ଭ୍ରାମରୀ ଦେବୀ ଭଦ୍ରକାଳୀ ଶକ୍ତିପୀଠ, ନାସିକ

ଶରତ କୁମାର ରାଉତ
ପୂଣ୍ୟଭୂମି ଭାରତ ବର୍ଷରେ କୋଟି କୋଟି ଦେବୀ ଦେବତା, ଦେବ ପୀଠ ଓ ଶକ୍ତିପୀଠ ରହିଛ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ମା’ ଶକ୍ତିଙ୍କୁ ନିଜର ଝିଅ(ସତୀ) ରୂପରେ ପାଇବା ପରେ କୌଣସି ପ୍ରକାର ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଦକ୍ଷରାଜଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ । ଦକ୍ଷ ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ବାପାଙ୍କ ଅପମାନକୁ ସହ୍ୟ କରି ନପାରି ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଂଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ବ୍ରହ୍ମା ଓ ବିଷ୍ଣୁଙ୍କୁ ଅନୁରୋଧ କଲେ । ବିଷ୍ଣୁ ଅନୁଭବ କଲେ, ଯେପର୍ଯ୍ୟନ୍ତ ଶିବଙ୍କ ହସ୍ତରୁ ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଶିବ ଶାନ୍ତ ହେବେ ନାହିଁ । ସଙ୍ଗେସଙ୍ଗେ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ଆଦିଶକ୍ତି ପୀଠ ହେଲେ, (୧)ପୁରୀ ଶ୍ରୀମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ) ଓ ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) । ଓଡ଼ିଶାରେ ମଧ୍ୟ ଗୋଟିଏ ମହା ଶକ୍ତିପୀଠ ମା’ “ବିରଜା” ରହିଛନ୍ତି ।
ଭାରତୀୟ ଉପ ମହାଦେଶରେ ଅବସ୍ଥିତ ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ନାସିକ ସ୍ଥିତ ଭଦ୍ରକାଳୀ ମନ୍ଦିର (ଶକ୍ତିପୀଠ)ଅନ୍ୟତମ । ଏହା ମଧ୍ୟ ହିନ୍ଦୁ ଶ୍ରଦ୍ଧାଳୁ ମାନଙ୍କର ପ୍ରମୁଖ ତୀର୍ଥ ସ୍ଥଳ । ଏଠାରେ ଭଗବତୀ ଦେବୀ ଭ୍ରାମରୀ ରୂପରେ ପୂଜା ପାଉଥିବା ବେଳେ ଭଗବାନ୍ ଭୋଳାନାଥ (ଭୈରବ)ବିକୃତାକ୍ଷ ରୂପରେ ପ୍ରତିଷ୍ଠିତ ।
ମାତାଙ୍କର ଏହି ମନ୍ଦିରର ଶିଖର ନାହିଁ । ଇସଲାମ୍ ଶାସନ କାଳରେ ମା’ଙ୍କ ମୂର୍ତ୍ତି ଅପମାନିତ ନହେବା ପାଇଁ ହିଁ ସର୍ଦ୍ଦାର ଗଣପତ୍ ରାଓ ଦୀକ୍ଷିତ ବିନା ଶିଖର ଓ ବିନା କଳସ ସ୍ଥାପନାରେ ଏହି ମନ୍ଦିରକୁ ପାହାଡ଼ ଉପରେ ନିର୍ମାଣ କରିଥିଲେ । ଏହି ମନ୍ଦିର ପ୍ରାୟ ୧୭୯୦ରେ ନିର୍ମାଣ ହୋଇଥିବା କୁହାଯାଉଛି । ଏଠାରେ ନବଦୁର୍ଗାଙ୍କ ମୂର୍ତ୍ତି ମାନ ରହିଛନ୍ତି, ଯାହା ନଅ ଟି ପାହାଡ଼ର ସଂକେତ ରୂପରେ ଓ ସେମାନଙ୍କ ମଧ୍ୟରେ ଭଦ୍ରକାଳୀ ଙ୍କର ସବୁଠୁ ଉଚ୍ଚ ମୂର୍ତ୍ତି ରହିଛି । ମାତାଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ମନ୍ଦିରରେ ମାତାଙ୍କ ଦର୍ଶନ-ପୂଜନର ଖୁବ୍ ଗୁରୁତ୍ୱ ରହିଛି । ମା’ଙ୍କର ୧୮ ଟି ହାତରେ ୧୮ ପ୍ରକାରର ଅସ୍ତ୍ରଶସ୍ତ୍ର ରହିଛି! କୁହାଯାଏ ଯେ, ମାତାଙ୍କ ଦୟାରେ ଭକ୍ତମାନେ ଏହି ପୀଠକୁ ଆସନ୍ତି ଓ ଶ୍ରଦ୍ଧା ପୂର୍ବକ କରାଯାଇଥିବା ପୂଜାରୁ ଭକ୍ତମାନେ ଭଦ୍ରକାଳୀ ମା’ଙ୍କ କୃପାର ପାତ୍ର ହୋଇଥାନ୍ତି ।
ମା’ପାର୍ବତୀଙ୍କ ଏକ ଅବତାର ହେଉଛନ୍ତି ମା’ଭ୍ରାମରୀ । ମା’ଭ୍ରାମରୀ ମହୁମାଛିଙ୍କ ଦେବୀ ରୂପରେ ପରିଚିତ । ଦେବୀ ମହାତ୍ମ୍ୟରେ ଏହାର ଉଲ୍ଲେଖ ରହିଛି । ଦେବୀ ଭାଗବତ ପୁରାଣରେ ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ଜୀବଙ୍କ ପାଇଁ ତାଙ୍କର ମହାନତା ଦର୍ଶା ଯାଇଛି ଓ ତାଙ୍କର ସର୍ବୋଚ୍ଚ ଶକ୍ତିର ବର୍ଣ୍ଣନା ରହିଛି ।
ଥରେ ଅରୁଣାସୁର ନାମକ ଏକ ଶକ୍ତିଶାଳୀ ଦାନବର ଗର୍ବ ଚରମ ସୀମାରେ ପହଂଚିଲା । ସେ ଦେବୀ ଓ ଦେବତା ମାନଙ୍କୁ ଘୃଣା କରୁଥିଲା । ସେମାନଙ୍କୁ ଦୁନିଆରୁ ବାହାର କରି ଦେଇ ସାରା ବିଶ୍ୱରେ ନିଜେ ପ୍ରଭାବ ବିସ୍ତାର ପାଇଁ ଚାହୁଁଥିଲା । ଏଥିପାଇଁ ସେ ହିମାଳୟ ପର୍ବତ ଉପରେ ଭଗବାନ୍ ବ୍ରହ୍ମାଙ୍କୁ ଘୋର ତପସ୍ୟା କରିବାକୁ ଲାଗିଲା । ତା’ର କଠୋର ତପସ୍ୟାରେ ଭଗବାନ ବ୍ରହ୍ମା ତାକୁ ବରଦାନ ଦେଲେ ଯେ, ପୃଥିବୀ ଓ ସ୍ୱର୍ଗର ସମସ୍ତ ଜୀବିତ ପ୍ରାଣୀଙ୍କ ଠାରୁ ତାକୁ ସେ ରକ୍ଷା କରିବେ ।
ଏହି ମହାନ୍ ବରଦାନ ଯୋଗୁ ଅରୁଣାସୁରର ଗର୍ବ ଆହୁରି ବଢିଗଲା । ଫଳ ସ୍ୱରୂପ ପ୍ରଥମେ ସେ ସ୍ୱର୍ଗରେ ପହଂଚି ସମସ୍ତ ଦେବୀ ଦେବତାଙ୍କୁ ଜିତିଗଲା । ସେହିପରି ଅରୁଣାସୁର ସ୍ୱର୍ଗ ଲୋକ ଓ ଅନ୍ୟ ଦେବଲୋକ କୁ ନିଜ ଅକ୍ତିଆରକୁ ନେଇ ଆସିଲା ।
ଦେବତା, ଋଷି ଓ ଧର୍ମପ୍ରାଣ ଲୋକମାନେ ଆକୁଳ ପ୍ରାର୍ଥନା କରିବା ପରେ ମାତା ପାର୍ବତୀ ଭ୍ରାମରୀ ରୂପରେ ଅବତାର ନେଲେ ଓ ଅନେକ ଦିନ ପର୍ଯ୍ୟନ୍ତ ସେହି ଅସୁର ସହିତ ଯୁଦ୍ଧ କଲେ ଏବଂ ଶେଷରେ ତାକୁ ବଦ୍ଧ କରି ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ରକ୍ଷା କଲେ ।
ଭୁବନେଶ୍ୱର, ମୋ:୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *