ଶ୍ରମିକ ଅଭାବରୁ ପ୍ରଭାବିତ ହେଉଛି ବିଭିନ୍ନ କ୍ଷେତ୍ର!

ଶରତ କୁମାର ରାଉତ
ମହାମାରୀ କରୋନା ଭୂତାଣୁ ଯୋଗୁ ଦୀର୍ଘ ଲକ୍ ଡ଼ାଉନ୍ ବିଭିନ୍ନ କ୍ଷେତ୍ରକୁ ତଳିତଳାନ୍ତ କରି ଦେଇଛି । କେତେକ ପ୍ରମୁଖ କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଏପରିକି ମାଲିକ ଓ ଶ୍ରମିକଙ୍କ ଅବସ୍ଥା ସମାନ ହୋଇ ଯାଇଥିବା କୁହାଯାଇପାରେ । ବିଭିନ୍ନ କ୍ଷେତ୍ରରେ କାମ କରି ଆସୁଥିବା ଶ୍ରମିକ ମାନେ ପ୍ରାୟତଃ ନିଜ ନିଜ ଘରକୁ ଫେରି ଯାଇଛନ୍ତି । କୃଷିକ୍ଷେତ୍ର ଠାରୁ ଆରମ୍ଭ କରି ଶିଳ୍ପସଂସ୍ଥା ଯାଏ ସବୁ କ୍ଷେତ୍ର ଶ୍ରମିକ ଅଭାବରୁ ବନ୍ଦ ହୋଇ ଯାଇଛି । କିଛି କ୍ଷେତ୍ରରେ ଅଳ୍ପ କେତେ ଜଣକୁ ନେଇ କାର୍ଯ୍ୟ କରାଯାଉଥିଲେ ହେଁ ତାହା କେବଳ ମନ ବୁଝିବାକୁ । ଲୋକଙ୍କ ଅଭାବରୁ ଇ-କମର୍ସ କ୍ଷେତ୍ର ପ୍ରଭାବିତ ହୋଇଛି । ଡ଼େଲିଭରି କରୁଥିବା ଲୋକମାନେ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ଏଣୁ ଆବଶ୍ୟକତା ଅନୁଯାୟୀ ଲୋକ ମିଳୁ ନାହାନ୍ତି । ସହଜେ ଏବେ ଚାଲିଥିବା ସର୍ଟ ଡ଼ାଉନ୍ ବା ସରକାରୀ ନିୟମ ଯୋଗୁ ଲୋକମାନେ ଘରୁ ନିଜ କର୍ମକ୍ଷେତ୍ରକୁ ଆସି ପାରୁ ନାହାନ୍ତି ବା ସେମାନେ ଆଉ ଏହିସବୁ କ୍ଷେତ୍ରରେ କାମ କରିବାକୁ ଚାହୁଁ ନାହାନ୍ତି । ଘରେ ଘରେ ଜିନିଷପତ୍ର ପହଂଚାଇବା ମୁଖ୍ୟ କାମ ହୋଇଥିଲେ ହେଁ ଲୋକ ଅଭାବରୁ ସମ୍ଭବ ହେଉନାହିଁ ।
ସେହିପରି ଲୋକଙ୍କ ଅଭାବ ଯୋଗୁ ରିଟେଲ୍ କ୍ଷେତ୍ର ଜୋରଦାର ପ୍ରଭାବିତ ହୋଇଛି । ଏଥିଯୋଗୁ ମଧ୍ୟ ମଜୁରୀ ବଢିଛି । ଅଳ୍ପ ଲୋକଙ୍କୁ ନେଇ କାମ ଚଳେଇବାକୁ ପଡ଼ୁଛି । ଏହି କ୍ଷେତ୍ରର ମାଲିକ ମାନେ କର୍ମଚାରୀଙ୍କୁ ଦରମା ବ୍ୟତୀତ ଦିନକୁ ୪ଶହ ରୁ ୫୦୦ ଟଙ୍କା ଲେଖାଏଁ ଅତିରିକ୍ତ ଦେଉଛନ୍ତି । କେହି କେହି କର୍ମଚାରୀଙ୍କୁ ୨ଗୁଣା ଦରମା ଦେଉଛନ୍ତି । ତଥାପି ଆବଶ୍ୟକ ସଂଖ୍ୟକ କର୍ମଚାରୀ ମିଳୁ ନାହାନ୍ତି । ଏପରିକି ବିଗ୍ ବଜାର ଭଳି ରିଟେଲ୍ କମ୍ପାନୀ ମାନେ ନିଜ କର୍ମଚାରୀ ମାନଙ୍କୁ ସେମାନଙ୍କ ଘରୁ ଆଣିବା ଓ ଛାଡ଼ିବା ଦାୟୀତ୍ୱ ବି ନେଉଛନ୍ତି । ତଥାପି କର୍ମଚାରୀ ମିଳୁ ନାହାନ୍ତି ।
ବହୁ ଶିଳ୍ପସଂସ୍ଥା, ବିଭିନ୍ନ କମ୍ପାନୀ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ଝୁଲୁଛି । ଏହି କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀ ମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କହିବାକୁ ଗଲେ, କମ୍ପାନୀ ମାଲିକ ଓ କର୍ମଚାରୀ ଉଭୟ ସମସ୍ୟା ଭିତରେ ସଢୁଛନ୍ତି । କାମ ବନ୍ଦ ଯୋଗୁ ଦେଶ ବିଦେଶରୁ କେତେକ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଘରକୁ ଫେରି ଆସୁଛନ୍ତି ଓ ଆଉ କେତେକ ଭବିଷ୍ୟତକୁ ଆଦରି ସେଠାରେ ପଡ଼ି ରହିଛନ୍ତି । ସାରା ପୃଥିବୀରେ ଗାଡ଼ି ମଟର ପାଖରୁ ଆରମ୍ଭ କରି ରେଳ, ବସ୍ ଓ ଉଡ଼ାଜାହାଜ ସେବା ପ୍ରଭାବିତ ହୋଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ଶିଳ୍ପପତି, ବିଭିନ୍ନ କମ୍ପାନୀ, ବ୍ୟବସାୟିକ ପ୍ରତିଷ୍ଠାନ ଏକ ପ୍ରକାର ଅଚଳ ହୋଇ ପଡ଼ିଛି । ଅନେକ ଦେଶ ମାସ ମାସ ତଳୁ ଆନ୍ତର୍ଜାତୀୟ ଗମନାଗମନ ବନ୍ଦ କରିଦେଇଛନ୍ତି । ହୋଟେଲ୍ ଶିଳ୍ପ ଓ ପର୍ଯ୍ୟଟନ ଶିଳ୍ପ ବିଷେଶ ଭାବେ ପ୍ରଭାବିତ ହୋଇଛି । ସହର ବଜାର ସବୁ ବନ୍ଦ ହୋଇ ରହିଛି । ଲୁହା ଓ ଇଷ୍ପାତ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ଶ୍ରମିକ ବା କର୍ମଚାରୀଙ୍କ ଅଭାବ ଅନୁଭବ କରୁଛନ୍ତି । କରୋନା ଯୋଗୁ ଆବଶ୍ୟକ ସଂଖ୍ୟକ ଶ୍ରମିକ କାମକୁ ଆସି ପାରୁ ନାହାନ୍ତି । କେବଳ ପ୍ଲାଂଟ ପାଖାପାଖି ରହୁଥିବା ଶ୍ରମିକ ମାନେ ଆସୁଛନ୍ତି । ମାତ୍ର ଦୂରରେ ରହୁଥିବା ଶ୍ରମିକ ମାନେ ଆସିବା ସମ୍ଭବ ହେଉନାହିଁ । କାରଣ ଦୀର୍ଘଦିନÿ ଧରି ଲକ୍ ଡ଼ଉନ୍ ଚାଲିଥିବା ବେଳେ ଭିତରେ ଭିତରେ ସର୍ଟ ଡ଼ାଉନ୍ ସହିତ ସରକାରୀ କଟକଣା ରହିଥିବାରୁ ଶ୍ରମିକ ମାନେ ନିୟମିତ କାମକୁ ଆସି ପାରୁ ନାହାନ୍ତି । ଅନ୍ୟପକ୍ଷରେ ବହୁ ଶ୍ରମିକ ଓ କର୍ମଚାରୀ ଲକ୍ ଡ଼ାଉନ୍ ବେଳେ ନିଜ ନିଜ ଘରକୁ ଚାଲି ଯାଇଥିଲେ । ଅବଶ୍ୟ ସେମାନଙ୍କ ମଧ୍ୟରୁ କିଛି କର୍ମକ୍ଷେତ୍ରକୁ ଫେରି ଥିଲେ ହେଁ ଅନେକ କର୍ମଚାରୀ ଓ ଶ୍ରମିକ ଏପର୍ଯ୍ୟନ୍ତ ଫେରି ନାହାନ୍ତି । ବାସ୍ତବତା ଦେଖାଗଲେ, ଲୁହା ଓ ଇଷ୍ପାତ ଶିଳ୍ପ ସଂସ୍ଥା ଗୁଡ଼ିକ ଉତ୍ପାଦନରେ ଧିମେଇ ଯାଇଛନ୍ତି ।
ସେହିପରି କରୋନାର ତାଣ୍ଡବ ଯୋଗୁ ରବି ଫସଲ ଅମଳ ଜୋରଦାର ପ୍ରଭାବିତ ହୋଇଛି । ଲକ୍ ଡ଼ାଉନ୍ ଆରମ୍ଭ ବେଳେ ସାରା ଭାରେତରେ ରବି ଫସଲ ଅମଳର ସମୟ ଥିଲା । ମୁଖ୍ୟତଃ ଉତର ଭାରତରେ ରବି ଫସଲ କାଟିବା ପାଇଁ ଜମି ମାଲିକ ମାନେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟର ମଜୁରିଆ ମାନଙ୍କ ଉପରେ ନିର୍ଭର କରନ୍ତି । କିନ୍ତୁ କରୋନା ଭୂତାଣୁ ପାଇଁ ପ୍ରାୟ ୮୦ ଭାଗ ମଜୁରିଆ ନିଜ ନିଜ ଘରକୁ ଚାଲିଗଲେ । ଜମି ମାଲିକ ମାନେ କୌଣସି ପ୍ରକାର ସିନା ଅମଳ କାମ ସାରିଦେଲେ, ହେଲେ ପୂର୍ବ ବର୍ଷ ମାନଙ୍କ ଭଳି ଆଶା ଜନକ ଫସଲ ପାଇବାରୁ ବଂଚିତ ହେଲେ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏବେ ଖରିଫ ଋତୁର ଚାଷ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । କାରଣ ଖରିଫ ଚାଷ ପାଇଁ ପ୍ରତିବର୍ଷ ଯେଉଁ ମଜୁରିଆ ମାନେ ବିଲରେ କାମ କରନ୍ତି, କରୋନାର ଭୟାବହତା ଯୋଗୁ ସେମାନଙ୍କର ଠିକଣା ହଜି ଯାଇଛି । କରୋନା ମହାମାରୀ ଯୋଗୁ ସେହି ଲକ୍ଷଲକ୍ଷ ମଜୁରିଆଙ୍କ ମଧ୍ୟରୁ କେତେକ ଭୋକ ଉପାସରେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ତ କିଏ ନିଜ ଘରେ ପହଂଚି ଯାଇଛନ୍ତି । ଖରିଫ ଚାଷ ପାଇଁ ସେମାନଙ୍କୁ ଖୋଜି ପାଇବା ମୁସ୍କିଲ । କିଏ କେଉଁଠି ଓ କିପରି ଅଛନ୍ତି ଜାଣି ହେଉନାହିଁ । ସେମାନେ ସମସ୍ତେ ଘୋର ମାନସିକ ଯନ୍ତ୍ରଣାରେ ଥିବା ନିଶ୍ଛିତ । ଏଥିଯୋଗୁ ସାରା ଭାରତର ଜମି ମାଲିକ ମାନେ ଚିନ୍ତାରେ ପଡ଼ିଛନ୍ତି । ଏଣୁ ମଜୁରିଆ ମାନଙ୍କ ଅଭାବ ଯୋଗୁ ଚଳିତ ବର୍ଷ ଦେଶରେ ଖରିଫ ଚାଷ ଜୋରଦାର ପ୍ରଭାବିତ ହେବ, ଏଥିରେ ସନେ୍ଦହ ନାହିଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *