ଆସ, ସବୁ ଧର୍ମକୁ ସମ୍ମାନ ଦେବା

ପ୍ରୀତିରଂଜନ ଦାସ
ଉକ୍ରଳ ବକ୍ଷରେ କେତେ ଯୋଗୀ, ଋଷି, ସାଧୁ ଜନ୍ମ ନେଇଛନ୍ତି, ତାହାର ହିସାବ ନାହିଁ । ସିଦ୍ଧି ମହାତ୍ମାଗଣ ଏହି ଭୂମିକୁ ପବିତ୍ର କରି ଚାଲିଛନ୍ତି । ସନ୍ଥ ଦର୍ଶନ ତୀର୍ଥ ଯାତ୍ରାରେ ଏଥର ଦର୍ଶନ ମିଳିବ ଏପରି ଜଣେ ସନ୍ଥଙ୍କୁ, ଯାହାଙ୍କ ଆଗମନ ନିମନ୍ତେ ଭବିଷ୍ୟବାଣୀ କରିଥିଲେ, ପଂଚଦଶ ଶତାବ୍ଦୀରେ ପଂଚଶଖା ମଧ୍ୟରୁ ସିଦ୍ଧି ଭବିଷ୍ୟତ ପ୍ରବକ୍ତା ମହାପୁରୁଷ ଅଚୁ୍ୟତାନନ୍ଦ ଗୋସ୍ୱାମୀ । ସେହି ସନ୍ଥଙ୍କ ନାମ ହେଲା, ପ୍ରେମାଚାର୍ଯ୍ୟ ବାବା ମଧୂସୁଦନ । ପୁଣି ଅଚୁ୍ୟତାନନ୍ଦ ତାଙ୍କ ତତ୍ୱାବଧାନରେ କହିଥିଲେ, “ମଧୁ ଦାସ ଅଟେ ଭକତ ଚେତା, କିଶୋରୀ ନାମଟି ଅଟେ ଗୁପତା ।” ଶିବ କଳ୍ପ ନିର୍ଘଂଟରେ ବର୍ଣ୍ଣନା କରି ଯାଇଛନ୍ତି,
“ମଧୁର କୂଳରେ ଜନମ ଲଭିବ, ମଧୁଦାସ ନାମେ ଖ୍ୟାତ, ପ୍ରାଚୀ କୂଳରେ ତା’ ଆଶ୍ରମ ହୋଇବ, ଯାଗ ଯଜ୍ଞରେ ତା’ମତ ।” ଏହି ମାପୁରୁଷଙ୍କ ଜନ୍ମ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ, ଯେଉଁ ଗ୍ରାମର ନାମ ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଗ୍ରାମର ନାମ ସ୍ୱର୍ଗ ବ୍ରହ୍ମପୁର । ୧୯୧୯ ମସିହା ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ପବିତ୍ର ଚମ୍ପକ ଦ୍ୱାଦଶୀ ତିଥିରେ ଧରା ପୃଷ୍ଠକୁ ଆଗମନ ହୋଇଥିଲା ଏହି ସନ୍ଥଙ୍କର । ଜନ୍ମ ହେବାର ଆଠ ମାସରେ ଏକ ଅଦ୍ଭୁତ ଘଟଣା ଘଟିଲା । ଯାହା ମା’ଙ୍କୁ ପୁତ୍ରର ଭବିଷ୍ୟ ସଂପର୍କରେ ସୂଚନା ଦେଇଥିଲା । ମଧୁସୂଦନଙ୍କ ବିଶେଷତ୍ୱ ଥିଲା ପିଲାବେଳେ ସର୍ବଦା ଗୋଡ଼ ଛନ୍ଦି ଛିଡ଼ା ହେବା ସହିତ କୁଟ କୁଟ (କୃଷ୍ଣ କୃଷ୍ଣ) କହି ନାଚ କରୁଥିଲେ । ଯେତେବେେ ସେ ଅବୁଝା ହେଉଥିଲେ,କୃଷ୍ଣ କୃଷ୍ଣ ଉଚ୍ଚାରଣ କଲେ ସେ ଶାନ୍ତ ହୋଇ ଯାଆନ୍ତି । ଚାଟଶାଳୀରେ ବିଦ୍ୟାରମ୍ଭ କରିଥିଲେ ସତ କିନ୍ତୁ ପୁରାଣ ଭାଗବତ ପାଠରେ ସେ ଧୁରନ୍ଧର ଥିଲେ ।
ସର୍ବଦା ମଧୁସୂଦନ କହନ୍ତି, “ସମସ୍ତଙ୍କର ଗୁରୁ ଏକ, ଐକ୍ୟଭାବଏକାକ୍ଷର ତତ୍ୱ ନବୁଝି ଯେଉଁମାନେ ତୁମ ଗୁରୁ ଜଣେ, ମୋ ଗୁରୁ ଜଣେ ବୋଲି ଭେଦ ଜ୍ଞାନ କରନ୍ତି, ସେମାନେ ଗୁରୁଙ୍କର ଅସଲ ସ୍ୱରୂପ ଜାଣନ୍ତି ନାହିଁ । ବେକରେ ପଦକ ପିନ୍ଧିଥାଆନ୍ତି, କିନ୍ତୁ ମାଳା ପିନ୍ଧନ୍ତି ନାହିଁ । ୧୯୪୦ ମସିହା ପୁରୀ ଜିଲ୍ଲା ନୟାହାଟ ଠାରେ ସେ ପ୍ରତିଷ୍ଠା କରିଥିଲେ ସର୍ବଧର୍ମ ସମନ୍ୱୟ ପୀଠ । ଯାହାକି ପା୍ରଚୀ ଗୁରୁଧର୍ମ କ୍ଷେତ୍ର ଭାବେ ପରିଚିତ । ପ୍ରତ୍ୟେକ ଧର୍ମର, ପ୍ରତ୍ୟେକ ସଂପ୍ରଦାୟର ଓ ପ୍ରତ୍ୟେକ ଗୁରୁଙ୍କର ଲକ୍ଷ୍ୟ ଏକ । ଏହି ମହାନ ଉକ୍ତିକୁ ସତ୍ୟରେ ପ୍ରତିଷ୍ଠା କରିବା ପାଇଁ ସେ ଆଶ୍ରମ ପରିସରରେ ଗଢି ତୋଳିଥିଲେ ମହାମାନବ ମନ୍ଦିିର । ସର୍ବଦା ଆଶ୍ରମରେ ଉଷୁନା ଅନ୍ନ ପ୍ରସାଦ ସହିତ ପିତା ଓ ଅଲଣା ତିଆରି ପ୍ରସାଦ ଲାଗି ହୋଇଥାଏ ।
ଯାହାଙ୍କ କାର୍ଯ୍ୟ, ଆଚରଣ, ସତ୍ୟ, ଅହିଂସା, ଅକ୍ରୋଧ, ଇନ୍ଦ୍ରୀୟ ସଂଯମ, ଦୟା, କ୍ଷମା, ଧୈର୍ଯ୍ୟ, ଜ୍ଞାନ, ନିଷ୍କାମ ପ୍ରେମ, ସହନଶୀଳତା ଓ ସେବା ପ୍ରଭୃତି ଦ୍ୱାଦଶ ସଦ୍ଗୁଣାବଳୀର ବିକାଶ ସାଧନ ହିଁ ପ୍ରକୃତ ସର୍ବଧର୍ମ ସମନ୍ୱୟ ସତ୍ୟଧର୍ମ ବୋଲି ସେ ମତ ଦେଇଥିଲେ । ସମସ୍ତଙ୍କର ଗୋଟିଏ ଧର୍ମ, ଗୋଟିଏ ଗୁରୁ ବୋଲି ଚିନ୍ତା କରି ଭେଦ ଜ୍ଞାନ ପରିତ୍ୟାଗ କରିବାକୁ ବିଭିନ୍ନ ଅଂଚଳରେ ପଦଯାତ୍ରା ସହିତ କାନ୍ଥ ଓ ପ୍ରାଚୀରରେ ପ୍ରଚାର ପତ୍ର ମାଧ୍ୟମରେ ସେ ଜନସାଧାରଣଙ୍କୁ ସୁଚାଉଥିଲେ । ମଧୁସୂଦନ ରାଧାକୃଷ୍ଣ ପ୍ରେମ ବିଷୟରେ ଭକ୍ତମାନଙ୍କୁ କୁହନ୍ତି- ‘ବାବାଜୀକୁ ପଛେ ଭୁଲିଯାଅ, କୃଷ୍ଣଙ୍କୁ କେହି ନ ଭୁଲ ।’ ସର୍ବସାଧାରଣଙ୍କ ଶିକ୍ଷଣାର୍ଥେ ସ୍ଥାପନ କରା ଯାଇଛି ଏଠାରେ ମହା ମାନବ ମନ୍ଦିିର । ଏଥିରେ ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ, ଅନୁକୂଳଚନ୍ଦ୍ର, ନିଗମାନନ୍ଦ, ନାନକ, କବୀର ଆଦି ମହାପୁରୁଷଙ୍କ ମହାନ ବାଣୀ ଲିପିବଦ୍ଧ କରାଯାଇଛି । ସର୍ବଧର୍ମ ମତବାଦକୁ ସ୍ୱୀକୃତି ଦେଉଥିବା ଏହା ସ୍ୱତନ୍ତ୍ର ପୀଠ । ୧୯୮୦ରୁ ଚାଲୁ ରହିଛି ଅଖଣ୍ଡ ନାମ “ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ” ଓ ଜଳୁଛି ଅଖଣ୍ଡ ଦୀପ । ଆଶ୍ରମରେ କୃଷ୍ଣ ମନ୍ଦିର, ମା’ଶ୍ୟାମାକାଳୀ ଓ ଦୁର୍ଗାମଧବ ମନ୍ଦିର ସହ ପ୍ରାୟ ୧୫ ଟି ମନ୍ଦିର ଶୋଭା ପାଉଛି । ପ୍ରତ୍ୟେକ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଦୈନିକ ଭିକ୍ଷା କରାଯାଇ ପ୍ରସାଦ ବ୍ୟବସ୍ଥା କରାଯାଇଥାଏ । ଦେଶର ସ୍ୱାଧୀନତା ପରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ଭାବ ଦେଖା ଦେଇ ଯେଉଁ ବିଭେଦ ଓ ଅସ୍ଥିରତା ଦେଖା ଦେଇଥିଲା, ସେ ସମୟରେ ବାବା ମଧୁସୂଦନ ଅତ୍ୟନ୍ତ ମର୍ମାହତ ହୋଇ ସବୁ ଧର୍ମ ମଧ୍ୟରେ ଏକ ଉଦାର ଯୋଗସୂତ୍ର ରୂପେ ସ୍ୱଲିଖନରୁ ଆବୃତି କରିଥିଲେ “ସମସ୍ତଙ୍କର ଗୋଟିଏ ଧର୍ମ, ସତ୍ୟ, ଶ୍ୱାଶ୍ୱତ, ସାମ୍ୟ ଓ ପ୍ରେମ । ସମସ୍ତଙ୍କର ଗୁରୁ ଗୋଟିଏ । “ଆତ୍ମା ଅଟଇ ତାଙ୍କରି ନାମ” ଏହିପରି ଅନେକ…… ।
ଶ୍ରୀ ଗୁରୁ୍ଦେବଙ୍କ ୧୦୧ ତମ ଶୁଭ ଆବିର୍ଭାବ ଦିବସ ଓଡିଶାର ସମସ୍ତ ଶାଖା ଆଶ୍ରମରେ ପାଳିତ ହେଉଛି । ଏହି ଦିନକୁ ଅପେକ୍ଷା କରିଥାନ୍ତି ଗ୍ରାମବାସୀ, ଅଂଚଳର ଆବାଳ ବୃଦ୍ଧ ବନିତା, ଗୁରୁଭକ୍ତ ଓ ଶ୍ରଦ୍ଧାଳୁ ମାନେ । ସମସ୍ତେ ସମବେତ ହୋଇ ପ୍ରେମାଚାର୍ଯ୍ୟଙ୍କ ଚରିତାମୃତ ଚିନ୍ତନ କରନ୍ତି । ସମସ୍ତ ସାଧୁ ସନ୍ଥ ଏକତ୍ରିତ ହୋଇଥାନ୍ତି । ଏହି ଦୁର୍ଲଭ ଦିବସରେ ସମସ୍ତେ ଏକାକାର ହେବା ଏବଂ ଗୁରୁ୍ଦେବ ଆରମ୍ଭ କରିଥିବା ବାରକୁଂଜ ନିର୍ମାଣକୁ ଆଗେଇ ନେବା ପାଇଁ ସମସ୍ତେ ସଂକଳ୍ପ ନେବା ଏହାହିଁ କାମନା ।

Leave a Reply

Your email address will not be published. Required fields are marked *