଅନୁଯାୟୀ ମହାନ୍ ତୀର୍ଥ ଧାମ ହରିଦ୍ୱାରରୁ ଗଙ୍ଗାକୁ ପ୍ରତିଦିନ ପ୍ରାୟ ୨ କୋଟି ଲିଟର ମଳଯୁକ୍ତ ପାଣି ମିଳୁଛି । କାନପୁରର ଶିଳ୍ପ କାରଖାନା ଗଙ୍ଗା ଉପରେ ଯେପରି ଅତ୍ୟାଚାର କରୁଛି, ତାହା ଅତି ହୃଦୟ ବିଦାରକ । ଏହି ଅବସ୍ଥା ଯମୁନା ଓ ଅନ୍ୟାନ୍ୟ ଧାର୍ମିକ ନଦୀ ମାନଙ୍କର ମଧ୍ୟ ରହିଛି । ସବୁ ଦୃଷ୍ଟିରୁ ବିଚାର କଲେ, ଏହି ଅବସ୍ଥା ଅତ୍ୟନ୍ତ ଦୁଃଖଦ, ଭୟାବହ, ଲଜ୍ଜାଜନକ ଓ ସ୍ପର୍ଶକାତର ଅଟେ । ଆମ ଦେଶରେ ମୋଟ ୫,୬୬,୮୭୮ ଟି ଗ୍ରାମ ରହିଛି ଓ ପ୍ରାୟ ୮୫ ଶତକଡ଼ା ଲୋକେ ଜଳ ପାଇଁ କୂଅ, ଝରଣା, ପୋଖରୀ ଓ ନଦୀ ଉପରେ ନିର୍ଭର କରନ୍ତି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏବେ ପ୍ରାୟ ୨ ଲକ୍ଷ ଗ୍ରାମ ପାନୀୟ ଜଳରୁ ବଂଚିତ ଅଛନ୍ତି । ସଂପୃକ୍ତ ବାସିନ୍ଦା ୫ରୁ ୧୦ କିଲୋମିଟର ଦୂରରୁ ପାଣି ଆଣି ଜୀବନ ବିତାଉଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ୩୫ ଶତକଡ଼ା ଲୋକଙ୍କୁ ବିଶୁଦ୍ଧ ଜଳ ମିଳି ପାରୁଥିବାବେଳେ ୬୫ ଭାଗ ଲୋକେ ଏଥିରୁ ବଂଚିତ । ଆମେ ନିଜେ କେତେକ ଜଳ ଉତ୍ସକୁ ନିଜ ହାତରେ ନଷ୍ଟ କରୁଥିବା ଏହାର ଏକ ମୁଖ୍ୟ କାରଣ । ଗାଁ ମାନଙ୍କରେ ଅଧିକାଂଶ କୂଅ, ପୋଖରୀ ଅପରିସ୍କାର ରହିଛି । ଗଣତନ୍ତ୍ରର ଭାବନାକୁ ନବୁଝି ଆମେ ଏସବୁର ଦାୟିତ୍ୱ ନିଜ କାନ୍ଧରୁ ଉତାରି ସରକାରର ଅଜଣା କାନ୍ଧ ଉପରେ ରଖି ଦେଇଛୁ । ଜଳ ସମସ୍ୟା ପ୍ରସଙ୍ଗରେ ଜଡ଼ ପାଲଟିଥିବା ଆମେ ଭାରତୀୟ ଭୁଲି ଯାଇଛୁ ଯେ, “ଜଙ୍ଗଲ ଅଛି ତ ଜଳ ଅଛି”ର ବୈଜ୍ଞାନିକ ତଥ୍ୟ । ହେଲେ ଭାରତରେ କ୍ରମେ ଜଙ୍ଗଲ ପରିମାଣ ୯ ଶତକଡ଼ାକୁ ଖସି ଆସିଛି । ୧୯୮୨ରୁ ୧୯୮୯ ମଧ୍ୟରେ ୧କୋଟି ୧୦ ଲକ୍ଷ ହେକ୍ଟର ଜଙ୍ଗଲ ନଷ୍ଟ କରି ଦିଆଯାଇଥିଲା । ୧୯୯୦ ରୁ ୨୦୦୦ ମଧ୍ୟରେ ପ୍ରାୟ ୨ କୋଟି ହେକ୍ଟର ଜଙ୍ଗଲ ଧ୍ୱଂସ ପାଇଥିଲା ।
ତେବେ ନିକଟ ଭବିଷ୍ୟତରେ ଭାରତରେ ଉକ୍ରଟ ଜଳ ସଂକଟ ସୃଷ୍ଟି ହେବାର ଆଶଙ୍କା ରହିଥିଲେ ହେଁ ଆମର ନିରବତା ବିସ୍ମୟର କଥା । ୱାଶିଂଟନ୍ ସ୍ଥିତ ୱାର୍ଲ୍ଡ଼ ୱାଟର ଉପାଧ୍ୟକ୍ଷ ସୁଶ୍ରୀ ସାନ୍ଦ୍ରା ପୋଷ୍ଟେଲ୍ ଭାରତରେ ଜଳ ସଂକଟର ଭବିଷ୍ୟବାଣୀ ୧୯୮୯ ରେ କରିଥିଲେ । ଏଥିପାଇଁ ସେ ଜଙ୍ଗଲ ଧ୍ୱଂସକୁ ମୁଖ୍ୟ କାରଣ ବୋଲି କହିଥିଲେ । ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପର୍ଯ୍ୟାପ୍ତ ବର୍ଷା ପାଇଁ ଏକ-ତୃତୀୟାଂଶ ଭାଗ ଜଙ୍ଗଲର ଆବଶ୍ୟକତା ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆମ ଦେଶର ପ୍ରାୟ ୭୫ ଶତକଡ଼ା ପାଣି ପ୍ରଦୂଷିତ ହୋଇ ଯାଇଛି । ଆନ୍ତର୍ଜାତୀୟ ପରିବେଶ ଅନୁସଂଧାନ ସଂସ୍ଥାର ମୁଖ୍ୟ ଡ଼େଭିଡ଼୍ ନେଲସନ୍ କିଛିବର୍ଷ ତଳେ ଭାରତରେ ଜଳ ପ୍ରଦୂଷଣର ଭୟାବହତା ସଂପର୍କରେ ଉଲ୍ଲେଖ କରି ତୁରନ୍ତ ଏହାର ନିୟନ୍ତ୍ରଣ ଅପରିହାର୍ଯ୍ୟ ବୋଲି କହିଥିଲେ । ଆମର ଶାସ୍ତ୍ର ଅନୁଯାୟୀ ଜଳଭଣ୍ଡାରକୁ ଭଗବାନ ବରୁଣଙ୍କ ବାସସ୍ଥାନ ଗ୍ରହଣ କରାଯାଇ ଏଥିରେ କୌଣସି ବର୍ଯ୍ୟବସ୍ତୁ ଫିଙ୍ଗା ଯିବା ପାପ ବୋଲି ଧରାଯାଏ ।
ସାଧାରଣତଃ ଆମେ ଅଶୌଚ ଥିଲେ, ଗଙ୍ଗା-ଯମୁନା ଭଳି ନଦୀରେ ଗାଧୋଇ ପବିତ୍ର ହେବାର ପରମ୍ପରା ରହିଛି । କିନ୍ତୁ ଆଜି ଏହି ନଦୀ ଗୁଡ଼ିକୁ ଅଳିଆ-ଆବର୍ଜ୍ଜନା ମୟ ସରକାରୀ ଗାଡ଼ି ଭଳି ମନେ କରୁଛନ୍ତି । ଯଦିଓ ଜାତୀୟ ବିକାଶ ପାଇଁ ଶିଳ୍ପ କାରଖାନାର ପ୍ରସାର ଅପରିହାର୍ଯ୍ୟ, ତଥାପି ଏହାର ଅର୍ଥ ନୁହେଁ ଯେ ଏଥିପାଇଁ ମଣିଷ ସମାଜକୁ ଧ୍ୱଂସ ମୁଖକୁ ଠେଲି ଦେବା । ଜଳ ପ୍ରଦୂଷଣରେ ଶିଳ୍ପସଂସ୍ଥାର ଭୂମିକା ପ୍ରାୟ ୪୦ ରୁ ୫୦ ଶତକଡ଼ା ରହିଥିବା ସ୍ପଷ୍ଟ । ୧ଟନ୍ କାଗଜ ଓ ୧ଟନ୍ ଇଷ୍ପାତ୍ତ ତିଆରି ପାଇଁ ଯଥାକ୍ରମେ ଅଢେଇଲକ୍ଷ ଲିଟର ପାଣି ବ୍ୟୟ ହୋଇଥାଏ । ଏହି ହିସାବରେ ଅନ୍ୟାନ୍ୟ ବସ୍ତୁ ତିଆରିରେ ବହୁ ଅଧିକ ପାଣି ବ୍ୟୟ ହୁଏ ।
ବିକଶିତ ଦେଶର ବିଶେଷଜ୍ଞ ମାନେ ପାଣିର ଆବଶ୍ୟକତା ହ୍ରାସ କରାଇ ଉତ୍ପାଦନ ବୃଦ୍ଧି କରୁଥିବା ଦେଖା ଯାଉଛି । ଅନ୍ୟାନ୍ୟ ଦେଶର ଲୋକେ ମଧ୍ୟ ଏ ସଂପର୍କରେ ସଚେତନ ହୋଇ ଜଳ ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ କରୁଛନ୍ତି । ଇସ୍ରାଏଲ୍ ଭଳି ଜଳ ଅଭାବଗ୍ରସ୍ତ ଦେଶ ଦୂଷିତ ଜଳର ୭୫ ଭାଗ ପୁନଃ ଉପଯୋଗ କରାଇବାରେ ସକ୍ଷମÿ ହୋଇଛି । ଅତଏବ ଆମେ ମଧ୍ୟ ଦୂଷିତ ଜଳକୁ ପୁନଃ ଉପଯୋଗ କରାଇବା ଦିଗରେ ଚିନ୍ତା କରିବା ଉଚିତ । ଯଦି ଆମେ ବର୍ତ୍ତମାନର ଅବସ୍ଥାକୁ ଆଖି ବୁଜିଦେବା, ତେବେ ଏହାର ଶାସ୍ତି ନିଜକୁ ହିଁ ଭୋଗିବାକୁ ପଡ଼ିବ, ଏଥିରେ ସନେ୍ଦହ ନାହିଁ ।

Leave a Reply

Your email address will not be published. Required fields are marked *