ଜୟପଣ୍ଡାଙ୍କ ରାଜନୀତି ଚାଲିଛି କିପରି!

ଶରତ କୁମାର ରାଉତ
ସାଂପ୍ରତିକ ରାଜନୀତିରେ ନେତାଙ୍କୁ ଚିହ୍ନିବା ସହଜ ନୁହେଁ । ସାଧାରଣତଃ ତୃଣମୂଳ ସ୍ତରରେ ଲୋକଙ୍କ ସେବା କରି, ଲୋକଙ୍କ ସୁଖ-ଦୁଃଖରେ ଏକାକାର ହୋଇ ନେତା ପାଲଟି ଥିବା ବ୍ୟକ୍ତି ହିଁ ବାସ୍ତବ କ୍ଷେତ୍ରରେ ଲୋକପ୍ରତିନିଧି ହେବାକୁ ଯୋଗ୍ୟ ହୋଇ ଥାଏ । ଲୋକେ ରାଜନେତାଙ୍କ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ନେତାଙ୍କ ମିଥ୍ୟା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ନେତା ହେଲେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଣା । ଆମେରିକାରେ ପାଠପଢା ଶେଷ ପରେ ବୈଜୟନ୍ତ ବାବୁ ଶିଳ୍ପ କ୍ଷେତ୍ରରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଧୀରେଧୀରେ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ବୈଜୟନ୍ତ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । କେବଳ କେନ୍ଦ୍ରାପଡ଼ା କି ଓଡ଼ିଶା ନୁହେଁ, ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ସାଂସଦ ଭାବେ ତାଙ୍କର ରାଜନୀତିକ ଓ ସଂସଦୀୟ କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ଜାତୀୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି ।୨୦୦୦ ଓ ୨୦୦୬ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ରାଜ୍ୟସଭା ସଂସଦୀୟ ଦଳର ନେତା ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡ଼ି ଟିକଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ବିଭିନ୍ନ ସଂସଦୀୟ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଥିଲେ ।
ସଂସଦ ଅଧିବେଶନରେ ବୈଜୟନ୍ତ ବାବୁଙ୍କର କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା ଓ ଜାତୀୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ତଥା ସଂସଦ ବାହାରେ, ନିଜ ରାଜ୍ୟରେ ଓ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଅଦ୍ୱିତୀୟ । ସଂସଦ ଅଧିବେସନରେ ପ୍ରଶ୍ନ-ଉତର, ବଜେଟ୍, ବିଧେୟକ, ଧ୍ୟାନାକର୍ଷଣ, ସ୍ଥଗନ, ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ବୈଜୟନ୍ତବାବୁ ଉପସ୍ଥିତ ରହି ସବୁଥିରେ ସକି୍ରୟ ଅଂଶ ଗ୍ରହଣ କରନ୍ତି । ଦେଶରେ ଦାରିଦ୍ର୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତୁ୍ୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସିଛନ୍ତି । ଏଥିପାଇଁ ମଧ୍ୟ ସେ ସଂସଦରେ ଅନେକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିଛନ୍ତି । ୨୦୧୧ରେ ବୈଜୟନ୍ତ ବାବୁଙ୍କ ସମେତ ଏକ ଉଚ୍ଚସ୍ତରୀୟ ଯୁବ ସଂସଦୀୟ ଦଳ“ସିଟିଜେନ୍ସ ଆଲିଆନ୍ସ ଏଗ୍ନେଷ୍ଟ ମାଲ୍ନୁ୍ୟଟି୍ରସନ୍” ଶିଶୁ ପୃଷ୍ଟିହୀନତାର କାରଣ ସଂପର୍କରେ ସାରା ଭାରତରେ ବୁଲି ମା’, ଶିଶୁ, ଅଙ୍ଗନୱାଡ଼ୀ କର୍ମୀ ଓ ସରକାରୀ କର୍ମକର୍ତାଙ୍କୁ ଭେଟିଥିଲେ । ଏହି ଦଳ ୧ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଓ ୭୪ ହଜାରରୁ ଉଦ୍ଧ୍ୱର୍ ମା’ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହା ଦେଶର ସବୁଠୁ ବଡ଼ ପୃଷ୍ଟିହୀନତା ସର୍ଭେ ଥିଲା । ୨୦୧୩ରେ ରାଜନୀତିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଥିବା ଅପରାଧ୍ôକ ମାମଲାର ବିଚାର ପାଇଁ ସ୍ପେଶିଆଲ୍ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ,୨୦୧୩ରେ ରାଜନୀତିରେ ଅପରାଧୀକରଣ ନିୟନ୍ତ୍ରଣ ପାଇଁ,୨୦୧୪ରେ ଜଣେ ବ୍ୟକ୍ତି ଏକସମୟରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ଉଭୟରୁ ନିର୍ବାଚିତ ହୋଇ ପରେ ଯେଉଁ ଆସନରୁ ଇସ୍ତଫା ଦେବେ, ସେଠାରେ ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ପରାଜିତ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷିତ କରିବାକୁ ସଂସଦରେ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, ୨୦୧୮ଜାନୁୟାରୀ ୨୪ ତାରିଖରେ ତାଙ୍କୁ ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରା ଯାଇଥିଲା, ଯାହାକୁ କେନ୍ଦ୍ରାପଡ଼ାର ସଚେତନଶୀଳ ନାଗରିକ ମାନେ ଗ୍ରହଣ କରିପାରି ନଥିଲେ । ତା.୨୮.୦୫.୨୦୧୮ରିଖରେ ବିଭିନ୍ନ କାରଣ ଦର୍ଶାଇ ବୈଜୟନ୍ତ ବାବୁ ବିଜେଡ଼ିରୁ ଇସ୍ତଫା ଦେଇଥିଲେ ଓ ତା.୧୨.୦୬.୨୦୧୮ ରିଖରେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ୨୦୧୯ ମାର୍ଚ୍ଚ ୪ ତାରିଖରେ ସେ ବିଜେପିରେ ଯୋଗ ଦେଇଥିଲେ । ଏହାର ମାତ୍ର ୪ ଦିନ ପରେ ମାର୍ଚ୍ଚ ୮ ତାରିଖରେ ତାଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ବିଜେପି ଜାତୀୟ ଉପ-ସଭାପତି ତଥା ମୁଖପାତ୍ର ପଦରେ ଅବସ୍ଥାପିତ କରାଯାଇଥିଲା । ବୈଜୟନ୍ତ ବାବୁ ଯେପରି ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇଥାନ୍ତି ଓ ଲୋକଙ୍କୁ ଭଲ ପାଆନ୍ତି, ପୂର୍ବର କୌଣସି ସାଂସଦଙ୍କ ଠାରେ ତାହା ଦେଖା ଯାଇନଥିଲା । ବାସ୍ତବରେ ସାଧାରଣ ଲୋକଙ୍କ ପାଇଁ ଉନ୍ନୟନ କାର୍ଯ୍ୟରେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିଲେ ବୈଜୟନ୍ତ ବାବୁ । ତେବେ ବୈଜୟନ୍ତ ବାବୁ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରେ ତୃତୀୟ ଥର ପାଇଁ ବିଜେପି ଟିକଟରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ନିର୍ବାଚନରେ ବିଜେଡ଼ିର ଅନୁଭବ ମହାନ୍ତି ୬,୨୮,୯୩୯ ଖଣ୍ଡ ଭୋଟ ପାଇଥିଲାବେଳେ ବିଜେପିର ବୈଜୟନ୍ତ ପଣ୍ଡା ୪,୪୭,୪୫୬ ଖଣ୍ଡ ଭୋଟ ଏବଂ କଂଗ୍ରେସର ଧରଣୀଧର ନାୟକ ୧,୧୩,୮୪୧ ଖଣ୍ଡ ଭୋଟ୍ ପାଇଥିଲେ । ତେବେ ବିଜେଡ଼ିର ଅନୁଭବ ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ବାବୁଙ୍କୁ ୧,୮୧,୪୮୩ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏଠାରେ ପ୍ରଶ୍ନ ଉଠିପାରେ ଯେ, କେନ୍ଦ୍ରାପଡ଼ାର ବିକାଶ ପାଇଁ ବୈଜୟନ୍ତ ବାବୁ ଅନେକ ଉନ୍ନୟନ କାର୍ଯ୍ୟ କରିବା ସହ ବହୁ ଉନ୍ନୟନ ଯୋଜନା ହାତକୁ ନେଇଥିଲେ ହେଁ ମତଦାତା ମାନେ ତାଙ୍କୁ ପ୍ରତ୍ୟାଖାନ କଲେ କାହିଁକି? ତେବେ ମୁଖ୍ୟତଃ ୨ଟି କାରଣ ପାଇଁ ବୈଜୟନ୍ତ ବାବୁ ପରାଜିତ ହେଲେ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଇଥିଲେ । । ପ୍ରଥମତଃ ବିଜେପିରେ ମିଶିବା ତାଙ୍କ ପାଇଁ କାଳ ହେଲା । କାରଣ ଯେଉଁ ସଂଖ୍ୟାଲଘୁ ଭୋଟ୍, ପୂର୍ବରୁ ବୈଜୟନ୍ତ ବାବୁଙ୍କ ହାତ ମୁଠାରେ ଥିଲା, ସେ ବିଜେପିର ପ୍ରାର୍ଥୀ ହେବା ପରେ ପ୍ରାୟତଃ ସବୁ ଭୋଟ ବିଜେଡ଼ି ହାତକୁ ଚାଲିଗଲା । ଦ୍ୱିତୀୟତଃ ବୈଜୟନ୍ତ ବାବୁଙ୍କ ପରିଚାଳନାଗତ ତୃଟି ଯୋଗୁ ଯୁବ ଗୋଷ୍ଠୀର ଭୋଟ ଗୁଡ଼ିକ ଅତି ସହଜରେ ବିଜେଡ଼ି ଅକ୍ତିଆରକୁ ଚାଲିଗଲା । ଭୋଟ ପରିଚାଳନା ବେଳେ ସେ ତାଙ୍କର ପୁରୁଣା ସମର୍ଥକ ଓ ଶୁଭେତ୍ସୁ ମାନଙ୍କୁ ଆଡ଼େଇ ଦେଲେ । ଅନ୍ୟପକ୍ଷରେ ବୈଜୟନ୍ତ ବାବୁଙ୍କ ପ୍ରାର୍ଥୀତ୍ୱ ଓ ନିର୍ବାଚନ ବିଜୟ ପାଇଁ ବିଜେପିର କେତେକ ଆଗ ଧାଡ଼ିର ନେତା ସେମିତି କିଛି ସହଯୋଗ ଦେଇନଥିବା ସେତେବେଳେ ମନେ ହୋଇଥିଲା ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଇଥିଲେ । ମାତ୍ର ବିଜେଡ଼ି ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ସହଧର୍ମିଣୀ ବର୍ଷା ପ୍ରିୟଦର୍ଶିନୀ ନିଜର ଯଥେଷ୍ଟ ଉଦ୍ୟମ ବଳରେ ଯୁବଗୋଷ୍ଠୀକୁ ନିଜ ପକ୍ଷÿକୁ ଆଣି ପାରିଥିଲେ । ଯେଉଁଥିପାଇଁ ବିଜେଡ଼ି ସହଜ ବିଜୟଲାଭ କଲା ।
ବାସ୍ତବତା ଦେଖାଗଲେ, ବୈଜୟନ୍ତ ପଣ୍ଡା ଜଣେ ଭିନ୍ନ ଚରିତ୍ରର ମଣିଷ । ସାଂସଦ ନଥାଇ ମଧ୍ୟ ସେ ସବୁବେଳେ କେନ୍ଦ୍ରାପଡ଼ା ଅଂଚଳରେ ରହି ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଥିବା ଦେଖା ଯାଉଛି । ଦଳମତ ନିର୍ବିଶେଷରେ କେନ୍ଦ୍ରାପଡ଼ାର ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତି କେନ୍ଦ୍ରାପଡ଼ା ବାସୀଙ୍କର ଏବେ ବି ଅକୁଣ୍ଠ ସମର୍ଥନ ରହିଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡ଼ା, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.