ଶ୍ରୀ ପର୍ବତ ଶକ୍ତିପୀଠ, ଲଦାଖ

ଶରତ କୁମାର ରାଉତ
ହିନ୍ଦୁ ମାନଙ୍କର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଗୁଡ଼ିକ ମଧ୍ୟରେ ଶ୍ରୀ ପର୍ବତ ଶକ୍ତିପୀଠ ଅନ୍ୟତମ । ଶ୍ରୀ ପର୍ବତ ଶକ୍ତିପୀଠ ଭାରତର ଜମ୍ମୁ-କାଶ୍ମୀର ରାଜ୍ୟର ଲଦାଖ ଅଂଚଳରେ ଅବସ୍ଥିତ । ଏହି ମନ୍ଦିର ମାତା ଦୁର୍ଗାଙ୍କୁ ସମର୍ପିତ ହୋଇଛି । ଏହି ମନ୍ଦିରର ନାମ ମଧ୍ୟ ପ୍ରାଚୀନ ସିଦ୍ଧପୀଠ ଭାବେ ଜଣାଶୁଣା । ଏହି ମନ୍ଦିର ମଧ୍ୟ ମାତା ସତୀଙ୍କ ଶକ୍ତିପୀଠ ମଧ୍ୟରେ ଗୋଟିଏ । ଏହି ମନ୍ଦିର ବା ଶକ୍ତିପୀଠରେ ଶକ୍ତିଙ୍କୁ ଦେବୀ ସୁନ୍ଦରୀ ଭାବରେ ପୂଜା କରାଯାଏ ଓ ଶ୍ରୀ ଭୈରବଙ୍କୁ ସୁନ୍ଦରାନନ୍ଦ ରୂପରେ ପୂଜା କରାଯାଏ ।
ଶ୍ରୀ ପର୍ବତ ଶକ୍ତିପୀଠର ମୂଳ ସ୍ଥାନକୁ ନେଇ ମତଭେଦ ରହିଛି । ଲଦାଖର ଲେହ ଅଂଚଳ ସ୍ଥିତ କାଳୀ ମନ୍ଦିରକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏକ ଶକ୍ତିପୀଠ ଭାବରେ ପୂଜା କରାଯାଏ । ଏହି ମନ୍ଦିର ପ୍ରାୟ ଆଠ ଶହ ବର୍ଷର ପୁରୁଣା । ଏହି ମନ୍ଦିରରେ ଦେବୀ କାଳୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ବିରାଜମାନ ରହିଛି ।
ପୌରାଣିକ କଥା ତଥା ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ଏକ ଚମକପ୍ରଦ କାହାଣୀ ରହିଛି । ଭଗବାନ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ପାଖରେ ପହଂଚିଲେ ଓ ରାଗରେ ଜର୍ଜ୍ଜରିତ ହୋଇ ନିଜ ହାତରେ ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ମଣିଷ, ପଶୁ ଓ ଦେବୀ ଦେବତା ସମସ୍ତେ ଭୟରେ ଥରି ଉଠିଲେ । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
ତେବେ ଭାରତୀୟ ଉପମହାଦେଶର ବିଭିନ୍ନ ସ୍ଥାନରେ ପଡ଼ିଥିବା ମାତା ସତୀଙ୍କର ସେହି ଖଣ୍ଡ ବା ଅଂଶ ମାନଙ୍କ ମଧ୍ୟରୁ ଲଦାଖରେ ମା’ସତୀଙ୍କର ଡ଼ାହାଣ ପାଦର ପାଉଁଜି ପଡ଼ିଥିଲା । ସେଦିନ ଠାରୁ ଏହି ସ୍ଥାନ ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ।
ଶ୍ରୀ ପର୍ବତ ଶକ୍ତିପୀଠରେ ସବୁ ପର୍ବ ପର୍ବାଣୀ ପାଳିତ ହୋଇଥାଏ । ବିଶେଷତଃ ଦୁର୍ଗା ପୂଜା ଓ ପବିତ୍ର ନବରାତ୍ର ଉତ୍ସବ ଧୂମଧାମରେ ପାଳନ କରାଯାଏ । ଏହି ପର୍ବ ମାତାଙ୍କର ସବୁଠୁ ବଡ଼ ପର୍ବ ଭାବରେ ପାଳନ କରାଯାଏ । ନବରାତ୍ର ଉତ୍ସବ ପାଳନ ବେଳେ ମନ୍ଦିରକୁ ଫୁଲ ଓ ବିଭିନ୍ନ ରଙ୍ଗର ଆଲୋକ ମାଳାରେ ସଜା ଯାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନ, ପ୍ରାଣ ଓ ହୃଦୟ କୁ ଶାନ୍ତି ପ୍ରଦାନ କରିଥାଏ । ଏହି ସମୟରେ ଦେଶର ବିଭିନ୍ନ ଅଂଚଳରୁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି ।
ବର୍ଷର ସବୁ ସମୟରେ ମାତାଙ୍କର ଏହି ଶକ୍ତିପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ଦେବୀଙ୍କରଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମାତାଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ପ୍ରତିଦିନ ମାତାଙ୍କ ମନ୍ଦିର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ୬ ଟାରେ ଖୋଲା ଯାଇଥାଏ ଓ ରାତି ଦଶ ଟାରେ ବନ୍ଦ ହୋଇଥାଏ । ପ୍ରତ୍ୟେକ ବର୍ଷର ଜୁନ୍ ମାସରୁ ଅକ୍ଟୋବର ମାସ ମଧ୍ୟରେ ମାତାଙ୍କ ମନ୍ଦିର ଦର୍ଶନ କରିବାକୁ ଆସିବା ସବୁଠୁ ପ୍ରକୃଷ୍ଟ ସମୟ ।

ଶ୍ରୀ ପର୍ବତ ଶକ୍ତିପୀଠ ପର୍ଯ୍ୟନ୍ତ କିପରି ଯିବେ:-
୧) ଆକାଶ ପଥରେ ଆସି ଲଦାଖର ଲେହ ବିମାନ ବନ୍ଦରରେ ଓହ୍ଲାଇବାକୁ ପଡେ ।
୨) ରେଳ ପଥରେ ଆସି ଜମ୍ମୁ ତୱି ରେଳ ଷ୍ଟେଷନ୍ରେ ଓହ୍ଲାଇବାକୁ ପଡ଼େ ।

ମୋ: ୯୪୩୭୪୪୧୦୭୨/୯୩୩୭୩୬୯୪୪୮

 

Leave a Reply

Your email address will not be published.