ସ୍ୱାସ୍ଥ୍ୟ ମିଶନ୍ ଓ ଓଡ଼ିଶା ସ୍ୱାସ୍ଥ୍ୟ ପ୍ରଶାସନ

ଶରତ କୁମାର ରାଉତ
ଓଡ଼ିଶାରେ ବର୍ଷତମାମ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଶିଶୁ ଓ ମାତୃ ମୃତୁ୍ୟହାର ସେମିତି କିଛି ହ୍ରାସ ପାଇନାହିଁ । କେବିକେ ଅଂଚଳରେ ପ୍ରତି ମୁହୂର୍ତରେ ସ୍ୱାସ୍ଥ୍ୟସେବା ଜନିତ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି । ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟରେ ଯୋଜନାର ଅଭାବ ନଥିବା ବେଳେ ସରକାରୀ ସ୍ତରରେ ପ୍ରତିଦିନ ନୂଆ ନୂଆ ନିଷ୍ପତି ଓ ପଦକ୍ଷେପ ଆଦି ଘୋଷଣା କରାଯାଉଛି । କେନ୍ଦ୍ର ସରକାର ସାରା ଦେଶରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ “ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ” ୨୦୦୫ ମସିହା ଏପ୍ରିଲ ୧୨ ତାରିଖରେ କାର୍ଯ୍ୟକାରୀ କରିଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ବ୍ୟାପକ ସମୀକ୍ଷା କରାଯାଇ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମିସନ୍ରେ ବିଭିନ୍ନ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଥିଲା । ସେଥି ମଧ୍ୟରେ ଜନନୀ ଶିଶୁ ସୁରକ୍ଷା ଯୋଜନା, ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ-୨, ଟୀକାକରଣ, ଆଶା, ଖୋଲାପାଣ୍ଠି, ଜାତୀୟ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ରୋଗୀ କଲ୍ୟାଣ ସମିତି, ଗାଁ କଲ୍ୟାଣ ସମିତି, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା, ଆଦିବାସୀ ସ୍ୱାସ୍ଥ୍ୟ, ଭାରତୀୟ ଜନସ୍ୱାସ୍ଥ୍ୟ ମାନକ, ସ୍ୱାସ୍ଥ୍ୟାନୁଷ୍ଠାନ ନିର୍ମାଣ ଓ ନବୀକରଣ, ଆୟୂଷ, ଜନନୀ ଏକ୍ସପ୍ରେସ, ଏନ୍ଜିଓ ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ପରିଚାଳନା, ଅଧିକ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଓ ତାଲିମ, ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଣ ଆଦି ଉଲ୍ଲେଖଯୋଗ୍ୟ ।
ଜନନୀ ଶିଶୁ ସୁରକ୍ଷା ଯୋଜନା ସବୁଠୁ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଥିରେ ମୁଖ୍ୟତଃ ମେଡ଼ିକାଲରେ ପ୍ରସବ କରାଇବା ଲାଗି ଆର୍ଥିକ ସହାୟତା ଦିଆଯାଉଛି । ବର୍ତମାନ ସୁଦ୍ଧା ଏହି ଯୋଜନାରେ ପାଖାପାଖି ୪୫ ଲକ୍ଷ ଗର୍ଭବତୀ ମା’ ଉପକୃତ ହୋଇଛନ୍ତି । ତଥାପି ରାଜ୍ୟର ଦୁର୍ଗମ ଅଂଚଳ ଗୁଡ଼ିକରେ ଜନନୀ ଏକ୍ସପ୍ରେସ ବ୍ୟବସ୍ଥାର ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ଆମ ଦେଶରେ ଶିଶୁ ମୃତୁ୍ୟହାର ୩୪ ଥିବାବେଳେ ଓଡ଼ିଶାରେ ୪୪ ରହିଥିବା କୁହାଯାଉଛି । ସେହିପରି ମିସନ୍ କାର୍ଯ୍ୟକ୍ଷମ ହେବାର ୧୫ ବର୍ଷ ପରେ ମଧ୍ୟ ମାତୃ ମୃତୁ୍ୟହାରରେ ସେମିତି କିଛି ହ୍ରାସ ପାଇ ନାହିଁ । ଜାତୀୟ ସ୍ତରରେ ଏହି ହାର ୧୬୫ ଥିବାବେଳେ ଓଡ଼ିଶାରେ ୧୮୦ ରହିଛି । ଅସଚେତନ ପରିବାରର ଲୋକେ ଆଜି ମଧ୍ୟ ନିଜ ଘରେ ପ୍ରସବ କରାଉଛନ୍ତି । ଏହାର କାରଣ କଥିତ ଅସଚେତନତା ନୁହେଁ, ବରଂ ସରକାରୀ ବ୍ୟବସ୍ଥାର ତୃଟି । ଆଶା ମାନଙ୍କର କାର୍ଯ୍ୟ ଓ ଜନନୀ ଏକ୍ସପ୍ରେସ୍ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ନିୟମିତ ସମୀକ୍ଷା ହେବା ଉଚିତ । ସାପ୍ତାହିକ ପ୍ରତିଷେଧକ ଟୀକାଦାନ କେନ୍ଦ୍ରକୁ ମା’ ଓ ଶିଶୁ ମାନଙ୍କୁ ଡ଼କାଇ ଆଣିବା, ପ୍ରସବିନୀ ମା’ଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ପହଂଚାଇବା ଓ ଶିଶୁ ତଥା ମା’ ସ୍ୱାସ୍ଥ୍ୟ ନେଇ ଏଏନ୍ଏମ୍ କିମ୍ବା ନିକଟସ୍ଥ ଡ଼ାକ୍ତରଖାନାକୁ ଖବର ଦେବା ଆଶା ମାନଙ୍କର ପ୍ରମୁଖ କାର୍ଯ୍ୟ ।
ଜାତୀୟ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ମ୍ୟାଲେରିଆ, ଫାଇଲେରିଆ, କୁଷ୍ଠ, ଯକ୍ଷ୍ମା, ଡ଼େଙ୍ଗୁ, ଚିକେନଗୁନିଆ, ଅନ୍ଧତ୍ୱ, ସ୍ୱାଇଁନ୍ ଫ୍ଲୁ ଭଳି ମାରାତ୍ମକ ରୋଗ ଚିହ୍ନଟ କରାଯାଇ ନିୟନ୍ତ୍ରଣ କରାଇବାରେ ମିସନ୍ କାର୍ଯ୍ୟରେ କୌଣସି ନୂତନତ୍ୱ ନାହିଁ । ଆୟୂଷ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋମିଓପାଥୀ, ଆର୍ୟୁବେଦ, ଯୋଗ, ୟୁନାନୀ, ସିଦ୍ଧ ଓ ନେଚରପାଥୀ ଚିକିସôା ସେବାର ଉନ୍ନତି କରାଇବା ମିସନ୍ର ମୂଳ ଲକ୍ଷ୍ୟ । ମିସନ୍ ଦ୍ୱାରା ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ େକେନ୍ଦ୍ରରେ ହୋମିଓ ଏବଂ ଆୟୁର୍ବେଦ ଡ଼ାକ୍ତର ନିଯୁକ୍ତି ଦିଆ ଯାଉଛି । ଅନ୍ୟପକ୍ଷରେ ହୋମିଓ ଏବଂ ଆୟୁର୍ବେଦ ଚିକିସôାଳୟ ଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ହୋଇ ପାରିନାହିଁ ଏବଂ ଏହି ଚିକିସôାଳୟ ଗୁଡ଼ିକ ଆଜି ମଧ୍ୟ ଚାଳଛପର କିମ୍ବା ଝୁମ୍ପୁଡ଼ି ଘରେ କାର୍ଯ୍ୟ କରୁଛି । ସେହିପରି ସ୍ୱାସ୍ଥ୍ୟାନୁଷ୍ଠାନର ନିର୍ମାଣ ଓ ନବୀକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାନଯାଇ ଏହାର ଦାୟିତ୍ୱ ନିର୍ମାଣ ବିଭାଗ ଉପରେ ଲଦି ଦେଇ ମିଶନ୍ ନିଜର ଦାୟିତ୍ୱ ଶେଷ କରୁଛି । ଗାଁର ପରିବେଶ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କାର୍ଯ୍ୟକାରୀ ଗାଁ କଲ୍ୟାଣ ସମିତିର ଲକ୍ଷ୍ୟ ବିଫଳ ହୋଇଛି । ରାଜ୍ୟରେ ୪୭,୫୨୮ ଟି ଗାଁ କଲ୍ୟାଣ ସମିତି ଗଠନର ଧାର୍ଯ୍ୟଲକ୍ଷ୍ୟ ରଖାଯାଇଥିଲେ ହେଁ ବର୍ତମାନ ସୁଦ୍ଧା ପ୍ରାୟ ୪୨ହଜାର ଗଠିତ ହୋଇଛି ଓ ଏଥିମଧ୍ୟରୁ ଅଧିକାଂଶ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଏବାବଦରେ କେନ୍ଦ୍ରରୁ ପ୍ରତିବର୍ଷ ଆସୁଥିବା ଶହଶହ କୋଟି ଟଙ୍କା ଫେରି ଯାଉଛି । ଖୋଲା ପାଣ୍ଠି ବ୍ୟବସ୍ଥା ମିସନ୍ର ଅନ୍ୟଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ ତାହା ବିଫଳ ହୋଇଥିବା କୁହାଯାଇ ପାରେ । ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଏହି ଖୋଲାପାଣ୍ଠି ଅର୍ଥର ପ୍ରାୟ ୪୦ ଭାଗ ଖର୍ଚ୍ଚ ହୋଇ ନପାରି କେନ୍ଦ୍ରକୁ ଫେରିଯାଉଛି । ମିସନ୍ ଅନ୍ତର୍ଗତ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ-୨ ଏକ ପ୍ରଶଂସନୀୟ ପଦକ୍ଷେପ । ଆଦିବାସୀ ଅଂଚଳ ସମେତ ଅନ୍ୟାନ୍ୟ ଅଂଚଳରେ ଆୟୋଜିତ ସ୍ୱାସ୍ଥ୍ୟମେଳାରେ ବର୍ତମାନ ସୁଦ୍ଧା ପ୍ରାୟ ୧ଲକ୍ଷ ଶିଶୁ ଉପକୃତ ହୋଇଥିବା ବେଳେ ଶିଶୁମୃତୁ୍ୟହାର ୫୪ (ସରକାରୀ ରିପୋର୍ଟ ୪୦)କୁ ହ୍ରାସ ପାଇଛି । ଅବଶ୍ୟ ରାଜ୍ୟରେ ଟୀକାକରଣ ୧୦୦ ଶତକଡ଼ାକୁ ଛୁଇଁଛି । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଏହା ସମ୍ଭବ ହୋଇ ପାରିଛି । ରାଜ୍ୟରେ ୩୧୪ଟି ବ୍ଲଡ଼ ଷ୍ଟୋରେଜ୍ ୟୁନିଟ, ୫୮ଟି ଉପଜିଲ୍ଲା ଓ ୩୦ଟି ଜିଲ୍ଲା ଚିକିସôାଳୟରେ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମିସନ୍ ଲକ୍ଷ୍ୟ ରଖିଥିଲେ ହେଁ ଏଥିରେ ସଫଳ ହୋଇ ପାରିନାହିଁ । ସରକାରୀ ସ୍ୱାସ୍ଥ୍ୟସେବାରୁ ବଂଚିତ ଦୁର୍ଗମ ଅଂଚଳରେ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ରହିଛି । ମାତ୍ର ଏଥିପାଇଁ ଆବଶ୍ୟକ ଉପକରଣ, ଔଷଧପତ୍ର ଓ ଡ଼ାକ୍ତର-କର୍ମଚାରୀଙ୍କ ଅଭାବ ରହିଥିବାରୁ ଏହି ବ୍ୟବସ୍ଥା ବିଫଳ ହୋଇଛି । ଜନସ୍ୱାସ୍ଥ୍ୟ ମାନକ କହିଲେ, ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବିକଶିତ କରିବା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭେଷଜ, ଶଲ୍ୟ, ଶିଶୁ ଓ ସ୍ତ୍ରୀରୋଗ ବିଶେଷଜ୍ଞମାନଙ୍କ ସେବା ଉପଲବ୍ଧି କରାଯିବା ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ଓଟି ଏବଂ ଉନ୍ନତ ମାନର ଚିକିସôା ଉପକରଣ ଯୋଗାଇ ଦିଆଯିବା ମିସନ୍ର ଲକ୍ଷ୍ୟ ଥିଲା । ମାତ୍ର ଏହା କାଗଜପତ୍ରରେ ସୀମିତ ରହିଯାଇଛି ।
ତେବେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଅବସ୍ଥା ଚିନ୍ତାଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି । ବାସ୍ତବରେ ଏ ସଂପର୍କରେ ବ୍ୟାପକ ସମୀକ୍ଷା ହେବା ଦରକାର । ସ୍ୱାସ୍ଥ୍ୟ ମିସନ୍ ହେଉଛି କେନ୍ଦ୍ର ସରକାରଙ୍କର ଯୋଜନା, ଯାହା ଦେଶର ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ମିସନ୍ ନିଦେ୍ର୍ଦଶକ ପଦରେ ଜଣେ ଆଇଏଏସ୍ ଅଧିକାରୀଙ୍କ ସମେତ ଅନ୍ୟ ୨ଜଣ ବରିଷ୍ଠ ଅଧିକାରୀ ନିଯୁକ୍ତି ପାଉଥିବା ବେଳେ ମିସନ୍ ରାଜ୍ୟ କାର୍ଯ୍ୟାଳୟ, ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅସ୍ଥାୟୀ କର୍ମଚାରୀ ମାନେ ନିଯୁକ୍ତି ପାଉଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ସ୍ୱାସ୍ଥ୍ୟ ମିସନ୍ ସହିତ ରାଜ୍ୟ ସରକାରଙ୍କର ନିଜସ୍ୱ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ସତ୍ୱେ ରାଜ୍ୟରେ କାହିଁକି ସ୍ୱାସ୍ଥ୍ୟସେବାର ଉନ୍ନତି ହେଉନାହିଁ, ସେ ବାବଦରେ ବ୍ୟାପକ ସମୀକ୍ଷା ହେବା ଆବଶ୍ୟକ । ମିସନ୍ କାର୍ଯ୍ୟକାରୀ ହେବା ପର ଠାରୁ ରାଜ୍ୟ ସରକାର ଏକ ପ୍ରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଦାୟିତ୍ୱ ମିସନ୍ ହାତରେ ଟେକି ଦେଇଥିବା ଦେଖା ଯାଉଛି । ଅର୍ଥାତ୍ ସ୍ୱାସ୍ଥ୍ୟସେବାର ଦାୟିତ୍ୱ ସ୍ୱାସ୍ଥ୍ୟକର୍ମଚାରୀଙ୍କ ହାତରୁ ଚିକିତ୍ସା ବିଷୟରେ କିଛି ଜାଣି ନଥିବା ଅଫିସର୍ ଓ ଅସ୍ଥାୟୀ-ଅନଭିଜ୍ଞ କର୍ମଚାରୀ ମାନଙ୍କ ହାତକୁ ଚାଲି ଯାଇଥିବା କୁହାଯାଉଛି । ଏବେ ସ୍ୱାସ୍ଥ୍ୟସେବାର ଉନ୍ନତି ଅର୍ଥ ଚିକ୍ ଚିକ୍ ଡ଼ାକ୍ତରଖାନା ଘର, ରଙ୍ଗ ବେରଙ୍ଗ ହୋଡ଼ିଂ, ସୌଖିନ ଗାଡ଼ି ଓ ମାର୍ବଲ ଚଟାଣକୁ ବୁଝାଉଛି । ପ୍ରତିବର୍ଷ ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ସିଏଜି ରିପୋର୍ଟରେ ମଧ୍ୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ଥାଣୁ ପାଲଟିଥିବା କୁହା ଯାଇ ଆସୁଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣରେ ସ୍ୱାସ୍ଥ୍ୟ ମିସନ୍ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମିସନ୍ ସେମିତି କିଛି ତତ୍ପରତା ଦେଖାଇ ନଥିବା ରିପୋର୍ଟରେ କୁହାଯାଉଛି । ଏହା ହିଁ ଆମ ପାଇଁ ଦୁର୍ଭାଗ୍ୟ!

Leave a Reply

Your email address will not be published. Required fields are marked *