କାଶି ବିଶାଲକ୍ଷ୍ମୀଙ୍କ ଶକ୍ତିପୀଠ, ବାରଣାସୀ

ଶରତ କୁମାର ରାଉତ
କାଶୀ ବିଶାଲକ୍ଷ୍ମୀ ମନ୍ଦିର ହିନ୍ଦୁ ଧର୍ମର ପ୍ରସିଦ୍ଧ ୫୧ଟି ଶକ୍ତିପୀଠ ମଧ୍ୟରେ ଅନ୍ୟତମ । ଏହି ମନ୍ଦିର ଉତର ପ୍ରଦେଶର ପ୍ରାଚୀନ ନଗର କାଶୀ(ବାରଣାସୀ)ରେ କାଶୀ ବିଶ୍ୱନାଥ ମନ୍ଦିରରୁ କିଛି ଦୂରରେ ଗଙ୍ଗା ନଦୀ କୂଳ ମୀରଘାଟ(ମଣିକର୍ଣ୍ଣିକା ଘାଟ)ରେ ଅବସ୍ଥିତ । ଶାସ୍ତ୍ର ଅନୁଯାୟୀ ଏହି ଶକ୍ତିପୀଠ ମା’ଦୁର୍ଗାଙ୍କ ଶକ୍ତିର ପ୍ରତୀକ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏଠାରେ ଦେବୀ ସତୀଙ୍କ ଡ଼ାହାଣ କାନର କୁଣ୍ଡଳ ପଡ଼ିଥିଲା ।
ବିଶାଲକ୍ଷ୍ମୀ ମନ୍ଦିର ବା ବିଶାଲକ୍ଷ୍ମୀ ଗୌରୀ ମନ୍ଦିର ହିନ୍ଦୁ ମାନଙ୍କର ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ମଧ୍ୟରେ ଗୋଟିଏ । ଏହି ମନ୍ଦିର ଦେବୀ ବିଶାଲକ୍ଷ୍ମୀଙ୍କୁ ସମର୍ପିତ । ବିଶାଲକ୍ଷ୍ମୀ ଏକ ସଂସ୍କୃତ ଶବ୍ଦ । ଏହାର ଅର୍ଥ ହେଲା ଯାହାର ବଡ଼ ଆଖି । ବାରଣାସୀର ପୁରାତନ ନାମ କାଶୀ । କାଶୀ ପ୍ରାଚୀନ ଭାରତର ସାଂସ୍କୃତିକ ତଥା ପୁରାତତ୍ୱର ଉତରାଧ୍ôକାରୀ । କାଶୀ ବା ବାରଣାସୀ ହିନ୍ଦୁ ମାନଙ୍କର ପବିତ୍ର ସ୍ଥାନ ଗୁଡ଼ିକ ମଧ୍ୟରେ ଗୋଟିଏ । ଦେବୀ ପୁରାଣରେ କାଶୀର ବିଶାଲକ୍ଷ୍ମୀ ମନ୍ଦିରର ଉଲ୍ଲେଖ ରହିଛି । ଏହି ମନ୍ଦିରରେ ଶକ୍ତିଙ୍କୁ ଦେବୀ ବିଶାଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ ଓ ଭୈରବଙ୍କୁ ସଂରକ୍ଷକ ବା କାଳ ଭୈରବ ରୂପରେ ପୂଜା କରାଯାଏ ।
ଭାରତ ଏକ ପୂଣ୍ୟଭୂମି, ଖାସ ଏହାର ଦେବୀ ଦେବତାଙ୍କୁ ନେଇ । ସୃଷ୍ଟି ଆରମ୍ଭରୁ ପ୍ରତ୍ୟେକ ସ୍ଥାନର ନିଜସ୍ୱ ସ୍ୱତନ୍ତ୍ରତା ଅଛି, ଯାହା ଅଜଣା, କେବଳ ଇତିହାସର ରୂପାନ୍ତର । ଶକ୍ତିପୀଠ, ଯାହା ଏକ ରହସ୍ୟପୂର୍ଣ୍ଣ ଗାଥା, ପ୍ରାୟତଃ ଜନମାନସରେ ଅଗୋଚର ହୋଇ ରହିଛି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସରଂଚନା ପାଇଁ ଭଗବାନ ବ୍ରହ୍ମା, ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିଙ୍କୁ ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମା’ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିଦେ୍ର୍ଦଶରେ ମା’ ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମା’ଶକ୍ତି ମାନବ ରୂପରେ ଜନ୍ମ ନେଲେ । ଏହା ପଛରେ ବ୍ରହ୍ମାଙ୍କର ଉଦେ୍ଦଶ୍ୟ ଥିଲା ଯେ, ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଂରଚନା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମକରଣ କରିଥିଲେ ସତୀ । ମାତ୍ର କୌଣସି ପ୍ରକାର ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଏହା ଜାଣିପାରି ଦକ୍ଷଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ (ଆନ୍ଧ୍ର ପ୍ରଦେଶର ମୁରାମଲ୍ଲା) ଠାରେ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କଲେ ନାହିଁ । ବାପା ଦକ୍ଷ କିଛି ଆଦର ଗଉର ନକରି ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ସେହିକ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରି ନପାରି ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଂଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହେଲା । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଏହାର ସମାଧାନ ବା ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧ୍ୱଂସଲୀଳା ବନ୍ଦ କରି ବ୍ରହ୍ମାଣ୍ଡରେ ଶାନ୍ତି ସ୍ଥାପନ ପାଇଁ ବ୍ରହ୍ମା ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଅନୁଭବ କଲେ, ଯେପର୍ଯ୍ୟନ୍ତ ଶିବଙ୍କ ହସ୍ତରୁ ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧ୍ୱଂସ ମୁଖିରୁ ବର୍ତିବ ନାହିଁ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ।
କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ଦୁଃଖରେ ମି୍ରୟମାଣ ଭଗବାନ ଶିବ ସତୀଙ୍କ ବିଖଣ୍ଡିତ ଅଙ୍ଗ ଖୋଜିବା ଆରମ୍ଭ କଲେ । ଏଥିରେ ସହାୟତା କଲେ ଭଗବାନ ଭୈରବ । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସମେତ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ଏହି ସ୍ଥାନ ଗୁଡ଼ିକ ଅତି ପବିତ୍ର ତୀର୍ଥ ସ୍ଥଳ ଭାବେ ବିଖ୍ୟାତ । ସେହି ପୀଠ ମାନଙ୍କ ମଧ୍ୟରେ କାଶୀ ବିଶାଲକ୍ଷ୍ମୀ ଶକ୍ତିପୀଠ ଅନ୍ୟତମ । ଏଠାରେ ଦେବୀଙ୍କ ଡ଼ାହାଣ କାନର କୁଣ୍ଡଳ ପଡ଼ିଥିଲା । ଏଥିଯୋଗୁ ଏହି ସ୍ଥାନକୁ ମଧ୍ୟ “ମଣିକର୍ଣ୍ଣିକା ଘାଟ” କୁହାଯାଏ ।
ଅନ୍ୟ ଏକ କଥାରୁ ଜଣାଯାଏ ଯେ, ମାତା ଅନ୍ନପୂର୍ଣ୍ଣା, ଯାହାଙ୍କ ଆଶୀର୍ବାଦରୁ ସଂସାରର ସମସ୍ତ ଜୀବ ଖାଦ୍ୟ ପାଆନ୍ତି, ସେ ହିଁ “ମା’ ବିଶାଲକ୍ଷ୍ମୀ”! ସ୍କନ୍ଧ ପୁରାଣର କଥା ଅନୁସାରେ ଯେତେବେଳେ ଋଷି ବ୍ୟାସଙ୍କୁ ବାରଣାସୀରେ କେହି ବି ଖାଦ୍ୟ ଦେଉ ନଥିଲେ, ସେତେବେଳେ ସ୍ୱଂୟ ବିଶାଲକ୍ଷ୍ମୀ ଜଣେ ଗୃହିଣୀ ରୂପରେ ଆସି ଋଷି ବ୍ୟାସଙ୍କୁ ଖାଦ୍ୟ ଦେଇଥିଲେ । ମାତା ବିଶାଲକ୍ଷ୍ମୀଙ୍କ ଭୂମିକା ଏକଦମ୍ ମା’ ଅନ୍ନପୂର୍ଣ୍ଣାଙ୍କ ଭଳି ଅବିକଳ ଥିଲା ।
ମାତା ବିଶାଲକ୍ଷ୍ମୀଙ୍କ ମନ୍ଦିରରେ ସମସ୍ତ ପର୍ବପର୍ବାଣୀ ପାଳନ ହେଇଥାଏ । ବିଶେଷତଃ ଦୁର୍ଗା ପୂଜା ଓ ନବରାତ୍ର ପର୍ବ ଅବସରରେ ସ୍ୱତନ୍ତ୍ର ପୂଜାର ଆୟୋଜନ ହୋଇଥାଏ । ଏହି ଦିନ ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସୁସଜ୍ଜିତ କରାଯାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ ଓ ହୃଦୟକୁ ଅପାର ଶାନ୍ତି ପ୍ରଦାନ କରିଥାଏ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *