ହେନ୍ତାଳ ଜଙ୍ଗଲର ସୁରକ୍ଷା ଓ ରାସ୍ତାଘାଟର ବିକାଶ ପାଇଁ ଉଦ୍ୟମ ହେଉ

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ଏହି ଜିଲ୍ଲାରେ ସରକାରୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀତା ଉପରେ ବ୍ୟାପକ ସମୀକ୍ଷା ହେଉନଥିବାରୁ ପ୍ରକୃତ ହିତାଧିକାରୀ ମାନେ ଉପକୃତ ହୋଇ ପାରୁ ନାହଁନ୍ତି । ଯେଉଁଥିପାଇଁ ଜିଲ୍ଲାର ପ୍ରାୟ ୧ଲକ୍ଷ ୨୦ ହଜାର ବେକାର ଶିକ୍ଷିତ ଯୁବକ/ଯୁବତୀ ଦେଶ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ୧୯୬୭ ଓ ୧୯୭୨ ସାମୁଦ୍ରିକ ମହାପ୍ଲାବନରେ ରାଜନଗର, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇର ଅନେକ ଧନ-ଜୀବନ ନଷ୍ଟ ହୋଇଥିବା ବେଳେ ୧୯୮୨ ସାମୁଦ୍ରିକ ଜୁଆରରେ ଉପକୂଳବାସୀଙ୍କର ପ୍ରଭୃତ କ୍ଷୟକ୍ଷତି ହୋଇଥିଲା । ଉପକୂଳବାସୀଙ୍କର ସୁରକ୍ଷା ପାଇଁ ବିଜୁ ପଟ୍ଟନାୟକ ୧୯୭୨ ଏପ୍ରିଲ୍ ୪ରେ ଧାମରା ଠାରୁ ପାରାଦୀପ ପର୍ଯ୍ୟନ୍ତ ବରୁଣେଇ ଦେଇ ବିଶାଳ ପଥର ପନ୍ଧ ନିର୍ମାଣ କରାଇବାକୁ ଘୋଷଣା କରିଥିଲେ । ମାତ୍ର ଏଯାଏ ତାହା ସମ୍ଭବ ହୋଇ ପାରିନାହିଁ । ସୂଚନାଯୋଗ୍ୟ ଯେ, ପ୍ରତି ମୁହୂର୍ତରେ ଧ୍ୱଂସ ପାଇ ଚାଲିଛି ଉପକୂଳ ଝାଉଁଜଙ୍ଗଲ । ୧୯୮୦ ରେ ବରୁଣେଇ ନିକଟସ୍ଥ ଜଗରିଜୋର ଠାରେ ସରକାର ଓ ବିଶ୍ୱବ୍ୟାଙ୍କ୍ର ମିଳିତ ସହାୟତାରେ ବିଶାଳ ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ନଡ଼ିଆ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ମାତ୍ର ଏହି ପ୍ରକଳ୍ପ ବିଫଳ ହୋଇଥିଲା । ପୁନଶ୍ଚ ୧୯୯୪ରେ ସେହି ସ୍ଥାନରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ବାକି ଥିବା ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ଚିଙ୍ଗୁଡ଼ି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ହେଲେ ଅଳ୍ପ କିଛି ବର୍ଷ ପରେ ଏହି ପ୍ରକଳ୍ପ ମଧ୍ୟ ବିଫଳ ହୋଇଥିଲା । ଆଜି ପର୍ଯ୍ୟନ୍ତ ଉକ୍ତ ଦୁଇଟି ପ୍ରକଳ୍ପର ବିଫଳତା ସଂପର୍କରେ କୌଣସି ସମୀକ୍ଷା ହୋଇନାହିଁ । ଅନ୍ୟପକ୍ଷରେ ଜିଲ୍ଲାରେ ରାସ୍ତାଘାଟ ସମସ୍ୟା ଗମ୍ଭୀର ରହିଛି । ଆଜି ମଧ୍ୟ ବିଭିନ୍ନ ଗାଁ, ପଂଚାୟତ ଓ ବ୍ଲକ୍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ବହୁ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ । ୨୦ ରୁ ଉଦ୍ଧ୍ୱର୍ ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଏପରିକି ୧୮ ବର୍ଷ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ମହାକାଳପଡ଼ା ବ୍ଲକ୍ର ବିଜୟନଗର ନଦୀ ସେତୁ ସଂପୂର୍ଣ୍ଣ ହୋଇପାରି ନାହିଁ । ଯଦ୍ୱାରା ଉକ୍ତ ବ୍ଲକ୍ର ଗୋଗୁଆ, ବଡ଼ିହି, ବଳିପାଳ, ଦେଉଳିପଡ଼ା, ବିଜୟନଗର ଆଦି ୧୦ଟି ପଂଚାୟତର ହଜାର ହଜାର ଲୋକେ ନିଜ ବ୍ଲକ୍ ସଦର ମହକୁମାରେ ପହଂଚିବାରେ ନାନା ଅସୁବିଧାର ସନ୍ମୁଖିନ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୂପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଏନ୍ଏସ୍ । ଆଇଏନ୍ଏସ୍ ।

Leave a Reply

Your email address will not be published. Required fields are marked *