ଶ୍ରୀ ଶୈଲ ଶକ୍ତିପୀଠ, ହାଇଦ୍ରାବାଦ୍

ଶ୍ରୀ ଶୈଲ ଶକ୍ତିପୀଠ ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ ଭାବରେ ପରିଚିତ । ଏହି ଶକ୍ତିପୀଠ ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ୍ ସହର ଠାରୁ ୨୫୦ କିଲୋମିଟର ଦୂର କୁର୍ନୂଲ୍ ପାଖରେ ଅବସ୍ଥିତ । ଏହି ଶକ୍ତିପୀଠ ବା ମନ୍ଦିରକୁ ଦକ୍ଷିଣାଞ୍ଚଳର “କୈଳାସ” ଏବଂ “ବ୍ରହ୍ମଗିରି” ମଧ୍ୟ କୁହାଯାଏ । ଶ୍ରୀ ଶୈଲ ଶକ୍ତିପୀଠ ସହିତ ଭଗବାନ ଶିବଙ୍କର ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ମଧ୍ୟ ଏଠାରେ ଅବସ୍ଥିତ । ଏହି ମନ୍ଦିର ଠାରୁ ପ୍ରାୟ ୭ କିଲୋମିଟର ଦୂରରେ “ଭ୍ରମରାମ୍ବା” ଦେବୀଙ୍କ ମନ୍ଦିର ଅବସ୍ଥିତ, ଯାହା ଶକ୍ତିପୀଠ ଭାବରେ ଜଣାଶୁଣା ।
ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ଏହା ଅନ୍ୟତମ । ଏହି ମନ୍ଦିରରେ ଶକ୍ତିଙ୍କୁ “ମହାଲକ୍ଷ୍ମୀ” ରୂପରେ ପୂଜା କରାଯାଏ ଓ ଭୈରବଙ୍କୁ “ଶମ୍ବରାନନ୍ଦ” ତଥା “ଈଶ୍ୱରନନ୍ଦ” ରୂପରେ ପୂଜା କରାଯାଏ ।
ପୁରାଣ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥିଲେ । ମାତା ସତୀ ଏହା ଜାଣି ସଙ୍ଗେ ସଙ୍ଗେ ନିଜ ପିତାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ । ନିଜ ଝିଅ ଓ ଜ୍ୱାଇଁଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ କାହିଁକି ନିମନ୍ତ୍ରଣ କରା ଯାଇନାହିଁ ବୋଲି ମା’ସତୀ ଦୃଢତାର ସହ ନିଜ ପିତା ଦକ୍ଷରାଜଙ୍କୁ ପଚାରିଲେ । ମାତ୍ର ଦକ୍ଷରାଜ ନିଜ ଝିଅ ମାତା ସତୀଙ୍କୁ ସାନ୍ତ୍ୱନା ଦେବା ବଦଳରେ ଭଗବାନ ଶିବ ଓ ମା’ସତୀଙ୍କୁ ଗାଳିଗୁଲଜ କଲେ । ଏଥିରେ ମା’ସତୀ ଦୁଃଖରେ ଭାଙ୍ଗି ପଡ଼ିଲେ । ନିଜର କୋହ ନିୟନ୍ତ୍ରଣ କରି ପାରିଲେ ନାହିଁ । ଶେଷକୁ ଅତି ଦୁଃଖରେ ମା’ସତୀ ପିତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ ।
ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସଙ୍ଗେ ସଙ୍ଗେ ଯଜ୍ଞ ସ୍ଥଳରେ ପହଂଚିଲେ । କାଳ ବିଳମ୍ବ ନକରି ଭଗବାନ ଶିବ ଦୁଃଖରେ ମି୍ରୟମାଣ ହୋଇ ମା’ସତୀଙ୍କ ମର ଶରୀର ନିଜ ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ସମସ୍ୟା ଜଟିଳ ହେବାରୁ ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଏହି ଘଟଣାକୁ ଆୟତ୍ତରେ ଆଣିବାକୁ ବିଭିନ୍ନ ଉପାୟ ଚିନ୍ତା କରିବାକୁ ଲାଗିଲେ । କିଛି ସମୟ ପରେ ଭଗବାନ ବିଷ୍ଣୁଙ୍କୁ ଭଲ ଉପାୟଟି ମିଳିଗଲା । ସେହି ଅନୁସାରେ, ଭଗବାନ ଶିବ ଧରିଥିବା ମାତା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ଦ୍ୱାରା ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପ ମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା । ସର୍ବ ଶେଷରେ ମା’ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ହାଇଦ୍ରାବାଦର “ଶ୍ରୀ ଶୈଲ ଶକ୍ତିପୀଠ” ଅନ୍ୟତମ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ସ୍ଥାନରେ ମାତା “ଭ୍ରମରାମ୍ବା”ଙ୍କ ଶକ୍ତିପୀଠ ରହିଛି, ସେଠାରେ ମାତା ସତୀଙ୍କର ‘ବେକ ଖଣ୍ଡ’ ପଡ଼ିଥିଲା । “ଶ୍ରୀ ଶୈଲ ଶକ୍ତିପୀଠ” ରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଇଥାଏ । ମୁଖ୍ୟତଃ ନବରାତ୍ର ଉତ୍ସବ ବେଳେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ । ଏଥି ସହିତ ନବରାତ୍ର ଉତ୍ସବ ବେଳେ କେତେକ ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନଙ୍କ ପାଖରେ ସମର୍ପଣ ଭାବରେ ବ୍ରତ ଉପବାସ (ଭୋଜନ କରନ୍ତି ନାହିଁ) କରିଥାନ୍ତି । ଏହି ଉତ୍ସବ ଅବସରରେ ମନ୍ଦିରକୁ ବିଭିନ୍ନ ଫୁଲ ଓ ଆଲୋକମାଳାରେ ସଜା ଯାଇଥାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ମନ-ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ ।
ଯେଉଁ ଭକ୍ତ ଏହି ଶକ୍ତିପୀଠକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ଏହି ଶକ୍ତିପୀଠ ପ୍ରତ୍ୟକ୍ଷ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।
ବର୍ଷର ସବୁ ସମୟରେ ଏହି ଶକ୍ତିପୀଠରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗି ରହିଥାଏ । “ଭ୍ରମରାମ୍ବା”ଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’“ଭ୍ରମରାମ୍ବା”ଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ଏହି ଶକ୍ତିପୀଠ ପ୍ରତିଦିନ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରୁହେ ।
ଶ୍ରୀ ଶୈଲ ଶକ୍ତିପୀଠରେ କେମିତି ପହଞ୍ଚିବେ:-
୧) ଆକାଶ ପଥ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଏୟାର ପୋର୍ଟରେ ପହଂଚିବା ପରେ ସେଠାରୁ ୧୯୯ କି.ମି. ଦୂରରେ ଶ୍ରୀ ଶୈଲ ଶକ୍ତିପୀଠ ଅବସ୍ଥିତ ।
୨) ମାର୍କପୁର ରେଳଷ୍ଟେସନ ଠାରୁ ପ୍ରାୟ ୮୦ କି.ମି.ସଡ଼କ ରାସ୍ତାରେ ଶ୍ରୀ ଶୈଲ ଶକ୍ତିପୀଠ ଅବସ୍ଥିତ ।
        ଶରତ କୁମାର ରାଉତ,  ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

 

Leave a Reply

Your email address will not be published. Required fields are marked *