ପାକିସ୍ତାନ ଅଧିକୃତ କାଶ୍ମୀରରେ ମା’ଶାରଦା ଶକ୍ତିପୀଠ!!

ଶରତ କୁମାର ରାଉତ
ମା’ଶାରଦାଙ୍କ ମନ୍ଦିର ପ୍ରାୟ ୫ ହଜାର ବର୍ଷର ପ୍ରାଚୀନ । ଏହି ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । କୁହାଯାଏ ଯେ, ସମ୍ରାଟ ଅଶାକଙ୍କ ଶାସନ କାଳରେ ଶାରଦା ପୀଠର ସ୍ଥାପନା ଖ୍ରୀଷ୍ଟ ପୂର୍ବ ୨୩୭ ରେ ହୋଇଥିଲା । ବିଦ୍ୟାର ଅଧିଷ୍ଠାତ୍ରୀ ହିନ୍ଦୁ ଦେବୀଙ୍କୁ ସମର୍ପିତ ଏହି ମନ୍ଦିର ଶିକ୍ଷାର ଏକ ମହାନ୍ କେନ୍ଦ୍ର ଥିଲା । କିମ୍ବଦନ୍ତୀରୁ ଜଣାଯାଏ ଯେ, ଏହି ମନ୍ଦିରର ନିର୍ମାଣ ପ୍ରଥମ ଶତାବ୍ଦୀରେ କୁଷାଣ ମାନଙ୍କ ଶାସନ ଅମଳରେ ହୋଇଥିଲା । ଅନ୍ୟ କେତେକ ସୂତ୍ର ଅନୁସାରେ ଶାରଦା କ୍ଷେତ୍ରରେ ବୌଦ୍ଧ ମାନଙ୍କର ଅଧିକ ପ୍ରଭାବ ଥିଲା, ମାତ୍ର ଏହାର କୌଣସି ପ୍ରମାଣ ନଥିବାରୁ ଏହାକୁ କେହି ସମର୍ଥନ କରନ୍ତି ନାହିଁ ।
ତେବେ ରାଜା ଲଳିତାଦିତ୍ୟ ବୌଦ୍ଧ ଧର୍ମର ଧାର୍ମିକ ଓ ରାଜନୀତିକ ପ୍ରଭାବ ବଳବତ୍ତର ରଖିବାକୁ ଶାରଦା ପୀଠର ନିର୍ମାଣ କରିଥିଲେ । ଏହି ଦାବିକୁ ସମର୍ଥନ କରାଯାଉଛି, କାରଣ ରାଜା ଲଳିତାଦିତ୍ୟ ଖୁବ୍ ଉତ୍ସାହର ସହ ବିଭିନ୍ନ ମନ୍ଦିର ନିର୍ମାଣ ପାଇଁ ଅଗ୍ରାଧିକାର ଦେଉଥିଲେ ଓ ଏଥିରେ ସେ ଧୂରନ୍ଧର ଥିଲେ ।
ଶାରଦା ଶକ୍ତିପୀଠ ମୁଜାଫରାବାଦ୍ ରୁ ପ୍ରାୟ ୧୪୦ କିଲୋମିଟର ଓ କୁପୱାଡ଼ାରୁ ପ୍ରାୟ ୩୦ କିଲୋମିଟର ଦୂର ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ନିୟନ୍ତ୍ରଣ ରେଖା(ଏଲ୍ଓସି)ନିକଟସ୍ଥ ନୀଲମ୍ ନଦୀ କୂଳରେ ଅବସ୍ଥିତ । ଶାରଦା ମନ୍ଦିରର ଉଚ୍ଚତା ୧୪୨ ଫୁଟ ଓ ଚଉଡ଼ା ୯୪.୬ ଫୁଟ । ମନ୍ଦିରର ବାହାର ଦ୍ୱାର ୬ ଫୁଟ ଚଉଡ଼ା ଓ ୧୧ ଫୁଟ ଲମ୍ବ । ବୃତ୍ତଖଣ୍ଡର ଉଚ୍ଚତା ୮ ଫୁଟ୍ । ମାତ୍ର ଏବେ ଅଧିକାଂଶ ଡାଞ୍ଚା କ୍ଷତିଗ୍ରସ୍ତ ହୋଇଛି ।
ଭାରତୀୟ ଉପମହାଦେଶରେ ଏହି ମନ୍ଦିର ମଧ୍ୟ ଶକ୍ତିପୀଠ ରୂପେ ପରିଚିତ । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ସତୀ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ନିଜ ହାତରେ ଧରି ସାରା ବ୍ରହ୍ମାଣ୍ଡରେ ବୁଲି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି ସମୟ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ଭାରତୀୟ ଉପମହାଦେଶରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ସେଗୁଡ଼ିକ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ମା’ସତୀଙ୍କର ଡ଼ାହାଣ ହାତ ଖଣ୍ଡ ପଡ଼ିଥିଲା ।
ଏଥିଯୋଗୁ ଭାରତୀୟ ଉପମହାଦେଶରେ ଥିବା ୧୮ଟି ମହା ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ । ଏପରିକି ସାରା ଦକ୍ଷିଣ ଏସିଆରେ ଏକ ପ୍ରତିଷ୍ଠିତ ମନ୍ଦିର ଓ ଶକ୍ତିପୀଠ ଭାବେ ଏହା ଜଣାଶୁଣା । ଶାରଦା ପୀଠର ଅର୍ଥ “ଶାରଦାଙ୍କ ଭୂମୀ ବା ଆସନ ବା ଜାଗା”ଯାହା ହିନ୍ଦୁ ଦେବୀ ସରସ୍ୱତୀଙ୍କ କଶ୍ମୀରୀ ନାମ ଅଟେ । ଶାରଦା ପିଠକୁ ବିଦ୍ୟାର ଏକ ପ୍ରାଚୀନ କେନ୍ଦ୍ର ମଧ୍ୟ କୁହାଯାଏ । ପାଣିନି ଓ ଅନ୍ୟ ବିଖ୍ୟାତ ଲେଖକଙ୍କ ଦ୍ୱାରା ଲେଖା ଯାଇଥିବା ଗ୍ରନ୍ଥ ସଂଗୃହୀତ ଥିଲା । ଏଥିପାଇଁ ଏହି ସ୍ଥାନ ବୈଦିକ କାର୍ଯ୍ୟ, ଶାସ୍ତ୍ର ଓ ଟିପଣୀର ଉଚ୍ଚତର ଅଧ୍ୟୟନର ଏକ ପ୍ରମୁଖ କେନ୍ଦ୍ର ଭାବେ ଜଣାଶୁଣା । ଦେଶର ସବୁଠୁ ପୁରୁଣା ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଏହା ଗୋଟିଏ, ଯାହା ଶାରଦା ବିଶ୍ୱବିଦ୍ୟାଳୟ ନାମରେ ପିଚିଚିତ । ନିଜର ଲିପି ପାଇଁ ମଧ୍ୟ ଶାରଦା ପୀଠ ପ୍ରସିଦ୍ଧ ଅଟେ । କୁହାଯାଏ ଯେ, ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମେ ପ୍ରାୟ ୫ ହଜାର ବିଦ୍ୱାନ ଥିଲେ ଓ ସେତେବେଳେ ସେ ସମୟର ଏଠାରେ ସବୁଠୁ ବଡ଼ ପୁସ୍ତକାଳୟ ଥିଲା । ସେତେବେଳେ ମଧ୍ୟ ଶାରଦା ପୀଠର ମହନୀୟତା ଚାରିଆଡ଼େ ପ୍ରସିଦ୍ଧ ଥିଲା, ଯେତେବେଳେ କାଶ୍ମୀରୀ ପଣ୍ଡିତ ମାନେ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଭୂମିକୁ ଶାରଦା ପୀଠ ବା ସର୍ବସାଧାରଣ ପୀଠ ଭାବେ ପରିବର୍ତନ କରାଇଥିଲେ । ଦେବୀ ଶାରଦାଙ୍କୁ କାଶ୍ମୀରା-ପୁରୋୱାସନୀ ମଧ୍ୟ କୁହାଯାଏ ।
୧୯୪୭ ମସିହାରେ ଭାରତର ବିଭାଜନ ପର ଠାରୁ ଶାରଦା ମନ୍ଦିର(ଶକ୍ତିପୀଠ) ସଂପୂର୍ଣ୍ଣ ଭାବେ ଜନଶୂନ୍ୟ ହୋଇ ଯାଇଛି! ଶକ୍ତିପୀଠକୁ ଯିବା ପାଇଁ ପ୍ରତିବନ୍ଧକ ମଧ୍ୟ ଭକ୍ତ ମାନଙ୍କୁ ହତୋତ୍ସାହିତ କରିଛି! ଅର୍ଥାତ୍ ୧୯୪୭ ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ଶକ୍ତିପୀଠକୁ ଦର୍ଶନ କରିବାକୁ ନିୟମିତ ଯାଉଥିଲେ । ମାତ୍ର ୧୯୪୭ ପର ଠାରୁ ସେଠାରେ କ’ଣ ହେଲା, ମାତା ଶାରଦା ଓ ତାଙ୍କର ମହାନ୍ ଶକ୍ତିପୀଠର ଅବସ୍ଥା କିପରି ଅଛି, ତାହା କାହାକୁ ଜଣାନାହିଁ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *