ମା’ଚାମୁଣ୍ଡେଶ୍ୱରୀଙ୍କ ଶକ୍ତିପୀଠ, ମହିଶୂର

ଶରତ କୁମାର ରାଉତ
କର୍ଣ୍ଣାଟକ ରାଜ୍ୟର ମହୀଶୂର ସହର ଠାରୁ ମାତ୍ର ୧୩ କି.ମି.ଦୂର ଚାମୁଣ୍ଡି ପାହାଡ଼ ଉପରେ ଶ୍ରୀ ଚାମୁଣ୍ଡେଶ୍ୱରୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ମା’ଦୁର୍ଗା(ପାର୍ବତୀ)ଙ୍କର ହିଁ ଅନ୍ୟ ଏକ ସ୍ୱରୂପ “ମା’ଚାମୁଣ୍ଡେଶ୍ୱରୀ”ଙ୍କୁ ସମର୍ପିତ ହୋଇଛି ।
ପୁରାଣ ଶାସ୍ତ୍ରରେ ବଣ୍ଣନା ଅନୁଯାୟୀ ଭରତୀୟ ଉପମହାଦେଶରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହା ଶକ୍ତିପୀଠ ଓ ୫୧ ଟି ଶକ୍ତିପୀଠ ରହିଛି । ତେବେ ଏହି ୧୮ଟି ମହା ଶକ୍ତିପୀଠ ମଧ୍ୟରେ“ମା’ଚାମୁଣ୍ଡେଶ୍ୱରୀ”ମନ୍ଦିର ବା ଶକ୍ତିପୀଠ ଅନ୍ୟତମ । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ଏହିପରି ପୃଥିବୀରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି ।
ସେହି ଖଣ୍ଡ ବା ଅଂଶ ମାନଙ୍କ ମଧ୍ୟରୁ ମାତା ସତୀଙ୍କ କେଶ(ବାଳ)ଏହି ଶକ୍ତିପୀଠରେ ପଡ଼ିଥିଲା । ସେଦିନ ଠାରୁ ଏହି ସ୍ଥାନ ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ । କୁହାଯାଏ ଯେ, ଶକ୍ତିପୀଠର ସୁରକ୍ଷା ହେତୁ ଭଗବାନ କାଳ ଭୈରବ ମଧ୍ୟ ସର୍ବଦା ଏଠାରେ ବିଦ୍ୟମାନ ଅଛନ୍ତି । ପୁରାଣ ଯୁଗରେ ଏହି କ୍ଷେତ୍ରକୁ “କ୍ରୋଂଚ ପୁରୀ”କୁହାଯାଉଥିଲା । ଏହି କାରଣରୁ ଦକ୍ଷିଣ ଭାରତରେ ଏହି ମନ୍ଦିର “କ୍ରୋଂଚ ପିଠମ୍ ଭାବେ ମଧ୍ୟ ଜଣାଶୁଣା ।
ଦ୍ରାବିଡ଼୍ ବାସ୍ତୁଶିଳ୍ପ ଶୈଳୀରେ ନିର୍ମିତ “ମା’ଚାମୁଣ୍ଡେଶ୍ୱରୀ”ଙ୍କ ମନ୍ଦିର ଖୁବ୍ ଆକର୍ଷକ ଓ କାରୁକାର୍ଯ୍ୟରେ ପୂର୍ଣ୍ଣ । ମନ୍ଦିର ଭିତର ଗର୍ଭଗୃହରେ ଦେବୀଙ୍କ ସ୍ୱର୍ଣ୍ଣର ପ୍ରତିମା ରହିଛି । ସାତ ମହଲା ବିଶିଷ୍ଟ ଏହି ମନ୍ଦିରର ଭବ୍ୟ ସ୍ୱରୂପ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମନ୍ତ୍ରମୁଗ୍ଧ କରୁଛି । ପାହାଡ଼ ଉପରୁ ମହୀଶୂରର ପ୍ରାକୃତିକ ସୌନ୍ଦର୍ଯ୍ୟ ମନଲୋଭା ଭଳି ହୋଇଛି । ମହୀଶୂରର ଦଶହରା ପର୍ବ ବିଶ୍ୱ ପ୍ରସିଦ୍ଧ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହି ପର୍ବ ଏକ କମନୀୟ, ଅପରୂପ ଓ ଅଦ୍ୱିତୀୟ ହୋଇଥାଏ ।
“ମା’ଚାମୁଣ୍ଡେଶ୍ୱରୀ”ଙ୍କ ମନ୍ଦିର ପଛକୁ ମହାବଲେଶ୍ୱରଙ୍କୁ ସମର୍ପିତ ଏକ ଛୋଟ ଶିବ ମନ୍ଦିର ରହିଛି, ଯାହା ୧ହଜାର ବର୍ଷ ରୁ ଅଧିକ ପୁରାତନ । ମନ୍ଦିରର ଏକ ମୁଖ୍ୟଦ୍ୱାର, ରୂପାରେ ତିଆରି ପ୍ରବେଶ ଦ୍ୱାର, ନବରଙ୍ଗ ସଭାମଣ୍ଡପ, ଭିତର ମଣ୍ଡପ ଓ ଗର୍ଭଗୃହ ରହିଛି । ମନ୍ଦିରର ଦ୍ୱାରରେ ଶ୍ରୀ ଗଣେଷଙ୍କ ପ୍ରତିମା ସ୍ଥାପିତ ହୋଇଛି । ରୂପାରେ ନିର୍ମିତ ଦ୍ୱାରରେ ମା’ଙ୍କର ବିଭିନ୍ନ ରୂପର ଚିତ୍ର ଶୋଭା ପାଉଛି । ମୂଳ ମନ୍ଦିରର ନିର୍ମାଣ ୧୨ ଶତାବ୍ଦୀରେ ହୋୟଶାଲ୍ ରାଜା ବିଷ୍ଣୁ ବର୍ଦ୍ଧନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ମନ୍ଦିରର ଶିଖର ୧୭ ଶତାବ୍ଦୀରେ ବିଜୟନଗର ଶାସକ ମାନେ ନିର୍ମାଣ କରିଥିଲେ । “ମା’ଚାମୁଣ୍ଡେଶ୍ୱରୀ”ମହୀଶୂର ରାଜା ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଥିଲେ । ଏହି ମନ୍ଦିର ପାଖରେ ହିଁ ପାହାଡ଼ ଉପରେ ମହାବଲେଶ୍ୱର, ନନ୍ଦୀ ମନ୍ଦିର ଓ ଦେବୀ କୁଣ୍ଡ ଅବସ୍ଥିତ ।
ଏହି ସ୍ଥାନରେ ମା’ଦୁର୍ଗା ମହିଷାସୁରର ବଦ୍ଧ କରିଥିବା କୁହାଯାଏ । ଏହି ପାହାଡ଼ ଉପରେ ମଧ୍ୟ ମହିଷାସୁରର ସୁଉଚ୍ଚ ମୂର୍ତି ଓ ମା’ଙ୍କ ମନ୍ଦିର ରହିଛି । ମା’ଙ୍କ ମନ୍ଦିର ପ୍ରତିଦିନ ସକାଳ ୭ଟା ୩୦ ରୁ ଦ୍ୱିପ୍ରହର ୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୭ ଟା ୩୦ରୁ ରାତି୍ର ୯ଟା ପର୍ଯ୍ୟନ୍ତ ଖୋଲା ରହେ । ଏହି ସମୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାହାନ୍ତି ।
ସେହିପରି ପର୍ଯ୍ୟଟକ ମାନେ ମହୀଶୂର ମହଲ, ଚିଡ଼ିଆଘର, ରଙ୍ଗନାଥିଡ଼ୁ, ପକ୍ଷୀ ଅଭୟାରଣ୍ୟ, ବୁଦ୍ଧିଷ୍ଟ ଗୋଲ୍ଡେନ୍ ମନ୍ଦିର ଆଦି ସଂଗ୍ରାହାଳୟ ବୁଲି ଦେଖି ପାରିବେ ।
“ମା’ଚାମୁଣ୍ଡେଶ୍ୱରୀ”ଙ୍କ ଶକ୍ତିପୀଠରେ ପହଂଚିବା ପାଇଁ ବେଙ୍ଗାଲୁର ରେଳ ଷ୍ଟେଷନରୁ ମହୀଶୂର ମଧ୍ୟରେ ଚାଲୁଥିବା କୌଣସି ଟ୍ରେନ୍ ରେ ଯାଇ ପାରନ୍ତି । ଶତାବ୍ଦୀ ଏକ୍କପ୍ରେସ୍ ମହୀଶୂର କୁ ଚେନ୍ନାଇ ସହିତ ସଂଯୋଗ କରିଛି । କର୍ଣ୍ଣାଟକ ସଡ଼କ ପରିବହନ ନିଗମର ବସ୍ ଗୁଡ଼ିକ ମଧ୍ୟ ମହୀଶୂର ଠାରୁ ବିଭିନ୍ନ ରାଜ୍ୟକୁ ଚାଲିଥାଏ । ଦେଶର ପ୍ରମୁଖ ସହରରୁ ବେଙ୍ଗାଲୁର ପର୍ଯ୍ୟନ୍ତ ଫ୍ଲାଇଟ୍ ଦ୍ୱାରା ଯାଇ ପାରନ୍ତି । ଏହାଛଡ଼ା ରେଳ ଓ ସଡ଼କରେ ମହୀଶୂର ଯାଇ ହେବ । ସେଠାରେ ଯାତ୍ରୀମାନେ ରହିବାକୁ ହୋଟେଲ୍, ଲଜ୍, ଧର୍ମଶାଳା ଏବଂ ଆରାମଦାୟକ ଅତିଥି ଭବନ ମଧ୍ୟ ଉପଲବ୍ଧ ହେବ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

Leave a Reply

Your email address will not be published. Required fields are marked *