ଓଡ଼ିଶାରେ ବିଜେପିର ଶକ୍ତି କ୍ଷୀଣ ହେଉଛି କି!

ଓଡ଼ିଶାରେ ବିଜେପିର ଶକ୍ତି କ୍ଷୀଣ ହେଉଛି କି!
ଶରତ କୁମାର ରାଉତ
ଓଡ଼ିଶାରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଫଳ ନେଇ ମୁଖ୍ୟତଃ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ଏହା ବିଜେପି ପାଇଁ ଘୋର ଚିନ୍ତାର ବିଷୟ ହୋଇଛି । ଏଥିନେଇ ବିଜେପି ସମର୍ଥକ ମାନଙ୍କ ମନରେ ନିରାଶାର ଭାବ ଖେଳି ଯାଇଛି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡ଼ି ୪୭୬ ଜିଲ୍ଲାପରିଷଦ ଆସନ ଅକ୍ତିଆର କରି ଥିଲାବେଳେ ୨୦୨୨ରେ ୭୬୫ ଆସନ ଅକ୍ତିଆର କରି ଓଡ଼ିଶାବାସୀଙ୍କୁ ଚମକାଇ ଦେଇଛି । ବିଜେପି ୨୦୧୭ ରେ ୨୯୭ ଆସନ ଅକ୍ତିଆର କରି ଥିବାବେଳେ ୨୦୨୨ରେ ମାତ୍ର ୪୨ ଟି ଆସନ ପାଇବାକୁ ସମର୍ଥ ହୋଇଛି । ସେହିପରି କଂଗ୍ରେସ ୨୦୧୭ରେ ୬୦ ଆସନ ଅକ୍ତିଆର କରି ଥିବାବେଳେ ୨୦୨୨ରେ ମାତ୍ର ୩୭ ଆସନରେ ସୀମିତ ରହିଛ । ଏପରିକି ବିଜେପି ଏବଂ କଂଗ୍ରେସ ରାଜ୍ୟରେ ଗୋଟିଏ ବି ପରିଷଦ ଗଠନ କରିବାର ଆଶଙ୍କା ପ୍ରାୟ ନାହିଁ । ବିଜେପିର ଏଭଳି ଶୋଚନୀୟ ଅବସ୍ଥା ହେବ ବୋଲି କେହି ଭାବିନଥିଲେ । ମାତ୍ର ଏହା ହିଁ ସତ୍ୟ । ତେବେ ବିଜେପି ଅଧିକାଂଶ ରାଜ୍ୟରେ ବିଭିନ୍ନ ନିର୍ବାଚନରେ ଖୁବ୍ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାରେ କାହିଁକି ବିଫଳ ହେଉଛି?…..
୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ବିଜେପିର ୮ଜଣ ଲୋକସଭାକୁ ଯାଇଛନ୍ତି । ପ୍ରଥମେ ୨ଜଣ ଓଡ଼ିଆ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ (ଧର୍ମେନ୍ଦ୍ର ପ୍ରଧାନ, ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ) ଏବଂ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ମାତ୍ର କିଛି ମାସ ତଳେ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରାଯାଇ ତାଙ୍କ ସ୍ଥାନରେ ବିଶେଶ୍ୱର ଟୁଡ଼ୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଛି । ଏହା ଦ୍ୱାରା ଓଡ଼ିଶାରେ ଭାଜପାର ସ୍ଥିତି କେତେ ମଜଭୁତ ହେବ, ତାହା ଭବିଷ୍ୟତ କହିବ । ବାସ୍ତବତା ଦେଖାଗଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଶବାସୀଙ୍କୁ ମୁଗ୍ଧ କରିଛି । ରାଜ୍ୟର କିଛି ମତଦାତା ଭିତିରିଆ ବିଜେପି ସମର୍ଥକ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ପ୍ରକାଶ କରୁଛନ୍ତି । କିନ୍ତୁ ୨୦୧୯ ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଫଳ ହୋଇପାରିଲା ନାହିଁ । ମୋଦିଙ୍କ ହାୱା ସତ୍ୱେ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି କାହିଁକି ବିଫଳ ହେଲା, ସେଥିନେଇ ବିଜେପି ସମର୍ଥକ ମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଓଡ଼ିଶା ବିଜେପି କ୍ଷମତା ଦଖଲ ପାଇଁ କ’ଣ ସେଭଳି ଉଦ୍ୟମ କରୁନାହିଁ?…. ବିଜେପି ଅନେକ ବିକାଶ ମୂଳକ କାର୍ଯ୍ୟ କରିବା ସହ ବହୁ ଉନ୍ନୟନ ଯୋଜନା ହାତକୁ ନେଇଥିଲେ ହେଁ ମତଦାତା ମାନେ କାହିଁକି ବିଜେପିକୁ ପ୍ରତ୍ୟାଖାନ କରୁଛନ୍ତି?….
ଦେଶର ପ୍ରାୟ ୩୦ ଭାଗ ଖଣିଜ ସଂପଦ ଓଡ଼ିଶାରେ ରହିଛି । ଖଣିଜ ସଂପଦ ପାଇଁ ଆମ ଦେଶ ଓ ବିଦେଶ ଆମ ରାଜ୍ୟ ଉପରେ ନିର୍ଭର କରନ୍ତି । ଓଡ଼ିଶାରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍‌଼ଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ସେହିପରି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଦାରିଦ୍ର‌୍ୟର ଉତ୍ପାତ ବେଶୀ । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ଶିଶୁ ଓ ମାତୃ ମୃତ୍ୟୁହାର ସର୍ବାଧିକ ଇତ୍ୟାଦି । ନବୀନ ବାବୁ ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ଲଗାତାର ପ୍ରାୟ ୨୨ ବର୍ଷ ଧରି ଓଡ଼ିଶା ଶାସନ କରି ଆସୁଛନ୍ତି । ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶାରେ କେତେ ବିକାଶ ହୋଇଛି?…..
ହୁଏତ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ରାଜ୍ୟର ବିକାଶ ଆଶାନୁରୂପ ଆଗେଇ ପାରୁନାହିଁ । ଓଡ଼ିଶାର ଗରିବ ଲୋକମାନଙ୍କର ଜୀବନ ଯନ୍ତ୍ରଣାକୁ ପ୍ରଶାସନ ହୁଏତ ବୁଝି ପାରୁନାହିଁ । ଗରିବ ଲୋକର ଉନ୍ନତି ପାଇଁ ସେମିତି କିଛି ସଶକ୍ତ ଯୋଜନା କରାଯାଉ ନାହିଁ କି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଠିକ୍ ଭାବେ ଲୋକଙ୍କ ପାଖରେ ପହଂଚାଉ ନଥିବା ବାରମ୍ବାର ଅଭିଯୋଗ ହେଉଛି । ଖଣି, ପାଣି, କୋଇଲା ମହାଦୁର୍ନୀତି ଓ ଚିଟଫଣ୍ଡ ଠକେଇ, ଦାନ ମାଝୀ, ନଗଡ଼ା, ମାଲକାନଗିରି ଓ କଟକ ଶିଶୁ ମୃତ୍ୟୁ ଘଟଣା ଓଡ଼ିଶାର ଭାବମୂର୍ତିରେ ଆଂଚ ଆଣିଥିବା କୁଯାଇପାରେ । ଓଡ଼ିଶାର ବିକାଶ କେମିତି ଚାଲିଛି, ଏସବୁ ତା’ର ଉଦାହରଣ ମାତ୍ର । ସାତ ବର୍ଷ ତଳେ ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଶାସନ ଦାୟିତ୍ୱ ନେବା ପରଠାରୁ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଦୃଷ୍ଟି ଦେବା ଆରମ୍ଭ କରିଥିଲେ । ଉପା ସରକାର ତୁଳନାରେ ମୋଦିଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଓଡ଼ିଶାକୁ ବହୁ ଅଧିକ ଅନୁଦାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦୀନ ଦୟାଲ୍ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନା, ମନରେଗା ଯୋଜନା, ଶ୍ୟାମା ପ୍ରସାଦ ମୁଖାର୍ଜୀ ମିସନ୍‌, ଉଜ୍ଜ୍ୱଳ ଯୋଜନା, ଗ୍ରାମାଂଚଳରେ ବିଜୁଳି ସଂଯୋଗ, ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ଆଦିରେ ପର୍ଯ୍ୟାପ୍ତ ଅନୁଦାନ ଆସିଛି । ୬୦% ରୁ ଅଧିକ ଗାଁରେ ଶୌଚାଳୟ ନିର୍ମିତ ହୋଇଛି । କୋଇଲା ବଂଟନ କ୍ଷେତ୍ରରେ ନିୟମ ପରିବର୍ତନ ଯୋଗୁ ରାଜ୍ୟକୁ ବହୁ ଅଧିକ ରାଜସ୍ୱ ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍‌ସିଏଲ୍ ଦ୍ୱାରା ତାଳଚେର ଓ ଏନ୍‌ଟିପିସି ଦ୍ୱାରା ସୁନ୍ଦରଗଡ଼ରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବ । ସେହିପରି ୬୦% ରୁ ଉର୍ଦ୍ଧ୍ୱ ଘରେ ରୋଷେଇ ଗ୍ୟାସ୍ ପହଂଚା ଯାଇଛି ।
ସେହିପରି ଚଳିତ ରେଳ ବଜେଟରେ(୨୦୨୨-୨୩ ଆର୍ଥିକ ବର୍ଷ) ଓଡ଼ିଶା ପାଇଁ ଅନେକ କିଛି ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନି ବୈଷ୍ଣବ । ମୁଖ୍ୟତଃ ଭାରତୀୟ ରେଲୱେକୁ ବ୍ୟବସାୟିକ ସଂସ୍ଥାରେ ପରିଣତ କରାନଯାଇ ସର୍ବସାଧାରଣ ସେବା ସଂସ୍ଥାରେ ପରିଣତ କରାଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହି ବଜେଟ୍ ଓଡ଼ିଶାବାସୀଙ୍କ ପାଇଁ ବେଶ୍ ଖୁସି ଆଣି ଦେଇଛି । ଓଡ଼ିଶାରେ ଆବଶ୍ୟକ ରେଳ ଭିତ୍ତିଭୂମିର ବିକାଶ ଲାଗି ପଥ ପରିଷ୍କାର ହୋଇଥିବା ମନେ ହେଉଛି । ଓଡ଼ିଶାକୁ ଏଥର ମିଳିଛି ୯,୭୩୪ କୋଟି ଟଙ୍କା, ଯାହା ଓଡ଼ିଶାର ରେଳ ବଜେଟ୍ ଇତିହାସରେ ଓଡ଼ିଶା ପାଇଁ ସର୍ବାଧିକ ଓ ଐତିହାସିକ । ଅନ୍ୟ ପକ୍ଷରେ ଜାତୀୟ ସ୍ତର ତୁଳନାରେ ଆମ ରାଜ୍ୟରେ ରେଳ ଲାଇନ୍‌ର ପରିମାଣ ବହୁ କମ୍ ରହିଛି । ରେଳବାଇ କ୍ଷେତ୍ରରେ ପଛୁଆ ରାଜ୍ୟକୁ ଗୁରୁତ୍ୱ ଦିଆଯିବା ଲକ୍ଷ୍ୟ ନେଇ କେତେକ ନୂଆ ଲାଇନ୍ ସହ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଖୁସି କରାଯିବାକୁ ଚେଷ୍ଟା କରାଯାଇଛି । ତେବେ ଏହି ବଜେଟ୍‌ରେ ନୂଆ ଲାଇନ୍ ଓ ଚାଲୁଥିବା ପ୍ରକଳ୍ପ ପାଇଁ ୧୮୦୬.୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ରାଜ୍ୟରେ ଦ୍ୱିତୀୟ ଲାଇନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବାବଦରେ ୬,୫୧୨.୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି, ଯାହା ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିଛି ।
ତେବେ ବିଜେପି ପ୍ରତି ସାଧାରଣ ଲୋକେ କାହିଁକି ସେତେଟା ଆକର୍ଷିତ ହେଉନାହାନ୍ତି?… ତେବେ କ’ଣ ବିଜେପି ଦ୍ୱାରା ପରିଚାଳନାଗତ ତୃଟି ଯୋଗୁ ଯୁବ ଗୋଷ୍ଠୀର ଭୋଟ ଅତି ସହଜରେ ଅନ୍ୟାନ୍ୟା ଦଳକୁ ଚାଲି ଯାଉଛି?… ଅନ୍ୟ ପକ୍ଷରେ ଦଳର କିଛି ଖାସ୍ ସମର୍ଥକ ଓ ଶୁଭେତ୍ସୁଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁକି?…
ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳ ଓ ବିଜେପି ସରକାରଙ୍କ ଦ୍ୱାରା କୋଟିକୋଟି ଟଙ୍କାର ବିଜ୍ଞାପନ ଦିଆଯାଇ ହୁଏତ ମତଦାତାଙ୍କୁ ବିଜେପି ପ୍ରତି ଆକର୍ଷିତ ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟପକ୍ଷରେ ଉଦ୍ଦେଶ୍ୟ ମୂଳକ ଭାବେ କିଛି ଗଣମାଧ୍ୟମକୁ ବିଜ୍ଞାପନ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ସେ ଯାହାହେଉ ଓଡ଼ିଶାରେ ବିଜେପିର ନେତୃତ୍ୱ ନେଉଥିବା ନେତାମାନେ ସଫଳ ହୋଇ ପାରୁନଥିବା ରାଜନୀତିକ ମହଲରେ ଆଲୋଚନା ହୋଇ ଆସୁଛି ।
ରାଜନୀତିକ ଜ୍ଞାନରେ ନିପୁଣ ଓ ଲୋକପ୍ରିୟ ନେତାମାନେ ଦଳକୁ ମଜଭୁତ କରିବାର ଆବଶ୍ୟକତା ରହିଛି ।
ବାସ୍ତବତା ଦେଖାଗଲେ, ବିଜେପିରେ ବହୁ ଜ୍ଞାନୀଗୁଣୀ ତଥା ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ନେତାମାନେ ଅଛନ୍ତି । ଏହି ଦୃଷ୍ଟିରୁ ଭବିଷ୍ୟତରେ ଓଡ଼ିଶାରେ ବିଜେପି ହୁଏତ ଶାସନ ଗାଦିକୁ ଆସିବା ଏତେ କଷ୍ଟସାଧ୍ୟ ନୁହେଁ । ମାତ୍ର ବିଜେପି ପାଇଁ ରାଜନୀତିକ ଜ୍ଞାନରେ ନିପୁଣ ତଥା ଦୃଢ ନେତୃତ୍ୱର ଆବଶ୍ୟକତା ରହିଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଉଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ଭଲ ଫଳ କରି ନଥିଲେ ହେଁ ଦଳର ରଙ୍ଗୀନ ଭବିଷ୍ୟତ ରହିଛି । ଏହା ସତ୍ୟ ଯେ, ଓଡ଼ିଶାରେ ବିଜେପି ଆଗକୁ ବଢିବା ପାଇଁ ଜୋରଦାର ଉଦ୍ୟମ କରି ଆସୁଛି । ଓଡ଼ିଶା ବିଜେପିର ଅନେକ ନେତା ମଧ୍ୟ ଜାତୀୟ ରାଜନୀତି କ୍ଷେତ୍ରରେ ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନେଲେଣି । ତେବେ ଦଳୀୟ ସଭାପତି ସମୀର ମହାନ୍ତିଙ୍କ ଭଳି ବିଜେପିର କେତେକ ଆଗ ଧାଡ଼ିର ତୁଙ୍ଗ ନେତା ମଧ୍ୟ ନିଜ ନିଜର ପ୍ରଚଣ୍ଡ ରାଜନୀତିକ କରିସ୍ମା ବଳରେ ସାଧାରଣ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଦଳୀୟ ନେତା ମାନଙ୍କର ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ବିଜେପି ସଂଗଠନକୁ ମଜଭୁତ କରାଇବାରେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ । ହୁଏତ ଆସନ୍ତା ସାଧାରଣ ନିର୍ବାଚନରେ ସାରା ଓଡ଼ିଶାକୁ ପଦ୍ମରେ ସଜେଇ ଭାଜପା ଇତିହାସ ରଚିବା ଅସମ୍ଭବ ନୁହେଁ ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍‌,
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮
ସଂପାଦକୀୟ ପୃଷ୍ଠା:-

Leave a Reply

Your email address will not be published. Required fields are marked *