ଓଡ଼ିଶାରେ ଜଳସେଚନ ବ୍ୟବସ୍ଥାର ଗତି କୁଆଡ଼େ?

ଶରତ କୁମାର ରାଉତ
ଓଡ଼ିଶାର ଲୋକଙ୍କୁ ଜଣାନାହିଁ ଯେ, କେନ୍ଦ୍ରୀୟ ଅବହେଳା ସବୁବେଳେ ଓଡ଼ିଶା ପ୍ରଗତିରେ ବାଧକ ସାଜୁଛି । ଅନ୍ୟପକ୍ଷରେ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଅର୍ଥ ପ୍ରାୟତଃ ବାଟମାରଣା ହେଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୦୫ରେ ରାଷ୍ଟ୍ରିୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିସନ କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟରେ ଧୀରେଧୀରେ ସ୍ୱାସ୍ଥ୍ୟସେବାର ଉନ୍ନତି ହେଉଛି । ସର୍ବଶିକ୍ଷା ଯୋଜନାରେ ସ୍କୁଲ୍ ଘର ଗୁଡ଼ିକ କୋଠାରେ ପରିଣତ ହୋଇଛି । ପ୍ରାଥମିକ ଶିକ୍ଷା ବାବଦ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି । ମହିଳା ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଭାରତ ଏପରିକି ପୃଥିବୀର ସବୁଠୁ ବଡ଼ ଯୋଜନା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ(ଅଙ୍ଗନବାଡ଼ୀ ସେବା) କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୭୨ ରୁ ଚାଲି ଆସୁଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରତ୍ୟେକ ଗାଁ ରାସ୍ତା ପକ୍କା ସଡ଼କରେ ପରିଣତ ହୋଇଛି । ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ଦ୍ୱାରା ସାଧାରଣ ଗରିବ, ଶ୍ରମିକମାନେ କିଛି ମାତ୍ରାରେ ଉପକୃତ ହେଉଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କ ୧ଟଙ୍କିଆ ଚାଉଳ ଯୋଜନା ଯଦିଓ କିଛି ଲୋକଙ୍କ ପାଇଁ ଅଶୀର୍ବାଦ ହୋଇଛି, ତଥାପି ଏହି ଯୋଜନା ସବୁ ଅନାହାର ପିଡ଼ିତଙ୍କ ପାଖରେ ପହଂଚି ପାରିନାହିଁ । ଯେଉଁ ଗତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକର ସଫଳତା ମିଳିବା କଥା, ତାହା ସମ୍ଭବ ହୋଇ ନାହିଁ । ଅନ୍ୟ କେତେକ ରାଜ୍ୟ ଭଳି ଆମ ରାଜ୍ୟରେ ଯଦିଓ ସବୁ ଯୋଜନା ଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହୋଇ ସାରନ୍ତାଣି ।
   ବାସ୍ତବତା ଦେଖାଗଲେ, ରାଜ୍ୟ ସରକାରଙ୍କ ଅଧିକାଂଶ ଯୋଜନା ଫେଲ୍ ମାରିଛି । କେତେକର ଲକ୍ଷ୍ୟ ସାଧନ ହୋଇନାହିଁ । ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ଭଳି ଶାସନ ଦେଖିବାକୁ ମିଳିନାହିଁ । କେବଳ ମନମୁଖୀ ପ୍ରଚାର ଓ ନୂଆ ନୂଆ ଯୋଜନା ଘୋଷଣାରେ ସୀମିତ ରହି ଯାଇଛି ରାଜ୍ୟର ଉନ୍ନତି । କ’ଣ କ’ଣ ସମସ୍ୟା ରହିଛି ଓ ଏଠାରେ କେଉଁ ଯୋଜନା ଚାଲି ପାରିବ, ତାହା ପରିକ୍ଷା କରା ଯାଉନାହିଁ । କେବଳ ଖର୍ଚ୍ଚ ହେଉଛି । ଟଙ୍କିକିଆ ଚାଉଳ ଦେବା ଦ୍ୱାରା ଗରିବୀ କମିଛି କି? ଅପପୃଷ୍ଟି କମିଛି କି? ଶିଶୁ ଓ ମାତୃ ମୃତୁ୍ୟହାର କମିଛି କି? ବରଂ ଭାରତରେ ଗରିବୀରେ ଓଡ଼ିଶା ବହୁ ତଳେ ରହି ଥିବା ବେଳେ ପୁରୁଷ ଅପପୃଷ୍ଟିରେ ୧ମ, ଶିଶୁ ଅପପୃଷ୍ଟିରେ ଦ୍ୱିତୀୟ, ଶିଶୁ ମୃତୁ୍ୟହାରରେ ଦ୍ୱିତୀୟ, ମାତୃ ମୃତୁ୍ୟହାରରେ ୩ୟ, ମ୍ୟାଲେରିଆରେ ୨ୟ ଓ ମାରାତ୍ମକ ସଂକ୍ରାମକ ରୋଗରେ ୧ମ ସ୍ଥାନରେ ରହିଛି । ଆଉ କରଦାତାଙ୍କ ପଇସା ବରବାଦ୍ ହେଉଛି । କ୍ରମେ ସେମାନଙ୍କ ଅବସ୍ଥା ଦୟନୀୟ ହୋଇ ଚାଲିଛି । ଆହାର ଯୋଜନାରେ ପ୍ରକୃତରେ କିଏ ଖାଉଛି ଖାଦ୍ୟ? ଯାହା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ବା ଯିଏ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ଛଟପଟ ହେଉଛି ବା ମରୁଛି, ତା’ ପାଖରେ ଆହାର ଯୋଜନା ପହଂଚୁଛି କି? ଔଷଧ ରେଖା ତଳେ ଥିବା ଲୋକଙ୍କ ପାଖରେ ନିରାମୟ ଯୋଜନା ପହଂଚୁଛି କି? ଏମିତି ଅନେକ ଯୋଜନାର ଲମ୍ବା ତାଲିକା ରହିଛି, ଯାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚୁ ନାହିଁ । ରାଜ୍ୟର ଚାଷୀମାନେ କଠିନ ପରିଶ୍ରମ କରି ଉତ୍ପାଦନ ବଢାଉ ଥିଲେ ମଧ୍ୟ ସେମାନଙ୍କର ଉନ୍ନତି ନାହିଁ, ବଢୁନାହିଁ ଆୟ । ତର୍ଜ୍ଜମା ହେଉଛି କି? ମଣିଷର ଅର୍ଥନୈତିକ ପ୍ରଗତି ଓ ସାମାଜିକ ଅବସ୍ଥାର ପରିବର୍ତନ ପାଇଁ ସମସ୍ତ ପ୍ରାକୃତିକ ସଂପଦର ଉପଯୁକ୍ତ ଉପଯୋଗ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଚାଷ ବା କୃଷି ଉତ୍ପାଦନ ବୃଦ୍ଧି ଓ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ।
     ରାଜ୍ୟରେ ଜଳସେଚନର ଅବସ୍ଥା ବହୁ ଖରାପ ରହିଛି । ଗତ ୧୦ବର୍ଷ ମଧ୍ୟରେ ଜଳସେଚନ ବ୍ୟବସ୍ଥାରେ ଆଶା ଜନକ ବୃଦ୍ଧି ହୋଇନାହିଁ । ରାଜ୍ୟରେ ଫସଲ ହେଉଥିବା ମୋଟ ୮୭.୪୬ ଲକ୍ଷ ହେକ୍ଟର ଜମିରୁ ମାତ୍ର ୧୮.୭୯ ଲକ୍ଷ ହେକ୍ଟର ଜଳ ସେଚିତ ହୋଇ ପାରିଛି । ଅନ୍ୟ ପକ୍ଷରେ ଚାଷ ଉପଯୋଗୀ ୬୧.୮୦ ଲକ୍ଷ ହେକ୍ଟର ଜମି ମଧ୍ୟରୁ ୨୯.୧୪ ଲକ୍ଷ ହେକ୍ଟର ଉଚ୍ଚ ଜମି, ୧୭.୫୫ ଲକ୍ଷ ହେକ୍ଟର ମଧ୍ୟମ ଜମି ଓ ୧୫.୧୧ ଲକ୍ଷ ହେକ୍ଟର ନୀଚ ଜମି ରହିଛି । ପ୍ରାୟତଃ ଏହି ଜମିରେ ଆଶା ଜନକ ଫସଲ ସମ୍ଭବ ନୁହେଁ । ତଥାପି ଏହିସବୁ ଜମିରେ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ ହେବା ଆବଶ୍ୟକ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଜଳ ସଂପଦ ବିଭାଗର ବେପରୱା କାର୍ଯ୍ୟ ଯୋଗୁ ଆମ ରାଜ୍ୟରେ ଜଳସେଚନ ବ୍ୟବସ୍ଥା ଆଗକୁ ବଢି ପାରୁନାହିଁ । ଏହି ବିଭାଗରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ନିମ୍ନ ମାନର କାର୍ଯ୍ୟ ଯୋଗୁ ଜଳସେଚନ ବ୍ୟବସ୍ଥା ମନ୍ଥର ଗତିରେ ଚାଲିଥିବା କୁହାଯାଉଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ କେତେକ ଅଧିକାରୀ ବିଭାଗକୁ ସୁନା ଅଣ୍ଡା ଦିଆ କୁକୁଡ଼ା ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ସେହିପରି ବିଭିନ୍ନ ଡ଼ିଭିଜନରେ ମନମୁଖୀ କାର୍ଯ୍ୟ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ମୁଖ୍ୟତଃ ରାଜ୍ୟର କେନ୍ଦ୍ରୀୟ ମଣ୍ଡଳ ଅନ୍ତର୍ଗତ ଜଳସେଚନ ଡ଼ିଭିଜନ୍ ପ୍ରାଚୀ, ପୁରୀ ଓ ନୟାଗଡ଼, ପୂର୍ବାଂଚଳ ମଣ୍ଡଳ ଅନ୍ତର୍ଗତ କେନ୍ଦ୍ରାପଡ଼ା, ଯାଜପୁର ଓ ଜାରକା, ଦକ୍ଷିଣାଂଚଳ ମଣ୍ଡଳ ଅନ୍ତର୍ଗତ ଭଞ୍ଜନଗର, ଚିକିଟି, ଦକ୍ଷିଣାଂଚଳ ମଣ୍ଡଳ-୨ ଅନ୍ତର୍ଗତ ପାରଳାଖେମୁଣ୍ଡି, ବାରିପଦା ମଣ୍ଡଳ ଅନ୍ତର୍ଗତ ବାଲେଶ୍ୱର ଓ ବଲାଙ୍ଗୀର ମଣ୍ଡଳ ଅନ୍ତର୍ଗତ ବଲାଙ୍ଗୀର ଡ଼ିଭିଜନରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି । ସଂପୃକ୍ତ ଅଂଚଳରେ ଜଳସେଚନ ବ୍ୟବସ୍ଥା ପଙ୍ଗୁ ପାଲଟିଛି । ସେହିପରି କେତେକ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟରେ ବ୍ୟାପକ ଅନିୟମିତତା ଲାଗି ରହିଛି । ଏହି ପ୍ରକଳ୍ପ ଗୁଡ଼ିକ ରାଜ୍ୟବାସୀଙ୍କ ସ୍ୱାର୍ଥ ସାଧନ କରି ପାରୁନାହିଁ । ଏ ସଂପର୍କରେ ବ୍ୟାପକ ସମୀକ୍ଷାର ଆବଶ୍ୟକତା ରହିଛି । ରାଜ୍ୟବାସୀଙ୍କୁ ଜଳସେଚନର ଉପଯୁକ୍ତ ସେବା ମିଳିଲେ, ଅଧିକ ଫସଲ ଅମଳ ହୁଅନ୍ତା, ଚାଷୀ ଆର୍ଥିକ ସଶକ୍ତି ହୁଅନ୍ତେ ଓ ଚାଷୀ ଆତ୍ମହତ୍ୟା ହ୍ରାସ ପାଇ ପାରନ୍ତା । ଏହାଦ୍ୱାରା ମଧ୍ୟ ରାଜ୍ୟର ବିକାଶ ପ୍ରକି୍ରୟା ତ୍ୱରାନ୍ୱିତ ହେବା ସହ ବ୍ୟାପକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରନ୍ତା ।
           ଇତିମଧ୍ୟରେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ନିଜର ପ୍ରଚଣ୍ଡ ପ୍ରଶାସନିକ ଦକ୍ଷତାର ପ୍ରମାଣ ସ୍ୱରୂପ ସାରା ରାଜ୍ୟରେ ଜଳସେଚନ କାର୍ଯ୍ୟର ତ୍ୱରାନିତ କରାଇବା ସହ ନିର୍ମାଣ ଜନିତ ବହୁ ସମସ୍ୟାର ସମାଧାନ କରାଇବାରେ ଲାଗିଛନ୍ତି । ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ବ୍ୟୟ ଅଟ୍ଟକଳ ଚିଠା ଓ ବ୍ୟବସ୍ଥିତ ଢଙ୍ଗ ଓ ପ୍ରଶାସନିକ ମଞ୍ଜୁରୀ ଦେବାବେଳେ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କର ସତର୍କତା ଓ ବ୍ୟାପକ ସମୀକ୍ଷା ଅନ୍ୟମାନଙ୍କ ପାଇଁ ଅନୁସରଣୀୟ ବୋଲି ନିର୍ମାଣ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ବ୍ୟବସ୍ଥିତ ଢଙ୍ଗ ଅନୁଯାୟୀ କ୍ୱାଲିଟି କଂଟ୍ରୋଲ ଇଞ୍ଜିନିୟର ମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟର ତନଖି ଓ ଅନୁସନ୍ଧାନ ଦିଗରେ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କର ପ୍ରତ୍ୟକ୍ଷ ନିରୀକ୍ଷଣ ଏବଂ ସେମାନଙ୍କ ମନ୍ତବ୍ୟକୁ ବ୍ୟାପକ ସମୀକ୍ଷା ହିଁ ଜଳସେଚନ ବିଭାଗର କାର୍ଯ୍ୟକୁ ସଫଳତା ଦିଗରେ ଆଗେଇ ନେଉଛି ।
      କେତେଦିନ ପର୍ଯ୍ୟନ୍ତ ଆମର ଭାଗ୍ୟ ଆକାଶରେ ଘନଘୋର ଅନ୍ଧାର ଦେଖା ଦେଉଥିବ? କେତେଦିନ ପର୍ଯ୍ୟନ୍ତ ଓଡ଼ିଶାବାସୀ ପରିଚିତ ହୋଇ ରହିବେ ଭିକମଗା ଜାତି ହୋଇ? ତେଲେଙ୍ଗାନା ଗୋଟିଏ ନୂଆ ରାଜ୍ୟ ହୋଇ ମଧ୍ୟ ଦ୍ରୂତ ବିକାଶ ପଥରେ ଆଗେଇ ଚାଲିଛି । ଦୁର୍ଭାଗ୍ୟର କଥା ଯେ, ଆମ ପାଖରେ ଗୁଗୁଲ୍ ମ୍ୟାପ୍ ତଥା ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟାପକ ସୁବିଧା ଥାଇ ମଧ୍ୟ ଏହି ୧୬-୧୭ ବର୍ଷ ଭିତରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀରେ ୧୩ଟି ବ୍ୟାରେଜ୍ ଓ ୭ଟି ଡ଼୍ୟାମ୍ ତିଆରି ହୋଇଥିଲେ ହେଁ ଆମେ ଜାଣି ପାରିଲୁ ନାହିଁ । ଏଥିପାଇଁ ଆମ ରାଜ୍ୟ ସରକାର ଦାୟୀ ନୁହନ୍ତି କି? ଏହି ୨୦ବର୍ଷର ଶାସନ ଭିତରେ ଓଡ଼ିଶାର ଉନ୍ନତି ପାଇଁ କିଛି ଉନ୍ନତି ହୋଇଛି କି?? ବରଂ ରାଜ୍ୟ ଶାସନ ଏକ ଅନ୍ଧକାର ଗଳି ଦେଇ ଗତି କରୁଥିବା ମନେ ହେଉଛି । ରାଜ୍ୟ ବିକାଶରେ କେଉଁଠି ପ୍ରତିବନ୍ଧକ ରହିଛି, ସେଗୁଡ଼ିକ ଖୋଜା ଯାଉନାହିଁ । କାହା ପାଇଁ କେଉଁ ଯୋଜନା ଦରକାର ଏବଂ ସେହି ଯୋଜନା କିପରି ଶହେ ଭାଗ ସଫଳ ହେବ, ସେଥିପ୍ରତି ସରକାରଙ୍କର ଆଦୌ ଆନ୍ତରିକତା ନାହିଁ ।

Leave a Reply

Your email address will not be published. Required fields are marked *