କୋହ୍ଲାପୁର ଶ୍ରୀ ମହାଲକ୍ଷ୍ମୀଙ୍କ ଶକ୍ତିପୀଠ

ଶରତ କୁମାର ରାଉତ
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ସତୀ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ସାରା ବ୍ରହ୍ମାଣ୍ଡରେ ବୁଲି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର କୋହ୍ଲାପୁର ଅଂଚଳରେ ପଡ଼ିଥିବା ମା’ଙ୍କ ଚକ୍ଷୁ(ଆଖି) ଅଂଶରୁ ମା’ମହାଲକ୍ଷ୍ମୀ ପ୍ରକଟ ହେଲେ ଓ ଏହା ମହାଲକ୍ଷ୍ମୀ ଶକ୍ତିପୀଠରେ ପରିଚିତ ହେଲା । କୋହ୍ଲାପୁର ଅଂଚଳ ଦେବୀଙ୍କ ଏପରି ପବିତ୍ର ସ୍ଥାନ ଯେ, ଯାହାକୁ ଦକ୍ଷିଣର କାଶୀ ବୋଲି କୁହାଯାଏ । ସାଧାରଣତଃ କୌଣସି ତୀର୍ଥ ସ୍ଥାନ ଦେବୀ ଦେବତାଙ୍କ ନାଁରେ ପରିଚିତ ହୋଇଥାଏ । ଏହି ଅଂଚଳ ମହାଲକ୍ଷ୍ମୀଙ୍କ ନାଁରେ ପରିଚିତ ।
ଏହି ଶକ୍ତିପୀଠର ମହିମା ହେଲା, ଭକ୍ତ ମାନେ ନିଷ୍ଠାର ସହ ମା’ଙ୍କ ଆରାଧନା କଲେ ମନ ସ୍ମାମନା ପୂରଣ ହୋଇଥାଏ । ଏଠାରେ ମହାଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ରହୁଥିବା କିମ୍ବଦନ୍ତୀରୁ ଜଣାଯାଏ । ମହାଲକ୍ଷ୍ମୀଙ୍କ ମନ୍ଦିର ୭୦୦ ଶତାବ୍ଦୀରେ କନ୍ନଡ଼ର ଚାଲୁକ୍ୟ ସାମ୍ରାଜ୍ୟ ସମୟରେ ନିର୍ମାଣ ହୋଇଥିଲା । ମନ୍ଦିରରେ କଳା ପଥରର ଏକ ମଂଚ ରହିଛି, ଯାହା ଉପରେ ମହାଲକ୍ଷ୍ମୀଙ୍କ ଚାରିଟି ହାତ ଥିବା କଳା ପଥରରେ ନିର୍ମିତ ପ୍ରତିମା ରହିଛି । ଦେବୀ ନିଜ ଚାରି ହାତରେ ବହୁ ଅମୂଲ୍ୟ ବସ୍ତୁ ଧରିଛନ୍ତି । ତାଙ୍କ ମୁଣ୍ଡରେ ଅଳଙ୍କାରରେ ସଜା ମୁକୁଟ ଶୋଭା ପାଉଛି, ଯାହାର ଓଜନ ୪୦ କି.ଗ୍ରା.ବୋଲି କୁହାଯାଉଛି । ଏହି ମୁକୁଟରେ ଭଗବାନ ବିଷ୍ଣୁଙ୍କ ଶେଷନାଗ ନାଗିନର ଚିତ୍ର ମଧ୍ୟ ରହିଛି । ଏହା ସହିତ ମନ୍ଦିରର ଦ୍ୱାରରେ ଶ୍ରୀଯନ୍ତ୍ରକୁ ପଥରରେ କାଟି ତିଆରି କରାଯାଇଛି ।
ମନ୍ଦିରର ବିଶେଷତ୍ୱ ହେଲା, ଏଠାରେ ମହାଲକ୍ଷ୍ମୀଙ୍କ ଚରଣରେ ସ୍ୱଂୟ ସୂର୍ଯ୍ୟଦେବ ପ୍ରଣାମ କରନ୍ତି । ସେହିପରି ଏହି ମନ୍ଦିର ଅନ୍ୟ ହିନ୍ଦୁ ମନ୍ଦିର ଠାରୁ ସାମାନ୍ୟ ଭିନ୍ନ ଅଟେ । ହିନ୍ଦୁ ମନ୍ଦିର ମାନଙ୍କରେ ଦେବୀ ମାନେ ପୂର୍ବ କିମ୍ବା ଉତର ଦିଗ ଆଡ଼େ ଚାହିଁ ଥିବାବେଳେ ଏହି ମନ୍ଦିରରେ ଦେବୀ ମହାଲକ୍ଷ୍ମୀ ପଶ୍ଚିମ ଦିଗକୁ ଦେଖୁଛନ୍ତି ।
ମନ୍ଦିରରେ ମହାଲକ୍ଷ୍ମୀଙ୍କ ଛଡ଼ା ନବଗ୍ରହ, ମାତା ଦୁର୍ଗା, ସୂର୍ଯ୍ୟନାରାୟଣ, ଭଗବାନ ଶିବ, ଭଗବାନ ବିଷ୍ଣୁ, ୱିଠଲ୍ ରକ୍ଷାମାଈ, ତୁଲଜା ଭବାନୀ ଆଦି ଦେବୀ ଦେବତାଙ୍କର ମୂର୍ତି ବି ରହିଛି । ମନ୍ଦିର ପରିସରରେ ଥିବା ମଣିକର୍ଣ୍ଣିକା କୁଣ୍ଡ ପାଖରେ ଥିବା ବିଷେଶ୍ୱର ମହାଦେବ ମନ୍ଦିରର ବି ବହୁ ପ୍ରସିଦ୍ଧି ରହିଛି । ମନ୍ଦିର ଭିତରକୁ ଚାରି ଦିଗରୁ ପ୍ରବେଶ କରାଯାଇ ପାରେ । ମନ୍ଦିରର ମହା ଦ୍ୱାରରୁ ପ୍ରବେଶ ସହିତ ଦେବୀ ଦର୍ଶନ ହୋଇଥାଏ । ମନ୍ଦିରରେ ଶ୍ରୀ ମହାଲକ୍ଷ୍ମୀଙ୍କ ଉଚ୍ଚତା ୩ ଫୁଟ୍, ଚତୁର୍ଭୁଜ । ଶାଲିବାହାନ ବଂଶର ରାଜା କର୍ଣ୍ଣଦେବ ଏହି ମନ୍ଦିରର ନିର୍ମାଣ କରିଥିବା କୁହାଯାଏ । ଏହା ପରେ ଧୀରେ ଧୀରେ ମନ୍ଦିର ପରିସରରେ ୩୦-୩୫ ମନ୍ଦିର ନିର୍ମିତ ହେଇଥିଲା ।
ମହାଲକ୍ଷ୍ମୀ ମନ୍ଦିର ସଂପର୍କରେ ଏକ କିମ୍ବଦନ୍ତୀ ରହିଛି ଯେ, ଥରେ ତିରୁପତି ଅର୍ଥାତ୍ ଭଗବାନ ବିଷ୍ଣୁ ଙ୍କ ଉପରେ ରାଗି ତାଙ୍କ ସ୍ତ୍ରୀ କୋହ୍ଲାପୁର ପଳାଇ ଆସିଲେ । ଏହି କାରଣରୁ ଦୀପାବଳୀ ଦିନ ଏବେ ମଧ୍ୟ ତିରୁପତି ଦେବ ସ୍ଥାନରୁ ଆସୁଥିବା ଶାଲୁ ତାଙ୍କୁ ପିନ୍ଧାଯାଏ । ଆହୁରି ମଧ୍ୟ କୁହାଯାଏ ଯେ, ତିରୁପତିଙ୍କ ଯାତ୍ରା ପୂର୍ଣ୍ଣ ହୁଏ ନାହିଁ, ଯେପର୍ଯ୍ୟନ୍ତ କେହି ଆସି ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ନକରନ୍ତି । ଏଠାରେ ମହାଲକ୍ଷ୍ମୀଙ୍କୁ କରବୀର ନିବାସୀ ଅମ୍ବାବାଈ ନାମରେ ମଧ୍ୟ ଡ଼କାଯାଏ । ଦୀପାବଳୀ ରାତିରେ ହେଉଥିବା ମହା ଆଳତୀରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯାହା ମନାସନ୍ତି, ତାହା ନିଶ୍ଚୟ ପୂରଣ ହୁଏ ବୋଲି କୁହାଯାଉଛି ।
କିଛି ବର୍ଷ ତଳେ ୯୦୦ ବର୍ଷର ପୁରୁଣା ଏହି ମନ୍ଦିରରେ ଅପର୍ଯ୍ୟାପ୍ତ ସୁନା ଗହଣାର ସନ୍ଧାନ ମିଳିଥିଲା ଓ ଏହା ଚର୍ଚ୍ଚାକୁ ଆସିଥିଲା । ପରେ ଏହି ଅସୁମାରୀ ଧନର ବୀମା କରାଯାଇଥିଲା । ଏଥିଯୋଗୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ମଜଭୁତ କରାଯାଇଥିଲା ଓ ସଂପୂର୍ଣ୍ଣ ମନ୍ଦିର ପରିସରକୁ ସିସିଟିଭି ନଜରରେ ରଖା ଯାଇଥିଲା । ତେବେ ଏହି ଅମାପ ଧନ ମନ୍ଦିରକୁ ଦାନ ଦେବାରେ କୋଁକଣ ରାଜା, ଚାଲୁକ୍ୟ ରାଜା, ଆଦିଲ ଶାହ, ଶିବାଜୀ ଓ ତାଙ୍କ ମାତା ଜୀଜାବାଈ ସାମିଲ୍ ଥିବା ବିଶ୍ୱାସ କରାଯାଉଛି ।
ଏହି ସ୍ଥାନ ସଂପର୍କରେ ଏକ ଚମକପ୍ରଦ କାହାଣୀ କୁହାଯାଏ ଯେ, ବିଷ୍ଣୁଙ୍କ ନାଭିରୁ ଉତ୍ପନ୍ନ ବ୍ରହ୍ମା ତମୋଗୁଣ ଯୁକ୍ତ ଗୟ, ଲବଣ ଓ କୋହ୍ଲ ଏପରି ତିନ ମାନସ ପୁତ୍ର ସୃଷ୍ଟି କଲେ । ବଡ଼ ପୁତ୍ର ଗୟ ବ୍ରହ୍ମାଙ୍କ ଉପାସନା କରି ବର ମାଗିଲା ଯେ, ତା’ଶରୀର ଦେବ ପିତୃପୁରୁଷ ତୀର୍ଥ ଠାରୁ ମଧ୍ୟ ଅଧିକ ଶୁଦ୍ଧ ହେଉ ଏବଂ ବ୍ରହ୍ମା ତଥାସ୍ତୁ କରିବା ସହ ଗୟ ନିଜ ସ୍ପର୍ଶ ଦ୍ୱାରା ପାପୀ ମାନଙ୍କର ଉଦ୍ଧାର କରିବାକୁ ଲାଗିଲା । ମାତ୍ର ଯମରାଜଙ୍କର ଅଭିଯୋଗ କ୍ରମେ ଦେବତାମାନେ ଯଜ୍ଞ ପାଇଁ ତାହାର ଶରୀର ଦାନରେ ମାଗିଥିଲେ ।
ସେହିପରି କେଶୀ ରାକ୍ଷସର ପୁତ୍ର କୋହ୍ଲାସୁରର ଅତ୍ୟାଚାରରେ ବ୍ୟଥିତ ଦେବତା ମାନେ ଦେବୀଙ୍କୁ ପ୍ରାର୍ଥନା କଲେ । ଶ୍ରୀ ମହାଲକ୍ଷ୍ମୀ ଦୁର୍ଗା ରୂପ ଧାରଣ କଲେ ଓ ବ୍ରହ୍ମାସ୍ତ୍ର ଦ୍ୱାରା ତାହାର ମୁଣ୍ଡ ଉଡ଼ାଇ ଦେଲେ । କୋହ୍ଲାସୁରର ମୁହଁରୁ ଦିବ୍ୟ ତେଜ ବାହାରି ସିଧା ଶ୍ରୀ ମହାଲକ୍ଷ୍ମୀଙ୍କ ମୁହଁରେ ପ୍ରବେଶ କରିଗଲା ଓ ତାହା ଏକ ଗଣ୍ଡିରେ ପରିଣତ ହୋଇଗଲା । ଆଶିନ ପଂଚମୀରେ ତାର ବଦ୍ଧ ହୋଇଥିଲା । ମୃତୁ୍ୟ ପୂର୍ବରୁ ସେ ବର ମାଗିଥିଲା ଯେ, ଏହି ଅଂଚଳର ନାମ କୋହ୍ଲାସୁର ଓ କରବୀର ରହିବ । ମାତ୍ର ସମୟ କ୍ରମେ କୋହ୍ଲାସୁର ରୁ କୋହ୍ଲାପୁର ହୋଇଗଲା, ହେଲେ କରବୀର ଏବେ ମଧ୍ୟ କାୟମ ରହିଛି । ଆଶିନ ଶୁକ୍ଲ ପ୍ରତିପଦା ଅର୍ଥାତ୍ ଘଟ ସ୍ଥାପନା ଠାରୁ ଉତ୍ସବର ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପ୍ରଥମ ଦିନ ବସି ପୂଜା, ଦି୍ୱତୀୟ ଦିନ ଛିଡ଼ା ପୂଜା, ଆଶିନ ପଂଚମୀ, ଷଷ୍ଠ ଦିନ ହାତୀ ପିଠିରେ ବସି ପୂଜା, ରଥ ଉପରେ ପୂଜା, ମୟୁର ଉପରେ ପୂଜା ଓ ଅଷ୍ଟମୀରେ ମହିଷାସୁର ମର୍ଦ୍ଦିନୀ ସିଂହବାସିନୀଙ୍କ ରୂପରେ ଦେବୀଙ୍କ ଉତ୍ସବ ଖୁବ୍ ଦର୍ଶନୀୟ ହୋଇଥାଏ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.