ମା’ଯୋଗୁଲାମ୍ବାଙ୍କ ଶକ୍ତିପୀଠ, ତେଲେଙ୍ଗାନା

ଶରତ କୁମାର ରାଉତ
ତେଲେଙ୍ଗାନାର ଆଲମପୁର ସହର ମନ୍ଦିର ମାନଙ୍କ ପାଇଁ ସୁପ୍ରସିଦ୍ଧ । ଏଠାରେ ଅବସ୍ଥିତ ଅଧିକାଂଶ ମନ୍ଦିର ଅତି ପୁରାତନ ଓ ନିଜର ସ୍ତାପତ୍ୟ ପାଇଁ ବିଖ୍ୟାତ । ଏଥିମଧ୍ୟରେ ଅଧିକାଂଶ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ଅଧୀନରେ ରହିଛି । ଆଲମପୁର ସହରରେ ଯେତେ ସବୁ ମନ୍ଦିର ରହିଛି, ସେମାନଙ୍କ ମଧ୍ୟରେ ‘ଜୋଗୁଲାମ୍ବା ଶକ୍ତିପୀଠ’(ଜୋଗୁଲାମ୍ବା ଦେବୀ ମନ୍ଦିର) ଓ ‘ନବବ୍ରହ୍ମା ମନ୍ଦିର ପ୍ରମୁଖ ସ୍ଥାନରେ ରହିଛନ୍ତି ।
ଜୋଗୁଲାମ୍ବା ଦେବୀ ମନ୍ଦିର ମଧ୍ୟ ଭାରତରେ ଜୋଗୁଲାମ୍ବା ଶକ୍ତିପୀଠ ଭାବେ ପ୍ରସିଦ୍ଧ । ମା’ ସତୀଙ୍କ ୧୮ଟି ମହା ଶକ୍ତିପୀଠ ମଧ୍ୟରେ ଏହା ପଂଚମ ଶକ୍ତିପୀଠ ଭାବେ ପରିଚିତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଆଲମପୁରର ଯେଉଁଠି ମା’ସତୀଙ୍କ ଉପର ଦାନ୍ତ ସମୂହ ପଡ଼ିଥିଲା, ସେଠାରେ ଜୋଗୁଲାମ୍ବା ଦେବୀ ମନ୍ଦିର ସ୍ଥାପିତ ହୋଇଛି । ଏହି ମନ୍ଦିରର ପ୍ରମୁଖ ଆରାଧ୍ୟ ହେଲେ, ‘ଜୋଗୁଲାମ୍ବା’ ଓ ‘ବାଲ୍ ବ୍ରହ୍ମେଶ୍ୱର ସ୍ୱାମୀ’ । ଏଠାରେ ମାତା ସତୀଙ୍କୁ ‘ଜୋଗୁଲାମ୍ବା ଦେବୀ’ ବା ‘ୟୋଗାମ୍ବା ଦେବୀ’ ନାମରେ ଓ ଭଗବାନ୍ ଶିବଙ୍କୁ ‘ବାଲ୍ ବ୍ରହ୍ମେଶ୍ୱରା ସ୍ୱାମୀ’ ନାମରେ ପୂଜା କରାଯାଏ ।
‘ଜୋଗୁଲାମ୍ବା ଦେବୀ’ଙ୍କୁ ‘ଗୃହ ଚଣ୍ଡୀ’(ଘରର ରକ୍ଷାକର୍ତା) ଭାବରେ ପୂଜା କରାଯାଏ । ମନ୍ଦିରର ଗର୍ଭ ଗୃହରେ ଦେବୀଙ୍କର ବସିଥିବା ମୂର୍ତି ରହିଛି, ଯେଉଁଥିରେ ଦେବୀଙ୍କୁ ତାଙ୍କ ବାଳରେ ଏକ ଝିଟିପିଟି, ବିଛା, ବାଦୁଡ଼ି ଓ ମଣିଷର ଖପୁରି ଥିବା ଦର୍ଶା ଯାଇଛି । ଆମ ଶାସ୍ତ୍ରରେ ଏସବୁ ଅମଙ୍ଗଳର ପ୍ରତୀକ ତଥା ଏହା ମଧ୍ୟ ଗୃହ ପତନର ସଙ୍କେତ ଅଟେ । କୌଣସି ଘରେ ଝିଟିପିଟି ଦେଖାଯିବା ଅର୍ଥ ସେହି ଘରର ସୁଖ ଶାନ୍ତି ନଷ୍ଟ ହେବାର ସୂଚନା ବୋଲି ଧରାଯାଏ । ଧୀରେ ଧୀରେ ଘରେ ଝିଟିପିଟି ସଂଖ୍ୟା ବୃଦ୍ଧି ପାଇବ ଓ ପରିଣାମ ସ୍ୱରୂପ ବିଛା ମାନଙ୍କର ଆଗମନ ହେବ, ଯାହା ଭୟଙ୍କର ଅନର୍ଥର ସୂଚନା । ପୁଣି ଏହା ପରେ ପରେ ଘରେ ବାଦୁଡ଼ି ପ୍ରବେଶ କରିବେ, ଯାହା ସେହି ଘରେ ରହୁଥିବା ଲୋକମାନଙ୍କ ପାଇଁ ମୃତୁ୍ୟର ଫାସ ତିଆରି ହୋଇଯାଏ ।
ତେବେ ‘ଜୋଗୁଲାମ୍ବା ଦେବୀ’ତାଙ୍କୁ ଓ ତାଙ୍କ ଘରର ସମସ୍ତ ଅମଙ୍ଗଳରୁ ରକ୍ଷା କରନ୍ତି ବୋଲି ପ୍ରତ୍ୟେକଙ୍କର ବିଶ୍ୱାସ ରହିଛି । ବାସ୍ତୁ ଦୋଷ(ନିର୍ମାଣ କାର୍ଯ୍ୟରେ ଭୁଲ)ରୁ ମୁକ୍ତ ହେବା ପାଇଁ ମୁଖ୍ୟତଃ‘ଜୋଗୁଲାମ୍ବା ଦେବୀ’ଙ୍କୁ ପୂଜା କରାଯାଏ ।
ଶାସ୍ତ୍ରରୁ ଜଣାଯାଏ, ଚଣ୍ଡି ମୁଣ୍ଡିଙ୍କର ମୂଳ ପ୍ରତିମାକୁ ବାଲ୍ ବ୍ରହ୍ମେଶ୍ୱରା ସ୍ୱାମୀ ମନ୍ଦିରରେ ଛାଡ଼ି ଦିଆ ଯାଇଥିଲା ଓ ନୂଆ ମୂର୍ତି ତିଆରି କରାଯାଇ ତାଙ୍କୁ ଜୋଗୁଲାମ୍ବା ମନ୍ଦିରରେ ସ୍ଥାପିତ କରା ଯାଇଥିଲା । ମନ୍ଦିରରେ ସପ୍ତ ମାତୃକା, ବିଘ୍ନେଶ୍ୱର ଓ ବୀଣାପାଣୀ ବିରଭଦ୍ରଙ୍କ ପ୍ରତିମା ମଧ୍ୟ ରହିଛି । ଦେଶର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ତିର୍ଥଯାତ୍ରୀ ମାନେ ଏଠାରେ ପହଂଚି ଦେବୀଙ୍କୁ ଦର୍ଶନ କରନ୍ତି ।
ଇତିହାସରୁ ଜଣାଯାଏ, ଆଲମପୁରର ଏକ ସମୃଦ୍ଧ ଐତିହାସକ ଓ ଧାର୍ମିକ ମହତ୍ୱ ରହିଛି । ଶତବାହନ, ଇଖ୍ୱାକୁ, ଚାଲୁକ୍ୟ ଏବଂ କାକତିଆ ବଂଶର ରାଜା ମାନେ, ବହମନୀ ସୁଲତାନ ଓ ବିଜୟନଗରର ସମ୍ରାଟ ମାନେ ଏଠାରେ ଶାସନ କରିଥିଲେ । ‘ଜୋଗୁଲାମ୍ବା ଦେବୀ’ଙ୍କ ପୁରୁଣା ମନ୍ଦିର ବହମନୀ ସୁଲତାନଙ୍କ ଦ୍ୱାରା ୧୪ଶ ଶତାବ୍ଦୀରେ ନଷ୍ଟ କରି ଦିଆ ଯାଇଥିଲା । ସେଥିରୁ ରକ୍ଷା ପାଇବା ପାଇଁ ହିଁ ମା’ଜୋଗୁଲାମ୍ବା ଓ ତାଙ୍କର ଦୁଇ ଶକ୍ତି, ଚଣ୍ଡୀ ଓ ମୁଣ୍ଡୀଙ୍କ ପ୍ରତିମାକୁ ବାଲ୍ ବ୍ରହ୍ମେଶ୍ୱରା ସ୍ୱାମୀ ମନ୍ଦିରରେ ରଖା ଯାଇଥିଲା । ପରେ ପୁରୁଣା ମନ୍ଦିର ସ୍ଥାନରେ ଏକ ନୂଆ ମନ୍ଦିର ନିର୍ମାଣ କରାଗଲା ଓ ଦେବୀଙ୍କ ମୂର୍ତି ମାନଙ୍କୁ ସେଠାରେ ସ୍ଥାପିତ କରାଗଲା । ନବବ୍ରହ୍ମା ମନ୍ଦିର ଓ ସଂଗମେଶ୍ୱରା ମନ୍ଦିରର ନିର୍ମାଣ ୭ଶ ଶତାବ୍ଦୀରେ କରାଯାଇଥିଲା ।
ପୌରାଣିକ ସନ୍ଦର୍ଭ: ଏହି ସ୍ଥାନ ସଂପର୍କରେ ସ୍ଥଳ ପୁରାଣରେ ଲିଖିତ ଅଛି ଯେ, ଥରେ ଭଗବାନ୍ ବ୍ରହ୍ମା ଏକ ବିଖ୍ୟାତ ସନ୍ଥଙ୍କର ଅଭିଶାପର ଫଳ ସ୍ୱରୂପ ନିଜର ସବୁ ଶକ୍ତି ହରାଇ ବସିଲେ । ବ୍ରହ୍ମା ନିଜର ଶକ୍ତି ଫେରି ପାଇବା ପାଇଁ ଭଗବାନ୍ ଶିବଙ୍କୁ ପ୍ରସନ୍ନ କରିବାକୁ କଠୋର ତପସ୍ୟା କଲେ । କୁହାଯାଏ ଯେ, ଭଗବାନ୍ ଶିବ ନଅ ପ୍ରକାରର ବିଭିନ୍ନ ରୂପରେ ନିଜକୁ ପ୍ରକଟ କଲେ । ଆଲମପୁରରେ ତୁଙ୍ଗଭଦ୍ରା ନଦୀ କୂଳରେ ସ୍ଥାପିତ ନବ ବ୍ରହ୍ମା ମନ୍ଦିରରେ ଶିବଙ୍କର ସେହି ନଅଟି ଭିନ୍ନ ଭିନ୍ନ ରୂପର ମନ୍ଦିର ମାନ ରହିଛି । ସେଗୁଡ଼ିକ ହେଲେ, ବାଲ୍ ବ୍ରହ୍ମା, ଗରୁଡ଼ ବ୍ରହ୍ମା, ସ୍ୱର୍ଗ ବ୍ରହ୍ମା, ପଦ୍ମ ବ୍ରହ୍ମା, କୁମାର ବ୍ରହ୍ମା, ତାରକ ବ୍ରହ୍ମା, ଅର୍କ ବ୍ରହ୍ମା ଓ ବୀର ବ୍ରହ୍ମା ଓ ବିଶ୍ୱ ବ୍ରହ୍ମା । ବାଲ୍ ବ୍ରହ୍ମାଙ୍କ ମୁଖ୍ୟ ମନ୍ଦିରରେ ସ୍ଥାପିତ ଶିବ ଲିଙ୍ଗ ଦେଖିବାରେ ଏକ ବଳଦର ପାଦଚିହ୍ନ ଭଳି ଲାଗେ । ନଅଟି ନବବ୍ରହ୍ମା ମନ୍ଦିରରେ କେବଳ ଆଠଟିକୁ ହିଁ ଦେଖା ଯାଇପାରେ, କାରଣ ତାରକ ବ୍ରହ୍ମା ମନ୍ଦିରର ସ୍ଥାନ ଅନିଶ୍ଚିତ ଅଟେ ।
ଏଠାରେ ଅନେକ ପ୍ରକାର ଉତ୍ସବ ଓ ପର୍ବ ପାଳନ କରାଯାେଏ । ହେଲେ ଦଶହରା ଓ ମହାଶିବରାତ୍ରୀ ଉତ୍ସବ ଏଠାରେ ପ୍ରମୁଖ ପର୍ବ ଭାବେ ପାଳିତ ହୁଏ । ଏହି ମନ୍ଦିର ପ୍ରତିଦିନ ସକାଳ ୭ଟା ରୁ ଦ୍ୱିପ୍ରହର ୧ଟା ଓ ଅପରାହ୍ନ ୨ଟାରୁ ରାତି୍ର ୮ଟା ୩୦ ପର୍ଯ୍ୟନ୍ତ ଖୋଲା ରହେ । ଏହାଛଡ଼ା ପ୍ରତି ଶୁକ୍ରବାର ଦିନ ସକାଳ ୭ଟା ରୁ ଦ୍ୱିପ୍ରହର ୧ଟା ଓ ଅପରାହ୍ନ ୨ଟାରୁ ଅପରାହ୍ନ ୪ଟା ୪୫ ପର୍ଯ୍ୟନ୍ତ ବିଶେଷ ପୂଜାର ବ୍ୟବସ୍ଥା ରହିଛି । ଏହି ସମୟରେ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଆାନ୍ତି ।
ଜୋଗୁଲାମ୍ବା ଦେବୀ ମନ୍ଦିର ବା ଜୋଗୁଲାମ୍ବା ଶକ୍ତିପୀଠରେ ପହଂଚିବା ପାଇଁ ହାଇଦ୍ରାବାଦରୁ କୁର୍ନଲ ଯାଉଥିବା ଆଲାମପୁର ଦେରାହେ (କୁର୍ନଲ ପହଂଚିବା ୧୨ କି.ମି ପୂର୍ବରୁ) ଠାରେ ବାମକୁ ଆଲମପୁର ମାତ୍ର ୧୨ କି.ମି. ଦୂର । ଆଲମପୁର ଏକ ଛୋଟ ସହର । ଜୋଗୁଲାମ୍ବା ଦେବୀ ମନ୍ଦିର ଏହି ସହରର ଦକ୍ଷିଣ-ପୂର୍ବ କୋଣରେ ତୁଙ୍ଗଭଦ୍ରା ନଦୀ ନିକଟରେ ଅବସ୍ଥିତ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

Leave a Reply

Your email address will not be published. Required fields are marked *