ଓଡ଼ିଶାର କମନୀୟ ପର୍ଯ୍ୟଟନ କ୍ଷେତ୍ର

ଦୁର୍ଲଭ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଥିବା ବିଶ୍ୱର କୌଣସି ସମୁଦ୍ର ତଟ୍ଟ, ଆଇଲାଣ୍ଡ ବା ଐତିହାସିକ ସ୍ଥାନ ଠାରୁ ଯେ ଓଡ଼ିଶାର ସମୁଦ୍ର ତଟ୍ଟ, ଆଇଲାଣ୍ଡ ବା ଐତିହାସିକ ସ୍ଥାନ ଅଧିକ ମନୋରମ, ଉନ୍ନତମାନର ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା, ତାହା ହୁଏତ ସମସ୍ତେ ଜାଣନ୍ତି ନାହିଁ । ଏଠାରେ କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ତଟ୍ଟ ଓ ବଙ୍ଗୋପସାଗର ମଧ୍ୟରେ ଥିବା ବିଭିନ୍ନ ଦ୍ୱୀପର ଉଦାହରଣ ନିଆ ଯାଇପାରେ । ଏକ କମନୀୟ କ୍ଷୁଦ୍ର ବେଳାଭୂମି ସଦୃଶ ଅବିକଳ ଧନୁ ଆକାରର ୭.୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ମନଲୋଭା ବେଳାଭୂମି ଲମ୍ବିଛି ସାତଭାୟା ଓ ବରୁଣେଇ ମୁହାଣ ମଧ୍ୟରେ । ଯାହା ସଂଲଗ୍ନ ରହିଛି ବିଶ୍ୱ ବିଖ୍ୟାତ ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ସାମୁଦି୍ରକ ଅଭୟାରଣ୍ୟ ଗହୀରମଥା ତଥା କଇଁଛ ପ୍ରଜନନ କେନ୍ଦ୍ର । ତଟ୍ଟବର୍ତୀ ଅଳ୍ପ କେତୋଟି ଗ୍ରାମକୁ ଛାଡ଼ିଦେଲେ, ସାରା ଅଂଚଳ ଘଂଚ ଅରଣ୍ୟାନିରେ ପୂର୍ଣ୍ଣ । ଏହି ସୁଦୀର୍ଘ କମନୀୟ ବେଳାଭୂମି ଠାରୁ ବଙ୍ଗୋପସାଗର ଭିତରକୁ ହାରାହାରି ୧୮ କି.ମି. ଦୂରରେ ରହିଛି ଏକ ପ୍ରାକୃତିକ ଅନାମଧେୟ ଆଇଲାଣ୍ଡ୍ । ଯାହା ସୁନ୍ଦର ବୃକ୍ଷରାଜି ଓ କମନୀୟ ସୌନ୍ଦର୍ଯ୍ୟରେ ଭରା ୨୪ ଏକର ପରିମିତ ଅଂଚଳ । ଏହାର ମାତ୍ର ୫ କି.ମି. ଦୂର ଦକ୍ଷିଣକୁ ବ୍ରିଟିସ୍ ବାଣିଜ୍ୟର କୋଠା ହୁକିଟେଲା ଓ ଏଠାରୁ ମାତ୍ର ୪.୫ କି.ମି. ଦୂର ଦକ୍ଷିଣକୁ ବତୀଘର ଏବଂ ଏହାର ପଶ୍ଚିମକୁ ସ୍ଥଳ ସୀମାକୁ ଲାଗି ରହିଛି ଜମ୍ବୁ ଜେଟ୍ଟୀ ଓ ଖରିନାସୀ ଜେଟ୍ଟୀ । ଜମ୍ବୁ ଜେଟ୍ଟୀ ନିକଟରୁ ୬.୫ କି.ମି. ସମୁଦ୍ର ଭିତରକୁ ଅନ୍ୟ ଏକ ଆଇଲାଣ୍ଡ ରହିଛି, ଯାହାର ନାମ ମାଦେଲି ଚଢା । ପ୍ରାୟ ୧୦୦ଏକର ପରିମିତ ଅଂଚଳର ଏହି ଆଇଲାଣ୍ଡ, ହୁକିଟେଲା ଓ ବତୀଘର ଭୌଗୋଳିକ ଦୃଷ୍ଟିରୁ ଏକ ସମବାହୁ ତି୍ରଭୁଜ ଭିତରେ ରହିଛନ୍ତି । ଅର୍ଥାତ୍ ଏହି ଆଇଲାଣ୍ଡ ପାଖରୁ ୪.୫ କି.ମି. ଉତର-ପୂର୍ବକୁ ହୁକିଟେଲା ଓ ୪.୫ କି.ମି. ଦକ୍ଷିଣ-ପୂର୍ବକୁ ବତୀଘର ଓ ବଙ୍ଗୋପସାଗରର ରିମ୍ଝିମ୍ ନୀଳ ଜଳରାଶି ପ୍ରତ୍ୟେକ ନିଜ ନିଜର ଅପରୂପ ସୌନ୍ଦର୍ଯ୍ୟ ପରିପ୍ରକାଶ କରୁଥିବା ବେଳେ ଏସବୁର ଫେଂଟାଫେଂଟିରେ ଯେଉଁ ଦୁର୍ଲଭ ପ୍ରାକୃତିକ ଦୃଶ୍ୟରାଜିର ସମାହାର ଘଟୁଛି ଏଠାରେ, ତାହାର ଏଯାଏ ଉପଯୁକ୍ତ ଉପଯୋଗ ହୋଇ ପାରିନାହିଁ । ତେବେ ବହୁ ବିଳମ୍ବରେ ହେଲେ ମଧ୍ୟ ଭିତରକନିକା ଓ ଏହାର ଆଖପାଖ ଅଂଚଳର ବିକାଶ ତଥା କ୍ରୁଇଜ୍ ବ୍ୟବସ୍ଥା ପାଇଁ କେରଳ ଇନ୍ଲାଣ୍ଡ ଅଥରିଟି ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ସେହିପରି ୨୦୧୪ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ବତିଘର ଓ ଜମ୍ବୁ ଦ୍ୱୀପରେ ଥିବା ହୁକିଟେଲାର ଶୀଘ୍ର ବିକାଶ ହେବାର ଆବଶ୍ୟକତା ରହିଛି । ହୁକିଟେଲାରେ ଥିବା ବ୍ରିଟିସ୍ ଅମଳର କୋଠାକୁ ବିଶ୍ୱବ୍ୟାଙ୍କର ୧କୋଟି ୩ଲକ୍ଷ ୯୩ ହଜାର ଟଙ୍କା ଅନୁଦାନରେ ପୁନରୁଦ୍ଧାର କରାଯିବାର ବ୍ୟବସ୍ଥା ହୋଇଛି । ହୁକିଟେଲା ଠାରେ ଗୋଟିଏ ଫ୍ଲୋଟିସ୍ ଜେଟି ନିର୍ମାଣ ହେବାର ପ୍ରସ୍ତାବ ରହିଥିବାବେଳେ ହୁକିଟେଲା ଯା’ଆସ ପାଇଁ ନଦୀକୂଳ ଠାରୁ ହୁକିଟେଲା ପର୍ଯ୍ୟନ୍ତ ଏକ ସଂଯୋଗ ରାସ୍ତା ନିର୍ମାଣ ହୋଇଛି । ହୁକିଟେଲା ଠାରେ ମଧ୍ୟ ଏକ ୱାଚ୍ ଟାୱାର ନିର୍ମିତ ହୋଇଛି । ବାସ୍ତବିକ ଓଡ଼ିଶାର ବେଳାଭୂମିକୁ ଉପଯୁକ୍ତ ଉପଯୋଗ କରି ବିଶ୍ୱର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଇବା ଉକ୍ରଳର ମୁକୁଟବିହୀନ ସମ୍ରାଟ ବିଜୁବାବୁଙ୍କର ସ୍ୱପ୍ନ ଥିଲା ଓ ସେ ବହୁବାର ଉପକୂଳବାସୀଙ୍କୁ ଏଥିପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସେ ସ୍ୱୟଂ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ସିଙ୍ଗାପୁର ବେଳାଭୂମିର ଉପଯୁକ୍ତ ଉପଯୋଗ ହୋଇଥିବା ଦେଖି ଓଡ଼ିଶାର ବେଳାଭୂମିକୁ ସେହି ଢଙ୍ଗରେ ଗଢି ତୋଳିବାକୁ ଏକପ୍ରକାର ବଦ୍ଧ ପରିକର ଥିଲେ । ମାତ୍ର ତାଙ୍କ ଜୀବଦ୍ଦଶାରେ ଏହା ସମ୍ଭବ ହୋଇ ପାରିନଥିଲା । ହେଲେ ତାଙ୍କର ଅଧୂରା ସ୍ୱପ୍ନ ପୂରଣ କରିବା ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ପାଇଁ କିଛି ବଡ଼ କଥା ନୁହେଁ ।
ମନୋରମ ଦେଶ ଥାଇଲାଣ୍ଡ ଏକ ପ୍ରଦୂଷଣ ମୁକ୍ତ ଦେଶ ଓ ଏହା ମଧ୍ୟ ମନୋରମ ସପିଙ୍ଗ୍ କମ୍ପ୍ଲେକ୍ସ, ସୁନ୍ଦର ସଡ଼କ ଓ କମନୀୟ ଦୃଶ୍ୟରାଜି ଭରା ସମୁଦ୍ର ବେଳାଭୂମି ଏବଂ ସୁସ୍ଥ ପରିବେଶ ପାଇଁ ପ୍ରସିଦ୍ଧ । ଥାଇଲାଣ୍ଡ ଓ ତାହାର ସମୁଦ୍ର ବେଳାଭୂମିର ମନୋରମ ଦୃଶ୍ୟରାଜି ବିଶ୍ୱରେ ପ୍ରମୁଖ ସ୍ଥାନ ଦଖଲ କରିଛି । ସବୁଠୁ ଆକର୍ଷକ ଦୃଶ୍ୟରାଜି ହେଲା, ଏହାର ପଟାୟା ସମୁଦ୍ର ବେଳାଭୂମିର କମନୀୟ ରୂପ । ଏହି ବେଳାଭୂମିର ଦୈର୍ଘ୍ୟ ମାତ୍ର ୧.୨୫ କିଲୋମିଟର ଓ ଚଉଡ଼ା ମାତ୍ର ୧୫୦ ମିଟର । ୧୭ ଏକର ବିଶିଷ୍ଟ ଏହି ଆଇଲାଣ୍ଡର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସାରା ବିଶ୍ୱରୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ ପ୍ରତିଦିନ । ଆଉ ପର୍ଯ୍ୟଟକ ମାନଙ୍କ ଆଗମନରେ ପଟାୟା ଅନେକ ସୁନ୍ଦର ଅଟ୍ଟାଳିକାକୁ ନେଇ ଏକ ଲୋଭନୀୟ ନଗରୀରେ ପରିଣତ ହୋଇଛି । ଏହା ବିଶ୍ୱ ପର୍ଯ୍ୟଟନର ବିଖ୍ୟାତ କ୍ଷେତ୍ର ସିଙ୍ଗାପୁରଠାରୁ ମଧ୍ୟ ଲୋଭନୀୟ । ସେହିପରି କେନ୍ଦ୍ରାପଡ଼ାର ମନୋରମ ସାମୁଦ୍ରିକ ପର୍ଯ୍ୟଟନ ଓ ପର୍ଯ୍ୟଟନ ସ୍ଥଳ ଗୁଡ଼ିକୁ ପଟାୟା ଭଳି ବିକଶିତ କରାଯାଇ ପାରିଲେ, ଏହା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଅଦ୍ୱିତୀୟ ହୋଇ ପାରିବ । ତେବେ ଏହି ଅଂଚଳକୁ ଏକ ଦୁର୍ଲ୍ଲଭ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ହେଲେ, ଅତି ବେଶୀରେ ୫୦୦ ରୁ ୬୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଏହାର ଦାୟିତୃ ରାଜ୍ୟ ସରକାର ମଧ୍ୟ କୌଣସି ଘରୋଇ ସଂସ୍ଥାକୁ ଦେଇ ପାରନ୍ତି । ଏହି ଆଶା ବାସ୍ତବରେ ପରିଣତ ହେଲେ, ଏହା ଯେ ପୃଥିବୀର ଦୁର୍ଲଭ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଅନନ୍ୟ ଭୂମିକା ଗ୍ରହଣ କରିବ, ଏଥିରେ ତିଳେହେଁ ସନେ୍ଦହ ନାହିଁ । ଏହା ଦ୍ୱାରା ଓଡ଼ିଶା ସରକାରଙ୍କର ପ୍ରଚୁର ବୈଦେଶିକ ମୁଦ୍ରା ଆୟ ହେବା ସହ ସ୍ଥାନୀୟ ଅଂଚଳର ଆର୍ଥିକ, ସାମାଜିକ ଓ ପାରିପାଶ୍ୱିର୍କ ଉନ୍ନତି ସମ୍ଭବ ହେବ । ସେହିପରି ଆମର ୪୮୦ କିମି ବ୍ୟାପୀ ମନୋରମ ଉପକୂଳର ପ୍ରାକୃତିକ ଦୃଶ୍ୟରାଜି ଓ ରାଜ୍ୟରେ ଥିବା ଅନେକ ଅପରୂପ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀ କୁଡ଼ିକର ବିକାଶ ଆବଶ୍ୟକ ହୋଇ ପଡ଼ିଛି ।
ବିଶ୍ୱର ଅନେକ ବିକଶିତ ଦେଶ ନିଜର ପର୍ଯ୍ୟଟନ ଶିଳ୍ପର ବିକାଶ ଯୋଗୁ ଆଗକୁ ବଢିଥିବା ନଜିର ରହିଛି । ମାତ୍ର ଆମ ଦେଶରେ ଏଇ ଧାରଣ, ଧାରଣାରେ ହିଁ ରହିଯାଇଛି । ଏ କ୍ଷେତ୍ରରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସକି୍ରୟ ଭୂମିକା ଆବଶ୍ୟକ । ଏହି ଅଂଚଳର ପର୍ଯ୍ୟଟନ କ୍ଷେତ୍ରକୁ “ବିଜୁ ପର୍ଯ୍ୟଟନ କ୍ଷେତ୍ର”ନାମରେ ନାମିତ କରାଯାଇପାରେ । ପଟାୟା ଭଳି ଦେଶ-ବିଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଭ୍ରମଣ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମତରେ, ବିଶ୍ୱର ଅନ୍ୟାନ୍ୟ ଦ୍ୱୀପ ଠାରୁ ଆମ ଓଡ଼ିଶାର ଦ୍ୱୀପଗୁଡ଼ିକ ବହୁ ଗୁଣରେ ଉନ୍ନତ, କମନୀୟ ଓ ଦର୍ଶନୀୟ । ବିଶ୍ୱ ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଠାରୁ ଆରମ୍ଭ କରି ସମୁନ୍ଦ୍ର ଉପକୂଳର ଅପରୂପ ପ୍ରାକୃତିକ ଦୃଶ୍ୟ, ହୁକିଟେଲା, ଜମ୍ବୁ, ବ୍ରିଟିସ୍ ବାଣିଜ୍ୟର କୋଠା ଓ ମନୋରମ ଦ୍ୱୀପଗୁଡ଼ିକୁ ନେଇ ଏକ ବିଶାଳ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବା ଉଚିତ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଷ୍ଠା ଓ ଆନ୍ତରିକତାର ଆବଶ୍ୟକତା ରହିଛି । ତେବେ ଜିଲ୍ଲାରେ ଅସୁରକ୍ଷା ବଳୟରେ ରହିଥିବା ବିଶ୍ୱବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ସାମୁଦି୍ରକ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ହେନ୍ତାଳ ଜଙ୍ଗଲ ଆଦି ଐତିହ୍ୟର ମଜଭୁତ୍ ସୁରକ୍ଷା ଓ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ଜିଲ୍ଲାବାସୀ ଗଭୀର ଆଶା ରଖିଛନ୍ତି । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *