ଅବହେଳିତ ଆଦିବାସୀଙ୍କ ଭାଗ୍ୟ ବଦଳିବ କେବେ?

ଓଡ଼ିଶାର ବଣ-ପାହାଡ଼ ଘେରା ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ମଣିଷ ମାନେ ଦାରିଦ୍ର୍ୟର ଅନ୍ଧକାର ଭିତରୁ କେବେ ମୁକ୍ତି ପାଇବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଦାବି କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ରାଜନୀତି ସରଗରମ ହୋଇଛି । ମାତ୍ର ଏହା ଦ୍ୱାରା ଗରିବ ଆଦିବାସୀ ମଣିଷର କୌଣସି ଲାଭ ହୋଇ ନାହିଁ । ଯୁଗ ଆରମ୍ଭରୁ ଆଦିବାସୀ ମଣିଷ ପ୍ରତି ସବୁ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି । ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ଦିଗରେ ମଧ୍ୟ ସରକାର ଯତ୍ନବାନ ହେଉ ନାହାନ୍ତି । ସ୍ୱାଧୀନତା ପର ଠାରୁ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ କୌଣସି ସରକାର ଆନ୍ତରିକତାର ସହ କାର୍ଯ୍ୟ କରି ନାହାନ୍ତି । ଆଦିବାସୀ ମଣିଷର ଦାରିଦ୍ର୍ୟ ଓ ଅସଚେତନତାର ମୂଳ କାରଣ ଏବଂ ତାର ସ୍ଥାୟୀ ସମାଧାନ ପନ୍ଥା ବାହାର କରାନଯାଇ କେବଳ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦ୍ୱାରା ଆଦିବାସୀ ମଣିଷର ବିକାଶ ଅସମ୍ଭବ । ୧୯୯୮ ଅଗଷ୍ଟ ୧୨ ତାରିଖରେ କାର୍ଯ୍ୟକାରୀ ହୋଇଥିବା କେବିକେ ପ୍ରକଳ୍ପ ଏବଂ ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା, ପଂଚାୟତିରାଜ ବ୍ୟବସ୍ଥା, ଜିଲ୍ଲା ଯୋଜନା ବୋର୍ଡ଼, ବିଜୁ କେବିକେ ଯୋଜନା ଆଦି ଦ୍ୱାରା ଆଦିବାସୀ ପ୍ରଜା ଆଦୌ ଉପକୃତ ହୋଇ ପାରିନାହିଁ । ବରଂ ଯୋଜନା ଗୁଡ଼ିକ ଆଦିବାସୀ ବିକାଶ ବଦଳରେ ଅଫିସର ଓ ରାଜନେତାଙ୍କ ବିକାଶ ଯୋଜନାରେ ପରିଣତ ହୋଇଛି ।
ଦାରିଦ୍ର୍ୟ ଦୂରୀକରଣ ଯୋଜନା ପ୍ରହସନ ସାବ୍ୟସ୍ତ ହୋଇଛି । ଜରୁରୀକାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ବିଫଳ ହୋଇଛି । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଏଠାକାର ନିତି ଦିନିଆ ଘଟଣା । ଗରିବ ଆଦିବାସୀ ମଣିଷ ଅନାହାର, ଅଳ୍ପାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛି । ହଇଜା, ଡ଼ାଇରିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ସଂକ୍ରାମକ ରୋଗରେ ପୋକମାଛି ଭଳି ମରୁଛି । ମା ଓ ଶିଶୁ ମୃତ୍ୟୁ ହାର ଏଠାରେ ସର୍ବାଧିକ । ଅନାହାର ଓ ଅପପୃଷ୍ଟି ଏହାର ମୂଳକାରଣ । ଜାତୀୟ ସ୍ତରରେ ଶିଶୁ ମୃତ୍ୟୁହାର ପ୍ରତି ୧ ହଜାରରେ ୪୦ରହିଥିବା ବେଳେ ଓଡ଼ିଶାରେ ୫୧ ଓ କେବିକେରେ ପାଖାପାଖି ୯୦ ରହିଛି । ସଂପ୍ରତି ଦୁର୍ଗମ ଅଂଚଳରେ ହଜାର ହଜାର ଶିଶୁ ପୃଷ୍ଟିହୀନତାର ଶିକାର ହେବା ଅପେକ୍ଷାରେ ବୋଲି ବେସରକାରୀ ଭାବେ କୁହାଯାଉଛି । ସ୍ୱାସ୍ଥ୍ୟସେବା ବିକାଶ ଯୋଜନା କେବଳ ଖାତା ପତ୍ରରେ ସୀମିତ ରହି ଯାଇଛି । କେବିକେରେ ୮ଟି ଜିଲ୍ଲା ହସ୍ପିଟାଲ,୧୪ଟି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ, ୮୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୩୦୦ ଟି ପିଏଚ୍ସି, ୧୬୦୦ରୁ ଉଦ୍ଧ୍ୱର୍ ଉପସ୍ୱାସ୍ଥ୍ୟ କେନ୍ଦ୍ର,୨୨୫ଟି ସ୍ୱାସ୍ଥ୍ୟ ସେକ୍ଟର,୧୫ଟି ଅନ୍ୟାନ୍ୟ ବଡ଼ ହସ୍ପିଟାଲ ତଥା ହୋମିଓପାଥୀ ଓ ଆୟୁର୍ବେଦିକ ଚିକିସôାଳୟ ତଥା ଶତାଧିକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ କାର୍ଯ୍ୟକାରୀ ସତ୍ୱେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କାହିଁକି? ବାସ୍ତବତା ହେଲା, ରାଜ୍ୟ ସରକାର ଆନ୍ତରିକତାର ସହ ଆଦିବାସୀ ମଣିଷ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉ ନାହାନ୍ତି । ବଡ଼ ବଡ଼ ଲୋକମାନେ ନିଜ ଘରେ ସ୍ୱାଦିଷ୍ଟ ଖାଦ୍ୟ ଖାଇ ଯାହା ବଳେ, ବାହାରେ ବୁଲୁ ଥିବା ପଶୁପକ୍ଷୀଙ୍କ ପାଖକୁ ଫିଙ୍ଗିଦେବା ଭଳି ଆମ ସ୍ୱାସ୍ଥ୍ୟ ବିଭାଗ ଆଦିବାସୀ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହି ସତ୍ୟକୁ କୌଣସି ପ୍ରକାରେ ମନ୍ତ୍ରୀ, ଅଫିସରଙ୍କ ଭଳି ବଡ ÿବଡ଼ିଆ ମାନେ ଗ୍ରହଣ କରି ନପାରନ୍ତି । କେତୋଟି ମୁହୂର୍ତ ପାଇଁ ସଭା ସମିତିରେ ଯୋଗ ଦେଉଥିବା ବଡ଼ବଡ଼ିଆ ମାନେ କିପରି ଅନୁଭବ କରି ପାରିବେ ଆଦିବାସୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସେମାନଙ୍କ ଅବସ୍ଥାକୁ? ତେବେ ସ୍ୱାସ୍ଥ୍ୟ ବିଭାଗର ବେପରୁଆ ନୀତି ଓ ମନମୁଖୀ କାର୍ଯ୍ୟ ହିଁ ନିରୀହ ଆଦିବାସୀ ମଣିଷକୁ ମାରାତ୍ମକ ସଂକ୍ରାମକ ରୋଗର ଅାଁ ଭିତରକୁ ଠେଲି ଦେଉଥିବା ନିଃସନେ୍ଦହରେ କୁହାଯାଇ ପାରେ ।
ଶିକ୍ଷାର ପ୍ରସାର, ସାକ୍ଷରତା ହାର ବୃଦ୍ଧି ଓ ଜନ ସଚେତନତା ସୃଷ୍ଟି ପାଇଁ ପୌଢଶିକ୍ଷା, ବାଲ୍ୟଶିକ୍ଷା, ପ୍ରାଥମିକ ଶିକ୍ଷା, ନିନାଦ, ସନେ୍ଦଶ, ନବଜ୍ୟୋତି, ସର୍ବଶିକ୍ଷା ଅଭିଯାନ ଆଦିର ବ୍ୟବସ୍ଥା ରହିଛି । ବହୁ ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଏନ୍ଜିଓମାନେ ଏଠାରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମାନଙ୍କୁ ସଚେତନ କରିବାର ଦାୟିତ୍ୱରେ ଅଛନ୍ତି । ସଚେତନତା ସୃଷ୍ଟିର କଥା ଯାହା କୁହାଯାଉଛି, କେବିକେରେ ଗତ ୧୭ ବର୍ଷ ଭିତରେ କେତୋଟି ଏନ୍ଜିଓ କେତେ ଟଙ୍କାର କାର୍ଯ୍ୟଭାର ନେଇଛନ୍ତି, ସେମାନଙ୍କ ପାଖରୁ ଜନସଚେତନତା ସୃଷ୍ଟିର ପ୍ରମାଣ କିପରି ସରକାର ପାଇଛନ୍ତି, ତାହା ଲୋକଲୋଚନକୁ ଆସିବା ଦରକାର । ଅନ୍ୟ ଏକ ସମ୍ବେଦନଶୀଳ ତଥ୍ୟ ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ବହୁ ଭାଗ ଲାଭ ଅଣ-ଆଦିବାସୀ ମାନେ ମାରି ନେଉଛନ୍ତି । ୧୯୭୦-୭୧ରେ ହଜାର ହଜାର ବଂଗୀୟ ଶରଣାର୍ଥୀଙ୍କୁ ମାଲକାନାଗିରି, ରାଇଘର ଓ ଉମରକୋଟରେ ଥଇଥାନ କରା ଯାଇଥିଲା । ଓଡ଼ିଶା ସରକାର ସ୍ଥାନୀୟ ଆଦିବାସୀଙ୍କ ଚାରଣ ଭୂଇଁ ଓ ଘଂଚ ଜଙ୍ଗଲ ଧ୍ୱଂସ କରି ସେମାନଙ୍କୁ ଥଇଥାନ କରିବା ସହ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଯେ, ମାଛକୁଣ୍ଡ, ଚିତ୍ରକୋଣ୍ଡା, ପଂଚବଟୀ, କୋଲାବ ଓ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା ପ୍ରତିଷ୍ଠା ବେଳେ ବାସଚୁ୍ୟତ ସ୍ଥାନୀୟ ଆଦିବାସୀ ବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ । ସେମାନେ ଏବେ ମଧ୍ୟ ଜୀବନ-ଜୀବିକା ସହ ସଂଘର୍ଷ ଜାରି ରଖିଛନ୍ତି । ସମସ୍ତଙ୍କର ସବୁ ସ୍ତରର ଅତ୍ୟାଚାର ସହି ଚାଲିଛି ଆଦିବାସୀ ମଣିଷ । ଏହା ହିଁ ଆଦିବାସୀ ମଣିଷର ଭାଗ୍ୟ ଓ ଭବିଷ୍ୟତ । ଏଥିରୁ କେବେ ସେ ମୁକ୍ତି ପାଇବ, ସେ କଥା ଇଶ୍ୱରଙ୍କୁ ଜଣା । ତେବେ ଯୋଜନା କାହା ପାଇଁ? କେଉଁଠି କି ଯୋଜନା କାର୍ଯ୍ୟକାରୀ ହେଉଛି? ସରକାରଙ୍କ ପ୍ରତିନିଧି ମାନେ ଦିଲ୍ଲି କିମ୍ବା ଭୁବନେଶ୍ୱରରେ ବସି ଆଦିବାସୀଙ୍କ ବିକାଶ ପାଇଁ କେବଳ ଯୋଜନା ତିଆରି କରିଦେଲେ, କିଛି ସୁଫଳ ମିଳିବ ନାହିଁ । ଅନୁସଂଧାନ କରାଗଲେ ଜଣାପଡ଼ିବ ଯେ, ବିଭିନ୍ନ ଆଦିବାସୀ ବିକାଶ ଯୋଜନା ଅର୍ଥ ଅଧିକାରୀ, ନେତା ଓ ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ମଧ୍ୟରେ ଭାଗବଂଟା ହେଉଛି ।
ଆଦିବାସୀଙ୍କ ମୌଳିକ ସମସ୍ୟାର ସମାଧାନ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଓ କର୍ତବ୍ୟ ନିଷ୍ଠା ଉପରେ ନିର୍ଭର କରୁଛି । କିଛି ବର୍ଷ ତଳୁ ଏହି ପଦରେ ଯେଉଁ ନେତାମାନଙ୍କୁ ଦେଖିବାକୁ ମିଳୁଛି, ସେମାନେ ସେମିତି କିଛି ଉଦ୍ୟମ କରୁଥିବା ଦେଖା ଯାଉନାହିଁ । ଯେଉଁଥିପାଇଁ ଆଦିବାସୀ ବିକାଶ କାର୍ଯ୍ୟ ଆଶାନୁରୂପ ହୋଇ ପାରୁନାହିଁ । ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେଉଛି । ତଥାପି କାହିଁକି ସମାଧାନ ହୋଇ ପାରୁନି ଆଦିବାସୀଙ୍କ ମୌଳିକ ସମସ୍ୟା? ବିଭାଗୀୟ ମନ୍ତ୍ରୀ ଦକ୍ଷ, ପାରଙ୍ଗମ ଓ ଦୂରଦୃଷ୍ଟି ସଂପନ୍ନ ହେଲେ, ଆଦିବାସୀଙ୍କ ବିକାଶ ହେବା ନିଶ୍ଚିତ । ମାତ୍ର ଶୁଣାଯାଏ, ଆମ ରାଜ୍ୟରେ କିଛି ବର୍ଷ ତଳୁ ସବୁ କ୍ଷମତା କୁଆଡ଼େ ଶାସନ ସଚିବ ମାନଙ୍କ ହାତରେ କେନ୍ଦ୍ରୀଭୂତ ହୋଇଛି । ନିଜ ବିଭାଗର ବିକାଶ ବା ସଂସ୍କାର ପାଇଁ ମନ୍ତ୍ରୀ ନିଜ ଆଡ଼ୁ କୌଣସି ନିଷ୍ପତି ନେଇ ପାରୁ ନାହାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇ ଆସୁଛି । ଏହା ଯଦି ସତ୍ୟ, ତେବେ ଆମ ସମ୍ବିଧାନରେ କାହିଁକି ରହିଛି ଲୋକପ୍ରତିନିଧି ବ୍ୟବସ୍ଥା? ଏହି ଅବସ୍ଥାରେ ରାଜ୍ୟବାସୀଙ୍କର ଉନ୍ନତି ହେବ କିପରି? ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସହିତ ଅବହେଳିତ ଆଦିବାସୀ ମଣିଷର ଭାଗ୍ୟ ଓ ଭବିଷ୍ୟତ ଯୋଡ଼ି ହୋଇ ରହିଛି । ମାତ୍ର ଆଦିବାସୀ ମଣିଷ ଓ ବିଭାଗ ଯୋଡ଼ି ହୋଇ ଥିବା ମନେ ହେଉନାହିଁ । ବିଭାଗୀୟ ମନ୍ତ୍ରୀ ବା ଲୋକପ୍ରତିନିଧିଙ୍କ ମାଧ୍ୟମରେ ଏହି ସଂଯୋଗ ଘଟିଥାଏ । ହେଲେ ମନ୍ତ୍ରୀ ବା ଲୋକପ୍ରତିନିଧିଙ୍କ ହାତରେ ଏଭଳି ଗୁରୁ ଦାୟିତ୍ୱ ଥିବା ପରି ମନେ ହେଉନାହିଁ । ହୁଏତ ଏଥିଯୋଗୁ ବିଭାଗୀୟ ସଚିବାଳୟ, ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିଜ ଢଙ୍ଗରେ ଚାଲୁଛି । ଏହି ବିଭାଗ ସକି୍ରୟ ହୋଇ ଆଦିବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବ, ଏଭଳି ଆଶା କରାଯିବା ନିରର୍ଥକ । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *