ଦୁର୍ବଳ ହେଉଛି ସୂଚନା ଅଧିକାର ଆଇନ!

ଶରତ କୁମାର ରାଉତ
ସୂଚନା ଅଧିକାର ଆଇନ-୨୦୦୫ ରେ ବ୍ୟାପକ ସଂଶୋଧନର ଆବଶ୍ୟକତା ଥିବାବେଳେ ଗତବର୍ଷ ତରବରିଆ ଭାବେ ଏକ ଅନାବଶ୍ୟକ ଆଇନ ପ୍ରଣୟନ କରାଯାଇଥିଲା । ସୂଚନା ଆଇନରେ ଯାହା ସଂଶୋଧନ ହେବାର କଥା, ତାହା କରାନଯାଇ କେବଳ ସୂଚନା ଆୟୁକ୍ତ ମାନଙ୍କର ଚାକିରି ସତାବଳି ଓ ଦରମା ହାର ପରିବର୍ତନ ଲାଗି ଆଇନରେ ସଂଶୋଧନ ଅଣାଗଲା । ହେଲେ ସୂଚନା ଆଇନକୁ ଆହୁରି ମଜଭୁତ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ସୂଚନା କର୍ମୀମାନେ ସୂଚନା ମାଗିବା ଠାରୁ ଆରମ୍ଭ କରି ସୂଚନା ପାଇବା ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ଅସହଯୋଗ ହେତୁ ବହୁ ହଇରାଣ ହେଉଛନ୍ତି । ସମସ୍ତେ ସବୁ ସୂଚନା ପାଇ ପାରୁ ନାହାନ୍ତି ବା ସେମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଏଣୁ ସୂଚନା ଆଇନରେ ବଡ଼ ଧରଣର ସଂଶୋଧନ ପାଇଁ ସାରା ଦେଶବାସୀ ପ୍ରତୀକ୍ଷା କରୁଛନ୍ତି । ମାତ୍ର ସୂଚନା ଆଇନରେ କିଛି ସଂଶୋଧନ ଆଣିବାକୁ ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି । ଜଳଜଳ ଦେଖା ଯାଉଛି ଯେ, ସରକାରୀ ଅବହେଳା, ଲମ୍ବା ବିଚାର ପ୍ରକି୍ରୟା ଓ କେତେକ ନ୍ୟସ୍ତସ୍ୱାର୍ଥ ଲୋକଙ୍କର ମନ୍ଦ ଉଦେ୍ଦଶ୍ୟ ଯୋଗୁ ସୂଚନା ଅଧିକାର ଆଇନ-୨୦୦୫ ବିଫଳତା ଦିଗରେ ଗତି କରୁଛି । ଏହି ଆଇନ ଲାଗୁ ହେବା ପରେ ସରକାରୀ ସ୍ତରରେ ଦୁର୍ନୀତି ହ୍ରାସ ପାଇବ, ଅଫିସର ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ନିୟନ୍ତ୍ରଣ ହେବ ତଥା ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଏହି ଆଶା କ୍ରମେ ମଉଳି ଯିବାରେ ଲାଗିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ପ୍ରଜା ଶାସନଗତ ସ୍ୱଚ୍ଛତା ପାଇଁ କାର୍ଯ୍ୟକାରୀ ଏହି ଐତିହାସିକ ଆଇନର ଭବିଷ୍ୟତ ଏବେ ଅନ୍ଧକାର ଭିତରେ ହଜିଯିବାକୁ ବସିଛି । ଏହାର ସଠିକ୍ କାର୍ଯ୍ୟକାରୀତାକୁ ନେଇ ସରକାରୀ କଳ ଓ ସୂଚନା ଅଧିକାର କର୍ମୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ସରକାରୀ କଳରେ ମନମୁଖୀ ଶାସନ, ଦୁର୍ନୀତି ଓ ଅନିୟମିତତାରେ ଏହି ଆଇନ ବାଦ ସାଜୁଥିବାରୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଭୟ ଓ ଆଶଙ୍କାର ଝଡ଼ ସୃଷ୍ଟି ହେଉଛି । ସରକାରୀ ସ୍ତରରେ ଦୁର୍ନୀତି ଓ ବେନିୟମ କାମର ସୂଚନା ଯଦିଓ ସାଧାରଣ ପ୍ରଜାଙ୍କ ହାତକୁ ଚାଲିଯାଏ, ହୁଏତ ସରକାରଙ୍କ ଅସଲି ମୁଖା ଲୋକଲୋଚନକୁ ଆସିଯିବା ନିଶ୍ଚିତ ବୋଲି ସେମାନେ ଭାବୁଛନ୍ତି । ସାଧାରଣ ପ୍ରଜାଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଅତିରିକ୍ତ ବୋଝ ହୋଇଥିବା ହୁଏତ ସେମାନେ ଭାବୁଛନ୍ତି । କିନ୍ତୁ ଏହା ଯେ ଗଣତନ୍ତ୍ର ଶାସନର ପ୍ରମୁଖ ଅଙ୍ଗ ପାଲଟି ଯାଇଛି ଓ ଏହି ଆଇନ ବଳରେ ପ୍ରଜା କେବଳ ସୂଚନା ପାଇବେନି, ବରଂ ପରୋକ୍ଷରେ ସରକାରୀ କଳକୁ ସକ୍ରିୟ, ଦୁର୍ନୀତିମୁକ୍ତ ଓ ନିୟନ୍ତ୍ରଣ କରିବେ, ଏହା ସୂଚନା ଆଇନ ନିର୍ମାତା ମାନଙ୍କର ମୂଳ ଉଦେ୍ଦଶ୍ୟ ହୋଇଥିଲେ ହେଁ ସରକାରୀ ବାବୁ ମାନେ ଏଯାଏ ଏହି ରହସ୍ୟ ବୁଝି ବି ବୁଝି ପାରୁନାହାନ୍ତି । ଓଡ଼ିଶା ରାଜ୍ୟ ସଚିବାଳୟ ଓ ନିଦେ୍ର୍ଦଶାଳୟରେ ଏହି ଆଇନ୍ର କୌଣସି ପ୍ରଭାବ ଥିବା ଦେଖା ଯାଉନାହିଁ । ଗତ ୧୫ବର୍ଷ ଭିତରେ ରାଜ୍ୟ ସରକାରଙ୍କର କୌଣସି ଗୋଟିଏ ବିଭାଗ ବି ସୂଚନା ପ୍ରଦାନ ପାଇଁ ସ୍ୱଚ୍ଛତା ଓ ସକ୍ରିୟତା ପ୍ରଦର୍ଶନ କରିନାହିଁ । ତଥାପି ସାଧାରଣ ପ୍ରଜା ସୂଚନା ଆଇନ ମାଧ୍ୟମରେ ସରକାରୀ କଳକୁ ଯେଭଳି ବିଭିନ୍ନ ଦିଗରୁ ଆକ୍ରମଣ କରି ଚାଲିଛନ୍ତି, ଖୁବ୍ ଶୀଘ୍ର ଦେଶରେ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହେବାର ସବୁଜ ସଙ୍କେତ ମିଳୁଛି ।
ଏହି ଐତିହାସିକ ଆଇନ ସଂପର୍କରେ ସରକାରୀ ସ୍ତରରେ ଉପଯୁକ୍ତ ସଚେତନତା ସୃଷ୍ଟି ହୋଇନାହିଁ । ସାଧାରଣ ଲୋକେ ସୂଚନା ଆଇନ ସଂପର୍କରେ ଯେଭଳି ସଚେତନ ଓ ସକି୍ରୟ ହୋଇଛନ୍ତି, ପ୍ରଶାସନ ତନ୍ତ୍ରରେ ସେଭଳି କିଛି ତତ୍ପରତା ଦେଖା ଯାଉନାହିଁ । ସୂଚନା ଅଧିକାର ଆଇନ ସଠିକ୍ କାର୍ଯ୍ୟକାରୀତାରେ ଜନସୂଚନା ଅଧିକାରୀ, ପ୍ରଥମ ଅପିଲ୍ କର୍ତୂପକ୍ଷ ଏବଂ ସୂଚନା ଆୟୁକ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହେଲେ ଅଧିକାଂଶ ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତୂପକ୍ଷ ସୂଚନା ଆଇନ ବାବଦରେ ଅଧିକ ସଚେତନ ନୁହଁନ୍ତି । କେତେକ ପ୍ରଥମ ଅପିଲ୍ କର୍ତୂପକ୍ଷ ଆଇନ ଅନୁଯାୟୀ ବିଚାର କରିପାରୁ ନାହାନ୍ତି । ସେମାନଙ୍କୁ ଉକ୍ତ ପଦରେ ନିଯୁକ୍ତି ପୂର୍ବରୁ ଏ ସଂପର୍କରେ ଆବଶ୍ୟକୀୟ ତାଲିମ୍ ଦିଆଯିବା ଉଚିତ । ସଂପୃକ୍ତ ଜନସୂଚନା ଅଧିକାରୀ ଓ କର୍ମଚାରୀ ସୂଚନା ପ୍ରଦାନରେ ଅବହେଳା କରୁଥିଲେ ହେଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସୂଚନା ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ୧ମାସ ମଧ୍ୟରେ ସୂଚନା ପ୍ରଦାନ କରାଯିବା ଉଚିତ । ଏଥିରେ ଖିଲାପ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡ ଦିଆଯିବା ଉଚିତ । ସାଧାରଣ ଲୋକଟି ଠିକ୍ ସମୟରେ ସୂଚନା ନପାଇ କମିସନ୍ଙ୍କ କୋର୍ଟରେ କେଶ୍ ଦାୟର କଲେ, ପ୍ରାୟ ୨/୩ ବର୍ଷ ପରେ ଉକ୍ତ କେଶ୍ର ଶୁଣାଣୀ ଆରମ୍ଭ ହେଉଛି । ଏହି ବିଳମ୍ବ ଜନିତ କାରଣରୁ ସୂଚନା ନପାଇ ହଇରାଣ ହେଉଥିବା ସୂଚନା କର୍ମୀ କମିସନ୍ କୋର୍ଟ ଯିବାକୁ ଚାହୁଁ ନାହାଁନ୍ତି ଓ ନିଜ ଭାଗ୍ୟକୁ ଆଦରି ଚୂପ୍ ରହୁଛନ୍ତି । ଏହା ଛଡ଼ା ଏଥିରେ ପ୍ରତିବାଦୀଙ୍କ ପାଇଁ ଆର୍ଥିକ କ୍ଷତି ପୂରଣର ବ୍ୟବସ୍ଥା ନାହିଁ । ସାଧାରଣ ପ୍ରଜାଟି ସରକାରଙ୍କ ଠାରୁ ନିଜର ଅଧିକାର ସ୍ୱରୂପ ସୂଚନାଟି ପାଇବା ପାଇଁ କାହିଁକି ବର୍ଷ ବର୍ଷ ଧରି ଅପେକ୍ଷା କରିବ? ସେ ଏତେ ଅର୍ଥ ଓ ସମୟ ପାଇବ କେଉଁଠୁ? ଅନ୍ୟପକ୍ଷରେ ଶୁଣାଣୀ ପାଇଁ କମିସନ୍ଙ୍କ କୋର୍ଟରେ ପହଂଚିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ସରକାରୀ ରାଜକୋଷରୁ ଗସ୍ତଖର୍ଚ୍ଚ ଦିଆଯାଉଛି । ବରଂ ସେହିଦିନଟି ତାଙ୍କର ଛୁଟିଦିନ ଭାବେ ଗ୍ରହଣ କରାଯିବା ଉଚିତ । ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କ ସର୍ଭିସ ବୁକ୍ ଓ ସିସିଆରରେ ଦଣ୍ଡ ସଂପର୍କରେ ଲେଖାଯିବା ଉଚିତ ।
ଏହି ଗୁରୁତ୍ୱପୂର୍ଣ୍ଣ ଆଇନର ସଫଳତା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ମୁଖ୍ୟ ସୂଚନା କମିସନ୍, ପ୍ରଥମ ଅପିଲ୍ କର୍ତୂପକ୍ଷ ଓ ସୂଚନା ଅଧିକାର କର୍ମୀଙ୍କ ସ୍ୱଚ୍ଛତା-ଆନ୍ତରିକତାର ଆବଶ୍ୟକତା ରହିଛି । ଆଶ୍ଚର୍ଯ୍ୟର କଥା ଯେ, କେତେକ ସରକାରୀ କାର୍ଯ୍ୟାଳୟ ପ୍ରତ୍ୟକ୍ଷ ଭାବେ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇନାହିଁ । ସେହିପରି ରାଜନୈତିକ ଦଳ, ରାଜ୍ୟରେ କାର୍ଯ୍ୟରତ ଖଣି ଓ ଶିଳ୍ପ ସଂସ୍ଥା, ଘରୋଇ ପରିଚାଳିତ ସ୍ୱାସ୍ଥ୍ୟାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଆଦିଙ୍କୁ ଏହି ଆଇନ ପରିସରଭୁକ୍ତ କରା ଯାଇନାହିଁ । ଅନ୍ୟପକ୍ଷରେ ସୂଚନା କର୍ମୀ ନାଁରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ସନେ୍ଦହ ସୃଷ୍ଟି ହେଲାଣି । ସେମାନଙ୍କ ଉଦେ୍ଦଶ୍ୟ ଓ କାର୍ଯ୍ୟକୁ ସମୀକ୍ଷା କରାଯିବା ଉଚିତ ବୋଲି ଦାବି ଉଠିଲାଣିି । ସେମାନେ କେଉଁ ତଥ୍ୟ ମାଗୁଛନ୍ତି ଓ ତାହା କାହା ଉପକାରରେ ଲାଗୁଛି, ତାହାର ତଦାରଖ ଆବଶ୍ୟକ ହୋଇ ପଡ଼ିଲାଣି । ସାଧାରଣ ମଣିଷ ଓ ଦେଶର ସ୍ୱାର୍ଥ ସାଧନ ପାଇଁ ଏହି ଆଇନ କାର୍ଯ୍ୟକାରୀ ହୋଇଛି । କେତେକ ଆବେଦନକାରୀ ଗୋଟିଏ ଆବେଦନପତ୍ରରେ କୌଣସି ଅଫିସ୍ ବା ସଚିବାଳୟର କୌଣସି ବିଭାଗକୁ ଏତେ ପରିମାଣରେ ସୂଚନା ମାଗୁଛନ୍ତି ଯେ, ତାହା ସେହି ଅଫିସ୍ର ସମସ୍ତ ଫାଇଲ୍ ସହ ସଂପୃକ୍ତ ଓ ସେହି ସୂଚନା ପ୍ରସ୍ତୁତି ପାଇଁ ମାସମାସ ସମୟ ଲାଗିଯିବ । ବେଳେବେଳେ କିଛି ସ୍ୱାର୍ଥପର ଲୋକେ ଅତ୍ୟଧିକ ମାତ୍ରାରେ ଆକ୍ରମଣାତ୍ମକ ହୋଇ ପଡ଼ୁଥିବା ଓ ଏହି ଆଇନ ସେମାନଙ୍କ ଦ୍ୱାରା ମାରାତ୍ମକ ରାଷ୍ଟ୍ରବିରୋଧୀ ଅସ୍ତ୍ର ଭାବେ ବ୍ୟବହୃତ ହେଉଥିବା ଦେଖାଯାଉଛି । ଯେହେତୁ ଏହି ଲୋକମାନେ ସମାଜର ଉନ୍ନତି ପାଇଁ ନେଉଥିବା ତଥ୍ୟକୁ ଠିକ୍ ବାଟରେ ବ୍ୟବହାର କରୁ ନାହାଁନ୍ତି ବା ସେମାନଙ୍କର ସମାଜ ପ୍ରତି କୌଣସି ଅବଦାନ ରହୁନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ଆଇନକୁ ଡ଼ରୁଛନ୍ତି ଓ ଉଲଂଘନ କରୁଛନ୍ତି ବୋଲି କୁହାଯାଇପାରେ । ସୂଚନା କମିସନର ମାନେ ପ୍ରାୟତଃ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ପ୍ରଜା ଓ ସରକାରୀ କଳ ମଧ୍ୟରେ ବିବାଦର ବିଚାର ତାଙ୍କ ଦ୍ୱାରା କେତେ ସ୍ୱଚ୍ଛ, ନିର୍ମଳ ଓ ନିରପେକ୍ଷ ହେବ, ତାହା ଅନୁମାନ କରାଯାଇ ପାରେ । ଏଣୁ ଏଇ ଆଇନ ସଫଳ ହେବାକୁ ରାଜ୍ୟ ସରକାରୀ କଳ ସଚେତନ ହେବା ସହିତ ଅବସର ପ୍ରାପ୍ତ ହାଇକୋର୍ଟ ବିଚାର ପତିମାନଙ୍କୁ କମିସନ ପଦବୀରେ ନିଯୁକ୍ତିି ଦିଆଯିବା ଉଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଯଦି ବାସ୍ତବରେ ଆମ ରାଜ୍ୟକୁ ଦୁର୍ନୀତିମୁକ୍ତ ଓ ଶାସନକୁ ସ୍ୱଚ୍ଛ-ନିର୍ମଳ କରିବାକୁ ସମସ୍ତେ ଚାହୁଁଛନ୍ତି, ତେବେ ସୂଚନା ଅଧିକାର ଆଇନ-୨୦୦୫କୁ ସଂଶୋଧନ କରାଯାଇ ସଠିକ୍ ଭାବେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *