ବୈଦ୍ୟନାଥ ଧାମ ଜ୍ୟୋତିର୍ଲିଙ୍ଗ ଓ ପାର୍ବତୀ ଶକ୍ତିପୀଠ

ଶରତ କୁମାର ରାଉତ
ଭାରତ ଉପ ମହାଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶଙ୍କରଙ୍କ ଦ୍ୱାରା ସ୍ଥାପିତ ଜ୍ୟୋତିର୍ଲିଙ୍ଗ ମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟର ଦେଓଘର ସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥଳ ବୈଦ୍ୟନାଥ ଅନ୍ୟତମ । ଏଠାରେ ଭଗବାନ ଶଙ୍କରଙ୍କ ଦ୍ୱାରା ନବମ ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଥିଲା । ଏହି ଜ୍ୟୋତିର୍ଲିଙ୍ଗ ସମସ୍ତ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସର୍ବାଧିକ ମହିମା ମଣ୍ଡିତ ଭାବେ ଖ୍ୟାତ । କିନ୍ତୁ ଏହା ଭାରତର ଏପରି ସ୍ଥଳ ଯେ, ଯେଉଁଠି ଜ୍ୟୋତିର୍ଲିଙ୍ଗ ସହିତ ଏକ ଶକ୍ତିପୀଠ ମଧ୍ୟ ରହିଛି । ପ୍ରତିଦିନ ତ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି, ହେଲେ ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣରେ ତାଙ୍କ ଭକ୍ତ ମାନଙ୍କ ପ୍ରବଳରୁ ପ୍ରବଳ ଭିଡ଼ ଜମେ । ପ୍ରତିଦିନ ଏଠାକୁ ପ୍ରାୟ ଏକ ଲକ୍ଷ ଭକ୍ତ ଆସି ଜ୍ୟୋତିର୍ଲିଙ୍ଗ ଉପରେ ଜଳାଭିଷେକ କରନ୍ତି । ସୋମବାର ଦିନ ଭକ୍ତ ମାନଙ୍କ ସଂଖ୍ୟା ଆହୁରି ବଢିଯାଏ । ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଜ୍ୟୋତିର୍ଲିଙ୍ଗ ମହାନ ବିଦ୍ୱାନ ଲଙ୍କାପତି ରାବଣ ଦ୍ୱାରା ଏଠାକୁ ଅଣା ଯାଇଥିଲା । ଶିବ ପୁରାଣ ମୁତାବିକ ଶିବ ଭକ୍ତ ରାବଣ ନିଜ ତପସ୍ୟା ବଳରେ ଶିବଙ୍କ ଠାରୁ ବର ପାଇ ଭଗବାନ ଶିବଙ୍କୁ କୈଳାଶ ପର୍ବତରୁ ନିଜ ସହିତ ଲଙ୍କା ନେଇ ଯିବାର ଇଚ୍ଛାବ୍ୟକ୍ତ କରିଥିଲା ।
କିନ୍ତୁ ଭଗବାନ ଶିବ ସ୍ୱଂୟ ଲଙ୍କା ଯିବାକୁ ମନା କରିଦେଲେ, କିନ୍ତୁ ନିଜ ଭକ୍ତ ରାବଣକୁ ଶିବଲିଙ୍ଗ ନେଇ ଯିବାକୁ ପରାମର୍ଶ ଦେଲେ । ଏହା ପରେ ଭଗବାନ ଶିବ ଏହି ଜ୍ୟୋତିର୍ଲିଙ୍ଗକୁ ରାସ୍ତାରେ କେଉଁଠି ନ ରଖିବାକୁ ରାବଣକୁ ସଚେତନ କଲେ । ଅନ୍ୟଥା ଏହି ଜ୍ୟୋତିର୍ଲିଙ୍ଗ ସେଇଠି ସ୍ଥାପିତ ହୋଇଯିବ! ଏଣେ ଭଗବାନ ବିଷ୍ଣୁ ଜ୍ୟୋତିର୍ଲିଙ୍ଗ ଲଙ୍କାରେ ପହଂଚିବା ଚାହୁଁନଥିଲେ । ସେଥିପାଇଁ ଭଗବାନ ବିଷ୍ଣୁ ମା’ଗଙ୍ଗାଙ୍କୁ ରାବଣ ପେଟରେ ପ୍ରବେଶ କରିବାକୁ ଅନୁରୋଧ କଲେ । ରାବଣ ପେଟରେ ଗଙ୍ଗାଙ୍କ ପ୍ରବେଶ ପରେ ରାବଣକୁ ପ୍ରବଳ ପରିଶ୍ରା ଲାଗିଲା । ଏହାପରେ ସେ ଭାବିବାକୁ ଲାଗିଲା ଯେ, ଜ୍ୟୋତିର୍ଲିଙ୍ଗ କାହା ହାତରେ ରଖି ପରିଶ୍ରା କରିନେବି!…….
ସେହି ସମୟରେ ଭଗବାନ ବିଷ୍ଣୁ ଗୋପାଳ ରୂପରେ ସେଠାରେ ପ୍ରକଟ ହେଲେ । ରାବଣ ସେହି ଗୋପାଳ ହାତରେ ଜ୍ୟୋତିର୍ଲିଙ୍ଗ ଧରାଇ ସେ ପରିଶ୍ରା ସାରି ନ ଆସିବା ପର୍ଯ୍ୟନ୍ତ ଏହି ଜ୍ୟୋତିର୍ଲିଙ୍ଗକୁ ଜମି ଉପରେ ନ ରଖିବାକୁ କହିଲା ।
ରାବଣ ଯେତେବେଳେ ପରିଶ୍ରା କରିବାକୁ ଆରମ୍ଭ କଲା ତ ଲଗାତାର ପରିଶ୍ରା ହୋଇ ଚାଲିଲା, ବନ୍ଦ ହେଲା ନାହିଁ । ଅନେକ ସମୟ ପର୍ଯ୍ୟନ୍ତ ଯେତେବେଳେ ରାବଣ ଫେରିଲା ନାହିଁ, ସେହି ଗୋପାଳ ଶିବଲିଙ୍ଗକୁ ମାଟି ଉପରେ ରଖି କୁଆଡ଼େ ଉଭାନ ହୋଇଗଲା । ଏହାପରେ ରାବଣ ଯେତେବେଳେ ଫେରି ଆସିଲା, ତା’ର ଶତ ଶତ ଚେଷ୍ଟା ସତ୍ୱେ ସେଠାରୁ ଶିବଲିଙ୍ଗ ହଲିଲା ନାହିଁ ଓ ତାକୁ ଖାଲି ହାତରେ ଲଙ୍କା ଫେରିବାକୁ ପଡ଼ିଲା ।
ପରେ ସମସ୍ତ ଦେବୀ ଦେବତା ଏଠାରେ ପହଂଚି ଜ୍ୟୋତିର୍ଲିଙ୍ଗ ସ୍ଥାପିତ କଲେ ଓ ଯଥାବିଧି ପୂଜାର୍ଚ୍ଚନା କଲେ । ବହୁ ଦିନ ପରେ ବୈଜନାଥ ନାମକ ଜଣେ ଗାଇଆଳକୁ ଏହି ଜ୍ୟୋତିର୍ଲିଙ୍ଗର ଦର୍ଶନ ହେଲା ଓ ସେ ପ୍ରତିଦିନ ସେହି ଜ୍ୟୋତିର୍ଲିଙ୍ଗକୁ ପୂଜା କରିବାକୁ ଲାଗିଲା । ଏଥିପାଇଁ ଏହି ପବିତ୍ର ମାଟିର ନାମ ବୈଦ୍ୟନାଥ ଧାମ ହୋଇଗଲା ।
ଏହି କାରଣରୁ ବୈଦ୍ୟନାଥ ଧାମ ସମସ୍ତ ତୀର୍ଥ ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଏ । ଏହି ଜ୍ୟୋତିର୍ଲିଙ୍ଗ ସଂପର୍କରେ ବିଭିନ୍ନ ପୁରାଣରେ ବ୍ୟାପକ ଭାବେ ବର୍ଣ୍ଣିତ ହୋଇଛି । କିନ୍ତୁ ଶିବ ପୁରାଣରେ ଏ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ପୁରାଣ କଥା ଅନୁଯାୟୀ ବୈଦ୍ୟନାଥ ଧାମରେ ଜ୍ୟୋତିର୍ଲିଙ୍ଗର ସ୍ଥାପନା ସ୍ୱୟଂ ଭଗବାନ ବିଷ୍ଣୁ କରିଥିଲେ । ଏହି ସ୍ଥାନର ଅନେକ ନାମ ପ୍ରଚଳିତ ଅଛି, ଯେମିତି ହରିତକୀ ବନ, ଚିତାଭୂମି, ରଣଖଣ୍ଡ, ରାବଣେଶ୍ୱର କାନନ, ହୃଦୟ ପୀଠ ଇତ୍ୟାଦି । ବୈଦ୍ୟନାଥ ଧାମକୁ ‘ହାର୍ଦପୀଠ’ ମଧ୍ୟ କୁହାଯାଏ ଓ ଏହାର ମାନ୍ୟତା ଶକ୍ତିପୀଠ ରୂପରେ ରହିଛି । ବୈଦ୍ୟନାଥ ଧାମ ଏପରି ଏକ ସ୍ଥାନ, ଯେଉଁଠି ଜ୍ୟୋତିର୍ଲିଙ୍ଗ ସହିତ ଶକ୍ତିପୀଠ ବି ରହିଛି ।
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ସତୀ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ନିଜ ହାତରେ ଧରି ସାରା ବ୍ରହ୍ମାଣ୍ଡରେ ବୁଲି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି ସମୟ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ଭାରତୀୟ ଉପମହାଦେଶରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ସେଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡର ବୈଦ୍ୟନାଥ ଧାମରେ ମା’ସତୀଙ୍କର ହୃଦୟ ଖଣ୍ଡ ପଡ଼ିଥିଲା । ଏଥିଯୋଗୁ ଏହି ସ୍ଥାନ ‘ହୃଦୟପୀଠ’ ବା “ହାର୍ଦ ପୀଠ” ଭାବରେ ପରିଚିତ । ଏହି ଶକ୍ତିପୀଠରେ ମା’ ପାର୍ବତୀ ଶକ୍ତି ରୂପରେ ପୂଜା ପାଉଥିବାବେଳେ ସ୍ୱଂୟ ବୈଦ୍ୟନାଥ ଏଠାରେ ଭୈରବ ରୂପରେ ପୂଜା ପାଉଛନ୍ତି । ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *