Jungle Surakhya Pain Sarakaranka Aantarikata Aabasyaka

ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତା ଆବଶ୍ୟକ

ଭୁବନେଶ୍ୱର, (ଓଏନ୍ଏସ୍): କ୍ରମେ ଓଡ଼ିଶାରେ ଜଙ୍ଗଲ ଧ୍ୱଂସ ପାଇ ଚାଲିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଡ଼େରାଡ଼ୁନ୍ଠାରେ ଥିବା ଭାରତୀୟ ବନ ସର୍ଭେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆଗାମୀ ୨୦ବର୍ଷ ମଧ୍ୟରେ ରାଜ୍ୟରେ ସବୁତକ ଜଙ୍ଗଲ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ୧୯୮୧ ମସିହାରେ ରାଜ୍ୟରେ ପ୍ରାୟ ୫୯୯୬୩ ବର୍ଗ କିଲୋମିଟର ଅଂଚଳ ଜଙ୍ଗଲ ପରିବେଷ୍ଟିତ ଥିଲା । ସେତେବେଳେ ଏହା ରାଜ୍ୟର ଭୌଗୋଳିକ ପରିସୀମାର ୩୮ ଭାଗ ଥିବାବେଳେ ଭାରତ ବର୍ଷର ମୋଟ ଜଙ୍ଗଲ ପରିମାଣର ୮ଭାଗ ଥିଲା । ହେଲେ୧୯୯୭ ସୁଦ୍ଧା ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ଜଙ୍ଗଲ ପରିମାଣ ୫୮୧୩୫.୪୭ ବର୍ଗ କି.ମି.କୁ ଖସି ଆସିଥିଲା । ଏଥିମଧ୍ୟରେ ଚିହ୍ନଟ ସଂରକ୍ଷିତ ଜଙ୍ଗଲ, ଅଣ ଚିହ୍ନଟ ଜଙ୍ଗଲ, ଅଣ ଶ୍ରେଣୀଭୁକ୍ତ ଏବଂ ଅନ୍ୟାନ୍ୟ ଜଙ୍ଗଲ ପରିଣାମ ଯଥାକ୍ରମେ ୨୬୨୩୯.୧୬ବର୍ଗ କି.ମି., ୧୧୬୮୫.୬୮ ବର୍ଗ କି.ମି., ୩୮୩୮.୭୮ ବର୍ଗ କି.ମି. ଓ୧୬୨୬୧.୩୪ ବର୍ଗ କି.ମି. ରହିଥିଲା । ବର୍ତମାନ ରାଜ୍ୟରେ ପ୍ରାୟ ୪୫ ହଜାର ବର୍ଗ କି.ମି. ଜଙ୍ଗଲ ରହିଥିବା କୁହାଯାଉଛି । ମାତ୍ର ଜଙ୍ଗଲ ପରିମାଣକୁ ନେଇ ବିଭିନ୍ନ ସମୟରେ ଭାରତୀୟ ବନ ସଂରକ୍ଷଣ ସଂସ୍ଥାର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ରିପୋର୍ଟରେ ତାରତମ୍ୟ ରହୁଛି । ବାସ୍ତବତା ଦେଖାଗଲେ, ବର୍ତମାନ ଓଡ଼ିଶାରେ ୩୦ହଜାର ବର୍ଗ କି.ମି. ଜଙ୍ଗଲ ଥିବାନେଇ ସନେ୍ଦହ ରହିଛି । ପ୍ରତିବର୍ଷ ରାଜ୍ୟରେ ୭୦୦ରୁ ୯୦୦ ବର୍ଗ କି.ମି. ଆୟତନର ଜଙ୍ଗଲ ଧ୍ୱଂସ ପାଉଛି । ଏଥିରେ ଅବିଭାଜିତ କୋରାପୁଟ ଜିଲ୍ଲା ବହୁ ଆଗରେ ରହିଛି । ଉପକୂଳବର୍ତୀ ଅଂଚଳରେ ଲୁଣା ଜଙ୍ଗଲ ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇ ସାରିଛି । ୧୯୯୯ ମହାବାତ୍ୟାରେ ୭୫ ଭାଗ ଲୁଣା ଜଙ୍ଗଲ ଧ୍ୱଂସ ପାଇଥିଲା । ଓଡ଼ିଶାର ଜଙ୍ଗଲ ଇତିହାସକୁ ଖେଳେଇଲେ, ଅନେକ ତଥ୍ୟ ସାମ୍ନାକୁ ଆସିବ । ସ୍ୱାଧୀନତା ବେଳେ ୧୭ଟି ଟେରିଟୋରିଆଲ୍ ଡ଼ିଭିଜନ୍ ଥିବା ଓଡ଼ିଶାର ଜଙ୍ଗଲ ବିଭାଗ ଜଣେ ପ୍ରିନ୍ସପାଲ୍ ବନ ସଂରକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ସେତେବେଳେ ଜଙ୍ଗଲ ମାଫିଆମାନେ ସକି୍ରୟ ହୋଇ ଉଠିଥିଲେ ଓ ଦ୍ରୂତ ଗତିରେ ଜଙ୍ଗଲ ଧ୍ୱଂସ ପାଇ ଚାଲିଲା । ଜଙ୍ଗଲ ଧ୍ୱଂସ ଆଶଙ୍କାରେ ରାଜ୍ୟ ସରକାର ୧୯୬୨ରେ ୭ଟି ଆଫୋର୍ଷ୍ଟେସନ୍ ଡ଼ିଭିଜନ୍ ଖୋଲିଲେ । ଅର୍ଥାତ୍ ଏହା ମାଧ୍ୟମରେ ଜଙ୍ଗଲ ଧ୍ୱଂସକୁ ରୋଗାଯାଇପାରିବ ଓ ଜଙ୍ଗଲ ପୁନରୁଦ୍ଧାର ହୋଇ ପାରିବ ବୋଲି ଲକ୍ଷ୍ୟ ରଖାଗଲା । କିନ୍ତୁ ଜଙ୍ଗଲ ଧ୍ୱଂସ ଅବ୍ୟାହତ ରହିଲା ଓ ୧୯୭୩ରେ ରାଜ୍ୟ ସରକାର କେନ୍ଦୁପତ୍ରକୁ ସ୍ୱତନ୍ତ୍ର ବିଭାଗରେ ପରିଣତ କଲେ ଓ ଏଥିପାଇଁ ରାଜ୍ୟରେ ୧୨ଟି ଡ଼ିଭିଜନ୍ ଖୋଲାଗଲା । ଆଶ୍ଚର୍ଯ୍ୟର କଥା ଯେ, ଜଙ୍ଗଲ ବିଭାଗକୁ ଭାଗଭାଗ କରାଯାଇ ଅଧିକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସତ୍ୱେ ଜଙ୍ଗଲ ଧ୍ୱଂସ ଅବ୍ୟାହତ ରହିଲା । କ୍ରମେ ରାଜ୍ୟବାସୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଲା । ପରିବେଶ ପ୍ରଦୂଷିତ ହେବାରେ ଲାଗିଲା । ବର୍ଷକୁ ବର୍ଷ ତାପମାତ୍ରା ବଢିଲା । ଭବିଷ୍ୟତରେ ଭୟାବହତାର ଆଶଙ୍କା କରାଗଲା । ଆଉ ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ନିମନ୍ତେ କୌଣସି ସନ୍ତୋଷ ଜନକ ପଦକ୍ଷେପ ନେଇ ପାରୁ ନଥିବାବେଳେ ୧୯୮୪ରେ ସୁଇଡ଼େନ୍ ସରକାର ରାଜ୍ୟରେ ଆରମ୍ଭ କଲା, “ସାମାଜିକ ବନ୍ୟ ପ୍ରକଳ୍ପ” କାର୍ଯ୍ୟକ୍ରମ ।
ଜଣେ ପ୍ରିନ୍ସପାଲ୍ ସିସିଏଫ୍ଙ୍କ ଦ୍ୱାରା ଜଙ୍ଗଲ ବିଭାଗ ପରିଚାଳିତ ହେଲେ ମଧ୍ୟ ଭିନ୍ନ ଭିନ୍ନ ଜଙ୍ଗଲ ସଂପଦକୁ ଅଲଗା ଅଲଗା କରାଯିବା ଦ୍ୱାରା ଜଙ୍ଗଲ ରକ୍ଷା ପାଇବା ସହ ଜଙ୍ଗଲ ସଂପଦର ସୁରକ୍ଷା ହୋଇ ପାରିବ ବୋଲି ଲକ୍ଷ୍ୟ ରଖା ଯାଇଥିଲା । ମାତ୍ର ଆଜି ସରକାର ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବାରେ ବିଫଳ ହୋଇଛନ୍ତି । ଜଙ୍ଗଲ କ୍ଷୟ ଅବ୍ୟାହତ ଥିବାବେଳେ ସାମାଜିକ ବନ୍ୟ ପ୍ରକଳ୍ପ ବିଫଳ ହୋଇଛି । ଜଙ୍ଗଲ ସଂପଦ ଉତ୍ପାଦନ ହ୍ରାସ ପାଇଛି ଓ ଜଙ୍ଗଲ ମାଫିଆ ତଥା କର୍ମଚାରୀଙ୍କ ଦ୍ୱାରା ମୂଲ୍ୟବାନ୍ ଜଙ୍ଗଲ ସଂପଦ ଆଖିବୁଜା ଲୁଟ୍ ହେଉଛି ଏବଂ ବହୁ ସଂଖ୍ୟାରେ ଜଙ୍ଗଲ ପ୍ରାଣୀ ଅକାଳ ମୃତୁ୍ୟ ବରଣ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଧଳା ହରିଣ, କଇଁଛ, କୂମ୍ଭୀର ଓ ବାର୍ହାଙ୍କର ସୁରକ୍ଷା ଓ ସେମାନଙ୍କର ବଂଶ ବୃଦ୍ଦି ପାଇଁ ରାଜନଗର ୱାଇଲ୍ଡ଼ ଲାଇଫ୍ ଡ଼ିଭିଜନ୍ ଖୋଲାଯାଇ ଥିବାବେଳେ ଟାଇଗର୍ ପ୍ରକଳ୍ପ ପାଇଁ ସିମିଳିପାଳ ଅଭୟାରଣ୍ୟ ବା ୱାଇଲ୍ଡ଼ ଲାଇଫ୍ ଡ଼ିଭିଜନ୍ ତଥା ହାତୀ, ବାଘ,ଗୟଳ, ସମ୍ବର ଆଦି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାଜ୍ୟରେ ୧୮ଟି ଅଭୟାରଣ୍ୟ ଓ ୨ଟି ଜାତୀୟ ଉଦ୍ୟାନ ପ୍ରାୟ ୬୬୭୭.୫୦ବର୍ଗ କି.ମି. ଅଂଚଳରେ ପ୍ରତିଷ୍ଠା କରାଯାଇଥିଲା । ବିଭାଗୀୟ ଅବହେଳା ଓ ସୁରକ୍ଷା ଅଭାବରୁ ଅକାଳ ହାତୀ ମୃତୁ୍ୟ ଘଟଣା ବଢିଚାଲିଛି । ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ସାମୁଦି୍ରକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ପରିଚାଳନାରେ ବ୍ୟାପକ ତୃଟି ରହୁଥିବାରୁ କୂମ୍ଭୀର, ଅଲିଭ୍ ରିଡ଼୍ଲେ କଇଁଛ, ବିଦେଶୀ ପକ୍ଷୀ, ବାର୍ହା ଓ ଧଳା ହରିଣ ଆଦି ଜୀବଜନ୍ତୁ ତଥା ସରୀସୃପ ଅସୁରକ୍ଷା ବଳୟ ଭିତରେ ରହୁଛନ୍ତି । କଇଁଛ ଅଣ୍ଡାଦାନ ପ୍ରକି୍ରୟାରେ ବାଧା ସୃଷ୍ଟି ଯୋଗୁ କ୍ରମେ ଏଠାକୁ ଆସୁଥିବା କଇଁଛଙ୍କ ସଂଖ୍ୟା ହ୍ରାସ ପାଉଛି । ଜଙ୍ଗଲ ସୁରକ୍ଷା ଓ କୃର୍ତିମ ଜଙ୍ଗଲ ସୃଷ୍ଟି ପାଇଁ ସରକାର ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଉଛନ୍ତି । ଗତ ୨ବର୍ଷ ମଧ୍ୟରେ ବିଭିନ୍ନ ଅଂଚଳରେ କୃର୍ତିମ ଜଙ୍ଗଲ ସୃଷ୍ଟି ପାଇଁ ପ୍ରାୟ ୫୦ହଜାର ହେକ୍ଟର ଅଂଚଳରେ ବୃକ୍ଷରୋପଣ କରା ଯାଇଥିବା ବେଳେ ୪୦ହଜାର ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର, ୫ହଜାର ହେକ୍ଟର ବେଳାଭୂମିରେ ଝାଉଁ ବୃକ୍ଷ ରୋପଣ ଓ ବ୍ୟକ୍ତିବିଶେଷଙ୍କ ବାଡ଼ି ବଗିଚାରେ ବୃକ୍ଷ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି । କିନ୍ତୁ ଜଙ୍ଗଲ ସୁରକ୍ଷା ଓ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ସରକାରଙ୍କର ବିଭିନ୍ନ ପଦକ୍ଷେପର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯେହେତୁ କେତେକ କାର୍ଯ୍ୟକ୍ରମ ଖାତାପତ୍ର ବା ଘୋଷଣାରେ ସୀମିତ ରହିଥିବାବେଳେ ଆଉ କେତେକ କାର୍ଯ୍ୟକାରୀତାରେ ଅନିୟମିତତା ରହିଛି । ସରକାର ଆନ୍ତରିକତାର ସହ ଏଥିପ୍ରତି ଦୃଷ୍ଟି ଦେବା ଉଚିତ । ଏବେ ଜଙ୍ଗଲ ସଂପଦରୁ ରାଜ୍ୟ ସରକାରଙ୍କର ଆୟ ଧାର୍ଯ୍ୟଲକ୍ଷ୍ୟରୁ ବହୁ କମ୍ ରହୁଛି । ସରକାର ଦୃଷ୍ଟି ଦେଲେ, ରାଜ୍ୟରେ କେନ୍ଦୁପତ୍ରରୁ ବର୍ଷକୁ ଅତିରିକ୍ତ୨୦୦କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇ ପାରନ୍ତା ।

Leave a Reply

Your email address will not be published. Required fields are marked *