ଯାଜପୁରରେ ମା’ବିରଜା ଦେବୀଙ୍କ ଶକ୍ତିପୀଠ

ଶରତ କୁମାର ରାଉତ
ବିରଜା(ଗିରିଜା)କ୍ଷେତ୍ର ମହାତ୍ମ୍ୟରେ ବର୍ଣ୍ଣିତ କଥା ଅନୁସାରେ ଭଗବାନ ବ୍ରହ୍ମା ଥରେ ବୈତରଣୀ ନଦୀ କୂଳରେ ଏକ ଯଜ୍ଞର ଆୟୋଜନ କରିଥିଲେ । ଯଜ୍ଞ ସମୟରେ ଦେବୀ ପାର୍ବତୀ ଯଜ୍ଞ କୁଣ୍ଡରୁ ମହିଶାସୁର ମର୍ଦ୍ଦିନ ରୂପରେ ଆବିର୍ଭୁତ ହେଲେ । ଭଗବାନ ବ୍ରହ୍ମାଙ୍କର ଏଭଳି ଉଦ୍ୟମ ଯୋଗୁ ମାତା ଅତି ପ୍ରସନ୍ନ ହୋଇଗଲେ । ମାତା ଭଗବାନ ବ୍ରହ୍ମାଙ୍କୁ ନିଦେ୍ର୍ଦଶ ଦେଲେ ଯେ, ସେ ତାଙ୍କୁ ବିରଜା ନାମରେ ନାମିତ କରାନ୍ତୁ । ଭଗବାନ ବ୍ରହ୍ମା ତାହା ହିଁ କଲେ । ଏହା ସହିତ ସେହି ସ୍ଥାନରେ ଭଗବାନ ଶିବଙ୍କ ପତ୍ନୀ ରୂପରେ ଅଧିଷ୍ଠିତ ହୋଇ ଏହି କ୍ଷେତ୍ରକୁ ଧନ୍ୟ କରିବାକୁ ଦେବୀ ମାତାଙ୍କୁ ଭଗବାନ ବ୍ରହ୍ମା ପ୍ରାର୍ଥନା କଲେ । ଦେବୀ ମା’ ଭଗବାନ ବ୍ରହ୍ମାଙ୍କ ପ୍ରସ୍ତାବରେ ରାଜି ହୋଇଗଲେ । ମାତା ଏକ ଦ୍ୱିଭୂଜା ଦେବୀଙ୍କ ରୂପ ଧାରଣ କରିନେଲେ । ମାତା ନିଜର ଗୋଟିଏ ହାତରେ ମହିଶାସୁରର ଲାଂଜ ଧରିଥିବାବେଳେ ଅନ୍ୟ ହାତରେ ଏକ ତି୍ରଶୂଳ ଧରିଥିଲେ, ଯାହା ଦାନବର ଛାତିରେ ଭୁସି ହୋଇ ରହିଥିଲା । ମାତା ନିଜ ମସ୍ତିଷ୍କରୁ ନବଦୁର୍ଗା, ଆଠ ଚଣ୍ଡିକା, ଚୌଷଠି ଯୋଗିନୀ ମାନଙ୍କୁ ସୃଷ୍ଟି କରି ଏହି କ୍ଷେତ୍ରକୁ ଏକ ଶକ୍ତିଶାଳୀ ଶକ୍ତି ସ୍ଥଳ ଭାବରେ ନିର୍ମାଣ କରିଦେଲେ । ପୁଣି ଏହି କ୍ଷେତ୍ରର ସୁରକ୍ଷା ପାଇଁ ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ଶିବ ଲିଙ୍ଗ ସ୍ଥାପିତ କଲେ । ପଶ୍ଚିମ କୋଣରେ ଉତରେଶ୍ୱର/ବିଲ୍ୱେଶ୍ୱର, ଦକ୍ଷିଣ-ପୂର୍ବ କୋଣରେ ବରୁଣେଶ୍ୱର ଓ ଉତର-ପୂର୍ବ କୋଣରେ କିଲାଟେଶ୍ୱର/କିଲଟେଶ୍ୱରଙ୍କୁ ସ୍ଥାପିତ କଲେ । ଆଉ ମା’ବିରଜା ଦେବୀ ସ୍ୱୟଂ ଏମାନଙ୍କ ମଝିରେ ଅଧିଷ୍ଠିତ ହୋଇଗଲେ । ଏହି ସ୍ଥାନ ଏକ ପାବନ ତୀର୍ଥ ଭାବରେ ପରିଗଣିତ ହେଲା ।
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ସେ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ପୃଥିବୀରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ମଧ୍ୟଯୁଗ ସମୟରେ ବି ବିରଜା କ୍ଷେତ୍ର ଏକ ଶକ୍ତିପୀଠ ଭାବେ ପରିଚିତ ଥିଲା । ଯେହେତୁ ଏହି ସ୍ଥାନ ଭଗବାନ ବିଷ୍ଣୁଙ୍କ ଦ୍ୱାରା ମାତା ସତୀଙ୍କ ଶବକୁ ସୁଦର୍ଶନ ଚକ୍ର ଦ୍ୱାରା କଟାଯିବା ବେଳେ ମାତାଙ୍କ ନାଭି ଖଣ୍ଡ ଏଠାରେ ପଡ଼ିଥିଲା । ଏହି କାରଣରୁ ବିରଜା କ୍ଷେତ୍ର “ନାଭିପୀଠ” ଭାବରେ ମଧ୍ୟ ବିଖ୍ୟାତ ।
       ଏହି “ନାଭିପୀଠ”ରେ କିନ୍ତୁ ଦେବୀ ଦୁର୍ଗା ମା’ବିରଜା ମନ୍ଦିର ପରିସର ମଧ୍ୟରେ ଥିବା ଅନ୍ୟ ଏକ ମନ୍ଦିରରେ ପୂଜା ପାଉଛନ୍ତି । ସେହିପରି ଭଗବାନ ଭୈରବ ବା ଶିବ ଉକ୍ତ ପରିସର ମଧ୍ୟରେ ଥିବା ଅନ୍ୟ ଏକ ମନ୍ଦିରରେ ପୂଜା ପାଉଛନ୍ତି । ଏହି ମହାନ ଶକ୍ତିପୀଠରେ ମଧ୍ୟ ବିଭିନ୍ନ ଆକାରର୧୦୮ ଟି ଶିବଲିଙ୍ଗ ପୂଜା ପାଉଛନ୍ତି । ସେମାନଙ୍କ ମଧ୍ୟରେ ୫୪ଟି ଶିବଲିଙ୍ଗ ଏକ ବଡ଼ ମନ୍ଦିରରେ ସ୍ଥାପିତ ହୋଇଥିବା ବେଳେ ଅନ୍ୟ ୪୨ଟି ଶିବଲିଙ୍ଗ ଏକ ଛୋଟ ମନ୍ଦିରରେ ଏବଂ ବାକି ୧୨ଟି ଶିବଲିଙ୍ଗ ମନ୍ଦିର ପରିସରସ୍ଥ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି । ମା’ବିରଜାଙ୍କ ପବିତ୍ର ମନ୍ଦିର ୧୩ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏଠାରେ ଦେବୀ ଦୁର୍ଗା ମା’ବିରଜା ରୂପରେ ପୂଜା ପାଆନ୍ତି । ଏହି ସ୍ଥାନକୁ ବିରଜା କ୍ଷେତ୍ର ଏବଂ ବିରଜା ପୀଠ ବୋଲି ମଧ୍ୟ କୁହାଯାଏ ।
       “ଜାଗ୍ରତ”ଦେବୀ ମାତା ପ୍ରତିଦିନ ତନ୍ତ୍ର ପୂଜାବିଧି ଅନୁସାରେ “ମହିଶାସୁର ମର୍ଦ୍ଦିନି”ରୂପରେ ପୂଜା ପାଆନ୍ତି, ଯିଏ ସମସ୍ତ ଦୃଷ୍ଟ ଶକ୍ତିକୁ ଧ୍ୱଂସ କରିଥାନ୍ତି । ଦୁର୍ଗାପୂଜା ବେଳେ ଏଠାରେ ମାତାଙ୍କର ସବୁଠୁ ମୁଖ୍ୟÿ ପର୍ବ ୧୬ ଦିନ ଧରି ଚାଲିଥାଏ ।
ଏଠାରେ କୁପନ କିଣି ଭକ୍ତ ମାନେ ସୁବିଧାରେ ଅନ୍ନ ପ୍ରସାଦ ମଧ୍ୟ ପାଇ ପାରିବେ ।
ବର୍ଷର ସବୁ ସମୟରେ ମା’ବିରଜାଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ଦୁର୍ଗାପୂଜା ସମୟରେ ମା’ବିରଜାଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’ଙ୍କୁ ପୂଜା କରିବାକୁ ଆସିଥାନ୍ତି ।
ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ । ଏହି ସୁନ୍ଦର ମନ୍ଦିର ତଥା ପବିତ୍ର ଶକ୍ତିପୀଠ ଯାଜପୁର ସହର ମଧ୍ୟରେ ଅବସ୍ଥିତ । ଏହା ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଷନ୍ ଠାରୁ ମାତ୍ର ୩୧ କିଲୋମିଟର ଦୂର ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *