କରୋନା ଗୁଜବ ବିରୁଦ୍ଧରେ ସଂଗ୍ରାମ ଆବଶ୍ୟକ

ଡାକ୍ତର ସୁରେନ୍ଦ୍ର ନାଥ ଦାଶ

The India is not only a land of snake charmers, naked mendicants, wild tigers, ladies throwing themselves to fire, but also of wild gossip, where wild, baseless rumour travels faster than sound.
କରୋନା-୧୯/୨୦ ଭାଇରସ ରୋଗ ଯେତିକି ବ୍ୟାପୁଛି ଘୁରି ବୁଲୁଥିବା ଗୁଜବ ଲୋକମାନଙ୍କୁ ସେତିକି ବିଭ୍ରାନ୍ତ କରିବାରେ ଲାଗିଛି । ଗୁଜବ କରୋନା ରୂପି ରାକ୍ଷସ ହାତରେ ଶ୍ରେଷ୍ଠ ଅସ୍ତ୍ର ପାଲଟିଛି । ଦଳେ ଲୋକ ସବୁବେଳେ ଗୁଜବ ସୃଷ୍ଟି କରି ଆନନ୍ଦ ପାଆନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଲୋକମାନେ ଏହି ମିଥ୍ୟାକୁ ସହଜରେ ଗ୍ରହଣ କରିନିଅନ୍ତି । ଯୁଗେ ଯୁଗେ ଏହା ଘଟିଛି । ଦ୍ୱାପର ଯୁଗରେ କୃଷ୍ଣ ଯେତେବେଳେ ନିଜ ବଂଶ ଧ୍ୱଂସ କରିବାକୁ ଚାହିଁଲେ, ସେ ପ୍ରଚାର କଲେ ଯେ ଦ୍ୱାରିକାକୁ କୋକୁଆ ଆସିଛି । ବାସ, ଗୁଜବ ତା କାମ ଆରମ୍ଭ କରିଦେଲା । ବିଭିନ୍ନ ଲୋକ କୋକୁଆର ରୋମାଂଚକର ବର୍ଣ୍ଣନା ଦେଲେ, ତାର ଶହେଟା ମୁଣ୍ଡ, ସେ ତାଳ ଗଛ ସମାନ ଉଚ୍ଚ, ମଣିଷକୁ ଚୋବାଇ ଖାଇ ଦିଏ । ନ ଦେଖିଲେ ମଧ୍ୟ ଲୋକେ ଦେଖିଛୁ ବୋଲି କହିଲେ । ବଂଶଧର ଲୋକମାନେ ଏତେ ଭୟଭିତ ହୋଇଗଲେ ଯେ, କୃଷ୍ଣ ସେମାନଙ୍କୁ ଦ୍ୱାରିକା ଛାଡି ପ୍ରଭାସ କ୍ଷେତ୍ରକୁ ନେଇଗଲେ । ସନେ୍ଦହ, ଅବିଶ୍ୱାସ ଓ ଗୁଜବର ନିଆଁରେ ସାରା ଯଦୁ ବଂଶ ଧ୍ୱଂସ ହେଲେ ।
ପାଠ ପଢିଲା ବେଳେ ଥରେ ଗୁଜବ ହେଲା ଯେ, ନନ୍ଦନ କାନନରେ ଥିବା ସିଂହ ମୁହଁରେ ଗୋଟାଏ ମୃତ୍ୟୁଦଣ୍ଡ ପାଇଥିବା କଏଦୀକୁ ପକାଯିବ । ସତମିଛ ନବୁଝି ହଜାର ହଜାର ଲୋକେ ଏହା ଦେଖିବାକୁ ନନ୍ଦନ କାନନରେ ପହଂଚିଗଲେ ।
ଭାରତରେ ଯେତେ ସାଂପ୍ରଦାୟିକ ହିଂସାକାଣ୍ଡ ହୁଏ, ସବୁର ମୂଳ କାରଣ ଗୁଜବ । ଅମକ ଯାଗାରେ ମନ୍ଦିରରେ ଗୋଟା ଗାଈ ମାରି ଫିଙ୍ଗି ଦେଇଛନ୍ତି, ଅମକ ମସଜିଦ ଆଗରେ ଘୁଷୁରି ମାରି କିଏ ରଖି ଦେଇଛି । ହିନ୍ଦୁ ଝିଅକୁ ମୁସଲମାନ ମାନେ ଉଠାଇ ନେଇଗଲେ । ବାସ, ଚାହୁଁ ଚାହୁଁ ହିଂସାର ଲେଲିହାନ ଶିଖା ଜଳି ଉଠେ, ଲୋକମାନେ ସତମିଛ ନବୁଝି ଖଣ୍ଡା କାତି ଧରି ରାସ୍ତାକୁ ବାହାରି ଆସନ୍ତି । ଘରଦ୍ୱାରରେ ନିଆଁ ଲଗାଇ ଦିଆଯାଏ । ମୁଣ୍ଡ ପରେ ମୁଣ୍ଡ ଗଡେ । ସତ କଣ ତାହା ଜଣା ପଡିଲା ବେଳକୁ ସବୁ ସରିଯାଇଥାଏ ।
ପିଲା ଦିନେ ପ୍ରଳୟ ହୋଇଯିବ ବୋଲି ଥରେ ପ୍ରଚାର ହେଲା । ବଡବଡ ଜ୍ୟୋତିଷ ମାନେ ଦିନ ବି କହିଦେଲେ । ଗାଁ ର ପୁରୁଖା ଲୋକମାନେ ଅଚ୍ୟୁତାନନ୍ଦଙ୍କ ମାଳିକାରେ ସେଦିନ ତାରିଖ ଲେଖା ଆଗରୁ ହୋଇଛି ବୋଲି ଘୋଷଣା କଲେ । ଦୁଇ ଦିନ ଆଗରୁ ଲୋକମାନେ ମନ୍ଦିର ମାନଙ୍କରେ ବସି ନାମ କିର୍ତନ କଲେ, ଶିବ ମନ୍ଦିର ମାନଙ୍କରେ ଅଭିଷେକ ହେଲା ମୃତୁ୍ୟଞ୍ଜୟ ମନ୍ତ୍ର ପାଠ କରାଗଲା । ସରକାର ସ୍କୁଲ, ଅଫିସ ସବୁ ଛୁଟି କରିଦେଲେ । ସମୁଦ୍ର ଲହଡି ମାଡି ଆସି ବଡଦେଉଳକୁ ବୁଡାଇ ଦେବ, ଆମ ଗାଁ ପାଖ ନଈରେ ସୁନା ଜାହାଜ ଭାସିବ । ଛତିଆ ବଟ ଠାରେ କଳକି ମହାପ୍ରଭୁ କଳା ଘୋଡା ଚଢି ବାରହାତ ଖଣ୍ଡା ଧରି ହାଣିବା ଆରମ୍ଭ କଲେଣି, କାଲି ରାତିରେ ଭୈରବି ରଡି ଦେବାର ଲୋକେ ଶୁଣୁଛନ୍ତି । ଗ୍ରାମଦେବୀଙ୍କ ଆଖିରୁ ଲୁହ ବହୁଛି । ଅମକ ଗାଁରେ ଗାଈଟା ଦୁଇ ମୁଣ୍ଡିଆ ମଣିଷ ପିଲାଜନ୍ମ ଦେଇଛି । ପହ୍ନାରୁ ରକ୍ତ ବାହାରୁଛି । ଏହି ଗୁଜବ ଭିତରେ ପ୍ରଳୟ ଦିନ ଆସିଲା, ସକାଳ ହେଲା । ସଂଜ ମଧ୍ୟ ହେଲା । କୌଣସି ବିଲକ୍ଷଣ ହେଲା ନାହିଁ । ଲୋକ ମାନେ ଆଶ୍ୱସ୍ତ ହେଲେ । ଯେଉଁ ଜ୍ୟୋତିଷ ମାନେ ଘୋଷଣା କରିଥିଲେ ସେମାନେ ଲାଜରେ ଲୁଚିଲେ । ଗଣେଷ କ୍ଷିର ପିଇ ଯାଉଛନ୍ତି, ଏହି ଗୁଜବ ଦିନେ ସାରାଭାରତରେ ବ୍ୟାପି ଯାଇଥିଲା । ସମସ୍ତେ କହିଲେ ମୋ ହାତରୁ ପିଇଛନ୍ତି । ଲୋକମାନେ ହାଣ୍ଡି ହାଣ୍ଡି କ୍ଷିର ନେଇ ଧାଇଁଲେ, ମନ୍ଦିରରେ ଢାଳିଲେ । କିଛି ଚାଲାକ ବ୍ୟକ୍ତି ନିଜ ଲୋକଙ୍କ ଦ୍ୱାରା ଗୁଜବ ସୃଷ୍ଟି କରି ନିଜର ସ୍ୱାର୍ଥ ହାସଲ କରିଥାଆନ୍ତି । ସାରଥି ବାବାଙ୍କ କଥା ସମସ୍ତେ ଦେଖିଛନ୍ତି । ସୁନାର ସିଂହାସନ, ହାତରୁ ବିଭୂତି, ପାଦରୁ ମହୁ, ସିମେଂଟ ଗାଈ ପହ୍ନାରୁ ବାବା ହାତ ମାରିଲେ ଧାରଧାର କ୍ଷିର, ଲକ୍ଷଲକ୍ଷ ଲୋକ ବାବାଙ୍କ ପାଦ ତଳକୁ ଧାଇଁଲେ । ଶେଷରେ କଣ ହେଲା? ସମସ୍ତେ ଦେଖିଲେ । ସବୁ ହାତ ସଫେଇ, ଇନ୍ଦ୍ରଜାଲ, ବାବା ଜେଲର କାଳ କୋଠରୀକୁ ଗଲେ । ଏସବୁ ଅସରନ୍ତି କାହାଣୀ, ଗୋଜବାୟାଣୀ ପୀଠରେ ଦେବତାଙ୍କ ନାଁରେ କୂଳବଧୁ ମାନେ ଆଇଁଷ ଖାଇଲେ । ସ୍ୱାଧିନତା ପରେପରେ ଢେଙ୍କାନାଳ ମେରାମୁଣ୍ଡଳୀର ରନ୍ତେଲଇ ଠାରେ ଗୁଜବରେ ବିଶ୍ୱାସ କରି ଲକ୍ଷଲକ୍ଷ ଲୋକ ଭଲ ହେବା ପାଇଁ ଆସି, ହଇଜାରେ ଶହଶହ ଲୋକ ମଲେ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶୁକ୍ଳାଜୀବି ଆସିଥିଲେ । ତ୍ରାହି ଅଚ୍ୟୁତ କ୍ଷେତ୍ର କୁ ପ୍ରଧାନମନ୍ତ୍ରୀ ପି.ଭି ନରସିଂ ରାଓ ଆସିଥିଲେ । ନିଜ ପୁଅ ମରିଯିବ, ଭାଇ ମରିଯିବ, ମଙ୍ଗଳବାରେ ଦାଣ୍ଡରେ ପୁଜା ଦେବ, କାକଟପୁର ମଙ୍ଗଳାଙ୍କ ଆଦେଶ, କିଛିଦିନ ତଳେ ଗାଁ ଦାଣ୍ଡ କୁ ହୁଳୁହୁଳି ରେ ଭରି ଦେଇଥିଲା । ବର୍ତମାନ ମଧ୍ୟ କରୋନାର ଆତଙ୍କ ମଧ୍ୟରେ ଗୁଜବ ତାର କାମ କରିଚାଲିଛି । ମିଛ ଗୁଜବ କରି ଜଣେ ଶିକ୍ଷକ ଜେଲ ଗଲେଣି । ଅମକ କର, ଢମକ କର ଅମକ ଡାକ୍ତର କରୋନା ପାଇଁ ଔଷଧ ଦେଉଛି । କେତେକ ହୁରି କରୁଛନ୍ତି ଯେ, କୁକୁଡା ଖାଇଲେ କରୋନା ହେଉଛି, ବାସ କୁକୁଡା କେଜି ଦଶ ଟଙ୍କା, କୁକୁଡା ବେପାର ଧୂଳିସାତ, କିଏ କହୁଛି ମଦ ପିଇଲେ କରୋନା ହେଉନାହିଁ । ମଦୁଆମାନେ ନିଶ ମୋଡି ଦାଣ୍ଡରେ ବୁଲିଲେଣି । ଜୀବନ ବିକଳରେ ବୁଡିଗଲା ଲୋକକୁ କୁଟାଖିଅ ଭଳି ଲୋକେ ଧାଉଁ ଛନ୍ତି, କାହାର ସର୍ବନାଶ, କାହାର ପୁଷମାସ, ଏତିକି ବେଳେ ଠିକ ଗୁଜବଟିଏ ସୃଷ୍ଟି କରିପାରିଲେ ମାଲେମାଲ ହୋଇଯିବେ ।
ରୋଗ ବିରୁଦ୍ଧରେ ଲଢିବା ସହିତ ଆମକୁ ଗୁଜବ ବିରୁଦ୍ଧରେ ଲଢିବାକୁ ପଡିବ । କରୋନା ସହ ଲଢେଇ ଅଳ୍ପ ଦିନ ପରେ ସରିଯିବ, ମାତ୍ର ଗୁଜଗ ବିରୁଦ୍ଧରେ ସଂଗ୍ରାମ ସବୁଦିନେ ଚାଲିବ ।

Leave a Reply

Your email address will not be published. Required fields are marked *