ଜ୍ୱାଳାମୁଖି ଦେବୀଙ୍କ ଶକ୍ତିପୀଠ, ହିମାଚଳ ପ୍ରଦେଶ

ଶରତ କୁମାର ରାଉତ
ଭାରତୀୟ ଉପମହାଦେଶରେ ଅବସ୍ଥିତ ଶକ୍ତିପୀଠ ମାନଙ୍କ ମଧ୍ୟରେ ହିମାଂଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ କାଲୀଧାର ପାହାଡ଼ ମଧ୍ୟରେ ମାତା ଜ୍ୱାଳାମୁଖି ଦେବୀଙ୍କ ମନ୍ଦିର ରହିଛି । ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଭରତୀୟ ଉପମହାଦେଶରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହା ଶକ୍ତିପୀଠ ଓ ୫୧ ଟି ଶକ୍ତିପୀଠ ରହିଛି । ତେବେ ଏହି ୧୮ଟି ମହା ଶକ୍ତିପୀଠ ମଧ୍ୟରେ“ମା’ଜ୍ୱାଳା ଦେବୀ”ମନ୍ଦିର ବା ଶକ୍ତିପୀଠ ଅନ୍ୟତମ । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ଭଗବାନ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ପାଖରେ ପହଂଚିଲେ ଓ ରାଗରେ ଜର୍ଜ୍ଜରିତ ହୋଇ ନିଜ ହାତରେ ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ମଣିଷ, ପଶୁ ଓ ଦେବୀ ଦେବତା ସମସ୍ତେ ଭୟରେ ଥରି ଉଠିଲେ । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ଏହିପରି ପୃଥିବୀରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି ।
ମାତା ସତୀଙ୍କର ସେହି ଖଣ୍ଡ ବା ଅଂଶ ମାନଙ୍କ ମଧ୍ୟରୁ ତାଙ୍କର ‘ଜିଭ’ଏହି ଶକ୍ତିପୀଠରେ ପଡ଼ିଥିଲା । ସେଦିନ ଠାରୁ ଏହି ସ୍ଥାନ ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ । ପବିତ୍ର ନବରାତ୍ର ଉତ୍ସବ ମାତାଙ୍କର ସବୁଠୁ ବଡ଼ ପର୍ବ ଭାବରେ ପାଳନ କରାଯାଏ । ଏହି ସମୟରେ ଦେଶର ବିଭିନ୍ନ ଅଂଚଳରୁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ପୁରାଣ ଶାସ୍ତ୍ର ଅନୁଯାୟୀ ସମସ୍ତ ଶକ୍ତୀପୀଠରେ ମାତା ଜ୍ୱାଳା ଦେବୀ ଭଗବାନ ଶିବଙ୍କ ସହିତ ସବୁବେଳେ ରହିଥାନ୍ତି । ଏହି ଶକ୍ତିପୀଠର ଅନେକ ମହାତ୍ମ୍ୟ ରହିଛି । ମୁଖ୍ୟତଃ ଏହି ଶକ୍ତିପୀଠରେ ମାତା ଜ୍ୱାଳା ଦେବୀଙ୍କର ପୂଜା-ଅର୍ଚ୍ଚନା କଲେ, ମା’ଯଥାଶୀଘ୍ର ପ୍ରସନ୍ନ ହୋଇଥାନ୍ତି ବୋଲି ସମସ୍ତଙ୍କର ଧାରଣା ରହିଛି । ଯେଉଁ ଭକ୍ତ ଓ ଶ୍ରଦ୍ଧାଳୁ ଜ୍ୱାଳା ଦେବୀଙ୍କ ମନ୍ଦିରରେ ମାତାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେମାନଙ୍କର ମନୋକାମନା ପୂରଣ ହୁଏ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନେ କହନ୍ତି । ଜ୍ୱାଳାମୁଖି ମନ୍ଦିରକୁ ଜ୍ୟୋତି ୱାଲୀ ମନ୍ଦିର ଓ ନଗରକୋଟ ବୋଲି ମଧ୍ୟ କୁହାଯାଏ ।
ମାତା ଜ୍ୱାଳା ଦେବୀଙ୍କ ମନ୍ଦିରରେ ଅହରହ ଜଳୁଛି ନଅଟି ଅଗ୍ନିଶିଖା । ମାତାଙ୍କ ମନ୍ଦିରରେ ବିନା ତେଲ ସଳିତାର ନଅଟି ଅଗ୍ନିଶିଖା ଜଳୁଛି । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଅଗ୍ନିଶିଖା ସ୍ୱଂୟ ମାତା ଜ୍ୱାଳାମୁଖି । ସେଠାରେ ଅନ୍ୟ ଆଠଟି ଅଗ୍ନିଶିଖା ରୂପରେ ମା’ଅନ୍ନପୂର୍ଣ୍ଣା, ମା’ ଚଣ୍ଡୀ, ମା’ହିଙ୍ଗଲାଜ, ମା’ବିନ୍ଧ୍ୟବାସିନୀ, ମା’ମହାଲକ୍ଷ୍ମୀ, ମା’ସରସ୍ୱତୀ, ମା’ଅମ୍ବିକା ଓ ମା’ଅଞ୍ଜି ଦେବୀ ବିରାଜମାନ ଅଛନ୍ତି । ଅତୀତରେ ଆକବର ମାତାଙ୍କର ଏହି ଅଗ୍ନିଶିଖାକୁ ଲିଭାଇବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ ଅସଫଳ ହୋଇଥିଲେ । ମାତାଙ୍କ ମନ୍ଦିରରେ ପ୍ରତିଦିନ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପୂଜା କରିବାକୁ ଆସନ୍ତି ।
ମା’ଙ୍କ ମନ୍ଦିରରେ ପ୍ରତିଦିନ ସକାଳ ଆରତୀ ୫ଟାରେ ଆରମ୍ଭ ହୁଏ । ମଧ୍ୟାହ୍ନ ଆରତୀ ୧୨ ଟାରେ ଆରମ୍ଭ ହୁଏ । ସନ୍ଧ୍ୟା ଆରତୀ ୭ ଟାରେ ଆରମ୍ଭ ହୁଏ । ସେହିପରି ଶୟନ ଆରତୀ ରାତି ୯ ଟାରେ ଆରମ୍ଭ ହୁଏ ।
ଜ୍ୱାଳାମୁଖି ଦେବୀଙ୍କ ମନ୍ଦିର ପର୍ଯ୍ୟନ୍ତ କିପରି ଯିବେ:-
୧) ଆକାଶ ପଥ: କାଙ୍ଗ୍ରା ଏୟାର ପୋର୍ଟ ରେ ପହଂଚିବା ପରେ ଏଠାରୁ ମାତା ଜ୍ୱାଳା ଦେବୀଙ୍କ ମନ୍ଦିରରେ ପହଂଚିବା ପାଇଁ କାର୍ ଓ ବସ୍ ର ବ୍ୟାପକ ସୁବିଧା ରହିଛି ।
୨) ରେଳ ପଥ: ରେଳପଥରେ ଯିବାକୁ ହେଲେ, ପଠାଣକୋଟରୁ ଚାଲୁଥିବା ସ୍ୱତନ୍ତ୍ର ରେଳର ସହାୟତାରେ ମରାନ୍ଦା ଦେଇ ପାଲମପୁର ଆସି ପାରିବେ । ଏହା ପରେ ପାଲମପୁରରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ବସ୍ କିମ୍ବା କାର୍ର ସୁବିଧା ରହିଛି ।
୩)ସଡ଼କ ପଥ: ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନିଜ ଗାଡ଼ି କିମ୍ବା ଭଡ଼ା ଗାଡ଼ିରେ ମା’ଙ୍କ ମନ୍ଦିରରେ ପହଂଚି ପାରିବେ ।
ଶରତ କୁମାର ରାଉତ, ମୋ:୯୩୩୭୩୬୯୪୪୮/୯୪୩୭୪୪୧୦୭୨

 

Leave a Reply

Your email address will not be published.