କେମିତି ଚାଲିଛି ଆଦିବାସୀ ବିକାଶ ଯୋଜନା?

ଶରତ କୁମାର ରାଉତ
ଆଦିବାସୀ ମଣିଷର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ସୁଫଳ ଆଦିବାସୀ ମଣିଷ ମାନଙ୍କ ପାଖରେ ପହଂଚି ପାରିନାହିଁ । ଏହାର କାରଣ ହିଁ ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ମଧ୍ୟ ପ୍ରାୟ ୯୦ ଭାଗ ଆଦିବାସୀ ବାସିନ୍ଦା ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରୁଛନ୍ତି । ପ୍ରାୟ ୬୦ ଭାଗ ଆଦିବାସୀ ମଣିଷ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରର ବଳୟ ଭିତରେ ବଂଚୁଛନ୍ତି । କ୍ରମେ ସେମାନଙ୍କର ଆର୍ଥିକ ଅବସ୍ଥା ଗମ୍ଭୀର ହୋଇ ଚାଲିଛି । ପ୍ରତି ମୁହୂର୍ତରେ ଆଦିବାସୀ ଅଂଚଳରେ ବିଭିନ୍ନ ମାରାତ୍ମକ ରୋଗ ଜନିତ ହେଉ କି ଅନାହାର ଜନିତ ମୃତୁ୍ୟର ତାଣ୍ଡବ ସେମାନଙ୍କ ପାଇଁ ଯେମିତି ଅଭିଶାପ ହୋଇଛି । ତଥାପି ସରକାର ସେମାନଙ୍କର ଉନ୍ନତି ପାଇଁ କାମ କରୁଥିବା ପ୍ରଚାର କରି ଚାଲିଛନ୍ତି ।
ଦେଶର ମୋଟ ଜନସଂଖ୍ୟାର ୮.୦୮ ଶତକଡ଼ା ଅର୍ଥାତ୍ ୭କୋଟିରୁ ଉଦ୍ଧ୍ୱର୍ ଆଦିବାସୀ ବାସିନ୍ଦାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟ କରିବାକୁ ଆମ ସମ୍ବିଧାନରେ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ରହିଛି । ଏଥିପାଇଁ ପଂଚମ ପଂଚବାର୍ଷିକ ଯୋଜନାରେ ଆଦିବାସୀ ଉପଯୋଜନାକୁ ପ୍ରଥମ କରି ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କ ସଂଖ୍ୟାନୁପାତରେ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନା ଆଦିରେ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ଆଦିବାସୀମାନଙ୍କ ସାମୁହିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବାକୁ ୧୯୯୯ ମସିହା ଅକ୍ଟୋବରରେ ଆଦିବାସୀ ବ୍ୟାପାର ନାମକ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଥିଲା । ଆଦିବାସୀଙ୍କ ବିକାଶ ଲାଗି ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଗୁଡ଼ିକର ପ୍ରସ୍ତୁତି ତଥା ଆନୁଷଙ୍ଗିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହି ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଇତିମଧ୍ୟରେ ଆଦିବାସୀ ମଣିଷର ଉନ୍ନତି ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହଜାର ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି । ସେଥିରେ ସମ୍ବିଧାନର ୨୭୫(୧) ଧାରା ଅନୁଯାୟୀ ପରିବାର ଭିତିକ କାର୍ଯ୍ୟକ୍ରମ ତଥା ଆୟ ସୃଷ୍ଟିକାରୀ ଯୋଜନା କାର୍ଯ୍ୟକାରୀ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ବିଶେଷ ଅନୁଦାନ ଯୋଗାଇ ଦିଆଯାଉଛି । ସେହିପରି ଆଦିମ ସଂପ୍ରଦାୟ ରୂପେ ଚିହ୍ନଟ କରାଯାଇଥିବା ୭୫ଟି ଆଦିବାସୀ ଗୋଷ୍ଠୀର ସର୍ବାଙ୍ଗୀନ ବିକାଶ ପାଇଁ ୧୯୯୮-୯୯ ଆର୍ଥିକ ବର୍ଷରେ ଏକ ନୂଆ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏହି ଯୋଜନା ଅଧୀନରେ ସମନ୍ନିତ ଆଦିବାସୀ ବିକାଶ ଯୋଜନା ଓ ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଛି । ଏଥିସହ ବିଭିନ୍ନ ଆଦିବାସୀ କଲ୍ୟାଣ ଯୋଜନା ଓ ଏହି ସଂପ୍ରଦାୟର ଉନ୍ନତି ପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ଏହି ଯୋଜନା ମାଧ୍ୟମରେ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦିଆଯାଉଛି । ସେହିପରି ଆଦିବାସୀ ଉପଯୋଜନା ପରିସର ଭୁକ୍ତ ଅଂଚଳରେ କାର୍ଯ୍ୟକାରୀ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନା ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦିଆ ଯାଉଛି ।
ଆଦିବାସୀ ଯୁବକ ଯୁବତୀଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରି ସେମାନଙ୍କ ପାଇଁ ଅଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି କାର୍ଯ୍ୟକାରୀ ଧନ୍ଦାମୂଳକ ତାଲିମ ଯୋଜନା ବାବଦରେ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଛି । ସ୍ୱଳ୍ପ ସାକ୍ଷରତା ସଂପନ୍ନ ଅଂଚଳରେ ଆଦିବାସୀ ବାଳିକାଙ୍କ ଶିକ୍ଷା ଯୋଜନା ବାବଦରେ କୋଟିକୋଟି ଟଙ୍କା ଯୋଗାଇ ଦିଆ ଯାଉଛି । ଏହି ଯୋଜନା ମୁଖ୍ୟତଃ ମହିଳା ସାକ୍ଷରତା ହାର ୧୦ ଶତକଡ଼ାରୁ କମ୍ ଥିବା ଅଂଚଳରେ କାର୍ଯ୍ୟକାରୀ ହେଉଛି । ଆଦିବାସୀ ମାନଙ୍କୁ ବାଣିଜି୍ୟକ ଶୋଷଣ ଓ ଦଲାଲ ମାନଙ୍କ କବଳରୁ ରକ୍ଷା ପାଇଁ ଗଠିତ ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ ଆଦିବାସୀ ମାନଙ୍କୁ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ଓ ବଳକା କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ସହାୟତା ଯୋଗାଇ ଦେଉଛି । ଲଘୁ ବନଜାତ ଦ୍ରବ୍ୟ କାରବାର ପାଇଁ କେନ୍ଦ୍ର ସରକାର ଆଦିବାସୀ ଉନ୍ନୟନ ନିଗମ, ବନ ଉନ୍ନୟନ ନିଗମ ଓ ଲଘୁ ବନଜାତ ଦ୍ରବ୍ୟ ଉନ୍ନୟନ ମହାସଂଘକୁ ଅନୁଦାନ ଯୋଗାଇ ଦେଉଛି । ସେହିପରି ଗ୍ରାମୀଣ ଶସ୍ୟ ବ୍ୟାଙ୍କ୍ ଯୋଜନାରେ ହଜାର ହଜାର ଶସ୍ୟ ବ୍ୟାଙ୍କ ଗଠିତ ହୋଇଛି । ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତି ଯୋଜନାରେ ଅନୁଦାନ ଯୋଗାଇ ଦିଆଯାଉଛି । ଆଦିବାସୀ ମାନଙ୍କର ବିଭିନ୍ନ ଆୟ ସୃଷ୍ଟିକାରୀ ଯୋଜନା ପାଇଁ ଗଠିତ ଜାତୀୟ ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଆଦିବାସୀ ମାନଙ୍କୁ ଶହଶହ କୋଟି ଟଙ୍କାର ଋଣ ଯୋଗାଇ ଦେଉଛି ।
ଉପରୋକ୍ତ ଆଦିବାସୀ ଉନ୍ନୟନ ଯୋଜନା ଛଡ଼ା ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ଓ ସାଧାରଣ ସେବା ରହିଛି । କିନ୍ତୁ ଏହାର କଣିଚାଏ ସୁଫଳ ସାଧାରଣ ଆଦିବାସୀ ମଣିଷ ପାଖରେ ପହଂଚି ପାରୁନଥିବା ଯୋଗୁ ଯୋଜନା ଗୁଡ଼ିକ ବିଫଳ ହୋଇ ଚାଲିଛି । ଯୋଜନା ଗୁଡ଼ିକ କେବଳ କାଗଜପତ୍ରରେ କାର୍ଯ୍ୟକାରୀ ହୋଇ କୋଟିକୋଟି ଟଙ୍କା ହରିଲୁଟ୍ ହେଉଛି । ଯୋଜନାବଦ୍ଧ ଭାବେ ଗରିବ ଆଦିବାସୀର ସ୍ୱାର୍ଥ ଲୁଟ୍ ହେଉଥିଲେ ମଧ୍ୟ ଏଥିରେ ସରଳ-ନୀରିହ ଆଦିବାସୀ ମଣିଷ ପ୍ରତିବାଦ କରିପାରେ ନାହିଁ । ଏଥିଯୋଗୁ କୌଣସିଟି ଆଦିବାସୀ ଉନ୍ନୟନ ଯୋଜନା ସଫଳ ହୋଇ ପାରିନାହିଁ । ଏବେ ମଧ୍ୟ ଆଦିବାସୀ ମଣିଷ ଦାରିଦ୍ର୍ୟର କବଳରେ ବନ୍ଦି ହୋଇ ରହିଛି । ପେଟକୁ ମୁଠାଏ ଦାନା ପାଇଁ ଏବେ ବି ସେ ନିଜ ଜୀବନ-ଜିବୀକା ସହ ସଂଘର୍ଷ ଜାରି ରଖିଛି । ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛି । ଶିକ୍ଷା ଠାରୁ ବହୁ ଦୂରରେ ରହିଛି । ସାମାଜିକ ଓ ଆର୍ଥିକ ସ୍ଥିତି ବିପନ୍ନ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଏହା ସତ୍ୱେ ଗରିବୀ ହଟୁଥିବା, ସାକ୍ଷରତା ହାର ବଢୁଥିବା, ସ୍ୱାସ୍ଥ୍ୟସେବାର ଉନ୍ନତି ହେଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି ।
ତେବେ ବିଭିନ୍ନ ଯୋଜନା ବିଫଳ ହୋଇ ଚାଲିଥିବାର ଜ୍ୱଳନ୍ତ ଉଦାହରଣ ଓଡ଼ିଶାରେ ଦେଖାଯାଇପାରେ । ପରିବାର କଲ୍ୟାଣ ଭିତିକ ଯୋଜନା ଓ ଆୟ ସୃଷ୍ଟିକାରୀ ଯୋଜନାରେ ଆଦିବାସୀ ପରିବାର ଗୁଡ଼ିକ ଉପକୃତ ହୋଇପାରି ନଥିବାବେଳେ ବିଭିନ୍ନ କଲ୍ୟାଣ ଯୋଜନା ବିଫଳ ହୋଇଛି । ଆଦିବାସୀଙ୍କ ପାରମ୍ପରିକ ଆଇନ ଗୁଡ଼ିକ ବ୍ୟାଖ୍ୟା ଓ ବିଶ୍ଲେଷର ଏବଂ ପ୍ରଶିକ୍ଷଣ, ଆଲୋଚନା ଚକ୍ର ଓ କର୍ମଶାଳା ପରିଚାଳନାରେ ଆଦିବାସୀ ଗବେଶଣା ପ୍ରତିଷ୍ଠାନ ବିଫଳ ହୋଇଛି । ଛାତ୍ରୀନିବାସ ଯୋଜନା ଓ ଆଶ୍ରମ ସ୍କୁଲ୍ ଯୋଜନାରେ ନିର୍ମିତ ଗୃହ ଓ ପରବର୍ତୀ ସ୍କୁଲ୍ ପରିଚାଳନାରେ ଗୁରୁତର ବ୍ୟାହତ ସୃଷ୍ଟି ହେଉଛି । ଇତିମଧ୍ୟରେ କେବିକେ ଜିଲ୍ଲାରେ ପ୍ରାୟ ୧ହଜାର ଆବାସିକ ବିଦ୍ୟାଳୟରେ ଛାତ୍ରୀନିବାସ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ଯୋଜନାରେ ମହିଳା ସାକ୍ଷରତା ହାର ବୃଦ୍ଧି ଲକ୍ଷ୍ୟ ପୂରଣ ହୋଇ ପାରିନଥିବା ବେଳେ ଛାତ୍ରୀ ନିବାସ ଗୃହ ନିର୍ମାଣରେ କୋଟିକୋଟି ଟଙ୍କା ବାଟମାରଣା ହୋଇଛି । କେବିକେର ଅଧିକାଂଶ ଅଂଚଳ ଏହାର ସଶକ୍ତ ପ୍ରମାଣ ହୋଇ ରହିଛି । ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଖାତାପତ୍ରରେ ସୀମିତ ରହିଛି । ଆଦିବାସୀ ଉନ୍ନୟନ ନିଗମ ଆଦିବାସୀଙ୍କ ଠାରୁ ସେମାନଙ୍କ ଦ୍ୱାରା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ ଖର୍ଦ୍ଦି ବେଳେ ଦାମ୍ ଓ ଓଜନ-ମାପରେ ବ୍ୟାପକ ଭାବେ ଠକୁଥିବା ଅଭିଯୋଗ ହେଉଛି । ଆଦିବାସୀ ବିକାଶ ନାଁରେ କୋଟିକୋଟି ଟଙ୍କା ନେଇ ସ୍ୱେଚ୍ଛାସେବୀ ସଂସ୍ଥା ମାନେ କିପରି ଆଦିବାସୀଙ୍କ ଉନ୍ନତି କରୁଛନ୍ତି, ଜାଣି ହେଉନାହିଁ । ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଦ୍ୱାରା ଆଦିବାସୀ ମାନେ ଉପକୃତ ହୋଇ ପାରୁନଥିବା ବେଳେ ସମନ୍ନତି ଆଦିବାସୀ ବିକାଶ ସଂସ୍ଥା କେବଳ ଅଧିକାରୀ ଓ ଯନ୍ତ୍ରୀଙ୍କ ବିକାଶ ସଂସ୍ଥାରେ ପରିଣତ ହୋଇଛି । ରାଜ୍ୟରେ କାର୍ଯ୍ୟକାରୀ ୨୨ଟି ସମନ୍ନତି ଆଦିବାସୀ ବିକାଶ ସଂସ୍ଥା ମଧ୍ୟରୁ ଅଧିକାଂଶ ଆଦିବାସୀ ମଣିଷକୁ ଉପଯୁକ୍ତ ସେବା ଯୋଗାଇବାରେ ଫେଲ୍ ମାରିଛନ୍ତି । ମୁଖ୍ୟତଃ ନବରଙ୍ଗପୁର, ମାଲକାନାଗିରି, କେନ୍ଦୁଝର, ବାଲିଗୁଡ଼ା, କୋରାପୁଟ, ରାୟଗଡ଼ା ଓ ଫୁଲବାଣୀ ସମନ୍ନତି ଆଦିବାସୀ ବିକାଶ ସଂସ୍ଥାରେ ବ୍ୟାପକ ହେରଫେର୍ ଓ ଅନିୟମିତତା ଅଭିଯୋଗ ହୋଇଆସୁଛି । ସଂପୃକ୍ତ ଅଂଚଳରେ ଆଦିବାସୀ ଉନ୍ନୟନ ବ୍ୟବସ୍ଥା ପଙ୍ଗୁ ପାଲଟିଛି । ଅଧିକାରୀମାନେ ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ କି୍ରୟାଶୀଳ କରାଇବା ପରିବର୍ତେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଅର୍ଥ ହରିଲୁଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଯୋଜନା ଅର୍ଥ ହେରଫେର ସଂପର୍କରେ ଅନୁସଂଧାନ କରାଯାଇ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତେବେ ଆଦିବାସୀ ମଣିଷର ଭବିଷ୍ୟତ ନିଶ୍ଚୟ ଅନ୍ଧକାର ମଧ୍ୟକୁ ଗତି କରୁଛି ବୋଲି କୁହାଯାଇ ପାରିବ ।

Leave a Reply

Your email address will not be published. Required fields are marked *