ଗୁହେଶ୍ୱରୀ ଶକ୍ତିପୀଠ, ନେପାଳ

ଭାରତୀୟ ଉପମହାଦେଶରେ ରହିଥିବା ମାତା ଶକ୍ତିଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ ନେପାଳର ମହାମାୟା ଶକ୍ତି ପୀଠ ଅନ୍ୟତମ । ଏହି ଶକ୍ତିପୀଠକୁ ମଧ୍ୟ ଗୁହେଶ୍ୱରୀ ଶକ୍ତିପୀଠ କୁହାଯାଇଥାଏ । ଭଗବାନ ପଶୁପତିନାଥ ମନ୍ଦିର ଠାରୁ ଅଳ୍ପ ଦୂରରେ ବାଗମତୀ ନଦୀର ଅପର ପାଶ୍ୱର୍ରେ ଅବସ୍ଥିତ ଏହି ମନ୍ଦିରରେ ବିରାଜିତା ଦେବୀ ଗୁହେଶ୍ୱରୀ ନେପାଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଆନ୍ତି । ଏହି ଶକ୍ତିପୀଠର ଶକ୍ତି ‘ମହାମାୟା’ ଓ ଶିବ ‘କପାଳ’ ଭାବେ ପୂଜା ପାଆନ୍ତି । ଏହି ଶକ୍ତିପୀଠରେ ମାତା ସତୀଙ୍କର ‘ସନ୍ଧିସ୍ଥଳ ଖଣ୍ଡ’ ପଡ଼ିଥିଲା । ଏହି ମନ୍ଦିରର ବିଶେଷତ୍ୱ ହେଉଛି, ତନ୍ତ୍ର ସାଧନା । ଏଥିଯୋଗୁ ଏଠାକୁ ଆସୁଥିବା ଲୋକ ମାନଙ୍କ ମଧ୍ୟରେ ତାନ୍ତ୍ରିକ ମାନଙ୍କ ସଂଖ୍ୟା ବହୁ ଅଧିକ ।
ଗୁହେଶ୍ୱରୀ ଶକ୍ତିପୀଠ ପ୍ରାୟ ୨୫ ଶହ ବର୍ଷ ତଳର ପୁରୁଣା । ଗୁହେଶ୍ୱରୀ ଶକ୍ତିପୀଠ ବା ମହାମାୟା ମନ୍ଦିର କାଠମାଣ୍ଡୁରେ ଥିବା ୟୁନେସ୍କୋର ବିଶ୍ୱ ହେରିଟେଜ୍ ର ୱେବ୍ ସାଇଟ୍ ରେ ମଧ୍ୟ ସ୍ଥାନ ପାଇଛି ।
ଏଠାରେ ଶକ୍ତିପୀଠ ସ୍ଥାପନ ହେବା ପରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୭ଶ ଶତାବ୍ଦୀରେ ରାଜା ପ୍ରତାପ ମଲ୍ଲା ଏହି ମନ୍ଦିରର ନିର୍ମାଣ କରାଇଥିଲେ । ଏହା ପରେ କାନ୍ତିପୁରର ନବମ ରାଜା ପଗୋଡ଼ା ଢଙ୍ଗରେ ନିର୍ମିତ ଏହି ମନ୍ଦିରର ପୁନଃଉଦ୍ଧାର କରିଥିଲେ ।
ପ୍ରତିବର୍ଷ ଏଠାରେ ଧୂମଧାମରେ ନବରାତ୍ର ଉତ୍ସବ ପାଳନ ହୋଇଥାଏ । ଏହି ଅବସରରେ ବିରାଟ ମେଳା ବସେ । ଏହି ସମୟରେ ଭାରତ, ଭୁଟାନÿ ସହିତ ଅନ୍ୟାନ୍ୟ ଦେଶ ଗୁଡ଼ିକରୁ ବହୁ ଶ୍ରଦ୍ଧାଳୁ ଏହି ଶକ୍ତିପୀଠକୁ ମାତାଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଶକ୍ତିପୀଠର କର୍ମକର୍ତ୍ତା ମାନେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ସୁବିଧାରେ ଦର୍ଶନ କରିବାର ଦାୟୀତ୍ୱ ନେଇଥାନ୍ତି ।
ପଶୁପତିନାଥ ମନ୍ଦିରରୁ ‘ମହାମାୟା’ ଶକ୍ତିପୀଠକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ମନ୍ଦିର ସମିତିର ଗୋଟିଏ ସ୍ୱଂୟସେବକ ଦଳ କାର୍ଯ୍ୟ କରିଥାନ୍ତି । ମହାଷ୍ଟମୀର ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ ଉକ୍ତ ସ୍ୱଂୟସେବକ ଦଳ ଦ୍ୱାରା କରାଯାଇ ଥାଏ । ମୁଖ୍ୟତଃ ପ୍ରତିବର୍ଷ ପଶୁପତିନାଥଙ୍କ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଅଧିକାଂଶ ଏହି ଶକ୍ତିପୀଠକୁ ମାତାଙ୍କ ଦର୍ଶନ କରିବାକୁ ଆସନ୍ତି । ଏକ ଆଳନରୁ ଜଣା ପଡ଼ିଛି ଯେ, ପ୍ରତିବର୍ଷ କେବଳ ଭାରତରୁ ପ୍ରାୟ ୬ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ପଶୁପତିନାଥଙ୍କ ମନ୍ଦିର ତଥା ଗୃହେଶ୍ୱରୀ ଶକ୍ତିପୀଠକୁ ଆସନ୍ତି ।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସରଂଚନା ପାଇଁ ଭଗବାନ ବ୍ରହ୍ମା, ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିଙ୍କୁ ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମା’ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିଦେ୍ର୍ଦଶରେ ମା’ ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମା’ଶକ୍ତି ମାନବ ରୂପରେ ଜନ୍ମ ନେଲେ । ଏହା ପଛରେ ବ୍ରହ୍ମାଙ୍କର ଉଦେ୍ଦଶ୍ୟ ଥିଲା ଯେ, ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଂରଚନା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମକରଣ କରିଥିଲେ ସତୀ । ମାତ୍ର କୌଣସି ପ୍ରକାର ମାତା ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଏହା ଜାଣିପାରି ଦକ୍ଷଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ ଠାରେ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କଲେ ନାହିଁ । ବାପା ଦକ୍ଷ କିଛି ଆଦର ଗଉର ନକରି ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ସେହିକ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରି ନପାରି ମାତା ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଞ୍ଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏହାଦ୍ୱାରା ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହୋଇ ଉଠିଲା । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଏହାର ସମାଧାନ ବା ଭଗବାନ ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧ୍ୱଂସଲୀଳା ବନ୍ଦ କରି ବ୍ରହ୍ମାଣ୍ଡରେ ଶାନ୍ତି ସ୍ଥାପନ ପାଇଁ ଭଗବାନ ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଅନୁଭବ କଲେ ଯେ, ଯେପର୍ଯ୍ୟନ୍ତ ଭଗବାନ ଶିବଙ୍କ ହସ୍ତରୁ ମାତା ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଭଗବାନ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧ୍ୱଂସାଭିମୁଖିରୁ ବର୍ତ୍ତିବ ନାହିଁ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଭଗବାନ ଶିବ ଧରିଥିବା ମାତା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ।
କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା । ଦୁଃଖରେ ମି୍ରୟମାଣ ଭଗବାନ ଶିବ ସତୀଙ୍କ ବିଖଣ୍ଡିତ ଅଙ୍ଗ ଖୋଜିବା ଆରମ୍ଭ କଲେ । ଏଥିରେ ସହାୟତା କଲେ ଭଗବାନ ଭୈରବ । ସର୍ବ ଶେଷରେ ମାତା ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସମେତ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
   ଶରତ କୁମାର ରାଉତ, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.