କାଂଚୀ କାମାକ୍ଷୀ ଶକ୍ତିପୀଠ, ତାମିଲନାଡ଼ୁ

ଶରତ କୁମାର ରାଉତ
କାଂଚିପୁରମ୍ ର ହୃଦୟସ୍ଥଳ ହେଉଛି କାଂଚି କାମାକ୍ଷୀ ମନ୍ଦିର । ବସ୍ତୁତଃ ସଂପୂର୍ଣ୍ଣ କାଂଚିପୁରମ୍ ନଗରୀ କାମାକ୍ଷୀ ମନ୍ଦିରର ଚାରି ପାଖରେ ଘେରି ରହିଛି । ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କ ଭଳି ଅନେକ ଦେବୀ ଦେବତା ମଧ୍ୟ କାଂଚି କାମାକ୍ଷୀ ମନ୍ଦିରକୁ ଘେରି ରହିଛନ୍ତି । କାଂଚି କାମାକ୍ଷୀ ମନ୍ଦିରକୁ ଆନନ୍ଦରେ କାମାକ୍ଷୀ ଅମ୍ମା ମନ୍ଦିର ବୋଲି ମଧ୍ୟ କୁହାଯାଏ । କାଂଚି କାମାକ୍ଷୀ ମନ୍ଦିରର ଗୋଟିଏ ପାଶ୍ୱର୍ରେ ଶିବ କାଂଚି ଅର୍ଥାତ୍ ବଡ଼ କାଂଚି ଅବସ୍ଥିତ । ଏଠାରେ କେତେକ ବିଷ୍ଣୁ ମନ୍ଦିର ସହିତ ଅନେକ ଶିବ ମନ୍ଦିର ସ୍ଥାପିତ ହୋଇଛି । କାଂଚି କାମାକ୍ଷୀ ମନ୍ଦିରର ଅନ୍ୟ ପାଶ୍ୱର୍ରେ ବିଷ୍ଣୁ କାଂଚି ଅର୍ଥାତ୍ ଛୋଟ କାଂଚି ଅବସ୍ଥିତ । ସେଠାରେ ମଧ୍ୟ କେତୋଟି ବିଶାଳ ବିଷ୍ଣୁ ମନ୍ଦିର ତଥା କେତୋଟି ଶିବ ମନ୍ଦିର ମଧ୍ୟ ରହିଛି ।
ଏଠାରେ କାମାକ୍ଷୀ ମନ୍ଦିରର ଅସ୍ତିତ୍ୱ ଅନନ୍ତ କାଳରୁ ଅବସ୍ଥିତ ଥିବା କୁହାଯାଏ । ରେକର୍ଡ଼ ଅନୁଯାୟୀ ମନ୍ଦିରର ଶ୍ରୀ ଚକ୍ର କୁ ଆଦି ଶଙ୍କରାଚାର୍ଯ୍ୟ ହିଁ ସ୍ଥାପନା କରିଥିଲେ । ୫ମ ରୁ ୮ମ ଶତାବ୍ଦୀ ମଧ୍ୟରେ କେଉଁ ଏକ ସମୟରେ ଏହି ସ୍ଥାପନା କାର୍ଯ୍ୟ ହୋଇଥିବା ଅନୁମାନ କରାଯାଉଛି । ପୁରାତାତ୍ୱିକ ସାହିତ୍ୟ ଅନୁସାରେ ଏହି ମନ୍ଦିର ପ୍ରାୟ ୧୩୦୦ ବର୍ଷର ପୁରାତନ । ହୁଏତ ଏଠାରେ ପଲ୍ଲବ ସମ୍ରାଟଙ୍କ ଆଧିପତ୍ୟ ଥିଲା ଓ କାଂଚି ପୁରମ୍ ତାଙ୍କ ରାଜଧାନୀ ଥିଲା ବୋଲି କୁହାଯାଉଛି । ସେ ଯାହାହେଉ କାମାକ୍ଷୀ ଦେବୀ ହିଁ କାଂଚିର ଅଧିଷ୍ଠାତ୍ରୀ ଦେବୀ ଥିଲେ, ଏଥିରେ କାହାର ସନେ୍ଦହ ନାହିଁ ।
କାଂଚିର କାମାକ୍ଷୀ ମନ୍ଦିର ଭାରତୀୟ ଉପମହାଦେଶର ୧୮ ଟି ମହା ଶକ୍ତିପୀଠ ମଧ୍ୟରେ ଗୋଟିଏ ଓ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଶକ୍ତିପୀଠ ଅଟେ । କ୍ରୋଦ୍ଧ ଜର୍ଜରିତ ଶିବ ଯେତେବେଳେ ମା’ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ, ଶିବଙ୍କୁ ଶାନ୍ତ କରିବା ପାଇଁ ବ୍ରହ୍ମା ବିଷ୍ଣୁଙ୍କୁ ଅନୁରୋଧ କଲେ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲେ ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ବିଭିନ୍ନ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସେହି ଖଣ୍ଡ ମାନଙ୍କ ମଧ୍ୟରୁ ସତୀଙ୍କ ନାଭିଖଣ୍ଡ ଏଠାରେ ପଡ଼ିଥିଲା । ଆଉ ଏହି ସ୍ଥାନ ଏକ ମହାନ୍ ଶକ୍ତିପୀଠ ଭାବେ ପରିଚିତ ।
ଆହୁରି ବି କୁହାଯାଏ ଯେ, ଦେବୀ ଅସୁର ଭଣ୍ଡାସୁକୁ ବଦ୍ଧ କରିବା ପାଇଁ ଏକ କନ୍ୟା ରୂପରେ ଅବତାର ନେଇଥିଲେ ଓ ସେ ଏହି ମନ୍ଦିରରେ ଅଧିଷ୍ଠିତ ଥିଲେ । ଏହି ମନ୍ଦିରକୁ ସ୍ୱୟମ୍ଭୁ ବୋଲି କୁହାଯାଏ । କାରଣ ଏହି ମନ୍ଦିରରେ ଥିବା ମାତାଙ୍କ ମୂର୍ତି କାହାରି ଦ୍ୱାରା ତିଆରି ହୋଇନଥିଲା, ବରଂ ସ୍ୱଂୟ ଅବତରିତ ହୋଇଥିଲା । କୁହାଯାଏ ଯେ, ଦେବୀ ଏହି ମନ୍ଦିରରେ ସ୍ଥୁଳ, ସୂକ୍ଷ୍ମ ଓ ଶୂନ୍ୟ ଏପରି ତିନିଟି ସ୍ୱରୂପରେ ବିରାଜମାନ କରିଛନ୍ତି ।
ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ସହିତ ବିବାହ କରିବାକୁ ଆଶା କରି କାମାକ୍ଷୀ ଅମ୍ମା ଘୋର ସପସ୍ୟା କରିଥିଲେ । ଶେଷରେ ତାଙ୍କର ଅଭିଳାସ ପୂର୍ଣ୍ଣ ହେଲା ଏବଂ ଫାଲଗୁନ ମାସର ଉତର ନକ୍ଷତ୍ରରେ ଭଗବାନ୍ ଶିବଙ୍କ ସହିତ ତାଙ୍କର ବିବାହ ହେଲା । ଏଠାରେ ମା’କାମାକ୍ଷୀଙ୍କ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ତପସ୍ୟା କରୁଥିବା ସୁନାର ଏକ ମୂର୍ତି ରହିଛି । ମା’ଙ୍କର ଏହି ସ୍ୱର୍ଣ୍ଣ ମୂର୍ତିକୁ ବଙ୍ଗାରୁ କାମାକ୍ଷୀ ବୋଲି ମଧ୍ୟ କୁହାଯାଏ ।
କାଂଚି କାମାକ୍ଷୀ ମନ୍ଦିରର ମୁଖ୍ୟ ଗର୍ଭ ଗୃହକୁ ଗାୟତୀ ମଣ୍ଡପ କୁହାଯାଏ । ଏଠାରେ କାମାକ୍ଷୀ ଅମ୍ମା ପଦ୍ମାସନର ଯୋଗମୁଦ୍ରାରେ ବସିଛନ୍ତି । ତାଙ୍କର ଆସନ ପଂଚ ବ୍ରହ୍ମାସନ । କାମାକ୍ଷୀ ଅମ୍ମାଙ୍କର ଚାରି ହାତ ରହିଛି । ତାଙ୍କ ତଳ ହାତରେ ରହିଛି ଆଖୁଖଣ୍ଡ ଓ ପାଂଚଟି ଫୁଲର ଗୁଚ୍ଛ । ଉପର ଦୁଇ ହାତରେ ସେ ଶସ୍ତ୍ର, ଫାଶ ଓ ଦଣ୍ଡ ଧାରଣ କରିଛନ୍ତି । ଦେବୀଙ୍କ ପ୍ରତିମାକୁ ସର୍ବଦା ଉଜ୍ୱଳ ରଙ୍ଗିନ ଶାଢୀ ଓ ସଂପୂର୍ଣ୍ଣ ବେଶଭୂଷାରେ ଅଳଙ୍କୃତ କରାଯାଏ । ଗର୍ଭଗୃହ ଭିତରେ ରୁପାରେ ଝୁଲୁଥିବା ଏକ ସ୍ତମ୍ଭ ରହିଛି । ଏଥିରେ ଏକ ଛିଦ୍ର ରହିଛି, ଯାହା ଦେବୀଙ୍କ ନାଭିର ପ୍ରତିନିଧିତ୍ୱ କରେ । କୁହାଯାଏ ଯେ, ଏହା ଭକ୍ତ ମାନଙ୍କୁ ସନ୍ତାନ ପାଇବାର ବର ପ୍ରଦାନ କରିଥାଏ ।
କାମାକ୍ଷୀ ମନ୍ଦିରରେ ପ୍ରତ୍ୟେକ ବର୍ଷ ଫାଲଗୁନ ମାସରେ ଭଗବାନ ଶିବ ଓ କାମାକ୍ଷୀଙ୍କ ମଧ୍ୟରେ ବିବାହ ଉତ୍ସବ ପାଳନ କରାଯାଏ । ଏହି ଉତ୍ସବରେ ବିବାହ ଅଭିଳାଷ ରଖିଥିବା ଯୁବକ ଯୁବତୀ ମାନେ ବହୁ ସଂଖ୍ୟାରେ ଏଠାକୁ ଆସିଥାନ୍ତି । ଏହିଦିନ ଦେବୀଙ୍କୁ ନୌକାରେ ବସାଯାଇ ବୁଲାଯାଏ । ସେହିପରି ପ୍ରତି ମାଘ ମାସରେ ଏଠାରେ ବାର୍ଷିକ ବ୍ରହ୍ମୋତ୍ସବ ପାଳନ କରାଯାଏ । ଏହି ସମୟରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଦେବୀଙ୍କ ରଥ ବାହାରକୁ ଯାଏ । ଉତ୍ସବର ଚତୁର୍ଥ ଦିନ କାମାକ୍ଷୀ ଅମ୍ମା ସୁନାର ସିଂହ ଉପରେ ବସନ୍ତି ତଥା ନବମ ଦିନରେ ରୂପା ନିର୍ମିତ ରଥରେ ବସି ନଗର ଭ୍ରମଣରେ ଯାଆନ୍ତି । ଏହି ଉତ୍ସବ ଦିନ ବା ପୂର୍ଣ୍ଣିମା ପଡ଼ୁଥିବା ୧୦ମ ଦିବସ ଓ ଶେଷ ଦିନରେ ଦେବୀ ଓ ତାଙ୍କର ଭକ୍ତମାନେ ମନ୍ଦିରର ଜଳକୁଣ୍ଡରେ ବୁଡ଼ ପକାନ୍ତି ।
ପ୍ରତି ବର୍ଷ ଚୈତ୍ର ମାସର ପ୍ରଥମ ଦିବସରେ କାମାକ୍ଷୀ ଅମ୍ମା ନିଜ ସୁନାର ରଥ ଉପରେ ବସନ୍ତି । ଏଭଳି ରଥଯାତ୍ରା ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତି ମାସର ପ୍ରଥମ ଦିନ ଆୟୋଜିତ ହୋଇଥାଏ । ଯଦି ତାହା ଶୁକ୍ରବାର ଦିନ ହୁଏ, ସେଦିନ ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ହୋଇଥାଏ । କାଂଚିର କାମାକ୍ଷାଙ୍କ ଏହି ରଥଯାତ୍ରାକୁ ଦର୍ଶନ କରିବା ପାଇଁ ସମସ୍ତେ ବ୍ୟାକୁଳ ହୁଅନ୍ତି ।
କାଂଚି ପୁରମ୍ ର ଅନ୍ୟ ମନ୍ଦିର ମାନଙ୍କର ରଥଯାତ୍ରା କାଂଚି କାମାକ୍ଷୀ ମନ୍ଦିରର ଚାରି ପାଖରେ ଘେରା ଲଗାନ୍ତି, କାରଣ କାମାକ୍ଷୀ ଦେବୀ କାଂଚିର ପ୍ରମୁଖ ଆରାଧ୍ୟ ଦେବୀ ଅଟନ୍ତି ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.