ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ଆବଶ୍ୟକ

ଶରତ କୁମାର ରାଉତ
ସଂପ୍ରତି ସାରା ପୃଥିବୀରେ କରୋନା ଭୁତାଣୁର ତାଣ୍ଡବ ଜାରୀ ରହିଛି । ଏହାର ସାମ୍ନା କରିବା ପାଇଁ ଆମ ଦେଶ ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସାରା ଦେଶ ତାଲାବନ୍ଦି ଅବସ୍ଥାରେ ରହିଛି । ଏହା ବ୍ୟତୀତ ଆଉ କୌଣସି ବାଟ ନାହିଁ । ଯଦିଓ ଏହା ମହାମାରୀର ରୂପ ନିଏ, ତାହାର ସାମ୍ନା ପାଇଁ ଆମ ଦେଶ ଓ ଆମ ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି ସକ୍ଷମ ହେବନାହିଁ । ଏଠାରେ ଆମ ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି ସଂପର୍କରେ ଆଲୋଚନା କରାଯାଉ । ଆମ ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ଘୋର ଅଭାବ ରହିଛି । ଭିତିଭୂମିର ଅର୍ଥ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଆଇସିୟୁ ଭଳି ଅତ୍ୟାଧୁନିକ ଯନ୍ତ୍ରପାତି, ରୋଗୀ ସଂଖ୍ୟାନୁଯାୟୀ ଶଯ୍ୟା, ଲାବୋରେଟାରୀ, ଔଷଧପତ୍ର, ଡ଼ାକ୍ତରଖାନା ଗୃହ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଉପଜିଲ୍ଲା ଓ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ବ୍ଲଡ଼୍ ବ୍ୟାଙ୍କ୍ ପ୍ରତିଷ୍ଠା, ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ବ୍ୟବସ୍ଥା, ଆବଶ୍ୟକତା ଅନୁଯାୟୀ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀ ଆଦିଙ୍କୁ ବୁଝାଏ । ଉପରୋକ୍ତ ଭିତିଭୂମିର ବିକାଶ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହିଁ । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର ମଧ୍ୟ ଏକାଧିକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଶହଶହ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ ସ୍ୱାସ୍ଥ୍ୟ ସେବାର ସେମିତି କିଛି ଉନ୍ନତି ପରିଲଖିତ ହେଉନାହିଁ । ଯୋଜନା ଗୁଡ଼ିକ ଚାଲିଛି କିପରି, କେଉଁଠି ଓ କାହାପାଇଁ(?), କେହି କିଛି ଜାଣିପାରୁ ନାହାଁନ୍ତି । କେବଳ ଜଳଜଳ ଦେଖାଯାଉଛି, ସାରା ରାଜ୍ୟରେ ଭୁଷୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ରୋଗୀମାନେ ଚିକିତ୍ସା ସେବା ନପାଇ ହଇରାଣ ହେଉଛନ୍ତି ।
୨୦୦୫ରେ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବା ପରଠାରୁ ରକ୍ତହୀନତା ରୋଗ ଓ ଏଥିଜନିତ ମୃତୁ୍ୟ ସଂଖ୍ୟା ବଢି ଚାଲିଛି । ରାଜ୍ୟରେ ସ୍ୱାସ୍ଥ୍ୟ ମିସନ୍ର ଲକ୍ଷ୍ୟ ଫେଲ୍ ମାରିଛି । ସରକାରୀ ଡ଼ାକ୍ତରଖାନା ବାରଣ୍ଡାରେ ଶୋଇ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼େ ଓ ସେଠାରେ ସେମାନେ ଶୋଷିତ ହେଉଛନ୍ତି । ଡ଼ାକ୍ତରଖାନା ଗୁଡ଼ିକରେ ବହୁମୂଲ୍ୟ ଔଷଧ ମିଳିବାତ ଦୂରର କଥା, ସାଲାଇନ୍ ବା ସାଧାରଣ ରୋଗର ବଟିକା ମଧ୍ୟ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଛିÿ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି । କିଛି ହରିଲୁଟ୍ ହୁଏ, କିଛି ସମୟସୀମା ଶେଷ ପରେ ବଂଟାଯାଏ ଓ ଆଉ କିଛି ବର୍ଷ ଶେଷ ବେଳକୁ ନଷ୍ଟ କରି ଦିଆଯାଏ । ମୋଟ ଉପରେ ଆମର ଚିକିତ୍ସା ବ୍ୟବସ୍ଥା ଏଭଳି ଢଙ୍ଗରେ ଚାଲିଛି ଯେ, ସରକାରୀ ଚିକିତ୍ସାଳୟ କେବଳ ଲୋକ ଦେଖାଣିଆ, ହେଲେ ନିର୍ଭର କରିବାକୁ ପଡ଼ୁଛି ଘରୋଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ।
ବାସ୍ତବତା ଦେଖାଗଲେ, ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ହୋଇ ପାରି ନାହିଁ । କୌଣସି ସମୟରେ ଏନ୍ଏଚ୍ଏମ୍ ଯୋଜନା ବନ୍ଦ୍ ହୋଇଗଲେ ଓ ଅନୁଦାନର ମହାନଦୀ ଶୁଖି ଗଲେ, ତା’ପରେ ରାଜ୍ୟରେ କି ଅବସ୍ଥା ହେବ ସରକାର ଚିନ୍ତା କଲେଣି କି? ଆଜି ଯେତିକି ଭିତିଭୂମିର ବିକାଶ ହୋଇଛି, ତାହା ସ୍ୱାସ୍ଥ୍ୟ ମିସନ୍ର ଦାନ । ତେବେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟସେବା ପାଇଁ କିଭଳି ଦାନ ରହିଛି, ଜାଣି ହେଉନାହିଁ । ଶହଶହ କୋଟି ଟଙ୍କାର ଔଷଧ ଓ ଚିକିତ୍ସା ଉପକରଣ କିଣା ଯାଉଛି ସିନା, ସେସବୁ ରୋଗୀ ମାନଙ୍କ ସେବାରେ ଲାଗୁନି । ସେଥିମଧ୍ୟରେ ଅଧିକାଂଶ ଔଷଧ ଓ ଉପକରଣ ଅତି ନିମ୍ନ ମାନର । ଯଦିଓ ସ୍ୱାସ୍ଥ୍ୟ ବିଭାଗ ଆନ୍ତରିକତାର ସହ ନିଜ ଦାୟିତ୍ୱ ପ୍ରତି ସଚେତନ ହୁଅନ୍ତା, ଏହି ମିସନ୍ ଅର୍ଥରେ ବି ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ସାରନ୍ତାଣି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରିପାରି ନାହିଁ । ଅଯଥା ରାଜନୈତିକ ହସ୍ତକ୍ଷେପ, ପ୍ରଶାସନିକ ଅପାରଗତା ଓ ସରକାରୀ ନିୟମ ଉଲଘଂନ ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଯାଇଛି । କାହିଁକି ଚିକିତ୍ସା ସେବାରେ ଉନ୍ନତି ହୋଇ ପାରୁନି ବା ଆବଶ୍ୟକୀୟ ଭିତିଭୂମିର ବିକାଶ ହେଉନାହିଁ, ସେ ସଂପର୍କରେ କେହି ଭାବୁଛନ୍ତି କି?
“ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଷ୍ଟାଣ୍ଡାର୍ଡ଼”(ଆଇପିଏଚ୍ଏସ୍)ର ମାନଦଣ୍ଡ ଅନୁଯାୟୀ ଓଡ଼ିଶାରେ ଭିତିଭୂମିର ସାମାନ୍ୟ ବିକାଶ ହୋଇଥିଲେ ହେଁ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀଙ୍କର ଘୋର ଅଭାବ ରହିଛି । ତେବେ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀ ଯେ ବାସ୍ତବ ଭିତିଭୂମିର ପ୍ରମୁଖ ଅଙ୍ଗ, ଏହା ହୁଏତ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡରେ ପଶୁୁନାହିଁ । ଆଇପିଏଚ୍ଏସ୍ ଅନୁଯାୟୀ ଓଡ଼ିଶାର ଉପସ୍ୱାସ୍ଥ୍ୟକେନ୍ଦ୍ର ସମେତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର ଓ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା ରେ୧୫୦୧୪ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କର ନିଯୁକ୍ତିର ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ୭୨୧୫ । ସେହିପରି ରାଜ୍ୟର ୧୨୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୨୩୧ ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର, ୫୮ ଉପଜିଲ୍ଲା ସ୍ୱାସ୍ଥ୍ୟାକନ୍ଦ୍ର,୨୮ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୨୦୧-୩୦୦ ଶଯ୍ୟା) ଓ ୪ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୩୦୧-୫୦୦ ଶଯ୍ୟା), ବ୍ରହ୍ମପୁର, ବୁର୍ଲା ଓ କଟକ ବଡ଼ ମେଡ଼ିକାଲ୍ରେ ୧୪୧୯୨ ଷ୍ଟାଫ୍ ନର୍ସ ଙ୍କର ନିଯୁକ୍ତି ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୩୫୨୩ । ସେହିପରି ଆଇପିଏଚ୍ଏସ୍ ନିୟମ ଅନୁଯାୟୀ କର୍ମୀ ନିଯୁକ୍ତି ତ ଭିନ୍ନ କଥା, ହେଲେ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କର ଯେତିକି ପଦବୀ ରହିଛି, ସେଗୁଡ଼ିକରୁ ଅଧିକାଂଶ ମଧ୍ୟ ଖାଲି ପଡ଼ିଛି । ହେଡ଼୍ ନର୍ସ, ମ୍ୟାଟ୍ରନ୍, ସହକାରୀ ମ୍ୟାଟ୍ରନ୍, ପିଏଚ୍ଏନ୍, ଡ଼ିପିଏଚ୍ଏନ, ମହିଳା ପରିଦର୍ଶିକା, ଫାର୍ମାସିଷ୍ଟ, ଏଲ୍ଟି, ଭଳି ବହୁ ପାରାମେଡ଼ିକ୍ କର୍ମୀଙ୍କର ନିଯୁକ୍ତିର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଡ଼ାକ୍ତର ଅଭାବ ସମସ୍ୟା ଏକ ଜଟିଳ ରୂପ ନେଇଛି । ଏବେ ଓଡ଼ିଶାରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୨୫୪୯ ରହିଛି । ଜାତୀୟ ସ୍ତରରେ ସମାନ ହେବାକୁ ଏଠାରେ ୧୦ ହଜାର ଡ଼ାକ୍ତରଙ୍କ ଆବଶ୍ୟକତା ରହିଛି । ଜାତୀୟ ସ୍ତରରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୧୪୫୭ ରହିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଓଡ଼ିଶାରେ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତରଙ୍କର ଆବଶ୍ୟକତା ରହିଛି । କିନ୍ତୁ କର୍ଣ୍ଣାଟକ, ତାମିଲନାଡ଼ୁ, ପଞ୍ଜାବ ଓ ମହାରାଷ୍ଟ୍ରରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୧୦୦୦ ରହିଛି । ଦେଶର ସର୍ବୋତମ ସ୍ୱାସ୍ଥ୍ୟସେବା ତାଲିକାରେ ଗୋଆ ରେକର୍ଡ଼ ସୃଷ୍ଟି କରିଛି । ଏଠାରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୪୯୩ ରହିଛି । ଆମ ପଡ଼ୋଷୀ ଆନ୍ଧ୍ରରେ ଏହି ଅନୁପାତ ୧:୧୧୩୦ ରହିଛି । ଏହାର ମୁଖ୍ୟ କାରଣ ହେଲା, ଆନ୍ଧ୍ରରେ ୩୧ ଟି ମେଡ଼ିକାଲ୍ କଲେଜ ରହିଛି । ପ୍ରତିବର୍ଷ ଏଠାରୁ ୪୭୫୦ ଡ଼ାକ୍ତର ଉତୀର୍ଣ୍ଣ ହେଉଛନ୍ତି । ମାତ୍ର ଓଡ଼ିଶାରେ ୯ଟି ମେଡ଼ିକାଲ୍ କଲେଜରୁ ପ୍ରତିବର୍ଷ ୯୦୦ ଡ଼ାକ୍ତର ଉତୀର୍ଣ୍ଣ ହେବାର ବ୍ୟବସ୍ଥା ରହିଛି । ଏ ଦିଗରେ ଆମେ କାହିଁକି ପଛରେ ପଡ଼ିଛୁ, ବ୍ୟାପକ ସମୀକ୍ଷା ହେବା ଉଚିତ । ଆମ ରାଜ୍ୟରେ ଅଧିକ ଡ଼ାକ୍ତର ସୃଷ୍ଟି ହେବା ସହ ଆବଶ୍ୟକୀୟ ପାରାମେଡ଼ିକ୍ କର୍ମୀ ନିଯୁକ୍ତି ପାଇଲେ ହିଁ ବାସ୍ତବ ଭିତିଭୂମିର ବିକାଶ ହୋଇପାରିବ । ଆଜି କରୋନା ଭୁତାଣୁର ତାଣ୍ଡବରୁ ରକ୍ଷା ପାଇଁ ଆମେ ଡ଼ହଳ ବିକଳ ହେଉଛେ । ବାସ୍ତବରେ ଆମର ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତିଭୂମି ବିକଶିତ ହୋଇଥା’ନ୍ତା ଓ ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତର କାର୍ଯ୍ୟରତ ଥାନ୍ତେ, ଆମ ଓଡ଼ିଶା ସହଜରେ କରୋନାକୁ ସାମ୍ନା କରି ପାରିଥାନ୍ତ । ଏଥିପ୍ରତି ସରକାର ତୁରନ୍ତ ଯତ୍ନବାନ ହେବା ଉଚିତ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍ ,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *