କରୋନା ଲୋପ ପାଇଁ ମିଳିତ ଲଢେଇ ଆବଶ୍ୟକ!

ଶରତ କୁମାର ରାଉତ
କରୋନା ମହାମାରୀରୁ ମଣିଷ ସମାଜ କେବେ ମୁକ୍ତି ପାଇବ, କେହି ଠିକ୍ ଭାବେ କହି ପାରୁନାହାନ୍ତି । ବରଂ ଏ ସଂପର୍କରେ ମିଳୁଥିବା ବିଭିନ୍ନ ଖବର ମଣିଷର ଚିନ୍ତା ବଢାଇ ଦେଉଛି । କେତେବେଳେ କେଉଁ ରାଜ୍ୟ ବା ସହରରେ କରୋନା ଭୂତାଣୁ ତୀବ୍ର ଗତିରେ ସଂକ୍ରମଣ ହେବାର ଖବର ମିଳୁଛି ତ କେବେ କେଉଁଠି ସଂକ୍ରମଣ କମୁଛି ବୋଲି କୁହାଯାଉଛି । ଏହା ଭିତରେ ମଧ୍ୟ ମୃତୁ୍ୟ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢି ଚାଲିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୀରୋଲଜିକାଲ୍ ସର୍ଭେରେ କୁଆଡ଼େ ରାଜଧାନୀର ପ୍ରାୟ ଏକ-ଚତୁର୍ଥାଂଶ ଲୋକେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ବହୁ ଲୋକଙ୍କ ଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାନଥିଲା । ଏହା ନିଶ୍ଚୟ ଏକ ଗମ୍ଭୀର ବିଷୟ । ଏଥିରୁ ମନେ ହୁଏ, ଦେଶରେ ସମସ୍ତଙ୍କର କରୋନା ପରିକ୍ଷା କରାଗଲେ, ଦିଲ୍ଲୀ ଭଳି ସାରା ଦେଶରେ ପ୍ରାୟ ଏକ-ଚତୁର୍ଥାଂଶ ଲୋକେ କରୋନା ଭୂତାଣୁରେ ସଂକ୍ରମିତ ଥିବା ଜଣା ପଡ଼ିପାରେ ।
ଆମ ରାଜ୍ୟର ଗଞ୍ଜାମ ଜିଲ୍ଲା ମଧ୍ୟ କରୋନା ହଟଷ୍ପଟ୍ରେ ପରିଣତ ହୋଇଛି । ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା କିଛିଦିନ ତଳୁ ନିୟମିତ କରୋନା ପରିକ୍ଷା ହେବା ଦିନ ଠାରୁ ପ୍ରତିଦିନ ଶହଶହ ସଂକ୍ରମିତ ରୋଗୀ ବାହାରୁଛନ୍ତି । ପ୍ରତିଦିନ ରୋଗୀ ସଂଖ୍ୟା ଦ୍ରୂତ ଗତିରେ ବଢି ଚାଲିଛି । ଏପରିକି ଓଡ଼ିଶାରେ ଦୈନିକ ଯେତେଜଣ କରୋନା ସଂକ୍ରମିତ ବାହାରୁଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା କେବଳ ଗଞ୍ଜାମ ଜିଲ୍ଲାର ବୋଲି ରିପୋର୍ଟ ପ୍ରକାଶ ପାଉଛି । ତେବେ ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ଲୋକଙ୍କର କରୋନା ପରିକ୍ଷା ହେଉଥିବାରୁ ୁଶହ ଶହ ସଂକ୍ରମିତ ବାହାରୁଛନ୍ତି ଓ ଏହା ଧୀରେ ଧୀରେ କମିଯିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଉଛି । ଗଞ୍ଜାମର ଏହି ଚିତ୍ର ଦେଖି ଗଞ୍ଜାମ ସମେତ ସାରା ଓଡ଼ିଶାର ସାଧାରଣ ଲୋକେ ଭୟଭୀତ ହୋଇ ପଡ଼ିଲେଣି ।
ଭାରତର ବିଶାଳ ଜନସଂଖ୍ୟା ଦୃଷ୍ଟିରୁ ନିକଟ ଭବିଷ୍ୟତରେ ସଂକ୍ରମଣର ତୀବ୍ରତା ବଢିବାର ଆଶଙ୍କା ମଧ୍ୟ କରାଯାଉଛି । ଯେହେତୁ ଦେଶର ବହୁ ଅଂଚଳରେ କରୋନା ଭୂତାଣୁର ତାଣ୍ଡବ ଚାଲିଛି । ଜୀତୀୟ ସ୍ତରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାରକୁ ପାର କରି ଗଲାଣି, ଯାହା ନୂଆ ସଂକ୍ରମଣ ମାମଲାରେ ଆମେ ଆମେରିକା ଓ ବ୍ରାଜିଲ୍ ଠାରୁ ମଧ୍ୟ ଆଗକୁ ମାଡ଼ି ଗଲୁଣି । ଏଇଥି ପାଇଁ ହିଁ ଦେଶର କେତେକ ରାଜ୍ୟ ସରକାରଙ୍କୁ ପୁଣି ଲକ୍ ଡ଼ାଉନ୍ ଆଡ଼େ ଫେରିବାକୁ ପଡ଼ିଛି । କୌଣସି ପ୍ରକାର ତୀବ୍ର ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଏବେ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ପୁଣି ଲକ୍ ଡ଼ାଉନ୍ ଆରମ୍ଭ ହୋଇ ଯାଇଛି । ସେହିପରି ଓଡ଼ିଶାର କିଛି ଜିଲ୍ଲା ଓ ସହରରେ ମଧ୍ୟ ସଟଡ଼ାଉନ୍ ଚାଲିଛି ।
ଏହା ସତ୍ୟ ଯେ, ଭଗବାନଙ୍କ ବ୍ୟତୀତ କରୋନା ତାଣ୍ଡବକୁ ନିୟନ୍ତ୍ରଣ ପାଇଁ କାହା ପାଖରେ ଶକ୍ତି ନାହିଁ । ଏଣୁ ଆମକୁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଏହି ଅବସ୍ଥା ସହିତ ସାଲିସ୍ କରି ଚଳିବାକୁ ପଡ଼ିବ । ଏଥିରେ ସବୁଠୁ ବଡ଼ ଅସୁବିଧା ହେଲା ଆମ ଜନସଂଖ୍ୟାର ଘନତ୍ୱ । ଏଥିଯୋଗୁ କରୋନା ବିରୁଦ୍ଧରେ ସବୁ ପ୍ରକାର ପ୍ରଶାସନିକ ପ୍ରସ୍ତୁତି ବା ଲଢେଇ ବେଳେବେଳେ ଫେଲ୍ ମାରୁଛି । ଏହି ଅବସ୍ଥାରେ ସାଧାରଣ ଲୋକଙ୍କର ସହଯୋଗ ଓ କରୋନା ନିୟମ ପାଳନର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏ ବାଦରେ ପୃଥିବୀର କେତେକ ଦେଶର ଉଦାହରଣ ଆମ ଆଗରେ ମୂର୍ତିମନ୍ତ ରହିଛି । ସେହି ସବୁ ଦେଶରେ ପ୍ରଶାସନକୁ ସାଧାରଣ ଲୋକ ମାନେ ନିଜର ଅକୁଣ୍ଠିତ ସହଯୋଗ ଦେଲେ । ଯେଉଁଥିପାଇଁ ସେହି ଦେଶମାନେ କରୋନା ମହାମାରୀକୁ ଆୟତ କରି ପାରିଛନ୍ତି । ମାତ୍ର ଆମ ଦେଶରେ ଏହି ଗମ୍ଭୀର ଅବସ୍ଥାରେ ମଧ୍ୟ ଲୋକମାନଙ୍କର ପ୍ରଶାସନକୁ ପୂର୍ଣ୍ଣ ସହଯୋଗ ମିଳୁ ନଥିବା ଦେଖା ଯାଉଛି । ଏକଥା କୁହାଯାଇ ପାରିବ ନାହିଁ ଯେ, ଏହି ମହାମାରୀର ଗମ୍ଭୀରତା ସଂପର୍କରେ ଦେଶର କୌଣସି ଅଂଚଳରେ ବା କାହା ପାଖରେ ଖବର ନାହିଁ । ହୁଏତ କିଛି ଲୋକେ କରୋନା ନିୟମ ଠିକ୍ ଭାବେ ପାଳନ କରୁନଥାଇ ପାରନ୍ତି, ତଥାପି ସେମାନଙ୍କୁ ନିୟମ ପାଳନ ପାଇଁ ଅନ୍ୟମାନେ ସଚେତନ କରାଇବା ଉଚିତ ।
ଆମ ଦେଶର ଭୌଗୋଳିକ ସ୍ଥିତି ଅନୁଯାୟୀ ଆମେ ସମସ୍ତେ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଭାରତର କେତେକ ରାଜ୍ୟରେ ବନ୍ୟାର ସ୍ଥିତି ଭାରି ଗମ୍ଭୀର ଅବସ୍ଥାକୁ ଚାଲି ଯାଇଛି । ଏହି ଅବସ୍ଥାରେ ସାମାଜିକ ଦୂରତ୍ୱ ପାଳନ କରିବା ପ୍ରାୟ ସମ୍ଭବ ନୁହେଁ । ତଥାପି ସଚେତନଶୀଳ ନାଗରିକ ମାନେ ପ୍ରଭାବିତ ଲୋକମାନଙ୍କୁ ଏ ବାବଦରେ ସଚେତନ କରାଇବା ଉଚିତ । ପୁଣି ଏହି ବର୍ଷା ଋତୁ ନିଜ ସାଙ୍ଗରେ ଅନେକ ମାରାତ୍ମକ ରୋଗକୁ ସାଙ୍ଗରେ ଆଣିଥାଏ । ଡ଼େଙ୍ଗୁ ଓ ଚିକନଗୁନିଆ ଭଳି ଅତି ମାରାତ୍ମକ ରୋଗ ପ୍ରତି ବର୍ଷ ଦେଶର ବହୁ ଅଂଚଳରେ ତାଣ୍ଡବ ସୃଷ୍ଟି କରେ । ଏଥିପ୍ରତି ମଧ୍ୟ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ।
ଏବେ ଆମ ପାଇଁ ବଡ଼ ପରିକ୍ଷାର ସମୟ । ବାସ୍ତବରେ କରୋନା ଭୂତାଣୁର ଲୋପ ପାଇଁ ଆମ ହାତରେ ଅସ୍ତ୍ର ଥାଇ ମଧ୍ୟ ଆମେ ସେହି ଅଦୃଶ୍ୟ ଶକ୍ତି ସହ ଲଢି ପାରୁନାହୁଁ । କାରଣ ଆମ ମଧ୍ୟରୁ କିଛି ଲୋକ କରୋନା ଅସ୍ତ୍ର ବ୍ୟବହାର କରୁ ନାହାନ୍ତି । ଉଦାହରଣ ସ୍ୱରୂପ ସର୍ବସାଧାରଣ ସ୍ଥାନରେ ଲୋକେ ଏତେ ଭିଡ଼ କରୁଛନ୍ତି ଯେ, କେହି ବି ସାମାଜିକ ଦୂରତ୍ୱ ମାନୁ ନଥିବା ଦେଖା ଯାଉଛି । ଆହୁରି ଚିନ୍ତାର ବିଷୟ ହେଲା, ବହୁ ସଂଖ୍ୟାରେ ଲୋକେ ଭିଡ଼ ଭିତରେ ବି ମାକ୍ସ ପିନ୍ଧୁ ନାହାନ୍ତି । ଏହା ଦ୍ୱାରା ସେମାନେ ନିଜକୁ ଓ ଅନ୍ୟ ଲୋକ ମାନଙ୍କୁ ବିପଦ ଘେରରେ ରଖୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ଦ୍ୱାରା ଲକ୍ ଡ଼ାଉନ୍ କିମ୍ବା ସଟ୍ ଡ଼ାଉନ୍ ବ୍ୟବସ୍ଥା ଜାରି ଥିବାବେଳେ ଲୋକମାନେ ମନମୁଖି ବାହାରେ ବୁଲିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଉଛି । ସରକାରଙ୍କ କୋଭିଡ଼୍-୧୯ ଆଇନ ଅନୁଯାୟୀ ଏଭଳି ଅମାନିଆ ଲୋକମାନଙ୍କ ଠାରୁ ଜରିମାନା ଆଦାୟ ହେଲେ ମଧ୍ୟ କେହି ଚେତୁ ନାହାନ୍ତି । ଏହା ଦ୍ୱାରା ଲକ୍ ଡ଼ାଉନ୍ କିମ୍ବା ସଟ୍ ଡ଼ାଉନ୍ ର ସଂପୂର୍ଣ୍ଣ ଲାଭ ମିଳୁନାହିଁ । ଦେଶର କିଛି ଅଂଚଳରେ ବାରମ୍ବାର ଲକ୍ ଡ଼ାଉନ୍ କିମ୍ବା ସର୍ଟ ଡ଼ାଉନ୍ ବଢାଇବାର ମୁଖ୍ୟ କାରଣ ଅମାନିଆ ଲୋକଙ୍କ ଅସାବଧାନତା । ଆହୁରି ଚିନ୍ତାର ବିଷୟ ହେଲା, ଆମ ଦେଶରେ ଲୁଚି ଛପି ସଭା, ସମିତି ଆଦି ଆୟୋଜନ କରା ଯାଉଥିବାରୁ ଗୋଟିଏ ସ୍ଥାନରେ ଅସମ୍ଭବ ଭିଡ଼ ଜମୁଛି । ଏଭଳି ଅସାବଧାନତା ଦେଶ ପାଇଁ ମହଙ୍ଗା ସାବ୍ୟସ୍ଥ ହେଉଛି । ଆଉ ଏଥିଯୋଗୁ କରୋନା ସଂକ୍ରମଣ ତୀବ୍ର ଗତିରେ ବଢୁଛି ଓ ଏହା ଫଳରେ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପ୍ରଭାବିତ ହେଉଛି । ସରକାରୀ ଆଇନ ପାଳନ କରିବା ଆମର ଦାୟିତ୍ୱ ଓ କର୍ତବ୍ୟ । ସମସ୍ତେ ମିଶି ଲଢେଇ ନକଲେ, ଆମେ କରୋନା ମହାମାରୀକୁ ଜିତି ପାରିବା ନାହିଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.