ପୂର୍ବତନ ସରପଂଚ ତଥା ସମାଜସେବୀ ଶିଶିର ଦାସଙ୍କ ପରଲୋକ

ପାରାଦ୍ୱୀପ, (ଆଇଏନ୍ଏସ୍): କୁଜଙ୍ଗ ବ୍ଳକ ଅନ୍ତର୍ଗତ ବାଲିଆ ପଂଚାୟତର ପୂର୍ବତନ ସରପଂଚଞ୍ଚ ପାନପଲ୍ଲୀ ମଠର ଅଧିକାରୀ ଶିଶିର କୁମାର ଦାସଙ୍କର ସେପ୍ୱେମ୍ବର୧୮ତାରିଖ ଦିନ ପରଲୋକ ହୋଇଯାଇଛି । ତାଙ୍କର ଦକ୍ଷତା ଓ ଦୃଢ ନେତୃତ୍ୱ ବଳରେ ୧୯୯୫ରୁ ୨୦୦୫ ପର୍ଯ୍ୟନ୍ତ ବାଲିଆ ଗ୍ରାମ ପଂଚାୟତରେ ସରପଂଚ ଭାବେ ଦୁଇଥର ନିର୍ବାଚିତ ହୋଇପାରିଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା । ଗତ ଏକବର୍ଷ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ । ତାଙ୍କ ସମୟରେ ଗ୍ରାମ ପଂଚାୟତର ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇପାରିଥିଲା । ବିଶେଷ କରି ବାଲିଆ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରି ନାରୀଶିକ୍ଷାକୁ ପ୍ରୋତ୍ସାହିତ କରିପାରିଥିଲେ । ଏତଦ୍ ବ୍ୟତିତ ବଡବନ୍ଧ ଠାରେ ରେଳ ଷ୍ଟେସନ ଓ ନାମକରଣ ସମେତ କୁଜଙ୍ଗ ବାଲିତୁଠ ମୁଖ୍ୟ ରାସ୍ତାରୁ ପାନପଲ୍ଲୀକୁ ରାସ୍ତା ନିର୍ମାଣ କରି ସେ ତାଙ୍କର ଦକ୍ଷତାର ପରିଚୟ ଦେଇଥିଲେ । ସେ ଜଣେ ପରୋପକାରୀ ଓ ସମାଜସେବୀ ଭାବେ ଆଖପାଖ ଅଂଚଳରେ ବେଶ୍ ପ୍ରତିଷ୍ଠା ଲାଭ କରିଥିଲେ । ତାଙ୍କ ବିୟୋଗରେ କୁଜଙ୍ଗ ଏବଂ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଦାସ ହେଉଛନ୍ତି ପାରାଦ୍ୱୀପ ବନ୍ଦର ଭୁତପୂର୍ବ ଯନ୍ତ୍ରୀ ହେମନ୍ତ କୁମାର ଦାସ, ବିଜେଡିର ବରିଷ୍ଠ ନେତା ରଞ୍ଜନ କୁମାର ଦାସ, ପାରାଦ୍ୱୀପ ବନ୍ଦର କ୍ରୀଡା ଉପଦେଷ୍ଟା ରବିନ୍ଦ୍ର କୁମାର ଦାସଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ଭୁବନେଶ୍ୱରର କଂଗ୍ରେସ ସଭାପତି ତଥା ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ମାନସ ଚୌଧୁରୀଙ୍କର ମାମୁ ଅଟନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

Leave a Reply

Your email address will not be published.