କେବେ ଜାଣିବା ଜଙ୍ଗଲର ମହତ୍ୱ?

ପ୍ରାଚୀନ କାଳରୁ ହିଁ ଜଙ୍ଗଲ ବା ବନ ମଣିଷର ଜୀବନରେ ବିଶେଷ ଗୁରୁତ୍ୱ ରଖିଆସିଛି । ମାନବ ଜୀବନ ପାଇଁ ଏହା ପ୍ରକୃତିର ଅନୁପମ ଉପହାର । ଆମର ଜଙ୍ଗଲ କେବଳ ଗଛ-ବୃକ୍ଷରେ ସିମୀତ ନୁହେଁ, ବରଂ ଏହା ଅନେକ ଉପକାରୀ ଜୀବ ଜନ୍ତୁ ଏବଂ ଔଷଧ ମାନଙ୍କର ଭଣ୍ଡାର । ଜୀବନ ପାଇଁ ପୃଥିବୀରେ ଜଙ୍ଗଲର ଆବଶ୍ୟକତା ରହିଛି । ଆଉ ପ୍ରକୃତିର ସନ୍ତୁଳନକୁ ସମତୁଲ ରଖିବାରେ ଜଙ୍ଗଲ ପୂର୍ଣ୍ଣ ମାତ୍ରାରେ ସହାୟକ ହୋଇଥାଏ । ପ୍ରଚୀନ କାଳରୁ ଆମର ପୂର୍ବପୁରୁଷ, ଋଷି-ମୁନି ଓ ସନ୍ଥ ମାନଙ୍କ ପାଇଁ ବନ ତପସ୍ୟାର ପ୍ରମୁଖ ସ୍ଥାନ ରହି ଆସିଛି । ଏହି ବନାଂଚଳରେ ମହାନ ଋଷି ମାନଙ୍କର ଆଶ୍ରମ ରହିଥିବା ବେଳେ ସନ୍ଥ ଓ ସେମାନଙ୍କର ଶିଷ୍ୟ ମଧ୍ୟ ରହୁଥିଲେ । ସମାଜରେ ସେମାନଙ୍କର ବିଶେଷ ସ୍ଥାନ ଥିଲା ଓ ସେମାନଙ୍କୁ ଲୋକମାନେ ପୂର୍ଣ୍ଣ ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସ କରୁଥିଲେ ।
ପୂର୍ବର ଚିକିତ୍ସକ ଏବଂ ବୈଦ୍ୟ ମାନଙ୍କ ପାଇଁ ବନ ମହାନ ଔଷଧର ଉତ୍ସ ଥିଲା । ରାମାୟଣ କାହାଣୀରେ ମେଘନାଦର ଅମୋଘ ଅସ୍ତ୍ର ପ୍ରହାରରେ ଲକ୍ଷ୍ମଣ ଙ୍କର ଜୀବନ ବଂଚାଇବା ପାଇଁ ସଂଜୀବନୀ ବନରେ ହିଁ ଉପଲବ୍ଧ ଥିଲା । ବୃନ୍ଦାବନର ଭଗବାନ ଶ୍ରୀକୃଷ୍ଣ ଏବଂ ରାଧିକାଙ୍କ ପବିତ୍ର ପ୍ରେମ ସହିତ ସିଧା ସଂପର୍କ ରହିଛି ବନର । ତାଙ୍କର ଏହି ସଂପର୍କ ଦେବୀ ଦେବତାଙ୍କ ପ୍ରକୃତି ପ୍ରେମକୁ ଦର୍ଶାଇଥାଏ । ଜଙ୍ଗଲରେ ଅନେକ ପ୍ରକାର ଗଛ ବୃକ୍ଷର ଭଣ୍ଡାର ରହିଛି, ଯାହା ମଣିଷ ପାଇଁ ଉପଯୋଗୀ । ଅଶ୍ୱତ୍ଥ ବୃକ୍ଷ ଆମ ପାଇଁ ଆଧ୍ୟାତ୍ମିକ ଆବଶ୍ୟକତା ସହ ଅତ୍ୟନ୍ତ ଗୁଣକାରୀ ମଧ୍ୟ ଅଟେ । କାରଣ ଏହି ବୃକ୍ଷ ଅନ୍ୟ ବୃକ୍ଷ ମାନଙ୍କ ତୁଳନାରେ ଆମକୁ ପ୍ରଚୁର ମାତ୍ରାରେ ଅମ୍ଲଜାନ ପ୍ରଦାନ କରିଥାଏ । ଏହା ଛଡ଼ା ଲିମ୍ବ, ବବୁଲ, ତୁଳସୀ, ଅଅଁଳା ଆଦି ବୃକ୍ଷ ଆମକୁ ଔଷଧୀୟ ଆକାରରେ ମିଳିଥାଏ ।
ବନ କେବଳ ମଣିଷଙ୍କ ପାଇଁ ନୁହେଁ, ବରଂ ସମସ୍ତ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଆବଶ୍ୟକ । ଏମାନଙ୍କ ଯୋଗୁ ପ୍ରକୃତି ନିଜର ସନ୍ତୁଳନ ବଜାୟ ରଖିବାରେ ସମର୍ଥ ହୋଇଥାଏ । ଲୋକମାନେ ମନ ଇଚ୍ଛା ଜଙ୍ଗଲ କାଟୁଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଜୀବଜନ୍ତୁ ଓ ଗଛ ବୃକ୍ଷ ଲୁପ୍ତ ହୋଇ ଗଲେଣି, ଯାହା ମଣିଷ ସମାଜ ପାଇଁ ବିପଦ ହେବାରେ ଲାଗିଛି । ଜଙ୍ଗଲର ରାଜା ସିଂହ ମାନଙ୍କ ସଂଖ୍ୟା ମଧ୍ୟ ଦ୍ରୂତ ହ୍ରାସ ପାଇ ଚାଲିଛି । ଜଙ୍ଗଲୀ ହାତୀ ମାନଙ୍କ ସଂଖ୍ୟା ମଧ୍ୟ ଲଗାତାର କମି ଚାଲିଛି । ଏହି ଭୟାନକ ଅବସ୍ଥା ଅନ୍ୟ ଜୀବଜନ୍ତୁଙ୍କ କ୍ଷେତ୍ରରେ ମଧ୍ୟ ଦେଖା ଗଲାଣି । ଋତୁଚକ୍ର ଓ ପ୍ରକୃତିରେ ସନ୍ତୁଳନ ବଜାୟ ରଖିବାରେ ଜଙ୍ଗଲ ହିଁ ସକ୍ଷମ ହୋଇଥାଏ । ଅଧିକ ବର୍ଷା ସମୟରେ ଜଙ୍ଗଲ ମାଟି କ୍ଷୟକୁ ଅଟକାଇଥାଏ ତଥା ତାହାର ଉର୍ବର ଶକ୍ତିକୁ ବଜାୟ ରଖିବାରେ ସହଯୋଗ ଦେଇଥାଏ । ଗଛ ବୃକ୍ଷ ନିଜ ଚେର ଦ୍ୱାରା ପୃଥିବୀର ଜଳକୁ ଶୋଷି ନିଏ, ଯାହା ପୁଣି ବାଷ୍ପ ହୋଇ ବାୟୁ ମଣ୍ଡଳରେ ବାଦଲ ରୂପ ଧାରଣ କରେ । ପରିଣାମ ସ୍ୱରୂପ ବର୍ଷା ହୋଇଥାଏ ଓ ଏହି ଚକ୍ର ନିରନ୍ତର ଚାଲିଥାଏ । ପ୍ରକୃତିର ଏହି ବ୍ୟବସ୍ଥା ମାନବ ସମାଜର ଉପକାର କରିଥାଏ ।
କିନ୍ତୁ ମଣିଷ ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ କାଟିବାକୁ ପଛାଉ ନାହିଁ । ଏଣୁ ଧୀରେ ଧୀରେ ଜଙ୍ଗଲ ସଫା ହୋଇ ଚାଲିଛି । କେବଳ ଏତିକି ନୁହେଁ, ମାଟିକୁ ନଷ୍ଟ କରିବା ମଧ୍ୟ ବଢି ଚାଲିଛି । ଏହାଦ୍ୱାରା ଜଳାଶୟ ଗୁଡ଼ିକ ଦିନକୁ ଦିନ ଶୁଖି ଚାଲିଛି । ଲଗାତାର ପାଣିର ଅଭାବ ଯୋଗୁ ଜଳୀୟ ଜୀବ ମାନଙ୍କ ଅସ୍ତିତ୍ୱ ବିପଦ ଘେରକୁ ଆସି ଗଲାଣି । ଗଛ ବୃକ୍ଷ ପରିବେଶକୁ ବିଶୁଦ୍ଧ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଘର, ମୋଟର ଗାଡ଼ି ଓ କଳକାରଖାନାରୁ ବାହରୁଥିବା କାର୍ବନ-ଡ଼ାଇଅକ୍ସାଇଡ଼୍ କୁ ଗଛ-ବୃକ୍ଷ ଶୋଷି ନିଅନ୍ତି, ଯଦ୍ୱାରା ପରିବେଶରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସହାୟତା ମିଳିଥାଏ । ଅର୍ଥାତ୍ ଗଛ-ବୃକ୍ଷ ପରିବେଶକୁ ନିଜ ନିୟନ୍ତ୍ରଣରେ ରଖିଥାଆନ୍ତି ।
ତେବେ ଗଛ-ବୃକ୍ଷ କେବଳ ମଣିଷ ପାଇଁ ନୁହେଁ, ବରଂ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଅତି ଆବଶ୍ୟକ । ଏମାନଙ୍କ ଅଭାବରେ ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ଅସମ୍ଭବ । ଏଣୁ ଏମାନେ ଆମ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ଏଣୁ ଆମେ ଜଙ୍ଗଲର ଗୁରୁତ୍ୱ ବୁଝିବା ଉଚିତ । ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମସ୍ତେ ମିଳିମିଶି କରିବାର ଆବଶ୍ୟକତା ରହିଛି । ବୃକ୍ଷ ରୋପଣ କାର୍ଯ୍ୟକୁ ଅଧିକରୁ ଅଧିକ ପ୍ରସାର କରିବା ଉଚିତ ତଥା ଯେଉଁ ଜଙ୍ଗଲ ଗୁଡ଼ିକ ଖାଲି ହୋଇ ଗଲାଣି, ସେଠାରେ ଗଛ କାଟିବା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ।
ତେବେ ଅଧିକରୁ ଅଧିକ ଗଛ ଲଗାଇବା ସରକାରଙ୍କ ପ୍ରମୁଖ ଦାୟିତ୍ୱ ହୋବ ଉଚିତ । ଯେଉଁମାନେ ବେଆଇନ ଭାବେ ଗଛ କାଟୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା ଦଣ୍ଡର ବ୍ୟବସ୍ଥା ହେବା ଉଚିତ । କେବଳ ସରକାର କାହିଁକି ସମସ୍ତ ସମାଜସେବୀ ସଂସ୍ଥା ଓ ବିଶେଷତଃ ନବଯୁବକ ମାନଙ୍କୁ ବୃକ୍ଷ ରୋପଣ ଦିଗରେ ସଚେତନତା କରାଯିବା ଉଚିତ । ବୃକ୍ଷ ରୋପଣର ଉପକାର ସଂପର୍କରେ ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ଛାତ୍ର ଜୀବନରୁ ହିଁ ସେମାନଙ୍କୁ ସଚେତନ କରାଯିବା ଉଚିତ । ଏ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାକୁ ବେଳେବେଳେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହେବା ଉଚିତ ।
ଅତଏବ ଜଙ୍ଗଲ କେବଳ ମଣିଷ ଜୀବନ ପାଇଁ ନୁହେଁ, ବରଂ ଭଗବାନଙ୍କ ସୃଷ୍ଟିର ସମସ୍ତ ଜୀବ-ଜନ୍ତୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ପ୍ରାକୃତିକ ସନ୍ତୁଳନ ଓ ପରିବେଶର ସୁରକ୍ଷା ପାଇଁ ନିହାତି ଆବଶ୍ୟକ । ପ୍ରକୃତିର ଜୀବ ମାନଙ୍କ ପାଇଁ ଜଙ୍ଗଲର ପ୍ରମୁଖ ଭୂମିକା ରହିଛି । ଏହି ଅମୂଲ୍ୟ ସଂପଦକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଉତର ଦାୟିତ୍ୱ ହେବା ଉଚିତ । ଲଗାତାର ଜଙ୍ଗଲ କାଟି ସଫା କରିବା ହିଁ ମଣିଷ ସମାଜ ପାଇଁ ଏକ ଗମ୍ଭୀର ବିପଦ ହୋଇଛି । ଏଣୁ ଆମ ପ୍ରକୃତି ଓ ନିଜ ଜୀବନରେ ସବୁଜିମା ବଜାୟ ରଖିବା ପାଇଁ ବୃକ୍ଷ ରୋପଣ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ ।
ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *