ଗଢକାଳିକାଙ୍କ ଶକ୍ତିପୀଠ, ଉଜ୍ଜୟିନ

ଶରତ କୁମାର ରାଉତ
ନବରାତ୍ର ଅର୍ଥାତ ଶକ୍ତିଙ୍କ ଉପାସନାର ପର୍ବ । ନବରାତ୍ର ବର୍ଷରେ ଦୁଇଥର ଆସିଥାଏ, ଚୈତ୍ର ନବରାତ୍ର ଓ ଶାରଦୀୟ ନବରାତ୍ର । ଏହି ନଅ ଦିନରେ ମାତାଙ୍କ ନଅ ରୂପର ଉପାସନା କରାଯାଏ । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଯେଉଁ ଯେଉଁ ସ୍ଥାନ ମାନଙ୍କରେ ମାତା ସତୀଙ୍କ ଶରୀରର ବିଭିନ୍ନ ଅଙ୍ଗ ପଡ଼ିଥିଲା, ସେହିସବୁ ସ୍ଥାନ ମାନଙ୍କରେ ଶକ୍ତିପୀଠ ସ୍ଥାପନା ହେଲା । ଏହି ଶକ୍ତିପୀଠ ଗୁଡ଼ିକ ଭାରତୀୟ ଉପମହାଦେଶର ବିଭିନ୍ନ ସ୍ଥାନରେ ରହିଛି । ସେହି ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଉଜ୍ଜୟିନ ଠାରେ ଗଢକାଳିକା ଧାମ ଅନ୍ୟତମ । ଏହି ସ୍ଥାନରେ ମହାକବି ଓ ନାଟ୍ୟକାର କାଳିଦାସଙ୍କୁ ଜ୍ଞାନ ପ୍ରାପ୍ତ ହୋଇଥିଲା ।
ମଧ୍ୟପ୍ରଦେଶର ଐତିହାସିକ ନଗରୀ ଉଜ୍ଜୟିନ ଏହାର ପରିଚୟ ଅଟେ । ଏଠାରେ ଅବସ୍ଥିତ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଗୋଟିଏ ମହାକାଳ ଜ୍ୟୋତିର୍ଲିଙ୍ଗ ରହିଛି । ବିକ୍ରମାଦିତ୍ୟଙ୍କ ଏହି ନଗରୀ ସ୍ୱଂୟ ଆଉ ଏକ ଇତିହାସକୁ ଆଢୁଆଳରେ ରଖିଛି । ସେହି ଇତିହାସ ହେଲା, ମା’ ଶକ୍ତି ଏଠାରେ ଗଢକାଳିକା ରୂପରେ ବିରାଜମାନ ଅଛନ୍ତି । ସଂସ୍କୃତର ମହାନ କବି କାଳୀଦାସଙ୍କୁ ମା’ଗଢକାଳିକାଙ୍କ ଆଶିର୍ବାଦ ଯୋଗୁ ହିଁ ଜ୍ଞାନ ପ୍ରାପ୍ତି ହୋଇଥିଲା ବୋଲି କୁହାଯାଏ । ଆହୁରି ମଧ୍ୟ କୁହାଯାଏ ଯେ, ଜୀବନ ଆରମ୍ଭରେ କାଳୀଦାସ ଅପାଠୁଆ ଓ ମୁର୍ଖ ଥିଲେ । କାଳୀଦାସ ଥରେ ଗୋଟିଏ ଗଛର ଯେଉଁ ଡ଼ାଳରେ ବସିଥିଲେ, ସେହି ଡ଼ାଳକୁ କାଟୁଥିଲେ! ଏହି ଘଟଣାରେ ତାଙ୍କର ସ୍ତ୍ରୀ ବିଦ୍ୟୋତମା ତାଙ୍କୁ ବହୁ ଅପମାନ ଜନକ ଗାଳି ଗୁଲଜ କଲେ । ଫଳସ୍ୱରୂପ ତପସ୍ୟାରେ ମଗ୍ନ ରହି ମହାମୁର୍ଖ କୁହାଯାଉଥିବା କାଳୀଦାସ ଗଢକାଳୀକାଙ୍କ କୃପା ଲାଭ କରି ମହାକବି କାଳୀଦାସରେ ପରିଣତ ହୋଇଗଲେ ।
ଉଜ୍ଜୟିନ ସ୍ଥିତ ଗଢକାଳିକା ଦେବୀ ମନ୍ଦିର ଆଜିର ଉଜ୍ଜୟିନ ନଗରରେ ପ୍ରଚୀନ ଅବନ୍ତିକା ନଗରୀ କ୍ଷେତ୍ରରେ ଥିଲା । କାଳଜୟୀ କବି କାଳୀଦାସ ଗଢକାଳିକା ଦେବୀଙ୍କ ଉପାସକ ଥିଲେ । ସମ୍ରାଟ ହର୍ଷ ବର୍ଦ୍ଧନ ଏହି ପ୍ରାଚୀନ ମନ୍ଦିରର ନବୀକରଣ କାର୍ଯ୍ୟ କରାଇଥିବା ଉଲ୍ଲେଖ ରହିଛି । ଗଢକାଳିକା ଦେବୀଙ୍କ ମନ୍ଦିରରେ ମା’କାଳିକାଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ । ତାନ୍ତ୍ରିକ ମାନଙ୍କ ଦେବୀ କାଳିକାଙ୍କ ଏହି ଚମକ୍ରାରୀ ମନ୍ଦିରର ପ୍ରଚୀନତା ବିଷୟରେ କେହି ଜାଣନ୍ତି ନାହିଁ । ତଥାପି ଏହାର ସ୍ଥାପନା ମହାଭାରତ କାଳରେ ହୋଇଥିବା କୁହାଯାଏ । କିନ୍ତୁ ମୂର୍ତି ଗୁଡ଼ିକ ସତ୍ୟଯୁଗର । ମାତ୍ର ଏହି ପ୍ରାଚୀନ ମନ୍ଦିରର ନବୀକରଣ ସମ୍ରାଟ ହର୍ଷ ବର୍ଦ୍ଧନ କରିଥିବା ଉଲ୍ଲେଖ ରହିଛି । ତେବେ ଏହାର ବହୁ ପରେ ଗୋଆଲିୟର ମହାରାଜା ଏହାର ପୁନର୍ନିମାଣ କରିଥିଲେ ।
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ସତୀ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ନିଜ ହାତରେ ଧରି ସାରା ବ୍ରହ୍ମାଣ୍ଡରେ ବୁଲି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି ସମୟ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସେଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନର ଶିପ୍ରା ନଦୀ କୂଳ ପାଖରେ ଅବସ୍ଥିତ ଭୈରବ ପର୍ବତ ଉପରେ ମା’ ଭଗବତୀ ସତୀଙ୍କ ଓଠ ପଡ଼ିଥିଲା । ଏଥିଯୋଗୁ ଏଠାରେ ମା’ଗଢକାଳିକାଙ୍କ ଶକ୍ତିପୀଠର ସ୍ଥାପନା ହେଲା ।
ନବରାତି୍ରରେ ଏଠାରେ ମେଳା ଲାଗୁଥିବାବେଳେ ବିଭିନ୍ନ ଉତ୍ସବ ଓ ଯଜ୍ଞର ଆୟୋଜନ ଲାଗି ରହିଥାଏ । ମା’କାଳିକାଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସନ୍ତି । ଏଠାରେ ନବରାତ୍ରୀ ପର୍ବରେ ଭକ୍ତ ମାନଙ୍କର ଅସମ୍ଭବ ଭିଡ଼ ଲାଗିରହେ । ଅଧିକାଂଶ ଭକ୍ତ ଉପବାସ କରି ମା’ଙ୍କ ଆରାଧନା କରନ୍ତି । ନବରାତ୍ରିରେ ଗଢ କାଳିକା ମନ୍ଦିରରେ ମା’କାଳିକାଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ । ମା’ଗଢ କାଳିକାଙ୍କ ପ୍ରତି ଭକ୍ତ ମାନଙ୍କର ଅସୀମ ଶ୍ରଦ୍ଧା ଓ ଭକ୍ତି ସମସ୍ତଙ୍କୁ ବିସ୍ମିତ କରିଥାଏ ।
ମହାକବି କାଳିଦାସଙ୍କ ଦ୍ୱାରା ରଚିତ “ଶ୍ୟାମଳା ଦଣ୍ଡକ”ମହାକାଳୀ ସ୍ତୋତ୍ର ଏକ ସୁନ୍ଦର ଓ ବଳିଷ୍ଠ ରଚନା ଅଟେ । କୁହାଯାଏ ଯେ, ମହାକବିଙ୍କ ମୁହଁରୁ ସବ୍ରପ୍ରଥମେ ଏହି ସ୍ତୋତ୍ର ପ୍ରକଟ ହୋଇଥିଲା । ଏପରିକି ଉଜ୍ଜୟିନରେ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା କାଳିଦାସ ସମାରୋହର ଆୟୋଜନ ପୂର୍ବରୁ ମା’କାଳିକାଙ୍କ ଆରାଧନା କରାଯାଇଥାଏ ।
ମା’ଙ୍କ ୫୧ ଶକ୍ତିପୀଠ ମଧ୍ୟରେ ଗୋଟିଏ ଉଜ୍ଜୟିନର ଗଢକାଳିକା ଶକ୍ତିପୀଠ ରହିଛି, ଯାହା ସାରା ଭାରତ ଉପମହାଦେଶରେ ପ୍ରସିଦ୍ଧ । ଏଥିସହିତ ଏହି ଶକ୍ତିପୀଠ ମଧ୍ୟ ତନ୍ତ୍ରବିଦ୍ୟା ଲାଭ ପାଇଁ ଗୁରୁତ୍ୱ ବହନ କରିଥାଏ । ବହୁ ଦୂର ଦୂରାନ୍ତରୁ ତାନ୍ତ୍ରିକ ମାନେ ତନ୍ତ୍ର ସିଦ୍ଧି ହାସଲ ଏହି ଶକ୍ତିପୀଠକୁ ପାଇଁ ଆସିଥାନ୍ତି । ଅନ୍ୟପକ୍ଷରେ ଏହି ଶକ୍ତିପୀଠକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମହାକବି କାଳିଦାସଙ୍କ ଅନୁରୂପ ଜ୍ଞାନ ପ୍ରାପ୍ତି ପାଇଁ ମା’ଭଢକାଳିକାଙ୍କ ପାଖରେ ମନୋକାମନା କରନ୍ତି ଓ ନିଜକୁ ଧନ୍ୟ ମନେ କରନ୍ତି । ଏପରିକି ଏହି ସ୍ତାନକୁ ଆସିବା ପରେ ଭକ୍ତ ମାନଙ୍କର ସବୁ କଷ୍ଟ ଦୂର ହୋଇ ଯାଉଥିବା ବିଶ୍ୱାସ ରହିଛି ।
ମୋ: ୯୪୩୭୪୪୧୦୭୨/୯୩୩୭୩୬୯୪୪୮

ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *