ଶ୍ରୀଲଙ୍କାର ଶଙ୍କରୀ ଦେବୀ ଶକ୍ତିପୀଠ

ଶରତ କୁମାର ରାଉତ
ଶ୍ରୀଲଙ୍କାର ଶଙ୍କରୀ ଦେବୀ ମନ୍ଦିର ବା ଶକ୍ତିପୀଠ ହିନ୍ଦୁ ମାନଙ୍କର ବିଷେଷତଃ ତାମିଲ ଭାଷୀ ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ବିନ୍ଦୁ ହୋଇ ରହିଛି । ଏହି ମନ୍ଦିର ଶ୍ରୀଲଙ୍କାର ରାଜଧାନୀ କୋଲମ୍ବ ଠାରୁ ୨୫୦ କିଲୋମିଟର ଦୂର ତି୍ରକୋଣମାଳି ନାମକ ସ୍ଥାନରେ ଅବସ୍ଥିତ । ତି୍ରକୋଣମାଳିକୁ ଆସୁଥିବା ଲୋକ ମାନେ ଏହି ସ୍ଥାନକୁ ଶାନ୍ତିର ସ୍ୱର୍ଗ ବୋଲି କହିଥାନ୍ତି । ଏହି ମନ୍ଦିର ତି୍ରକୋଣମାଳି ଜିଲ୍ଲାର ଏକ ଲକ୍ଷ ହିନ୍ଦୁ ମାନଙ୍କର ଆସ୍ଥାର ମଧ୍ୟ କେନ୍ଦ୍ର ଅଟେ । ଚୈତ୍ର ଓ ଆଶ୍ୱିନ ଉଭୟ ନବରାତ୍ର ଉତ୍ସବ ସମୟରେ ଏଠାରେ ବିଭିନ୍ନ ପ୍ରକାରର ପୂଜା ଓ ଉତ୍ସବ ଧୂମଧାମ୍ରେ ପାଳନ କରାଯାଏ । ଏହି ପବିତ୍ର ଉତ୍ସବରେ ଶ୍ରୀଲଙ୍କା ବ୍ୟତୀତ ଭାରତ(ବିଶେଷତଃ ତାମିଲନାଡ଼ୁ)ଅଂଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି । ନବରାତ୍ର ଉତ୍ସବ ସମୟରେ ଏଠାକୁ ପ୍ରତିଦିନ ଆସୁଥିବା ଲୋକଙ୍କ ସଂଖ୍ୟା ୫ ଶହରୁ ଏକ ହଜାର ମଧ୍ୟରେ ରହିଥାଏ । କିନ୍ତୁ ମାତାଙ୍କର ଅଷ୍ଟମୀ ଓ ନବମୀ ଉତ୍ସବରେ ଭିଡ଼ ବହୁ ସଂଖ୍ୟାରେ ଦେଖିବାକୁ ମିଳିଥାଏ ।
ଏହି ଶକ୍ତିପୀଠ ସଂପର୍କରେ ଅନେକ ଚମକପ୍ରଦ କାହାଣୀ ରହିଛି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସରଂଚନା ପାଇଁ ଭଗବାନ ବ୍ରହ୍ମା, ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିଙ୍କୁ ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମା’ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିଦେ୍ର୍ଦଶରେ ମା’ ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମା’ଶକ୍ତି ମାନବ ରୂପରେ ଜନ୍ମ ନେଲେ । ଏହା ପଛରେ ଭଗବାନ ବ୍ରହ୍ମାଙ୍କର ଉଦେ୍ଦଶ୍ୟ ଥିଲା ଯେ, ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଂରଚନା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମକରଣ କରିଥିଲେ ସତୀ । ତେବେ କୌଣସି ପ୍ରକାର ଭଗବାନ ଶିବ ମାତା ସତୀଙ୍କୁ ବିବାହ କରି କୈଳାଶ ପର୍ବତ ନେଇଗଲେ । ଏହା ଜାଣିପାରି ଦକ୍ଷ ରାଜଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ (ଆନ୍ଧ୍ର ପ୍ରଦେଶର ମୁରାମଲ୍ଲା) ଠାରେ ଏକ ଯଜ୍ଞର ଆୟୋଜନ କଲେ । ମାତ୍ର ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କଲେ ନାହିଁ । ବାପା ଦକ୍ଷରାଜ କିଛି ଆଦର ଗଉର ନକରି ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ସେହିକ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରି ନପାରି ମାତା ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଂଚିଲେ ଓ ଗଭୀର ଦୁଃଖରେ ମାତା ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହେଲା । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଏହାର ସମାଧାନ ବା ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧ୍ୱଂସଲୀଳା ବନ୍ଦ କରି ବ୍ରହ୍ମାଣ୍ଡରେ ଶାନ୍ତି ସ୍ଥାପନ ପାଇଁ ଭଗବାନ ବ୍ରହ୍ମା ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଅନୁଭବ କଲେ, ଯେପର୍ଯ୍ୟନ୍ତ ଭଗବାନ ଶିବଙ୍କ ହସ୍ତରୁ ମାତା ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଭଗବାନ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧ୍ୱଂସାଭିମୁଖିରୁ ବର୍ତିବ ନାହିଁ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଭଗବାନ ଶିବ ଧରିଥିବା ମାତା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ।
କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ଦୁଃଖରେ ମି୍ରୟମାଣ ଭଗବାନ ଶିବ ମାତା ସତୀଙ୍କ ବିଖଣ୍ଡିତ ଅଙ୍ଗ ଖୋଜିବା ଆରମ୍ଭ କଲେ । ଏଥିରେ ସହାୟତା କଲେ ଭଗବାନ ଭୈରବ । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସମେତ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି ।
ତେବେ ଏହି ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ମାତା ସତୀଙ୍କର ପେଟ ଓ ଜଙ୍ଘର ମଧ୍ୟ ଅଂଶ ଖଣ୍ଡ ଶ୍ରୀଲଙ୍କାର ତି୍ରକୋଣମାଳି ଠାରେ ପଡ଼ିଥିଲା ।ÿ ସେଥିପାଇଁ ଏହି ମନ୍ଦିରକୁ ଶକ୍ତିପୀଠର ମାନ୍ୟତା ମିଳିଛି । ମାତ୍ର କେତେକ ପୁରାଣ ଶାସ୍ତ୍ରରେ ଏଠାରେ ମାତାଙ୍କର ଗଳା ଓ ନୂପୁର ପଡ଼ିଥିବା ଉଲ୍ଲେଖ ରହିଛି । ଏହି ଶକ୍ତିପୀଠରେ ମାତା ଇନ୍ଦ୍ରାଣୀଙ୍କୁ ଶକ୍ତି ତଥା ରାକ୍ଷସେଶ୍ୱରଙ୍କୁ ଭୈରବ ରୂପରେ ପୂଜା କରାଯାଏ ।
ତେବେ ଶଙ୍କରୀ ଦେବୀ ମନ୍ଦିରକୁ ସ୍ୱୟଂ ରାବଣ ପ୍ରତିଷ୍ଠା କରିଥିବା କୁହାଯାଏ । ଏଠାରେ ଭଗବାନ ଶିବଙ୍କର ମନ୍ଦିର ମଧ୍ୟ ରହିଛି ।, ଯାହାଙ୍କୁ ତି୍ରକୋଣେଶ୍ୱର ବା କୋଣେଶ୍ୱରମ୍ ମଧ୍ୟ କୁହାଯାଏ । ଏଥିଯୋଗୁ ଏହି ସ୍ଥାନରେ ଭଗବାନ ଶିବ ଓ ଶକ୍ତିଙ୍କର ପୂଜା କରାଯାଏ ।
ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସୃଷ୍ଟି ୧୮ ଟି ମହାଶକ୍ତି ପୀଠ ମଧ୍ୟରେ ଏହା ଅନ୍ୟତମ ।
ଇତିହାସରେ ମାତା ଶଙ୍କରୀ ଦେବୀ ମନ୍ଦିର ବା ଶକ୍ତିପୀଠ ଉପରେ ଅନେକ ଥର ଆକ୍ରମଣ ହୋଇଛି । ଯେଉଥିପାଇଁ ମନ୍ଦିରର ସ୍ୱରୂପ ବାରମ୍ବାର ବଦଳିଛି । କିନ୍ତୁ ଦେବୀଙ୍କ ମୂଳ ପ୍ରତିମା ପ୍ରତ୍ୟେକ ଥର ସୁରକ୍ଷିତ ଭାବେ ରଖା ଯାଇ ପାରିଛି । ଚୋଲ ଓ ପଲ୍ଲବ ରାଜା ମାନେ ଏହି ମନ୍ଦିରର ଉନ୍ନତି ପାଇଁ ବହୁତ କାର୍ଯ୍ୟ କରିଛନ୍ତି । କିନ୍ତୁ ୧୭ ଶତାବ୍ଦୀରେ ପର୍ତ୍ତୂଗାଲୀ ଆକ୍ରମଣକାରୀ ମାନେ ଏହି ଭବ୍ୟ ମନ୍ଦିରକୁ ଧ୍ୱଂସ କରି ଦେଇଥିଲେ । ଏପରିକି ମନ୍ଦିରର ଏକମାତ୍ର ସ୍ତମ୍ଭ ବ୍ୟତୀତ ଆଉ କିଛି ନଥିଲା । ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁଯାୟୀ ଦକ୍ଷିଣ ଭାରତର ତାମିଲ ଚୋଲ ରାଜା କୁଲାକୋଟନ୍ ଏହି ମନ୍ଦିର ବା ଶକ୍ତିପୀଠର ଉଦ୍ଧାର କରିଥିଲେ । ତେବେ ୧୯୫୨ ମସିହାରେ ଶ୍ରୀଲଙ୍କାରେ ରହୁଥିବା ତାମିଲ ହିନ୍ଦୁ ମାନେ ବର୍ତ୍ତମାନର ଏହି ମନ୍ଦିରକୁ ନୂଆ ରୂପରେ ସ୍ଥାପିତ କରିଛନ୍ତି ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

Leave a Reply

Your email address will not be published.