ଭାରତର ମୁକ୍ତି ସଂଗ୍ରାମରେ ଚାପେକାର ବ୍ରଦର୍ସ

ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ, ଗୋଟିଏ ପରିବାରର ତିନି ତିନୋଟି ସନ୍ତାନ ମୁକ୍ତି ସଂଗ୍ରାମରେ ପ୍ରାଣ ବିସଜର୍ନ କରିବା ପରି ଘଟଣା ବୋଧହୁଏ ପୃଥିବୀରେ ବିରଳ । ତାହା କିନ୍ତୁ ବାସ୍ତବତାର ରୂପ ନେଇଥିଲା, ମହାରାଷ୍ଟ୍ରର ପୁନାସ୍ଥିତ ଏକ ବ୍ରାହ୍ମଣ ପରିବାର,ହରି ଚାପେକାରଙ୍କର ପରିବାରରେ । ଭାରତୀୟ ମାନେ ଯେତେବେଳେ ,ଇଂରେଜ ମାନଙ୍କର ଦୀର୍ଘଦିନବ୍ୟାପୀ ଦମନଲୀଳା ଓ ଶୋଷଣରେ ଅତିଷ୍ଠହୋଇଯାଇଥିଲେ,ଠିକ୍ ସେତିକିବେଳେ ସ୍ୱାମୀ ବିବେକାନନ୍ଦଙ୍କର ଓଜସ୍ୱିନୀ ଅଗ୍ନିବର୍ଷୀ ବକ୍ତବ୍ୟ,ସଶସ୍ତ୍ର ବିପ୍ଳବୀ ମାନଙ୍କର ରକ୍ତରେ କରିଥିଲା ଅଗ୍ନି ସଂଯୋଗ । ତାଙ୍କର ବକ୍ତବ୍ୟ ଥିଲା, ଯେତେବେଳେ ଭାରତୀୟ ମୁନିଋଷିମାନେ ବେଦ ଉପନିଷଦ ପରି ମୁଲ୍ୟବାନ ଗ୍ରନ୍ଥ ରଚନାରେ ବ୍ୟସ୍ତ ଥିଲେ,ସେତେବେଳେ ୟୁରୋପୀୟ ମାନେ ଆଦିମ ଅଧିବାସୀ ରୂପେ ବଣ ଜଙ୍ଗଲରେ କାଳାତିପାତ କରୁଥିଲେ ।ଇଂରେଜ ମାନେ ଭାରତୀୟ ମାନଙ୍କଠାରୁ କୌଣସି ଗୁଣରେ ଅଧିକ ନୁହନ୍ତି । ଶିକ୍ଷା ଶୌର୍ଯ୍ୟ ସାହସିକତା ଓ ମାନବିକତା ପରି ସ୍ୱର୍ଗୀୟ ଗୁଣ ଗୁଡିକ ଭାରତୀୟ ମାନଙ୍କଠାରେ ଭରପୁର୍, ଯାହା ଇଂରେଜ ମାନଙ୍କ ପାଖରେ ନାହିଁ । ଯେଉଁଦିନ ଭାରତୀୟ ମାନେ ଆତ୍ମ ବିଶ୍ୱାସ ଦୃଢକରି, ଇଂରେଜ ଶାସନ ବିରୁଦ୍ଧରେ ସକ୍ରିୟ ହୋଇ ଉଠିବେ,ସେହିଦିନହିଁ ଇଂରେଜ ମାନେ ଏ ଦେଶରୁ ବିଦାୟ ନେବେ ।ବାରୁଦଗଦାରେ ଅଗ୍ନି ସଂଯୋଗ ପରି ଏହି ଦୃଢୋକ୍ତି ମହାରାଷ୍ଟ୍ରର ବିପ୍ଳବୀ ମାନଙ୍କର ମାନସପଟରେ ବିପନ କରିଦେଇଥିଲା ସଶସ୍ତ୍ର ସଂଗ୍ରାମର ବୀଜ । ସେହି ବୀଜର ଅଙ୍କୁରୋଦଗମ ହୋଇଥିଲା ମହାଦେବ ଗୋବିନ୍ଦ ରାଣାଡେ ନାମକ ଜଣେ ଦୁର୍ଦ୍ଦଷ ବିପ୍ଳବୀଙ୍କ ଦ୍ୱରା ଗଠିତ ଏକ ବୈପ୍ଳବିକ ସଂଗଠନ (ସାର୍ବଜନୀନ ସଭା) ଦ୍ୱାରା । ଇଂରେଜ ମାନଙ୍କୁ ଦେଶରୁ ସମ୍ପୂର୍ଣ ବହିଷ୍କାର କରିବାର ଶପଥ ନେଇ , ଏହି ସଂସ୍ଥାରେ ମହାରାଷ୍ଟ୍ରର ଶହଶହ ବିପ୍ଳବୀ ଯୁବକ ସାମିଲ ହୋଇଥିଲେ । ତନ୍ମଧ୍ୟରେ ଥିଲେ ଅନ୍ୟତମ ଉତ୍ସର୍ଗୀକୃତ ଦେଶଭକ୍ତ ବିପ୍ଳବୀ ବାସୁଦେବ ବଳବନ୍ତ ଫାଡକେ । ଛତ୍ରପତି ଶିବାଜୀଙ୍କର ଉତରାଧିକାରୀ ରୂପେ ମର୍ମେମର୍ମେ ଉପଲ୍ୱଧି କରିଛନ୍ତି ସ୍ୱାଧୀନତାର ଗୁରୁତ୍ୱ । ଆଜନ୍ମ ବିପ୍ଳବୀ ସେମାନେ ,ବିପ୍ଳବ ତାଙ୍କର ଅସ୍ଥିମଜ୍ଜାଗତ । ଫାଡକେଙ୍କ ଦ୍ୱରା ଗଠିତ (ଉପଜାତି ସଂଗଠନ) ଆରମ୍ଭ କରିଦେଲେ ଇଂରେଜ ଅଫିସର ଏବଂ ସେମାନଙ୍କ ସମର୍ଥକଙ୍କ ଉପରେ ଦମନଲୀଳା । ସେମାନଙ୍କର ଯୁକ୍ତିଥିଲା, ଗୋଟିଏ ଇଂରେଜ ଅଫିସରକୁ ଖତମ କରିଦେଲେ,ଶହଶହ ଭୀରୁ ଇଂରେଜ ମାନଙ୍କ ମନରେ ମୃତ୍ୟୁଭୟ ଶତଗୁଣିତ ହେବ ଏବଂ ଆତ୍ମବିଶ୍ୱାସ ହରାଇ ନିଷ୍କ୍ରିୟ ହୋଇଯାଇଥିବା ଭାରତୀୟ ମାନଙ୍କ ମନରେ ସୃଷ୍ଟି ହେବ ନିର୍ଭିକତା । ତାଙ୍କ ଶିକାର ତାଲିକାର ପରବର୍ତୀ ଲକ୍ଷ୍ୟ ଥିଲା ବମ୍ବେର ଗଭର୍ଣର ରିଚାର୍ଡ ଟେମ୍ପଲ । କିନ୍ତୁ ବିଧିର ବିଡମ୍ବନା,ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୧୮୬୯ ମସିହା ଜୁଲାଇ ୩ ତାରିଖରେ ବାସୁଦେବ ପୋଲିସ ହାତରେ ଧରା ପଡିଯାଇଥିଲେ ଏବଂ ବିଚାରରେ ତାଙ୍କୁ ନିର୍ବାସିତ କରାଗଲା ଆଫ୍ରିକାର ଏଡେନ ବନ୍ଦରସ୍ଥିତ ଏକ ବନ୍ଦୀଶାଳାକୁ । ସେହିଠାରେ ସେ ଇହଧାମ ପରିତ୍ୟାଗ କରିଥିଲେ ଏବଂ ସେ ଥିଲେ ଭାରତର ପ୍ରଥମ ସହିଦ ଯିଏକି ବିଦେଶ ବନ୍ଦୀଶାଳାରେ ସହିଦ ହେବାର ଗୌରବାର୍ଜନ କରିଥିଲେ । ତାଙ୍କ ବିୟୋଗରେ ବିପ୍ଳବୀ ମହଲରେ ଏକ ସୁଦକ୍ଷ ନେତୃତ୍ୱର ଅଭାବ ପରିଲକ୍ଷିତ ହେବା ସମୟରେ ,ସଶସ୍ତ୍ର ମୁକ୍ତି ସଂଗ୍ରାମର ଭାଗ୍ୟାକାଶରେ ଉଦୟ ହେଲେ ଏକ ଉଜ୍ଜଳ ଦିପ୍ତୀମନ୍ତ ସୂର୍ଯ୍ୟ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ । ତାଙ୍କର ବିପ୍ଳବାତ୍ମକ ରଚନା ଓ ଅଗ୍ନିବର୍ଷୀ ବକ୍ତବ୍ୟ ଯୁବବିପ୍ଳବୀ ମାନଙ୍କର ରକ୍ତରେ ଭରିଦେଇଥିଲା ଅଗ୍ନି ସ୍ଫୁଲିଙ୍ଗ ଏବଂ ମୁକ୍ତି ସଂଗ୍ରାମରେ ଆତ୍ମୋତ୍ସର୍ଗର ଅଦ୍ଭୁତପୂର୍ବ ଉଦ୍ଦାମତା । ଜନମାନସରେ ଦେଶାତ୍ମବୋଧ ଏବଂ ନିର୍ଭୀକତା ସୃଷ୍ଟି ନିମନ୍ତେ, ତିଳକଙ୍କ ନିଦେ୍ର୍ଦଶରେ ମହାରାଷ୍ଟ୍ରରେ ସର୍ବତ୍ର ପାଳିତ ହେଲା ଶିବାଜୀ ଜୟନ୍ତୀ ଏବଂ ଗଣପତି ପୂଜା । ସେହି ସମୟରେ ବମ୍ବେ ଏବଂ ପୁନା ସହରରେ ଆରମ୍ଭ ହୋଇଗଲା ଭୟାବହ ମହାମାରୀ ପ୍ଲେଗ୍, ଯେଉଁଥିରେକି ଚିକିତ୍ସାର ଅଭାବ ଏବଂ ସରକାରୀ ଉଦାସୀନତା ନିମନ୍ତେ ଶହଶହ ଲୋକ ଅକାଳରେ ମୃତ୍ୟୁ ବରଣ କରିଥିଲେ । ମାନବିକତା ଶୂନ୍ୟ ସରକାର ପୋଲିସ ସହାୟତାରେ ରୁଗ୍ଣ ବ୍ୟକ୍ତି ମାନଙ୍କୁ ବଳପୂର୍ବକ ସହରରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଲାଗି ପଡିଲେ । ପୁନାର ତତ୍କାଳୀନ ଶ୍ୱେତାଙ୍ଗ ଶାସକ ମିଷ୍ଟର ର୍ୟାଣ୍ଡସ୍ର ଅଦୁରଦର୍ଶିତା ଯୋଗୁ ତାଙ୍କ ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି ହେଲା । ପୁନାର ହରି ଚାପେକାରଙ୍କ ପତ୍ନୀଙ୍କ ସ୍ୱର୍ଣଗର୍ଭରୁ ୧୮୬୯ରେ ଜନ୍ମୀତ ଦାମୋଦର,୧୮୭୩ରେ ଜନ୍ମୀତ ବାଳକୃଷ୍ନ ଏବଂ ୧୮୮୦ରେ ଜନ୍ମୀତ ବାସୁଦେବ,ତିନୋଟିଯାକ ସନ୍ତାନ ଥିଲେ ଆବାଲ୍ୟ ଦେଶପ୍ରେମୀ । ସେମାନଙ୍କ ସହ ସାମିଲ ହୋଇଥିଲେ ଆଉ ଜଣେ ଦୁର୍ଦ୍ଧଷ ବିପ୍ଳବୀ ମହାଦେବ ବିନାୟକ ରାଣାଡେ । ଏ ସମସ୍ତଙ୍କ ଗୋଟିଏ ଲକ୍ଷ୍ୟଥିଲା ମିଷ୍ଟର ର୍ୟାଣ୍ଡସ୍ର ନିଧନ । ଗୋଟିଏ ର୍ୟାଣ୍ଡସ୍ର ନିଧନରେ ଶତଶତ ଅତ୍ୟାଚାରୀ ଶାସକଙ୍କର ହୃତକମ୍ପ ସୃଷ୍ଟି କରିବା ଉଦେ୍ଦଶ୍ୟରେ ,ର୍ୟାଣ୍ଡସ୍କୁ ଚିହ୍ନି ତାର ଗତିବିଧି ଉପରେ ନଜର ରଖିବାର ଦାୟୀତ୍ୱ ବହନ କଲେ ବାସୁଦେବ । ସେଦିନଥାଏ ୧୮୯୭ ଜୁନ ୨୨ତାରିଖ ।ପୁନାର ଭିକ୍ଟୋରିଆ ଜୁବୁଲି ହଲ୍ରେ ଏକ ବର୍ଣ୍ୟାଢ ସମାବେଶର ମୁଖ୍ୟ ଅତିଥି ଥିଲେ ମିଷ୍ଟର ର୍ୟାଣ୍ଡସ । ସଶସ୍ତ୍ର ଦାମୋଦର ବାଳକୃଷ୍ନ ଓ ମହାଦେବ ଯୋଜନାର ସଫଳ ରୂପାୟନର ସୁଯୋଗକୁ ଅପେକ୍ଷାରତ । କିନ୍ତୁ ର୍ୟାଣ୍ଡସ୍ ଥିଲା ବନ୍ଧୁକ ରେଂ୍ଜର ବାହାରେ । ତତ୍କ୍ଷଣାତ୍ ଯୋଜନାର ରୂପରେଖ ପରିବର୍ତନହୋଇଗଲା । ଅନ୍ଧକାର ରାତ୍ରୀର ସୁଯୋଗରେ ତିନିହେଁ ଅପେକ୍ଷାରତ ତାର ବଙ୍ଗଳାକୁ ଫେରିବା ରାସ୍ତାରେ । ପ୍ରଥମେ ରହିଲେ ଦାମୋଦର, ତାର ଅଳ୍ପ କିଛି ଦୁରରେ ବାଳକୃଷ୍ନ ଏବଂ ସର୍ବଶେଷରେ ରହିଲେ ମହାଦେବ । ନିଶାର୍ଦ୍ଧରେ ଫେରିଲେ ର୍ୟାଣ୍ଡସ୍ ଘୋଡାଗାଡିରେ । ସୁଯୋଗ ଉପଗତ । କାଳବିଳମ୍ବ ନକରି ଅନ୍ଧକାରରେ ଦାମୋଦର ର୍ୟାଣ୍ଡସକୁ ଠିକ୍ ଭାବରେ ଚିହ୍ନିବାପରେ ଲକ୍ଷ୍ୟ ସ୍ଥିରକରି ଲାଗଲାଗ ଦୁଇଟି ଗୁଳି ଫୁଟାଇଦେଲେ । ରିଭଲଭର ଗୁଳିର ଶବ୍ଦ ସାଙ୍ଗକୁ ର୍ୟାଣ୍ଡସର ଆର୍ତଚିକ୍ରାର ଥରାଇ ଦେଇଥିଲା ରାତ୍ରୀର ନିସ୍ତବ୍ଧତାକୁ । ତାଙ୍କ ପଛରେ ଆଉ ଗୋଟିଏ ଗାଡିରେ ଆସୁଥିଲେ ର୍ୟାଣ୍ଡସର ପ୍ରଧାନ ସହକାରୀ ମିଷ୍ଟର ଆର୍ୟଷ୍ଟ । ସୁଯୋଗକୁ ହାତଛଡା କଲେନାହିଁ ବାଳକୃଷ୍ନ । କିଛି ମିନିଟ ମଧ୍ୟରେ ଗର୍ଜି ଉଠିଲା ତାଙ୍କ ହସ୍ତର ରିଭଲଭର ଏବଂ ଆର୍ୟଷ୍ଟର ଆର୍ତଚିକ୍ରାର । ନିସ୍ତବ୍ଧ ରାତ୍ରୀର ଘନ ଅନ୍ଧକାର ମଧ୍ୟରେ ଅଦୃଶ୍ୟ ହୋଇଗଲେ ବିପ୍ଳବୀତ୍ରୟ । ସକାଳୁ ସକାଳୁ ଖବର ପ୍ରସାରିତ ହେବାପରେ ,ସ୍ତବ୍ଧ ହୋଇଗଲା ସାରା ଦେଶ । ସଶସ୍ତ୍ର ବିପ୍ଳବର ଶୁଭଶଙ୍ଖର ଶବ୍ଦରେ ପ୍ରକମ୍ପିତ ହେଲା ଆକୁମାରୀ ହିମାଚଳର ଗଗନ ପବନ । ଧନ୍ୟଧନ୍ୟ ମହାରାଷ୍ଟ୍ରର ବିପ୍ଳବୀ । ଦୀର୍ଘ ତିନି ମାସର ଖୋଜାଖୋଜି ପରେ ପ୍ରଥମେ ଧରା ପଡିଗଲେ ବିପ୍ଳବୀ ଦାମୋଦର । ବିଚାରର ପ୍ରହସନ ପରେ ତାଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଗଲା । ବିଚାର ବେଳେ ବିପ୍ଳବୀ ଦାମୋଦର ଯେଉଁ ଜମାନବନ୍ଦୀ ଦେଇଥିଲେ ତାହା ମୁକ୍ତିସଂଗ୍ରାମ ଇତିହାସର ଏକ ସ୍ମରଣୀୟ ଘଟଣା । ତାଙ୍କର ବକ୍ତବ୍ୟ ଥିଲା ଆପୋଷରେ ଯେଉଁ ସ୍ୱଧୀନତା ଆସେ,ତାହା ପରାଧୀନତାର ରୂପାନ୍ତର ମାତ୍ର । ନତଜାନୁ ହୋଇ ଆତ୍ମସମ୍ମାନ ଭିକ୍ଷା କରିବା ଅପେକ୍ଷା,ଶକ୍ତି ଓ ସାମର୍ଥ୍ୟ ବଳରେ ଆତ୍ମସମ୍ମାନ ହାସଲ କରିବା ଶ୍ରେୟସ୍କର । ମୋର ପରମ ଆନନ୍ଦ ମୁଁ ଏହି ଅଭିଯାନ ଦ୍ୱାରା ମୋର ଦାୟୀତ୍ୱ ସମ୍ପାଦନ କରିବାକୁ ଯାଇ ମୃତ୍ୟୁଦଣ୍ଡ ପରି ସର୍ବୋଚ୍ଚ ପୁରସ୍କାର ପାଇଛି । ଏକ ସୁନ୍ଦର ଶାନ୍ତ ପ୍ରଭାତରେ ,ଭଗବତ୍ ଗୀତାକୁ ହସ୍ତରେ ଧାରଣକରି ,ଗର୍ବିତ ଠାଣିରେ ପୁନା ସେଂଟ୍ରାଲ ଜେଲ୍ର ଫାଶିମଂଚକୁ ଆରୋହଣ କଲେ ଦାମୋଦର । ତାର ଦୁଇବର୍ଷ ପରେ ହାଇଦ୍ରାବାଦର ନିଜାମ,ଅର୍ଥ ଲୋଭରେ ମଝିଆଁ ଭାଇ ବାଳକୃଷ୍ନଙ୍କୁ ଧରାଇ ଦେଇଥିଲେ ଇଂରେଜ ସରକାରଙ୍କ ହସ୍ତରେ । ବଡଭାଇଙ୍କ ଫାଶୀ ଏବଂ ମଝିଆଁ ଭାଇଙ୍କ ଗ୍ରେପ୍ତାର, ଅଗ୍ନି ସଂଯୋଗ କରିଦେଲା କନିଷ୍ଠ ଭ୍ରାତା ବାସୁଦେବଙ୍କ ରକ୍ତରେ ।ବିପ୍ଳବୀ ରାଣାଡେ ମଧ୍ୟ ତାଙ୍କ ସାଙ୍ଗରେ ଯୋଗ ଦେଲେ । ପ୍ରତିଶୋଧ ପରାୟଣ ହୋଇ ସେମାନେ ପୋଲିସ ଦଲାଲ୍ ଗଣେଷ ଶଙ୍କର ଦ୍ରେଭିଡ ଓ ତାଙ୍କ ସାନଭାଇ ରାମଚନ୍ଦ୍ର ଦ୍ରେଭିଡଙ୍କୁ ନିର୍ମମ ଭାବରେ ହତ୍ୟା କଲେ । ଉଭୟ ବିପ୍ଳବୀ ଶେଷରେ ଧରାପଡି ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ । ସେତେବେଳକୁ ବାଳକୃଷ୍ନଙ୍କର ବିଚାର ମଧ୍ୟ ଶେଷ ହୋଇଯାଇଥିଲା । ଜ୍ୟେଷ୍ଠ ଭା୍ରତାଙ୍କ ପଦାଙ୍କ ଅନୁସରଣ କରି ଆଗପଛ ହୋଇ ତିନି ବିପ୍ଳବୀ ଫାଶିମଂଚକୁ ଆରୋହଣ କଲେ । ୧୮୯୮ ଏପ୍ରିଲ ୧୮ରେ ଦାମୋଦର, ମେ ୮ରେ ବାସୁଦେବ ଏବଂ ୧୮୯୯ ମେ ୧୨ରେ ବାଳକୃଷ୍ନଙ୍କର ପବିତ୍ର ଶରୀରକୁ ଆଲିଙ୍ଗନ କରି ଧନ୍ୟ ହୋଇଯାଇଥିଲା ପୁନା ସେଂଟ୍ରାଲ ଜେଲ୍ର ଫାଶିଖୁଂଟ ।ତିନି ତିନୋଟି ସନ୍ତାନକୁ ସ୍ୱାଧୀନତା ଯୁପକାଷ୍ଠରେ ବଳିରୂପେ ଉତ୍ସର୍ଗ କରିଦେଇଥିବା ସ୍ୱର୍ଣଗର୍ଭା ମାତା କିଏ? କଣ ଥିବ ତାଙ୍କର ମାନସିକ ଅବସ୍ଥା? ଏହି କଥା ଅଧ୍ୟୟନ କରିବାକୁ ସୁଦୁର କଲିକତାରୁ ସ୍ୱାମୀଜିଙ୍କ ମାନସ କନ୍ୟା ବିପ୍ଳବିଣୀ ଭଗ୍ନୀ ନିବେଦିତା ଯାଇଥିଲେ ପୁନା ସହରକୁ ।ପଦସ୍ପର୍ଶ କଲେ ଶିବମୂର୍ତି ସମ୍ମୁଖରେ ଧ୍ୟାନରତା ମହିୟସୀ ଚାପେକାର ଜନନୀଙ୍କର । ମୁଖ ମଣ୍ଡଳରେ ପ୍ରଶାନ୍ତିର ଆଭା, ଚକ୍ଷୁରେ କରୁଣାର ଝଲକ,ଶରୀରରେ ସନ୍ୟାସିନୀର ଆଧ୍ୟାତ୍ମିକ ଭାବ । ଧନ୍ୟ ସେହି ମାତା,ଧନ୍ୟ ମହାରାଷ୍ଟ୍ର ,ଧନ୍ୟ ଭାରତର ମୁକ୍ତି ସଂଗ୍ରାମÿ ।
( ଭାରତର ସଶସ୍ତ୍ର ମୁକ୍ତି ସଂଗ୍ରାମ ପୁସ୍ତକର ତଥ୍ୟ ଉପରେ ଆଧାରିତ)
ପ୍ରଦୀପ୍ତ ଆଚାର୍ଯ୍ୟ, ଈଶାଣୀବ୍ରହ୍ମପୁର,କଟକ । ମୋ-୬୩୭୧୫୯୩୨୨୦

Leave a Reply

Your email address will not be published. Required fields are marked *