ଗୋଦାବରୀ ନଦୀ କଥା

ଦକ୍ଷିଣର ଗଙ୍ଗା, ଗୌତମୀ ଗଙ୍ଗା ବା ବୃଦ୍ଧା ଗଙ୍ଗା ନାମରେ ପରିଚିତ ଗୋଦାବରୀ ଭାରତର ଦ୍ୱିତୀୟ ଦୀର୍ଘତ୍ତମ ନଦୀ ଅଟେ ।ଏହା ସମଗ୍ର ଭାରତର ଏକ ଦଶମାଂଶ ବା ପ୍ରାୟ ୩.୩ ଲକ୍ଷ ବର୍ଗ କିମ ଭୂମିର ଜଳ ନିଷ୍କାସନ କରେ, ଯାହା ଇଂଲଣ୍ଡ ଓ ଆୟାରଲାଣ୍ଡର ମିଳିତ ଆୟତନ ଠାରୁ ବଡ ଅଟେ । ହିନ୍ଦୁ ମାନଙ୍କର ଏହା ଅତି ପବିତ୍ର ଓ ମୋକ୍ଷ ଦାୟିନୀ ନଦୀ ରୂପେ କୋଟି କୋଟି ଲୋକମାନଙ୍କ ଦ୍ୱାରା ପୁଜା ପାଏ ଓ ଏହାର କୂଳରେ ପ୍ରସିଦ୍ଧ କୁମ୍ଭ ମେଳା ନାସିକ ଠାରେ ୧୨ ବର୍ଷରେ ଥରେ ହୋଇଥାଏ । ଦୁର୍ଭିକ୍ଷ ପ୍ରପିଡିତ ବିଦର୍ଭ ଓ ମରଠାୱାଡା ଅଞ୍ଚ­ଳର ଜୀବନ ନାଟିକା ରୂପେ ନିଜ ଜଳ ଦ୍ୱାରା ଏକ ବିସ୍ତୃତ ଭୂମିର ଜୀବନ ଧାରଣ ରେ ସହାୟ ହୋଇଅଛି ।
ଗୋଦାବରୀ ନଦୀ ଲମ୍ବ ପ୍ରାୟ ୧୫୦୦ କିମି । ଏହା ମହାରାଷ୍ଟ୍ର, ତେଲଙ୍ଗାନା, ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ମଧ୍ୟ ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡିଅଛି । ଓଡିଶା ମଧ୍ୟ ପ୍ରବାହିତ ନହେଲେ ମଧ୍ୟ ଓଡିଶାର ଏକ ବିସ୍ତୃତ ଅ­ଞ୍ଚଳ ଦୁଇ ମୁଖ୍ୟ ଉପନଦୀ ଇନ୍ଦ୍ରାବତୀ ଓ ସାବେରୀ-ସିଲେରୁ ଦ୍ୱାରା ଏହା ଗୋଦାବରୀ ଅବବାହିକାର ଅନ୍ତର୍ଗତ । ବନ୍ୟା ବେଳେ ଏଥିରେ ପ୍ରାୟ ୩୦ ଲକ୍ଷ ଘନ ଫୁଟ ଜଳ ସେକେଣ୍ଡ କୁ ମୁହାଣ ଠାରେ ନିଷ୍କାସିତ ହୋଇଥାଏ ଓ ବନ୍ୟା ଦ୍ୱାରା ତ୍ରିକୋଣଭୂମିର ପ୍ରଭୁତ କ୍ଷତି ଘଟିଥାଏ ।
ଗୋଦାବରୀ ନଦୀ ମହାରାଷ୍ଟ୍ର ରାଜ୍ୟର ପଶ୍ଚିମ ଘାଟର ବ୍ରହ୍ମଗିରି ନାମକ ପା­ ହଜାର ଫୁଟ ଉଚ୍ଚ ପର୍ବତର ଶିଖରରୁ ଅନେକ ଧାର ହୋଇ ବହି ଆସି ନିମ୍ନରେ ତ୍ରୟମ୍ବକେଶ୍ୱର ଠାରେ ଗୋଦାବରୀ ନଦୀ ସୃଷ୍ଟି ହୋଇଛି । ଏହା ଆରବ ସାଗର ଠାରୁ ୮୦ କିମି ଦୂରରେ ରହିଛି । କିମ୍ବଦନ୍ତୀ କହେ, ଗୋହତ୍ୟା ପାପରୁ ମୁକ୍ତି ପାଇଁ ଗୌତମ ମହର୍ଷି ମହାଦେବଙ୍କୁ ତପସ୍ୟା ଦ୍ୱାରା ଖୁସି କରାଇ ପାପନାଶିନୀ ଗଙ୍ଗ ନଦୀକୁ ଗୋଦାବରୀ ରୂପେ ପ୍ରବାହ କରାଇ ଥିଲେ । ଏଠାରେ ମହାଦେବ ତ୍ରୟମ୍ବକେଶ୍ୱର ନାମରେ ଅବସ୍ଥାନ କରନ୍ତି । ଏହା ଏକ ଜ୍ୟୋର୍ତିଲିଙ୍ଗର ମାନ୍ୟତା ପାଇଛି ।
ଉତ୍ପତ୍ତି ହେଲା ପରେ ଏହା ଦକ୍ଷିଣ ପୂର୍ବାଭିମୂଖି ହୋଇ ଗଙ୍ଗାପୁର ଜଳଭଣ୍ଡାର ସୃଷ୍ଟି କରିଛି । ଏହାର ୧୦ କିମି ତଳେ ଏହା ତିର୍ଥ ନଗରୀ ନାସିକ ସହର ମଧ୍ୟ ଦେଇ ପ୍ରବାହିତ ହୋଇ ଦୁଧ ସାଗର, ଗଙ୍ଗା ସାଗର ଜଳ ପ୍ରପାତ ଦେଇ ଗତି କରିଛି । ଗୋଦାବରୀ କୁପରଗାଓଁ ସହର ଦେଇ ନାସିକ, ପୁଣେ, ଆଉରଙ୍ଗାବାଦ,ଅହମଦନଗର ଜଲନା ନାନେ୍ଦଡ ଆଦି ଜିଲ୍ଲା ଦେଇ ଗତି କଲା ବେଳେ ମଞ୍ଜିରା ପରଭାର, ୱାର୍ଦ୍ଧା,ପେନ ଗଙ୍ଗା ଦାନ ଗଙ୍ଗା ନଦୀମାନ ମିଶିଛନ୍ତି । ନଦୀର ଦକ୍ଷିଣ କଡରେ ଏହାର ମୁଖ୍ୟ ଉପନଦୀ ପ୍ରହଣତି ଆସି ମିଶିଅଛି । ମହାରାଷ୍ଟ୍ରର ପଇଥାନ ଠାରେ ଗୋଦାବରୀ ନଦୀ ଶଯ୍ୟାରେ ଜୟୱାଡା ସାଗର (ନାଥ ସାଗର) ଜଳଭଣ୍ଡାର ତିଆରି ହୋଇଛି । ନାନେ୍ଦଡ ଜିଲ୍ଲାରେ ଏକ ବୃହତ ଉଠାଜଳସେଚନ ଯୋଜନା ଓ ରାମସାଗର ଜଳଭଣ୍ଡାର ଅଛି । ନଦୀ ଏହାପରେ ନିଜାମବାଦ ଜିଲ୍ଲା ଦେଇ ତେଲଙ୍ଗାନା ରାଜ୍ୟରେ ପ୍ରବେଶ କରିଛି । ନଦୀ ପୂର୍ବାଭିମୂଖି ହୋଇ ଭଦ୍ରାଚଳନ ତୀର୍ଥ ସହର କଡଦେଇ ପ୍ରବାହିତ ହୋଇଛି ଓ ଦୁଇଟି ମୁଖ୍ୟ ଉପନଦୀ ସାବେରି ଓ ଇନ୍ଦ୍ରାବତୀ ଏହା ସହ ମିଶିଛି । ଆନ୍ଧ୍ର ପ୍ରଦେଶରେ ପୂର୍ବ ଘାଟ ପର୍ବତ ଶ୍ରେଣୀକୁ ଏକ ଗଭୀର ଗଣ୍ଡ ସୃଷ୍ଟି କରି ପାପି ହିଲକୁ କାଟି ପୋଲାଭରମ ଠାରେ ସମତଳ ଭୂମିରେ ପ୍ରବେଶ କରିଛି ଓ ଏହାର ପ୍ରସ୍ଥ ବୃଦ୍ଧି ପାଇଛି । ଏଠାରେ ବର୍ତ୍ତମାନ ପୋଲାଭରମ ଜାତୀୟ ଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି ।
ରାଜମହେନ୍ଦ୍ରୀ ଠାରେ ନଦୀର ତ୍ରୀକୋଣ ଭୂମି ଆରମ୍ଭ ହୋଇଛି । ପ୍ରସିଦ୍ଧ ସାର ଆର୍ଥର କଟନ ବ୍ୟାରେଜ ଇଂରେଜ ମାନେ ରାଜମହେନ୍ଦ୍ରୀ ଠାରେ ତିଆର କରି, ତ୍ରୀକୋଣୂମିର ପୂର୍ବ ଓ ପଶ୍ଚିିମ ଗୋଦାବରୀ ଜିଲ୍ଲାକୁ ଜଳସେଚିତ କରି ଯାଇଛନ୍ତି । ପ୍ରଥମେ ଦୁଇ(ଗୌତମୀ ଓ ବଶିଷ୍ଠ ଗୋଦାବରୀ) ଓ ପରେ ଚାରି ଭାଗରେ ବିଭକ୍ତ ହୋଇ କାକିନଡା ଠାରେ ବଙ୍ଗୋପ ସାଗରରେ ପଡିଛି । ତ୍ରିକୋଣ ଭୂମିର ଓସାର ୧୭୦ କିମି ଓଏହା ଭାରତର ଏକ ପ୍ରମୁଖ ଶସ୍ୟ ଉତ୍ପାଦନ କାରୀ ଓ ଘନ ଜନବସତି ପୂର୍ଣ୍ଣ ଅ­ଞ୍ଚଳ (ବର୍ଗ କିମି ପ୍ରତି ୭୨୦ ଜଣ)ା
ଓଡିଶାର ତିନୋଟି ପ୍ରମୁଖ ନଦୀ ରାଜ୍ୟର ୬ ଶତକଡା ଅ­ଞ୍ଚଳର ଜଳ ନିଷ୍କାସନ କରି ଗୋଦାବରୀରେ ମିଶିଛନ୍ତି । ସେମାନେ ହେଲେ କୋଲାବ, ସିଲେରୁ ଓ ଇନ୍ଦ୍ରବତୀ । ସିଲେରୁ ଓ କୋଲାବ ନଦୀ ମିଶିଯାଇ ସାବେରୀ ନାମରେ ଗୋଦାବରୀରେ ମିଶିଛନ୍ତି । ଇନ୍ଦ୍ରାବତୀକୁ ବସ୍ତରର ଲାଇଫ ଲାଇନ ବୋଲି କହିଥାଆନ୍ତି । ଏହି ନଦୀର ଚିତ୍ରକୋଟ ଠାରେ ଏକ ସୁନ୍ଦର ଜଳପ୍ରପାତ ଅଛି, ଯାହା ଆମେରିକାର ନାଏଗ୍ରା ଜଳ ପ୍ରପାତ ସହ ତୁଳନିୟ । ତିନୋଟି ରାଜ୍ୟ (ମହାରାଷ୍ଟ୍ର,ଆନ୍ଧ୍ର ଓ ତେଲଙ୍ଗାନା)ର ମିଳନ ସ୍ଥଳ ଗଡେଚିଓଲି ଠାରେ ଏହାର ସଙ୍ଗମ(ସୋମନୁର ସଙ୍ଗମ) ହୋଇଛି । ଇନ୍ଦ୍ରବତୀରେ ଓଡିଶା ସରକାର ଏକ ବୃହତ ଡ୍ୟାମ (ଅପର ଇନ୍ଦ୍ରାବତୀ) ନିର୍ମାଣ କରି ଗୋଦାବରୀ ଅବବାହିକାର ଜଳ ମହାନଦୀକୁ ପଠଉଛନ୍ତି । କୋଲାବ ନଦୀରେ ବାଗ୍ରା ଜଳପ୍ରପାତ ଓ ଏକ ଜଳ ଭଣ୍ଡାର ନିର୍ମାଣ ହୋଇଛି । ଏହାର ଅନ୍ୟ ଉପନଦୀ ସିଲେରୁ(ମାଛକୁଣ୍ଡ) ରେ ଡୁଡୁମା ଜଳ ପ୍ରପାତ ଅଛି । ବାଲିମେଳା ଜଳ ଭଣ୍ଡାର ଓ ବିଦ୍ୟୁତ ପ୍ରକଳ୍ପ ତିଆରି ହୋଇଛି । ନିମ୍ନାଂଶରେ ଲୋଅର ସିଲେରୁ ପ୍ରକଳ୍ପ ଡଙ୍କରାଇ ଠାରେ ଆନ୍ଧ୍ର ସରକାର ବସାଇଛନ୍ତି ।
ଗୋଦାବରୀ ନଦୀର ଶତକଡା ପ୍ରାୟ ୫୦ ଭାଗ ଜଳ ବ୍ୟବହାର ହେଉଛି । ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ପାଇଁ ଏକ ଟ୍ରିବୁ୍ୟନାଲ କାର୍ଯ୍ୟ କରୁଛି । ଗୋଦାବରୀର ଉଦବୃତ ଜଳକୁ କୃଷ୍ଣା ନଦୀରେ ମିଶାଇ ଜଳସେଚନ କ୍ଷମତା ବୃଦ୍ଧି ପାଇଁ ଜାତୀୟ ନଦୀ ସଂଯୋଗିକରଣ ଯୋଜନା କାର୍ଯ୍ୟକାରି ହୋଇଛି । ପୋଲାଭରମ ଏକ ଜାତୀୟ ପ୍ରକଳ୍ପ । ପ୍ରଥମେ ଓଡିଶା ନିଜର ସମ୍ମତି ଦେଇଥିଲେ ମଧ୍ୟ ପରେ ଏହାକୁ ବିରୋଧ କରି ସୁପ୍ରିମ କୋର୍ଟ ର ଦ୍ୱାରସ୍ଥ ହୋଇଛି ।
ଡାଃ ସୁରେନ୍ଦ୍ର ନାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ନବରଙ୍ଗପୁର, ମୋ:୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *