ମା’କାମାକ୍ଷା ଦେବୀଙ୍କ ଆଦି ଶକ୍ତିପୀଠ ଆସାମ

ଶରତ କୁମାର ରାଉତ
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ସେ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ଆଦିଶକ୍ତି ପୀଠ ହେଲେ, (୧)ପୁରୀ ଶ୍ରୀମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ) ଓ ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) । ଓଡ଼ିଶାରେ ମଧ୍ୟ ଗୋଟିଏ ମହା ଶକ୍ତିପୀଠ ମା’ “ବିରଜା” ରହିଛନ୍ତି ।
ଆଦି ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଆସାମର ଗୁଆହାଟୀ ନିକଟସ୍ଥ ମା’କାମାକ୍ଷା ଦେବୀଙ୍କ ପୀଠ ଅନ୍ୟତମ । ଏହି ଶକ୍ତିପୀଠ ଗୁଆହାଟୀ ଠାରୁ ପଶ୍ଚିମକୁ ମାତ୍ର ଆଠ କି.ମି.ଦୂର ନୀଳାଚଳ ପର୍ବତ ଉପରେ ଅବସ୍ଥିତ । ମା’ଙ୍କ ସମସ୍ତ ଶକ୍ତିପୀଠ ମଧ୍ୟରେ କାମାକ୍ଷା ଶକ୍ତିପୀଠକୁ ସର୍ବୋତମ ବୋଲି କୁହାଯାଏ । ଏଠାରେ ମା’ସତୀଙ୍କ ଯୋନିଖଣ୍ଡ ପଡ଼ିଥିବାରୁ ଏହି ଶକ୍ତିପୀଠର ଉତ୍ପତି ହୋଇଥିଲା । ଆହୁରି ମଧ୍ୟ କୁହାଯାଏ ଯେ, ଏଠାରେ ଦେବୀଙ୍କ ଯୋନି ଭାଗ ଥିବାରୁ ଏଠାରେ ମାତା ରଜସ୍ୱଳା ହୁଅନ୍ତି ।
କାମାକ୍ଷା ମନ୍ଦିରରେ ଦେବୀଙ୍କର କୌଣସି ମୂର୍ତି ନାହିଁ । ଦେବୀଙ୍କ ଯୋନି ଅଂଶକୁ ହିଁ ପୂଜା କରାଯାଏ । ମନ୍ଦିରରେ ଗୋଟିଏ କୁଣ୍ଡ ରହିଛି, ଯାହା ସବୁବେଳେ ଫୁଲରେ ଢଙ୍କା ହୋଇ ରହିଛି । ଏହା ନିକଟରେ ଥିବା ଏକ ମନ୍ଦିରରେ ଦେବୀଙ୍କ ମୂର୍ତି ସ୍ଥାପିତ ହୋଇଛି । ଏହି ପୀଠକୁ ମାତାଙ୍କ ସବୁ ପୀଠ ମଧ୍ୟରେ ମହାପୀଠ ଭାବେ ଧରାଯାଏ । ଏହି ପୀଠ ସଂପର୍କରେ ଅନେକ ରୋଚକ କାହାଣୀ ମାନ ରହିଛି । ଏହି ସ୍ଥାନରେ ମା’ଙ୍କ ଯୋନି ଅଂଶ ପଡ଼ି ଥିବାରୁ ଏଠାରେ ମାତା ପ୍ରତିବର୍ଷ ତିନିଦିନ ପାଇଁ ରଜସ୍ୱଳା ହୁଅନ୍ତି । ଏହି ସମୟରେ ମନ୍ଦିରକୁ ବନ୍ଦ ରଖାଯାଏ । ତିନିଦିନ ପରେ ମନ୍ଦିରକୁ ବହୁ ଆନନ୍ଦ-ଉତ୍ସାହର ସହ ଖୋଲାଯାଏ । କାମାକ୍ଷା ମନ୍ଦିର ତନ୍ତ୍ରବିଦ୍ୟାର ସବୁଠୁ ବଡ଼ କେନ୍ଦ୍ର ବୋଲି କୁହାଯାଏ । ପ୍ରତ୍ୟେକ ବର୍ଷର ଜୁନ୍ ମାସରେ ଏଠାରେ ଏକ ବଡ଼ ମେଳାର ଆୟୋଜନ ହୁଏ । ଦେଶର କୋଣ ଅନୁକୋଣରୁ ସାଧୁ-ସନ୍ଥ ଓ ତାନ୍ତ୍ରିକ ମାନେ ଏହି ମେଳାରେ ଏକତି୍ରତ ହୋଇ ତନ୍ତ୍ର ସାଧନା କରନ୍ତି । କୁହାଯାଏ ଯେ,ଏହି ସମୟରେ ମା’ଙ୍କର ରଜସ୍ୱଳା ହେବାର ପର୍ବ ପାଳନ କରାଯାଏ ଓ ଏତିକିବେଳେ ବ୍ରହ୍ମପୁତ୍ର ନଦୀର ପାଣି ତିନିଦିନ ପାଇଁ ଲାଲା ହୋଇଯାଏ ।
ଏଠାରେ ଭକ୍ତ ମାନଙ୍କୁ ପ୍ରସାଦ ଭାବରେ ଏକ ଓଦା କପଡ଼ା ଦିଆଯାଏ, ଯାହାକୁ ଅମ୍ବୁବାଚୀ ବସ୍ତ୍ର କୁହାଯାଏ । ଦେବୀ ରଜସ୍ୱଳା ହେବା ସମୟରେ ପ୍ରତିମାର ପାଶ୍ୱର୍ରେ ଧଳା କପଡ଼ା ବିଛାଇ ଦିଆଯାଏ । ତିନିଦିନ ପରେ ଯେତେବେଳେ ମନ୍ଦିରର ଦ୍ୱାର ଖୋଲାଯାଏ, ସେହି କପଡ଼ା ମାତାଙ୍କ ରଜରେ ଲାଗି ଲାଲ ରଙ୍ଗରେ ଭିଜି ଯାଇଥାଏ । ପରେ ଏହି ବସ୍ତ୍ରକୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରସାଦ ଭାବରେ ବାଂଟି ଦିଆଯାଏ । ଏକ କାହାଣୀ ଅନୁସାରେ, ନରକ ନାମରେ ଏକ ଅସୁର ଥିଲା । ସେ ମା’କାମାକ୍ଷା ଦେବୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ରଖିଲା । ଦେବୀ ତାକୁ ବିବାହ କରିବାକୁ ଚାହୁଁନଥିଲେ । ଏଥିପାଇଁ ସେ ନରକ ପାଖରେଏକ ସର୍ତ ରଖିଲେ । ସର୍ତ ଥିଲା ଯେ, ଯଦି ନରକ ଗୋଟିଏ ରାତିରେ ଏହି ସ୍ଥାନରେ ରାସ୍ତା ଘାଟ ଓ ମନ୍ଦିର ଆଦି ତିଆରି କରିଦେବ, ତେବେ ଦେବୀ ତାକୁ ବିବାହ କରିବେ! ନରକ ଏହି ସର୍ତ ପୂରଣ ପାଇଁ ଭଗବାନ ବିଶ୍ୱକର୍ମାଙ୍କୁ ଡ଼ାକିଲେ ଓ କାମ ଆରମ୍ଭ କରିଦେଲା ।
କାମ ସଂପୂର୍ଣ୍ଣ ହୋଇଯିବା ଦେଖି ରାତି ପାହିବା ପୂର୍ବରୁ ମା’ କାମାକ୍ଷୀ ଦେବୀ କୁକୁଡ଼ା ଦ୍ୱାରା ସକାଳ ହୋଇ ଯିବାର ସୂଚନା ପ୍ରଘଟ କରାଇ ଦେଲେ ଓ ବିବାହ ହୋଇ ପାରିଲା ନାହିଁ । ଆଜି ବି ପର୍ବତ ତଳୁ ଉପରକୁ ଯାଇଥିବା ରାସ୍ତାକୁ ନରକାସୁର ରାସ୍ତା ନାମରେ ଜଣାଶୁଣା । ଆଉ ଯେଉଁ ମନ୍ଦିରରେ ମାତାଙ୍କ ମୂର୍ତି ସ୍ଥାପିତ ହୋଇଛି, ତାହାକୁ କାମାଦେବ ମନ୍ଦିର କୁହାଯାଏ । ମନ୍ଦିର ସଂପର୍କରେ କୁହାଯାଏ ଯେ, ନରକାସୁରର ଅତ୍ୟାଚାରରେ କାମାକ୍ଷା ଦେବୀଙ୍କ ଦର୍ଶନରେ ମଧ୍ୟ ବହୁ ବାଧାବିଘ୍ନ ଉତ୍ପନ୍ନ ହୋଇଥିଲା, ଯେଉଁଥିପାଇଁ କ୍ରୋଧିତ ହୋଇ ମହର୍ଷି ବଶିଷ୍ଟ ଏହି ସ୍ଥାନକୁ ଅଭିଶାପ ଦେଇଥିଲେ । ଅଭିଶାପ ଯୋଗୁ ସମୟ ସହିତ କାମାକ୍ଷା ପୀଠ ଲୁପ୍ତ ହୋଇଗଲା ବୋଲି ମଧ୍ୟ କୁହାଯାଏ । ୧୬ଶ ଶତାବ୍ଦୀରେ କାମରୂପ ପ୍ରଦେଶର ରାଜ୍ୟ ଗୁଡ଼ିକ ମଧ୍ୟରେ ଯୁଦ୍ଧ ଲାଗି ରହିଲା । ଶେଷରେ କୁଚବିହାର ଦେଶୀୟ ରାଜ୍ୟର ରାଜା ବିଶ୍ୱ ସିଂହ ବିଜୟୀ ହେଲେ । ଯୁଦ୍ଧରେ ବିଶ୍ୱ ସିଂହଙ୍କ ଭାଇ ହଜି ଯାଇଥିଲେ ଓ ନିଜ ଭାଇକୁ ଖୋଜିବା ପାଇଁ ସେ ଚାରିଆଡ଼େ ବୁଲୁ ବୁଲୁ ନୀଳାଚଳ ପର୍ବତ ଉପରେ ପହଂଚିଲେ । ସେଠାରେ ତାଙ୍କୁ ଏକ ବୃଦ୍ଧା ମହିଳା ଦେଖାଗଲେ । ସେହି ମହିଳା ରାଜାଙ୍କୁ ଏହି ସ୍ଥାନର ମହତ୍ୱ ଓ ଏଠାରେ କାମାକ୍ଷା ପୀଠ ଅବସ୍ଥିତ ଥିବା କଥା କହିଲେ । ଏକଥା ଜାଣି ରାଜା ଏହି ସ୍ଥାନକୁ ଖୋଳିବା ଆରମ୍ଭ କରାଇଲେ । ଖୋଳା ହେବାବେଳେ କାମଦେବଙ୍କ ଦ୍ୱାରା ନିର୍ମିତ ମୂଳ ମନ୍ଦିରର ତଳ ଭାଗ ବାହାରିଲା । ରାଜା ସେହି ମନ୍ଦିର ଉପରେ ନୂଆ ମନ୍ଦିର ନିର୍ମାଣ କଲେ । କୁହାଯାଏ ଯେ, ୧୫୬୪ ମସିହାରେ ମୁସଲିମ୍ ଆକ୍ରମଣକାରୀ ମାନେ ମନ୍ଦିରକୁ ଭାଙ୍ଗି ଦେଇଥିଲେ, ଯାହାକୁ ବିଶ୍ୱ ସିଂହଙ୍କ ପୁତ୍ର ନରନାରାୟଣ ପୁଣି ନିର୍ମାଣ କରିଥିଲେ ।
କାମାକ୍ଷା ମନ୍ଦିରର ଅଳ୍ପ ଦୂରରେ ଉମାନନ୍ଦ ଭୈରବଙ୍କ ମନ୍ଦିର ରହିଛି । ଉମାନନ୍ଦ ଭୈରବ ହିଁ ଏହି ଶକ୍ତିପୀଠର ଭୈରବ । ଏହି ମନ୍ଦିର ବ୍ରହ୍ମପୁତ୍ର ନଦୀ ମଧ୍ୟରେ ରହିଛି । କୁହାଯାଏ ଯେ, ଏହି ଦେବତାଙ୍କ ଦର୍ଶନ ବିନା କାମାକ୍ଷା ଦେବୀଙ୍କ ଯାତ୍ରା ଅଧୂରା ରହିଯାଏ । କାମାକ୍ଷା ଦେବୀ ମନ୍ଦିର ଯାତ୍ରାକୁ ସଂପୂର୍ଣ୍ଣ ପାଇଁ ଓ ନିଜର ସମସ୍ତ ମନୋକାମନା ପୂର୍ଣ୍ଣ ପାଇଁ କାମାକ୍ଷା ଦେବୀଙ୍କ ଦର୍ଶନ ପରେ ଉମାନନ୍ଦ ଭୈରବଙ୍କ ଦର୍ଶନ ଅନିବାର୍ଯ୍ୟ ଅଟେ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *