ବୈଷ୍ଣୋ ଦେବୀ ମନ୍ଦିରର ଇତିହାସ ଓ ପୌରାଣିକ କଥା

ଶରତ କୁମାର ରାଉତ
ମା’ବୈଷ୍ଣୋ ଦେବୀଙ୍କ ବିଶ୍ୱ ପ୍ରସିଦ୍ଧ ଓ ପ୍ରାଚୀନ ମନ୍ଦିର ଆମ ଦେଶର ଜାମ୍ମୁ ଓ କାଶ୍ମୀର ରାଜ୍ୟର କଟରା ନଗର ନିକଟସ୍ଥ ପାହାଡ଼ ଶ୍ରେଣୀ ଉପରେ ଅବସ୍ଥିତ । ଏହି ପାହାଡ଼ ଗୁଡ଼ିକୁ ତି୍ରକୁଟା ପାହାଡ଼ କୁହାଯାଏ । ଏହି ସ୍ଥାନରୁ ପ୍ରାୟ ୫ହଜାର ୨ଶହ ଫୁଟ ଉଚ୍ଚରେ ମାତା ରାଣୀଙ୍କ ମନ୍ଦିର ଅବସ୍ଥିତ । ଏହା ଭାରତରେ ତିରୁମଲ୍ଲା ଭେଙ୍କଟେଶ୍ୱର ମନ୍ଦିର ପରେ ଦ୍ୱିତୀୟ ସର୍ବାଧିକ ଦର୍ଶନ କରା ଯାଉଥିବା ଧାର୍ମିକ ତୀର୍ଥ ସ୍ଥଳ । ତି୍ରକୁଟା ପାହାଡ଼ ଶ୍ରେଣୀ ଉପରେ ଅବସ୍ଥିତ ଏକ ଗୁମ୍ଫାରେ ମାତା ବୈଷ୍ଣୋ ଦେବୀଙ୍କ ସ୍ୱଂୟ ତିନି ମୂର୍ତି ପୂଜା ପାଉଛନ୍ତି । ଦେବୀ କାଳୀ (ଡ଼ାହାଣ), ଦେବୀ ସରସ୍ୱତୀ(ବାମ) ଓ ଦେବୀ ଲକ୍ଷ୍ମୀ(ମଧ୍ୟ) ପିଣ୍ଡି ଭାବରେ ବିରାଜିତା । ଏହି ତିନି ପିଣ୍ଡି ମାନଙ୍କର ସମ୍ମିଳିତ ରୂପକୁ ବୈଷ୍ଣୋ ଦେବୀ ମାତା କୁହାଯାଏ । ଏହି ସ୍ଥାନକୁ ମାତାଙ୍କ ଭବନ କୁହାଯାଏ । ଏହି ପବିତ୍ର ଗୁମ୍ଫାର ଲମ୍ବ ୯୮ଫୁଟ । ଏହି ଗୁମ୍ଫାରେ ଏକ ବଡ଼ ଉଚ୍ଚ ପିଣ୍ଡା ରହିଛି । ଏହି ପିଣ୍ଡା ଉପରେ ମାତାଙ୍କ ଆସନ ରହିଛି, ଯେଉଁଠି ଦେବୀ ତି୍ରକୁଟା ନିଜ ମାତାଙ୍କ ସହିତ ବିରାଜମାନ ଅଛନ୍ତି । ମାତାଙ୍କ ଭବନ କହିଲେ, ଯେଉଁଠି ମାତା ଭୈରବ ନାଥଙ୍କର ବଦ୍ଧ କରିଥିଲେ । ପୁରାତନ ଗୁମ୍ଫା ପାଖରେ ଭୈରବଙ୍କର ଶରୀର ରହିଛି ଓ ତାଙ୍କର ମୁଣ୍ଡ ଉଡ଼ି ଉଡ଼ି ତିନି କିଲୋମିଟର ଦୂର ଭୈରୋ ଘାଟୀରେ ପଡ଼ିଥିଲା ଏବଂ ଶରୀର ଏଠାରେ ରହିଗଲା । ଯେଉଁ ସ୍ଥାନରେ ମୁଣ୍ଡ ପଡ଼ିଲା, ଆଜି ସେହି ସ୍ଥାନ “ଭୈରୋନାଥ ମନ୍ଦିର” ନାମରେ ଜଣାଶୁଣା । କଟରା ଠାରୁ ହିଁ ବୈଷ୍ଣୋ ଦେବୀଙ୍କ ପାଦ ବନ୍ଦନା ଆରମ୍ଭ ହୋଇ ଭବନ ପର୍ଯ୍ୟନ୍ତ ପ୍ରାୟ ୧୩ କିଲୋମିଟର ଓ ଭୈରୋ ମନ୍ଦିର ପର୍ଯ୍ୟନ୍ତ ୧୪.୫ କିଲୋମିଟର ପର୍ଯ୍ୟନ୍ତ ଶେଷ ହୋଇଥାଏ ।
ମନ୍ଦିରର ପୌରାଣିକ କାହାଣୀ: ମନ୍ଦିର ସଂପର୍କରେ ଅନେକ ପ୍ରକାରର କଥା ପ୍ରଚଳିତ ରହିଛି । ଥରେ ତି୍ରକୁଟ ପାହାଡ଼ ଉପରେ ଏକ ସୁନ୍ଦରୀ କନ୍ୟାକୁ ଦେଖି ଭୈରବନାଥ ତାକୁ ଧରିବା ପାଇଁ ଅଗ୍ରସର ହେଲେ । ହଠାତ୍ ସେହି କନ୍ୟା ବାୟୁ ରୂପରେ ପରିବର୍ତ୍ତିତ ହୋଇ ତି୍ରକୁଟା ପର୍ବତ ଆଡ଼କୁ ଉଡ଼ି ଚାଲିଲେ । ଭୈରବନାଥ ମଧ୍ୟ ତାଙ୍କ ପଛରେ ଦୌଡ଼ିଲେ । କୁହାଯାଏ ଯେ, ସେତେବେଳେ ମାତାଙ୍କୁ ରକ୍ଷା କରିବା ପାଇଁ ସେଠାରେ ପବନ ପୁତ୍ର ହନୁମାନ ପହଞ୍ଚିଗଲେ । ସେତିକିବେଳେ ହନୁମାନଙ୍କୁ ଶୋଷ ଲାଗିବାରୁ ମାତା ତାଙ୍କ ପାଇଁ ଧନୁରେ ପାହାଡ଼ ଉପରକୁ ବାଣ ଚଳାଇ ଏକ ଜଳାଧାର ସୃଷ୍ଟି କଲେ ଓ ସେହି ଜଳରେ ନିଜର କେଶ ମଧ୍ୟ ଧୋଇଲେ । ତା’ପରେ ସେଠାରେ ଏକ ଗୁମ୍ଫାରେ ପ୍ରବେଶ କରି ମାତା ନଅ ମାସ ପର୍ଯ୍ୟନ୍ତ ତପସ୍ୟା କଲେ । ହନୁମାନ ତାଙ୍କୁ ଜଗି ରହିଲେ ।
ପୁଣି ଭୈରୋନାଥ ସେଠାରେ ପହଂଚି ଉତ୍ପାତ ଆରମ୍ଭ କଲେ । ଏହି ସମୟରେ ଜଣେ ସାଧୁ ଭୈରୋନାଥଙ୍କୁ କହିଲେ, “ତୁ ଯାହାକୁ ଏକ କନ୍ୟା ଭାବୁଛୁ, ସେ ଆଦିଶକ୍ତି ଜଗଦମ୍ବା । ଏଣୁ ସେହି ମହାଶକ୍ତିଙ୍କ ପିଛା ଛାଡ଼ିଦେ!” ମାତ୍ର ଭୈରୋନାଥ ସାଧୁଙ୍କ କଥା ମାନିଲେ ନାହିଁ । ତେବେ ମାତା ଗୁମ୍ଫାର ଅନ୍ୟ ଏକ ରାସ୍ତାରେ ବାହାରି ଗଲେ । ଏହି ଗୁମ୍ଫା ଆଜି ମଧ୍ୟ ଅର୍ଦ୍ଧ କୁମାରୀ ବା ଆଦି କୁମାରୀ ନାମରେ ପ୍ରସିଦ୍ଧ । ଅର୍ଦ୍ଧ କୁମାରୀ ପୂର୍ବରୁ ମାତାଙ୍କ ଚରଣ ପାଦୁକା ମଧ୍ୟ ଏଠାରେ ରହିଛି, ମାତା ଦୌଡ଼ି ଦୌଡ଼ି ମୁହଁ ବୁଲେଇ ଭୈରବନାଥକୁ ଦେଖିଥିଲେ । ଶେଷରେ ଗୁମ୍ଫାରୁ ବାହାରି କନ୍ୟା ଦେବୀଙ୍କ ରୂପ ଧାରଣ କଲେ ଓ ଭୈରବନାଥ ଫେରି ଯିବାର ସଙ୍କେତ ପାଇ ପୁଣି ଗୁମ୍ଫାକୁ ଚାଲିଗଲେ । କିନ୍ତୁ ଭୈରବନାଥ କିଛି ସମୟ ପରେ ପୁଣି ଗୁମ୍ଫାରେ ପ୍ରବେଶ କରିବାକୁ ଲାଗିଲା । ଏହା ଦେଖି ମାତାଙ୍କ ଗୁମ୍ଫା ଜଗିଥିବା ହନୁମାନ ଭୈରବନାଥ ସହ ଯୁଦ୍ଧ କରିବାକୁ ଆହ୍ୱାନ ଦେଲେ ଓ ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା । ଯୁଦ୍ଧର ଶେଷ ନହେବା ଦେଖି ମାତା ବୈଷ୍ଣୋ ଦେବୀ ମହାକାଳୀ ରୂପ ଧାରଣ କରି ଭୈରବନାଥକୁ ବଦ୍ଧ କରିଦେଲେ ।
ତେବେ କୁହାଯାଏ ଯେ, ଭୈରବନାଥ ନିଜ ମୃତୁ୍ୟ ପରେ ନିଜ ଭୁଲର ଅନୁଭବ କଲେ ଓ ସେ ମାତାଙ୍କ ଠାରୁ କ୍ଷମା ଭିକ୍ଷା କଲେ । ମାତା ବୈଷ୍ଣୋ ଦେବୀ ଜାଣିଥିଲେ ଯେ, ତାଙ୍କ ଉପରେ ଆକ୍ରମଣ କରିବା ପଛରେ ଭୈରବଙ୍କର ପ୍ରମୁଖ ଅଭିପ୍ରାୟ ଥିଲା ମୋକ୍ଷ ପ୍ରାପ୍ତି । ସେ ଭୈରବଙ୍କୁ କେବଳ ପୁନର୍ଜନ୍ମ ଚକ୍ରରୁ ମୁକ୍ତି ପ୍ରଦାନ ନୁହେଁ, ବରଂ ତାକୁ ବରଦାନ ଦେଇ କହିଲେ, “ମୋର ଦର୍ଶନ ସେପର୍ଯ୍ୟନ୍ତ ସଫଳ ହେବନି, ଯେପର୍ଯ୍ୟନ୍ତ କୌଣସି ଭକ୍ତ ମୋ ପରେ ତୁମର ଦର୍ଶନ କରିବେ ନାହିଁ!”
ମନ୍ଦିରର କଥା: ଉପରୋକ୍ତ କଥାକୁ ବୈଷ୍ଣୋ ଦେବୀଙ୍କ ଭକ୍ତ ଶ୍ରୀଧର ସଂପର୍କରେ ଦେଖା ଯାଇପାରେ । ସାତ ଶହରୁ ଅଧିକ ବର୍ଷ ତଳେ କଟରାରୁ କିଛି ଦୂରରେ ଅବସ୍ଥିତ ହଂସାଳୀ ଗାଁରେ ମା’ବୈଷ୍ଣୋ ଦେବୀଙ୍କ ପରମ ଭକ୍ତ ଶ୍ରୀଧର ରହୁଥିଲେ । ସେ ନିଃସନ୍ତାନ ଓ ଦରିଦ୍ର ଥିଲେ । ସେ ପ୍ରାୟ ଭାବୁଥିଲେ, ଦିନେ ସେ ମାତାଙ୍କ ପୂଜା ରଖିବ । କିଛି ଦିନ ପରେ ଶ୍ରୀଧର ଆଖପାଖର ସବୁ ଗାଁ ଲୋକଙ୍କୁ ପ୍ରସାଦ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କଲେ । ପୂଜା ଦିନ ଶ୍ରୀଧର ଘର ଘର ବୁଲିଲେ, ଯେପରି କିଛି ଭୋଜନ ସାମଗ୍ରୀ ମିଳିବ ଓ ସେଥିରେ ଭକ୍ତ ମାନଙ୍କୁ ସେ ପ୍ରସାଦ ଖୁଆଇ ପାରିବେ । ଯେତିକି ଲୋକେ ତାଙ୍କୁ ସାହାଯ୍ୟ ଦେଲେ, ତାହା ଠାରୁ ବହୁ ଅଧିକ ଭକ୍ତ ଥିଲେ ।
ସେ ଭାବୁଥିଲେ ଯେ, ଏତେ କମ୍ ସାମଗ୍ରୀରେ ସମସ୍ତଙ୍କ ପାଇଁ ଭୋଜନ କିପରି ହେବ । ପୂଜା ପୂର୍ବ ଦିନ ଏକଥା ଭାବି ଶ୍ରୀଧର ଟିକେ ବି ଶୋଇ ପାରିଲେ ନାହିଁ । ତଥାପି ମାତାଙ୍କ ଉପରେ ତାଙ୍କର ବିଶ୍ୱାସ ଥିଲା । ସେ ତାଙ୍କର ଝୁମ୍ପୁଡ଼ି ବାହାରେ ପୂଜାରେ ବସିଲେ । ମଧ୍ୟାହ୍ନ ପର୍ଯ୍ୟନ୍ତ ଅତିଥି ମାନେ ପହଂଚିଗଲେ । ଆଶ୍ଚର୍ଯ୍ୟର କଥା ଯେ ସେହି ଛୋଟିଆ ଝୁମ୍ପୁଡ଼ିରେ ଅତିଥି ମାନେ ସହଜରେ ବସି ପାରିଲେ ।
ଶ୍ରୀଧର ନିଜର ଆଖି ଖୋଲିଲେ ଓ ଭାବିଲେ, ‘ଏ ସମସ୍ତଙ୍କୁ ସନ୍ତୁଷ୍ଟ କିପରି କରିବି!…’ଏତିକିବେଳେ ଗୋଟିଏ ଛୋଟ ଝିଅ ଝୁମ୍ପୁଡ଼ି ଭିତରୁ ବାହାରି ଆସିବା ଦେଖାଗଲା । ସେ ଭଗବାନଙ୍କ କୃପାରୁ ହିଁ ଆସିଥିଲା । ସେ ନିଜେ ସମସ୍ତଙ୍କୁ ସ୍ୱାଦିଷ୍ଟ ଭୋଜନ ପରସିଲା । ସବୁକିଛି ସୁରୁଖୁରୁରେ ସଂପନ୍ନ ହେଲା । ଏବେ ଶ୍ରୀଧର ସେହି ଛୋଟ ଝିଅଟି ସଂପର୍କରେ ଜାଣିବାକୁ ଚାହିଁଲେ ମଧ୍ୟ ସେ ଆଉ କେଉଁଠି
ଦେଖା ଗଲା ନାହିଁ ।
ଏହାର ଅନେକ ଦିନ ପରେ ସେହି ଛୋଟ ଝିଅ ସଂପର୍କରେ ଶ୍ରୀଧର ସ୍ୱପ୍ନରେ ଜାଣିଲେ ଯେ, ସେହି ଝିଅଟି ସ୍ୱଂୟ ବୈଷ୍ଣୋ ଦେବୀ ଥିଲେ । ମାତାଙ୍କ ରୂପରେ ଆସିଥିବା କନ୍ୟା ତାଙ୍କୁ ଗୁମ୍ଫା ସଂପର୍କରେ କହିଲେ ଓ ୪ ପୁତ୍ରଙ୍କ ବରଦାନ ସହିତ ଆଶୀର୍ବାଦ ଦେଲେ । ଶ୍ରୀଧର ପୁଣି ଥରେ ଖୁସି ହୋଇଗଲେ ଓ ଗୁମ୍ଫାର ଅନୁସନ୍ଧାନରେ ବାହାରି ପଡ଼ିଲେ । ଏହାର କିଛି ଦିନ ପରେ ତାଙ୍କୁ ସେହି ଗୁମ୍ଫା ମିଳିଗଲା । ସେବେ ଠାରୁ ସେଠାରେ ମାତାଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଯିବାରେ ଲାଗିଲେ ।
ମୋ: ୯୪୩୭୪୪୧୦୭୨/୯୩୩୭୩୬୯୪୪୮

 

Leave a Reply

Your email address will not be published. Required fields are marked *