ଆଉ କ’ଣ ସୁଧୁରିବନି ଓଡ଼ିଆର ଭାଗ୍ୟ?

ଶରତ କୁମାର ରାଉତ
ଓଡ଼ିଶାର ମାଟି ତଳେ ପ୍ରଚୁର ଖଣିଜ ସଂପଦ ଭରି ରହିଛି । ପ୍ରାକୃତିକ ଦୃଶ୍ୟରାଜିରେ ଭରା ଓଡ଼ିଶା ଦେଶ ବିଦେଶରେ ଏକ ମନୋରମ ରାଜ୍ୟ ଭାବେ ପରିଚିତ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଗଚ୍ଛିତ ମୋଟ କ୍ରୋମାଇଟ୍ ମଧ୍ୟରୁ କେବଳ ଓଡ଼ିଶାରେ ୯୪.୪ ଶତକଡ଼ା ରହିଥିବା ବେଳେ ବକ୍ସାଇଟ୍ ୫୯.୫ ଶତକଡ଼ା, ଲୁହାପଥର ୩୨.୯ ଶତକଡ଼ା, ମାଙ୍ଗାନିଜ୍ ୬୭.୬ ଶତକଡ଼ା, କୋଇଲା ୨୪.୮ ଶତକଡ଼ା, ଗ୍ରାଫାଇଟ୍ ୭୧.୦ ଶତକଡ଼ା, ନିକେଲ୍ ୯୧.୮ ଶତକଡ଼ା, ଚାଇନା କ୍ଲେ ୩୧.୫ ଶତକଡ଼ା, ଡ଼ୋଲ୍ ମାଇଟ୍ ୧୭.୯ ଶତକଡ଼ା, ଫାୟାର୍ କ୍ଲେ ୨୫.୬ ଶତକଡ଼ା, ମିନେରାଲ୍ ସ୍ୟାଣ୍ଡସ ୩୦.୮ ଶତକଡ଼ା, ପିରୋଫାଇଲିଟ୍ ୬୫.୧ ଶତକଡ଼ା ଆଦି ବହୁ ଖଣିଜ ସଂପଦ ଭରି ରହିଛି । ରାଜ୍ୟରେ ୭୦ କୋଟି ଘନମିଟର ଭୂତଳ ଜଳ ଗଚ୍ଛିତ ରହିଛି, ଯାହା ଦେଶର ମୋଟ ଜଳ ସଂପଦର ୧୧ ଶତକଡ଼ା । ରାଜ୍ୟରେ ୭୯ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି । ଏଥିରୁ ମାତ୍ର ୪୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଓ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅର୍ଥକାରୀ ଫସଲ ହେଉଛି । ଅନ୍ୟପକ୍ଷରେ ପ୍ରାୟ ୧୧.୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା ବେଳେ ବାକି ଜମି ଜଳସେଚିତ ହୋଇନାହିଁ । ପାଖାପାଖି ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସମ୍ଭବ ନୁହେଁ । ତଥାପି ଚାଷ ହୋଇ ପାରୁନଥିବା ଜମିକୁ ଉତ୍ପାଦନକ୍ଷମ କରାଯିବାର ଆବଶ୍ୟକତା ରହିଛି । ସେହିପରି ଆମ ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ମାତ୍ର ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି । ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଏଠାରେ ଦାରିଦ୍ର୍ୟର ଉତ୍ପାତ ବେଶୀ । ଦିନେ ଓଡ଼ିଶାର ଅନାହାର ମୃତୁ୍ୟ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଥିଲା । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ଶିଶୁ ଓ ମାତୃ ମୃତୁ୍ୟହାର ସର୍ବାଧିକ…ଇତ୍ୟାଦି ।
ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସ୍ୱାଧୀନତା ପରଠାରୁ ଓଡ଼ିଶା ବହୁ ଘାତ ପ୍ରତିଘାତ ଦେଇ ଗତି କରି ଆସିଛି । ଆମ ରାଜ୍ୟରେ ଆମ ଖଣିଜ ସଂପଦର ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବାରୁ ଖୁବ୍ କମ୍ ମୂଲ୍ୟରେ ଆମ ଖଣିଜ ସଂପଦ ବାହାରକୁ ରପ୍ତାନୀ ହୋଇ ସେଠାରେ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବ୍ୟାପକ ନିଯୁନ୍ତି ସୁଯୋଗ ସୃଷ୍ଟି ହେଉଛି । ଅନେକ ବର୍ଷ ତଳୁ କେତେକ ବୃହତ୍ କମ୍ପାନୀ ଆମ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସୁଛନ୍ତି । କଳିଙ୍ଗନଗର ଶିଳ୍ପ ପ୍ରକଳ୍ପ ଭଳି ସାରା ରାଜ୍ୟରେ ବ୍ୟାପକ ଶିଳ୍ପ ପ୍ରସାର ଓଡ଼ିଶା ପ୍ରଗତିର ସଂକେତ ହୋଇଛି । ରାଜ୍ୟର ଉପକୂଳରେ ଗୋଟିଏ ପରେ ଗୋଟିଏ ବନ୍ଦର ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ, ରାସ୍ତାଘାଟର ନବୀକରଣ-ନିର୍ମାଣ ଭଳି ବହୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ, ସେତୁ ନିର୍ମାଣ ଭଳି ଗମନାଗମନର ଅଭୂତପୂର୍ବ ବିକାଶ, ଆଇନକାନୁନ୍ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ପାଇଁ ବିଭିନ୍ନ ଅଭିନବ ଯୋଜନା ପ୍ରଣୟନ କରାଯାଇଛି ।
ହେଲେ ଏସବୁ ଉନ୍ନୟନ ଯୋଜନା ବାସ୍ତବ ନା ଫମ୍ପା ପ୍ରଚାର, ସେଥିରେ ଲୋକେ ମୁଣ୍ଡ ଖେଳାନ୍ତିନି । ରାଜ୍ୟର ଅଧିକାଂଶ ଲୋକେ ଗଭୀରକୁ ଯିବାକୁ ଚାହାନ୍ତିନି । ଆମ ରାଜ୍ୟରେ ଯାହା ବିକାଶ ହୋଇଛି, ଭାରତର ଅନ୍ୟାନ୍ୟ ପ୍ରଦେଶରେ ଏହା ଠାରୁ ଅଧିକ ବିକାଶ ହୋଇଥିବା ଦେଖା ଯାଇପାରେ । ବରଂ ଆମେ ବିକାଶ ଦୌଡ଼ରେ ବହୁ ପଛରେ ପଡ଼ିଥିବା ବୁଦ୍ଧିଜିବୀ ମାନେ କହୁଛନ୍ତି । ଯଦିଓ ଆମ ରାଜ୍ୟରେ ଦାରିଦ୍ର୍ୟ ହଟିଥାନ୍ତା ଓ ମୁଣ୍ଡପିଛା ଆୟ ବଢିଥାନ୍ତା ବା ରୋଜଗାର ସୃଷ୍ଟି ହୋଇଥାନ୍ତା, ତେବେ ଆହାର ଯୋଜନା କାହିଁକି? ଦାଦନ ସମସ୍ୟା କ’ଣ ପାଇଁ? ଆଉ ରେସନ୍ କାର୍ଡ଼ ହିତାଧିକାରୀ ତାଲିକାରେ ସାମିଲ୍ ହେବାକୁ ଲୋକଙ୍କ ପ୍ରତିଯୋଗିତା କାହିଁକି? ଭାରତରେ ଖାଦ୍ୟଶସ୍ୟର ଅଭାବ ନାହିଁ । ଖାଦ୍ୟ ସୁରକ୍ଷା ଯୋଜନାରେ କୋଟି କୋଟି ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବଂଟା ଯାଉଛି । ହେଲେ ମହାମାରୀ କରୋନା ପୀଡ଼ିତ ମାନଙ୍କୁ ଅବହେଳା ଦୁଃଖଦାୟକ । ବାହାର ରାଜ୍ୟରେ କାମ କରୁଥିବା ଏହି ଲକ୍ଷଲକ୍ଷ ଓଡ଼ିଆ ସେଠାରେ ପେଟକୁ ମୁଠାଏ ଦାନା ନପାଇ ଡ଼ହଳ ବିକଳ ହେଉଛନ୍ତି । ନିଜ ଘର ମୁହଁ ଦେଖିବାକୁ ଆକୁଳ ହେଉଛନ୍ତି । ଜୀବନ ବଂଚାଇବାକୁ ସେମାନଙ୍କର ଆର୍ତ ଚିକ୍ରାର ସାରା ଦେଶରେ ପ୍ରକମ୍ପିତ ହେଉଛି । ସେହି ହତଭାଗ୍ୟ ମଣିଷ ମାନେ ହିଁ ନିଜ ପରିଶ୍ରମ ଦ୍ୱାରା ଆମ ରାଜ୍ୟକୁ ସମୃଦ୍ଧ କରୁଛନ୍ତି । ସେମାନଙ୍କୁ ବାହାର ରାଜ୍ୟର ସରକାର ଓ ସେମାନେ କାମ କରୁଥିବା ସଂସ୍ଥା ଗୁଡ଼ିକ ଆବଶ୍ୟକୀୟ ସହଯୋଗ ଦେଲେ ନାହିଁ । ଏଥିରେ କେନ୍ଦ୍ର ସରକାର ମଧ୍ୟ ଚୂପ ରହିଲେ । ସଂପୂର୍ଣ୍ଣ ଘଟଣାରୁ ମନେହୁଏ, ଆମ ରାଜ୍ୟ ସରକାର ଆମ ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଦେଇ ପାରିବାର ବ୍ୟାପକ ସୁଯୋଗ ଥିଲେ ହେଁ ଘୋର ଅବହେଳା ପ୍ରଦର୍ଶନ କରୁଛନ୍ତି । ଏକ ଆକଳନରୁ ଜଣାପଡ଼େ ଯେ, ଓଡ଼ିଶାରେ କାର୍ଯ୍ୟକ୍ଷମ ଶହ ଶହ ବୃହତ, ମଧ୍ୟ ଓ କ୍ଷୁଦ୍ର ଶିଳ୍ପ ସମେତ ଖଣି ଶିଳ୍ପ, ପର୍ଯ୍ୟଟନ ଶିଳ୍ପ, ମତ୍ସ୍ୟ ଶିଳ୍ପ ଆଦିରେ ଲକ୍ଷ ଲୋକେ କାର୍ଯ୍ୟ କରୁଛନ୍ତି । ହେଲେ ଓଡ଼ିଆ ଲୋକେ କାମ ପାଇଁ ଦେଶ-ବିଦେଶକୁ ଯାଉଛନ୍ତି । ସେଠାରେ ନିର୍ଯ୍ୟାତିତ ହେଉଛନ୍ତି । ଏହାର ବ୍ୟାପକ ସମୀକ୍ଷା ହେବାର ଆବଶ୍ୟକତା ରହିଛି । ବାସ୍ତବତା ହେଲା, ଓଡ଼ିଆ ଲୋକଙ୍କୁ ଏଠାରେ ନିଯୁକ୍ତି ମିଳୁନି । ଦେଶ-ବିଦେଶର ଲୋକମାନେ ହିଁ ଆମ ରାଜ୍ୟର ଶିଳ୍ପ କାରଖାନା ଆଦିରେ ନିଯୁକ୍ତି ପାଉଛନ୍ତି । ଏହା ହିଁ ଆମ ପାଇଁ ଅଭିଶାପ! ଏଥିରେ ସରକାର କାହିଁକି ନିରବ ରହୁଛନ୍ତି, ଜାଣି ହେଉନାହିଁ । ଓଡ଼ିଆ ଏବଂ ଓଡ଼ିଶାର ବିକାଶ ପାଇଁ ପ୍ରକୃତରେ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ଅନେକ କେନ୍ଦ୍ରୀୟ ଯୋଜନାରେ ସିନା ଗମନାଗମନ, ସ୍ୱାସ୍ଥ୍ୟସେବା ଭଳି କେତେକ କ୍ଷେତ୍ରରେ ଉନ୍ନତି ହୋଇଛି, ହେଲେ ମଣିଷର ଅର୍ଥନୈତିକ ଉନ୍ନତି କି ସାମାଜିକ ଅବସ୍ଥାର ପରିବର୍ତନ ହୋଇନାହିଁ । ଲୋକଙ୍କୁ ନିଯୁକ୍ତି ଓ ସେମାନଙ୍କର ରୋଜଗାର ବୃଦ୍ଧି ସରକାରଙ୍କର ପ୍ରଧାନ ଦାୟୀତ୍ୱ । ଏସବୁ ଚିନ୍ତା କରା ନଯାଇ କେବଳ ଖର୍ଚ୍ଚ କରାଯାଉଛି । ଟଙ୍କିକିଆ ଚାଉଳ କ’ଣ ପାଇଁ ଦିଆ ଯାଉଛି? ଏହାଦ୍ୱାରା ଗରିବୀ କମିଛି କି? ଅପପୃଷ୍ଟି କମିଛି କି? ଶିଶୁ ଓ ମାତୃ ମୃତୁ୍ୟହାର କମିଛି କି? ଆହାର ଯୋଜନାରେ ପ୍ରକୃତରେ କିଏ ଖାଉଛି ଖାଦ୍ୟ? ଔଷଧ ରେଖା ତଳେ ଥିବା ଲୋକଙ୍କ ପାଖରେ ନିରାମୟ ଯୋଜନା ପହଂଚୁଛି କି? କାହିଁକି ଚାଷୀଙ୍କର ଆୟ ବଢୁନାହିଁ? କାହିଁକି ଜଳସେଚନ ବ୍ୟବସ୍ଥା ବ୍ୟବସ୍ଥିତ ହେଉନାହିଁ? ରାଜ୍ୟରେ ବିଭିନ୍ନ ଅପରାଧ ସଂଖ୍ୟା ବଢୁଛି କାହିଁକି? ଯଦିଓ ସାଧାରଣ ଲୋକଙ୍କୁ ଏନ୍ତୁଡ଼ିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ଯଥେଷ୍ଟ ସହାୟତା ଦିଆ ଯାଉଛି, ତେବେ ଲୋକଙ୍କର ଅବସ୍ଥା ଦୟନୀୟ କାହିଁକି?……

Leave a Reply

Your email address will not be published. Required fields are marked *