ଅସୁରକ୍ଷିତ ବିଶ୍ୱବିଖ୍ୟାତ ଭିତରକନିକା ଅଭୟାରଣ୍ୟ!

ଶରତ କୁମାର ରାଉତ
ବିଶ୍ୱ ବିଖ୍ୟାତ ଭିତରକନିକା ବିଶ୍ୱର ଏକ ମହାନ ଐତିହ୍ୟ ବୋଲି ସମସ୍ତେ ଜାଣନ୍ତି । ଏହାକୁ ବିଶ୍ୱ ଐତିହ୍ୟର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି । କାରଣ ଭିତରକନିକାର ଭୌଗୋଳିକ ସ୍ଥିତି, ପ୍ରଚୁର ଜୈବ ବିବିଧତା ଓ ତତ୍ସଂଲଗ୍ନ ଏକାଧିକ ଐତିହ୍ୟ ବିଶ୍ୱବାସୀଙ୍କ ପାଇଁ ଅଦ୍ୱିତୀୟ ହୋଇ ରହିଛି । ଭିତରକନିକା ଜାତୀୟ ଉଦ୍ୟାନକୁ ଲାଗି ରହିଛି ବିଶ୍ୱବିଖ୍ୟାତ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ରିଡ୍ÿଲେ କଇଁଛଙ୍କ ପ୍ରଜନନ କେନ୍ଦ୍ର ଗହୀରମଥା, ହେନ୍ତାଳ ଜଙ୍ଗଲ, ଡ଼ାଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର, ବତୀଘର, ବ୍ରିଟିସ୍ ବାଣିଜ୍ୟର କୋଠାଘର ହୁକିଟେଲା ଓ ବରୁଣେଇ ଜଙ୍ଗଲ । ଏହି ଅଭୟାରଣ୍ୟରେ ବିଭିନ୍ନ ଋତୁରେ ଅନେକ ପ୍ରକାରର ବଣଫୁଲର ମହକ ବାରିହୁଏ । କଳକଳ ନିନାଦିତ ଛନ୍ଦାଛନ୍ଦି ନଦୀନାଳ । ସୁଶୋଭିତ ହେନ୍ତାଳ ବଣ । ଏହି ଅଂଚଳରେ ଦେଶୀ-ବିଦେଶୀ ହଜାର ହଜାର ଚଢେଇଙ୍କର ସମାଗମ ହୁଏ । ଶହ ଶହ କୂମ୍ଭୀର, ଅହିରାଜ ଓ ଅଜଗର ଭଳି ବିଶାଳ ସର୍ପ ସମେତ ଅଗଣିତ ହରିଣ, ବାର୍ହା, ମାଙ୍କଡ଼, କୋକିଶିଆଳି, ଝିଙ୍କ ଆଦି ଅନେକ ପ୍ରକାରର ପ୍ରାଣୀ ଦେଖା ଯାଆନ୍ତି । ସେହିପରି ଜହ୍ନରାତିରେ ଭିତର କନିକାର ଅବର୍ଣ୍ଣନୀୟ ଦୃଶ୍ୟ ଚକିତ କରି ଦେଉଛି ପର୍ଯ୍ୟଟକ ମାନଙ୍କୁ । ପୃଥିବୀର ବିଭିନ୍ନ ଦେଶରୁ ବହୁ ପର୍ଯ୍ୟଟକ, ବୈଜ୍ଞାନିକ, ପ୍ରାଣୀବିଜ୍ଞାନୀ ଓ ପରିବେଶବିତ୍ ଏଠାକୁ ଆସୁଛନ୍ତି-ଜୈବ ବିବିଧତାରେ ପୂର୍ଣ୍ଣ ଜାତୀୟ ଉଦ୍ୟାନ, ହେନ୍ତାଳ ଜଙ୍ଗଲ, ବିରଳ ଅଲିଭ୍ରିଡ୍ÿଲେ ଓ ବଉଳା କୂମ୍ଭୀର ଆଦି ଦେଖୁଛନ୍ତି-ମୁଗ୍ଧ ହେଉଛନ୍ତି-ତଟସ୍ଥ ହେଉଛନ୍ତି ଓ ବିଶେଷ ଜ୍ଞାନ ଆହରଣ କରୁଛନ୍ତି । ବିଶେଷତଃ ଭିତରକନିକା ଅଭୟାରଣ୍ୟ ବିଶ୍ୱର ପ୍ରାଣୀ ବିଜ୍ଞାନୀମାନଙ୍କୁ ଆକର୍ଷିତ କରୁଛି ଓ ସେମାନଙ୍କର ଲମ୍ବା ଧାଡ଼ି ଲାଗୁଛି ଏଠାକୁ । ବ୍ୟାପକ ଗବେଷଣା ପରେ ୧୯୭୫ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ପାଇଥିବାବେଳେ ୧୯୯୮ରେ ଭିତରକନିକା ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିଲା । ୨୦୦୨ରେ ଏହିସବୁ ଅଂଚଳ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ରାମ୍ସାର ସାଇଡ଼୍ ଭାବେ ଘୋଷିତ ହୋଇଥିଲା । ଅର୍ଥାତ୍ ଏଠାରେ ଭିତରକନିକା ଜାତୀୟ ଉଦ୍ୟାନ, ବନ୍ୟପ୍ରାଣୀ ଅଭୟାରଣ୍ୟ, ଗହୀରମଥା ଅଭୟାରଣ୍ୟ ଓ ହେନ୍ତାଳବଣ ମିଳିତ ହୋଇ ରହିଛନ୍ତି, ଯାହା ବିଶ୍ୱରେ ବିରଳ ।
ଦେଶରେ ଥିବା ଅଭୟାରଣ୍ୟ ଗୁଡ଼ିକୁ ସୁପି୍ରମ୍କୋର୍ଟ ପରିଚାଳନା କରନ୍ତି ଓ ଏହାର ଅଧ୍ୟକ୍ଷ ସ୍ୱଂୟ ପ୍ରଧାନମନ୍ତ୍ରୀ । ଭିତରକନିକା ଜାତୀୟ ଉଦ୍ୟାନ ଓ ହେନ୍ତାଳ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା ମଜଭୁତ ପାଇଁ ଜାତିସଂଘ ପରାମର୍ଶରେ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କୁ ନେଇ ବାରମ୍ବାର ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେଉଛି । ମାତ୍ର ଏ ସଂପର୍କରେ ହୁଏତ ଆମ ରାଜ୍ୟ ସରକାର ସଚେତନ ନୁହଁନ୍ତି । ଯେହେତୁ ରାଜ୍ୟ ସରକାରଙ୍କ ଖାମ୍ଖିଆଲି ନୀତି ଯୋଗୁ ଭିତରକନିକା ଅଭୟାରଣ୍ୟ ଅଂଚଳରେ ଶହଶହ ବେଆଇନ ଚିଙ୍ଗୁଡ଼ି ଘେରି ସୃଷ୍ଟି ହୋଇଛି । ଏଥିଯୋଗୁ ଦୁର୍ଲଭ ଜାତୀୟ ସଂପଦ ନଷ୍ଟ ହେବାରେ ଲାଗିଛି । ଚିଙ୍ଗୁଡ଼ି ଘେରି ମାଲିକମାନେ ବେଆଇନ ଭାବରେ ଜାତୀୟ ପାର୍କ ଭିତରୁ ପାଣି ନେଇ ଚିଙ୍ଗୁଡ଼ିଚାଷ ସୁରୁଖୁରୁରେ ଚଲେଇ ଆସୁଛନ୍ତି । ସଂପୃକ୍ତ ଚିଙ୍ଗୁଡ଼ି ଚାଷୀମାନେ ଅଭୟାରଣ୍ୟ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଏକ ବିଷର ବଳୟ ସୃଷ୍ଟି କରିଛନ୍ତି । ନିରୀହ ମଣିଷ ମାନଙ୍କୁ ପୋକ ମାଛି ଭଳି ଭାବି ସେମାନଙ୍କୁ ଏକ ଭୟଙ୍କର ରୋଗର ପରିବେଶ ଭିତରକୁ ଠେଲି ଦେବାକୁ ସତେ ଯେମିତି ସେମାନେ ସଂକଳ୍ପ ନେଇଛନ୍ତି । ଆଜି ଅସଂଖ୍ୟ ଚିଙ୍ଗୁଡ଼ି ଘେରି ଏହି ବିଶ୍ୱବିଖ୍ୟାତ ଅଭୟାରଣ୍ୟର ଚାରିପାଖରେ । ଭିତର କନିକା ଆଉ ପକ୍ଷୀମାନଙ୍କ ପାଇଁ ଅନୁକୂଳ ନଥିବା ଦେଖାଯାଉଛି । ଅତୀତରେ ଭିତରକନିକା ପାଖ ଦେଇ କୌଣସି ରାସ୍ତା ନଯିବାକୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏଠାରେ ରାସ୍ତା ଗଲେ, ଗାଡ଼ିମଟରର ଅହରହ ଗର୍ଜ୍ଜନରେ ପଶୁପକ୍ଷୀ ମାନେ ଇତଃସ୍ତତ ହେବେ ଓ ବାହାରର ପକ୍ଷୀମାନେ ଆଉ ଏଠାକୁ ଆସିବେ ନାହିଁ ବୋଲି ଦର୍ଶା ଯାଇଥିଲା । ମାତ୍ର ଆଜି ଚିଙ୍ଗୁଡ଼ି ଘେରିରେ ରାତିଦିନ ପମ୍ଫମେସିନ୍ ଚାଲିଛି । ଏହା ଚଢ଼େଇମାନଙ୍କ ପାଇଁ ଅଭିଶାପ ହୋଇଛି ।
ଦିନେ ଯେଉଁ ଭିତରକନିକା ବିଶ୍ୱମଣିଷଙ୍କୁ ଆକର୍ଷଣ କରିଥିଲା, ଆଜି ତାହାର କଳେବର କ୍ରମେ ଶ୍ରୀହୀନ ହୋଇ ଆସୁଛି । ଏହି ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ମଜଭୁତ୍ ସୁରକ୍ଷା କରିବାରେ ଜଙ୍ଗଲ ବିଭାଗ, ପଶୁସଂପଦ ବିଭାଗ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ବିଫଳ ହେଉଛନ୍ତି । ଜଙ୍ଗଲ ବିଭାଗର ଅଫିସରମାନେ ମଜଭୁତ ସୁରକ୍ଷା ଦିଗରେ ଗୁରୁତ୍ୱ ଦେଉନଥିବା ମନେ ହେଉଛି । ସେମାନେ ଭିତର କନିକା ଭଳି ଏକ ବିଶ୍ୱ ଐତିହ୍ୟର ସୁରକ୍ଷା ପାଇଁ ନିଷ୍ଟାପର ଉଦ୍ୟମ କରିବା ଆବଶ୍ୟକ । କିଛିବର୍ଷ ତଳେ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍ ପଡିଥିଲା । କାରଣ ଏଥିପାଇଁ ଗୋଟିଏ ବି ମାନଦଣ୍ଡ(ନିୟମ) ରାଜ୍ୟ ସରକାର ପୁରଣ କରିପାରି ନଥିଲେ । କାହିଁକି ଏପରି ହେଲା ଓ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ? ସେହିପରି ଅତୀତରେ ହେନ୍ତାଳ ବଣରେ ଅନ୍ୟାନ୍ୟ ପ୍ରାଣୀମାନଙ୍କ ସହ ମହାବଳ ବାଘ, ହରିଣ, ବାରହା ଆଦି ବିଭିନ୍ନ ପଶୁ ବି ରହୁଥିଲେ । କ୍ରମେ ଶିକାରୀ ମାନେ କଙ୍କଡ଼ା ଓ ମାଛ ମାନଙ୍କ ସହିତ ହରିଣ ବାରହା ଆଦି ପଶୁଙ୍କୁ ଶିକାର କଲେ । ଫଳରେ ପଶୁଙ୍କ ସଂଖ୍ୟା କମିଗଲା । ଅବଶ୍ୟ ଭିତରକନିକା ଅଭୟାରଣ୍ୟ ମାନ୍ୟତା ପାଇବା ପରେ ଗଛ କାଟା ଓ ପଶୁପକ୍ଷୀ ଶିକାର ବନ୍ଦ ହୋଇଗଲା । ଭିତରକନିକାର ବିକାଶ କାର୍ଯ୍ୟ ଚାଲିଲା । ମାତ୍ର ଭିତରକନିକାକୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଭିତରକନିକାର ଦୁର୍ଭାଗ୍ୟ ଆରମ୍ଭ ହେଲା । କ୍ରମେ ଅଭୟାରଣ୍ୟ ଅଂଚଳରେ ପ୍ରଚୁର ଶିକାର ହେଲା ଓ ଗଛକଟା ନିରବଛିନ୍ନ ଭାବେ ଚାଲିଲା । ତେବେ ପଶୁଶିକାର ଓ ଗଛକଟା ହେଉନାହିଁ ବୋଲି ଜଙ୍ଗଲ ବିଭାଗ ସଫେଇ ଦେଉଥିଲେ ହେଁ ଏବେ ବି ଲୁଚାଛପାରେ ଏସବୁ ଚାଲିଛି । ଭିତରକନିକା କ୍ରମେ ସଂକୁଚିତ ହୋଇ ଆସୁଛି ।
ଭିତରକନିକାର ଜୈବ ବିବିଧତା ବିଶ୍ୱ ପର୍ଯ୍ୟଟନ ଶିଳ୍ପ ଓ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଥିବାବେଳେ ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟର ପରିପ୍ରକାଶ କରୁଛି । ଏହାଛଡ଼ା ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରି ପାରୁଛି । ଏହି ସୁନ୍ଦର-ମନୋରମ ପ୍ରାକୃତିକ ବିଭବକୁ ସୁରକ୍ଷିତ ରଖିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ଓ କର୍ତବ୍ୟ । ଅନ୍ୟଥା କେଉଁ ମୁହୂର୍ତରେ ଭିତରକନିକା ବିଶ୍ୱ ବନ୍ୟପ୍ରାଣୀ ମାନଚିତ୍ରରୁ ଅଦୃଶ୍ୟ ହୋଇନଯିବ, କହିହେଉନାହିଁ । ସେହିପରି ଭିତରକନିକା ସଂଲଗ୍ନ ବିଶାଳ ହେନ୍ତାଳ ବଣର ଜୈବ ବିବିଧତା ଆହୁରି ସମୃଦ୍ଧଶାଳୀ ଓ ଆକର୍ଷଣୀୟ ଥିଲା । ବଙ୍ଗୀୟ ଅନୁପ୍ରବେଶକାରୀ ଓ ଶରଣାର୍ଥୀ ମାନେ ହଜାର ହଜାର ଏକର ଘଂଚ ହେନ୍ତାଳ ଜଙ୍ଗଲକୁ କାଟି ସଫା କରିଦେଲେ । ସତୁରୀ-ଅଶୀ ଦଶକରେ ବ୍ୟାପକ ହେନ୍ତାଳ ଜଙ୍ଗଲ କାଟି ଚିଙ୍ଗୁଡ଼ି ଘେରୀ କରାଗଲା । ସେହିପରି ଭିତର କନିକାରେ ଜଳକ୍ରୀଡ଼ା ପର୍ଯ୍ୟଟନର ବିକାଶ ସହ ଆମୋଦପୂର୍ଣ୍ଣ ଜଳଯାତ୍ରା ପାଇଁ କ୍ରୁଜ୍ ଶିପ୍ ବ୍ୟବହାର ହେବ । ଏଥିଲାଗି କେରଳ ଅନ୍ତର୍ଦେଶୀୟ କର୍ତୂପକ୍ଷଙ୍କ ସହ ବୁଝାମଣା ହୋଇଛି । ଏହାଦ୍ୱାରା ପ୍ରାକୃତିକ ସନ୍ତୁଳନ ବିଗିଡ଼ିଯିବା ଆଶଙ୍କା କରାଯାଉଛି । ପର୍ଯ୍ୟଟନ ନାଁରେ ଏଭଳି କିଛି କରାଗଲେ, ଜଳଚର ଜୀବଙ୍କ ପ୍ରତି ବିପଦ ସୃଷ୍ଟି ହେବ । ଭିତରକନିକା ଭଳି ଜୈବ ବିବିଧତା ଭରା ଅଂଚଳକୁ ପର୍ଯ୍ୟଟକଙ୍କ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ପାଇଁ ସୁଯୋଗ ଦିଆଗଲେ, ସ୍ଥିତି ଅଧିକ ବିଗିଡ଼ିଯିବ । ଲୋକେ ପ୍ରକୃତିର ଶୋଭା ଉପଭୋଗ ସ୍ଥାନରେ ଜୈବ ବିବିଧତାକୁ ନଷ୍ଟ କରିବେ । ଏଣୁ ପ୍ରକୃତିକୁ ବଂଚାଇ ରଖିବା ଭଳି ପଦକ୍ଷେପ ନିଆଯିବା ଉଚିତ । ଏହି ଅଂଚଳରେ ଦେଶୀ-ବିଦେଶୀ ହଜାର ହଜାର ଚଢେଇଙ୍କର ସମାଗମ ହୁଏ । ସୁନାମୀ ଓ ମହାବାତ୍ୟାରେ ଉପକୂଳ ଅଂଚଳକୁ ରକ୍ଷା କରିବାକୁ ହେନ୍ତାଳ ବଣର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ହେନ୍ତାଳ ଜଙ୍ଗଲ ମଧ୍ୟରେ ନିର୍ମାଣ କରାଯାଉଥିବା ଚିଙ୍ଗୁଡ଼ି ଘେରୀକୁ ସରକାର କିପରି ଅନୁମତି ଦେଉଛନ୍ତି, ତାହା ବିଭିନ୍ନ ମହଲକୁ ସ୍ତବ୍ଧ କରୁଛି! ଭିତରକନିକା ଓ ଗହୀରମଥା ପାଶ୍ୱର୍ବର୍ତୀ ଅଂଚଳ ଭିତରେ ବ୍ୟାପକ ଚିଙ୍ଗୁଡ଼ି ଚାଷ କରାଯାଉଛି । ଏହାର ଆବର୍ଜ୍ଜନା ଯୁକ୍ତ ବିଷାକ୍ତ ପାଣି ସମଗ୍ର ପରିବେଶକୁ ବିଷମୟ ଓ ଭୟଙ୍କର କରିଦେଉଛି । ଏହାର ପ୍ରଭାବରେ ହେନ୍ତାଳ ଜଙ୍ଗଲର ପଶୁପକ୍ଷୀମାନେ ଇତସ୍ତତଃ ହେଉଛନ୍ତି । ଗାଡ଼ି ମଟରର ବିକଟାଳ ଶବ୍ଦରେ ବିଭିନ୍ନ ପଶୁପକ୍ଷୀ ଏ ସ୍ଥାନ ଛାଡ଼ି ଦେଉଛନ୍ତି । ଏଥିନେଇ ପରିବେଶବିତ୍ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି ହେଉଛି । ଭିତରକନିକା ଅଭୟାରଣ୍ୟ ପାଶ୍ୱବର୍ତୀ ଅଂଚଳରେ କୌଣସି ପ୍ରକଳ୍ପ ନହେବା ପାଇଁ ସରକାରୀ ସଶକ୍ତ ଆଇନ ଥିଲେ ମଧ୍ୟ ରାଜ୍ୟ ସରକାର ଏସବୁ ସ୍ଥାନରେ କିପରି ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି, ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଭିତରକନିକା କେବଳ ଓଡ଼ିଶାର ସଂପଦ ନୁହେଁ, ବରଂ ଏହା ଭାରତର ଓ ବିଶ୍ୱର ଗର୍ବ ଓ ଗୌରବ । ଏଣୁ ଏହାର ସୁରକ୍ଷା ପାଇଁ ବିଶ୍ୱବାସୀଙ୍କ ଚିନ୍ତାଧାରା ସହିତ ନିଜେ ସାମିଲ୍ ହୋଇ ରାଜ୍ୟ ସରକାର ଏହାକୁ ସୁରକ୍ଷା ଦେବା ଉଚିତ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ôର,ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *