ଦକ୍ଷିଣ କାଳୀଙ୍କ ଶକ୍ତିପୀଠ କୋଲକାତା

ଶରତ କୁମାର ରାଉତ
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ସେ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ପୃଥିବୀରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି ।
ଆଦି ଶକ୍ତିପୀଠ ଗୁଡ଼ିକ ମଧ୍ୟରେ କାଳୀଘାଟର କାଳୀ ମନ୍ଦିର ପୀଠ ଅନ୍ୟତମ । ହୁଗୁଳି ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିର ସାରା ପୃଥିବୀରେ ପ୍ରସିଦ୍ଧ । ଏହି ମନ୍ଦିର ସଂଲଗ୍ନ ଘାଟ କାଳୀଘାଟ ନାମରେ ବିଖ୍ୟାତ । ପୂର୍ବକାଳରେ ଗଙ୍ଗାଘାଟ ମନ୍ଦିର ସହିତ ଏକଦମ ଲାଗି ରହିଥିଲା । କିନ୍ତୁ ଏବେ ଏହା ଟିକେ ଦୂରରେ ରହିଛି । ଏହି ମନ୍ଦିର୧୭ଶ ଶତାବ୍ଦୀର ବୋଲି କୁହାଯାଉଛି । କାଳୀଘାଟ କାଳୀ ମନ୍ଦିରର ଅନେକ ବିଷେଶତ୍ୱ ରହିଛି । କାଳୀଘାଟରେ ମା’ ସତୀଙ୍କ ଡ଼ାହାଣ ପାଦର ଅଙ୍ଗୁଳି ପଡ଼ିଥିଲା । ପୁରାଣରେ କାଳୀଙ୍କୁ ଶକ୍ତିର ରୌଦ୍ରାବତାର ଭାବେ ପୂଜା କରାଯାଏ ଓ ପ୍ରତିମା ବା ମୂର୍ତିରେ ଦେବୀଙ୍କୁ ବିକଟାଳ ରୂପରେ ଦେଖାଯାଏ । ବେକରେ ମୁଣ୍ଡମାଳ ଓ ଅଂଟାରେ କଟା ହାତର ଘାଘରା ପିନ୍ଧିବା, ଗୋଟିଏ ହାତରେ ରକ୍ତଲଗା ଖଡ୍ଗ ଓ ଅନ୍ୟ ହାତରେ ଖପ୍ପର ଧାରଣ କରି ଶୋଇଥିବା ଭଗବାନ ଶଙ୍କରଙ୍କ ଉପରେ ଛିଡ଼ା ହୋଇ ଲମ୍ବା ଜିଭ ଦର୍ଶା ଯିବା ଦେଖାଯାଏ । କିନ୍ତୁ କାଳୀଘାଟ ମନ୍ଦିରରେ ଦେବୀଙ୍କ ପ୍ରତିମାରେ ମା’କାଳିକା ଙ୍କ ମସ୍ତକ ଓ ଚାରି ହାତ ଦେଖାଯାଏ । ଏହି ପ୍ରତିମା ଏକ ଚତୁର୍ଭୁଜ ଆକାରର କଳା ପଥରରେ ତିଆରି କରାଯାଇଛି । ଏଠାରେ ଲାଲ୍ ବସ୍ତ୍ର ପିନ୍ଧିଥିବା ମା’କାଳୀଙ୍କ ଜିଭ ବହୁତ ଲମ୍ବା, ଯାହା ସୁନାରେ ତିଆରି ହୋଇଛି । ସେହିପରି ମା’ଙ୍କର ସୁନାର ଦାନ୍ତ । ଆଖି ତଥା ମୁଣ୍ଡ ଗେରୁଆ ସିନ୍ଦୁର ରଙ୍ଗର ହୋଇଥିବା ବେଳେ ମଥାରେ ମଧ୍ୟ ଗେରୁଆ ସିନ୍ଦୁରର ତିଲକ ରହିଛି । ମା’ଙ୍କ ପ୍ରତିମାର ହାତ ସ୍ୱର୍ଣ୍ଣ ଅଳଙ୍କାର ଓ ବେକ ଲାଲ୍ ପୁଲର ମାଳାରେ ସୁସଜ୍ଜିତ । ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସହିତ ସିନ୍ଦୁର ମଧ୍ୟ ଦିଆଯାଏ ।
କାଳୀଘାଟ କାଳୀ ମନ୍ଦିରର ଅପୂର୍ବ ପରମ୍ପରା ରହିଛି । ବଙ୍ଗଳାରେ କାଳୀପୂଜା ଦିନ ଯେଉଁଠି ଘର ଓ ମଣ୍ଡପରେ କାଳୀଙ୍କ ଆରାଧନା କରାଯାଏ, ସେଠାରେ ଏହ ଶକ୍ତିପୀଠରେ ଲକ୍ଷ୍ମୀସ୍ୱରୂପା ଦେବୀଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଦୁର୍ଗାପୂଜା ବେଳେ ଷଷ୍ଠି ରୁ ଦଶମୀ ଯାଏ ମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିରହେ । ଦୂର୍ଗାପୂଜା ସମୟରେ ଦଶମୀ ତିଥିରେ ହିଁ ମହିଳା ମାନଙ୍କ ପାଇଁ ସିନ୍ଦୁର ଖେଳର ଭବ୍ୟ ଆୟୋଜନ ହୋଇଥାଏ । ଏହି ଲକ୍ଷ୍ମୀ ମନ୍ଦିରରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କେବଳ ମହିଳା ମାନେ ପ୍ରବେଶ କରିବାର ସୁଯୋଗ ପାଆନ୍ତି । ଏହି ସମୟରେ ପୁରୁଷ ମାନଙ୍କର ମନ୍ଦିର ପ୍ରବେଶ ସଂପୂର୍ଣ୍ଣ ନିଷେଧ ରହିଥାଏ । ଏଠାରେ ପ୍ରତିଦିନ ମା’କାଳୀଙ୍କ ପାଇଁ ଛପନ ଭୋଗ ଲଗା ଯିବାର ବ୍ୟବସ୍ଥା ରହିଛି । ଏଠାରେ ମୂଳ ପୂଜା ଠାରୁ ଆରମ୍ଭ କରି ସିନ୍ଦୁର ଖେଳ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ।
ଦକ୍ଷିଣେଶ୍ୱର କାଳୀ ମନ୍ଦିର ଗଙ୍ଗାର ପୂର୍ବ ତଟରେ ଅବସ୍ଥିତ । ଏହା ମା’କାଳୀଙ୍କର ଏକ ଭବ୍ୟ ମନ୍ଦିର ଭାବେ ଖ୍ୟାତ । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୧୮୪୭ ଶତାବ୍ଦୀରେ ଆରମ୍ଭ ହୋଇଥିଲା । କୁହାଯାଏ ଯେ, ଜାନ୍ ବଜାରର ମହାରାଣୀଙ୍କୁ ସ୍ୱପ୍ନରେ ମା’କାଳୀ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇଥିଲେ । ଏହି ଭବ୍ୟ ମନ୍ଦିରରେ ମା’ଙ୍କର ମୂର୍ତି ଶ୍ରଦ୍ଧାର ସହ ସ୍ଥାପିତ ହୋଇଛି । ୧୮୫୫ ରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେଇଥିଲା । ଏହି ମନ୍ଦିର ୨୫ ଏକର ଜମି ଉପରେ ଅବସ୍ଥିତ । ଦକ୍ଷିଣେଶ୍ୱର ମା’କାଳୀ ମନ୍ଦିରର ଭିତର ଭାଗରେ ରୂପାରେ ତିଆରି ଏକ ପଦ୍ମ ଫୁଲ ଭିତରେ ରହିଛି ଏକ ହଜାର ପାଖୁଡ଼ା, ଯାହାର ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମେ । ଏହି ପଦ୍ମ ଫୁଲ ଉପରେ ମା’କାଳୀ ନିଜ ଅସ୍ତ୍ରଶସ୍ତ୍ର ଧରି ଭଗବାନ ଶିବଙ୍କ ଉପରେ ଛିଡ଼ା ହୋଇଥିବା ଦେଖାଯାଏ । ମା’କାଳୀଙ୍କ ମନ୍ଦିର ନବରତ୍ନ ଭଳି ନିର୍ମିତ ହୋଇଛି । ଏହାର ଓସାର ୪୬ ଫୁଟ ଓ ଉଚ୍ଚତା ୧୦୦ଫୁଟ ।
ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ୧୨ ଟି ଗମ୍ବୁଜ ରହିଛି । ଏହି ବିଶାଳ ମନ୍ଦିରର ଚାରିପାଖରେ ଭଗବାନ ଶିବଙ୍କର ୧୨ ଟି ମନ୍ଦିର ସ୍ଥାପିତ ହୋଇଛି । ମା’କାଳୀଙ୍କ ମନ୍ଦିର ବିଶାଳ ସୌଧ ଭଳି ମଜଭୁତ ଚଟାଣ ଉପରେ ରହିଛି ।
ଦୁର୍ଗାପୂଜା ବେଳେ କୋଲକାତାର କାଳୀଘାଟ ଓ ଦକ୍ଷିଣେଶ୍ୱର କାଳୀ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ସେଥିପାଇଁ ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’ଙ୍କ କାଳୀପୂଜା ବେଳେ କୋଲକାତା ଆସିଥାନ୍ତି । ନବରାତି୍ରରେ ଏଠାରେ ମୂଳ ପୂଜା ଠାରୁ ଆରମ୍ଭ କରି ସିନ୍ଦୁର ଖେଳ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *